ଇଣ୍ଡିଆ ଆଣ୍ଡ ଏସିଆନ୍ ଜିଓପଲିଟିକ୍ସ୍: ଦି ପାଷ୍ଟ , ଦି ପ୍ରେଜେଣ୍ଟ
ଲେଖକ: ଶିବ ଶଙ୍କର ମେନନ
ପ୍ରକାଶକ: ପେଙ୍ଗୁଇନ୍ ରାନ୍ଡମ୍ ହାଉସ୍
ପୃଷ୍ଠା: ୪୦୬ । ମୂଲ୍ୟ: ୬୯୯ ଟଙ୍କା
ଶିବ ଶଙ୍କର ମେନନ୍ ଭାରତର ପୁର୍ବତନ ବିଦେଶ ସଚିବ ଥିଲେ । ଜାତୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ଥିଲେ । ତେଣୁ ଆନ୍ତର୍ଜାତିକ କ୍ଷେତ୍ରରେ, ବିଶେଷ କରି ଏସୀୟ ଭୂଖଣ୍ଡରେ ଭାରତର ରାଜନୈତିକ, ଅର୍ଥନୈତିକ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥିତି ବିଷୟରେ ତାଙ୍କର ଯଥେଷ୍ଟ ଜ୍ଞାନ ଓ ବାସ୍ତବ ଅଭିଜ୍ଞତା ରହିଛି । ବହିରେ ଆଲୋଚିତ ପ୍ରତ୍ୟେକ ପ୍ରସଙ୍ଗରେ ତାହା ପାଠକ ଅନୁଭବ କରିପାରିବ ।
ବର୍ତ୍ତମାନ ଭାରତ ଏକ ବିଷମ ପରିସ୍ଥିତି ଦେଇ ଗତି କରୁଛି । ଦେଶ ଭିତରେ ଏବଂ ବାହାରେ- ଉଭୟ ଜାଗାରେ ବିଷମ ପରିସ୍ଥିତି । କରୋନା ମହାମାରୀ ଆମର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ବେରୋଜଗାରି ବଢ଼ିଛି । ଅର୍ଥନୈତିକ ଅଭିବୃଦ୍ଧିର ହାର ବହୁତ କମି ଯାଇଛି । ପାକିସ୍ଥାନ ସହିତ ଆମର ସମ୍ପର୍କ କେବେ ବି ଭଲ ନଥିଲା । ବର୍ମାରେ ସାମରିକ ଶାସନ । ଶ୍ରୀଲଙ୍କାରେ ତାମିଲ ଶରଣାର୍ଥୀମାନଙ୍କୁ ନେଇ ଆମର ସମସ୍ୟା ରହିଛି । ଇତିମଧ୍ୟରେ ଚୀନ ସହିତ ଆମର ସମ୍ପର୍କରେ ଆହୁରି ଅବନତି ଘଟିଛି । ଗତ ପ୍ରାୟ ପାଖାପାଖି ବର୍ଷେ ହେଲାଣି ଲଦାଖ ସୀମାରେ ଭାରତୀୟ ଏବଂ ଚୀନ ସୈନିକ ମୁହାଁ ମୁହିଁ ହୋଇ ରହିଛନ୍ତି ।
ଏ ବହିରେ ଲେଖକ ସାମ୍ପ୍ରତିକ ସମୟରେ ଚୀନ୍ର ଶକ୍ତି ବୃଦ୍ଧି ପ୍ରସଙ୍ଗକୁ ବିଶେଷ ଭାବେ ରେଖାଙ୍କିତ କରିଛନ୍ତି । ଚୀନ୍ ବର୍ତ୍ତମାନ ବିଶ୍ୱ ଅର୍ଥନୀତିର କେନ୍ଦ୍ରରେ ରହିଛି । ସାରା ବିଶ୍ୱରେ ଯେତେ ଶିଳ୍ପ-ଉତ୍ପାଦନ ହେଉଛି ତାର ଚାରିଭାଗରୁ ଭାଗେ ହୁଏ ଚୀନ୍ରେ । ବିଶ୍ୱରେ ଯେତେ ଶକ୍ତି ବ୍ୟବହାର କରାଯାଏ ତାର ଚାରିଭାଗରୁ ଭାଗେ ଚୀନ୍ରେ । ଚୀନ୍ରେ ବିଶ୍ୱର ୫୯ ପ୍ରତିଶତ ସିମେଣ୍ଟ ଏବଂ ଅଧାଅଧି ଇସ୍ପାତ ଏବଂ ତମ୍ବା ବ୍ୟବହାର କରାଯାଉଛି । ଚୀନ୍ର ରାଷ୍ଟ୍ରପତି ଜି ଜିନ ପିଙ୍ଗ୍ ୨୦୧୨ରେ କହିଥିଲେ ଯେ ଚାଇନିଜ କମ୍ୟୁନିଷ୍ଟ ପାର୍ଟିର ଶତବର୍ଷ -୨୦୨୧ ସୁଦ୍ଧା ଚୀନ୍ର ମୁଣ୍ଡପିଛା ଆୟକୁ ସେ ଦ୍ୱିଗୁଣିତ କରିବେ ଏବଂ ୨୦୩୯ – ଚୀନର ଶତବାର୍ଷିକୀ, ସେ ସମୟରେ ଚୀନ୍କୁ ଏକ ଆଧୁନିକ ସଂପୁର୍ଣ୍ଣ ଭାବେ ଉନ୍ନତ, ଧନୀ ଏବଂ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବେ । ଚୀନ୍ ସେ ମାର୍ଗରେ ଚାଲିଛି । ଚୀନ ତାର ସମ୍ପଦକୁ ଘରୋଇ ଉନ୍ନୟନ, ସାମରୀକ ବାହିନୀର ଆଧୁନିକୀକରଣ ଏବଂ ଅର୍ଥନୈତିକ, ରାଜନୈତିକ ଏବଂ ସାମରିକ ଶକ୍ତି ବୃଦ୍ଧି କରିବାରେ ଲଗେଇ ଚାଲିଛି । ଏହାର ପ୍ରଭାବ ପୂର୍ବ ଏବଂ ଦକ୍ଷିଣ ଚୀନ୍ ସାଗର, ୟୁରେସିଆ ଏବଂ ଭାରତ ମହାସାଗରରେ ଦୃଶ୍ୟମାନ ।
ଚୀନର କ୍ଷମତା ବଢ଼ି ବଢ଼ି ଚାଲିଥିଲାବେଳେ ଆମେରିକାର ଶକ୍ତି କ୍ରମଶଃ କମିବାରେ ଲାଗିଛି । ଗତ ସାତ ଦଶନ୍ଧି ଧରି ଆମେରିକା ପୃଥିବୀର ସବୁଠାରୁ ବଡ଼ ଶକ୍ତି ଥିଲା । ହେଲେ ଏବେ ଚୀନ୍ ଏକ ବିକଳ୍ପ ଶକ୍ତି ଭାବରେ ଉଭା ହେଉଛି । ଆମେରିକା ପାଇଁ ଏହା ଏକ ଚିନ୍ତାର ବିଷ୍ରୟ ହୋଇଛି ।
ତେଣୁ ଦକ୍ଷିଣ ଏସିଆ କ୍ଷେତ୍ରରେ ଚୀନ୍ର ପ୍ରଭାବକୁ ପ୍ରତିହତ କରିବା ପାଇଁ ଆମେରିକା ବନ୍ଧୁ ରାଷ୍ଟ୍ର ଖୋଜି ବୁଲୁଛି । ଲକ୍ଷ୍ୟ କରିବାର କଥା ଆମେରିକା ନେତୃତ୍ୱରେ ଗଠିତ କ୍ୱାଡ୍ (ଛଙ୍କବୟକ୍ସସ କ୍ଷବଗ୍ଧରକ୍ସବକ୍ଷ ଗ୍ଦରମଙ୍କକ୍ସସଗ୍ଧଚ୍ଚ ୟସବକ୍ଷକ୍ଟଶଙ୍କର )ରେ ଜାପାନ୍, ଅଷ୍ଟ୍ରେଲିଆ ସହିତ ଭାରତକୁ ରଖାଯାଇଛି । ଉଦ୍ଦେଶ୍ୟ ହେଲା- ଚୀନ୍ର ଶକ୍ତିବୃଦ୍ଧିକୁ ପ୍ରତିହତ କରିବା ।
ଭାରତର ସ୍ଥିତିକୁ ଶିବ୍ ଶଙ୍କର ମେନନ୍ ବଡ଼ ସୁନ୍ଦର ଭାବରେ ରେଖାଙ୍କିତ କରିଛନ୍ତି । ଭାରତ ହେଉଛି କ୍ୱାଡ୍ ର ଏକମାତ୍ର ସଭ୍ୟ ଯାହା ସହିତ ଚୀନ୍ର ସୀମା ୩୮୦୦କିଲୋମିଟର । ଅନେକ ଜାଗାରେ ଏ ସୀମା ରେଖାଙ୍କିତ ନୁହେଁ । ଭାରତ ଛଡା ଚୀନ୍ର ସୀମା ଆଫଗାନିସ୍ଥ।।ନ, ପାକିସ୍ତାନ, ନେପାଳ, ଭୂଟାନ ଏବଂ ମିୟାମାର ସହିତ ମଧ୍ୟ ଲାଗିଛି । ତେଣୁ ଏ ସମଗ୍ର ଅଞ୍ଚଳ ଚୀନ୍ର ଶକ୍ତି ପ୍ରତିହତ କରିବା ଦିଗରେ ଗୁରୁତ୍ୱପୁର୍ଣ୍ଣ ।
୨୦୦୮ରୁ ଭାରତ ଚୀନର କ୍ରମବର୍ଦ୍ଧମାନ ଶକ୍ତିକୁ ଟକ୍କର ଦବାପାଇଁ ଆମେରିକା ସହିତ ବନ୍ଧୁତ୍ୱ କରିବା ପାଇଁ ଚେଷ୍ଟା କରିଆସିଛି । ଆମେରିକାଠୁ ଅଧିକ ସାମରିକ ଅସ୍ତ୍ର ଶସ୍ତ୍ର କିଣାଯାଉଛି । ସାମରିକ କ୍ଷେତ୍ରରେ ତାଙ୍କ ସହିତ ଚୁକ୍ତି କରାଯାଇଛି । ଯୌଥ ସାମରୀକ ଅଭ୍ୟାସ କରାଯାଇଛି ।
ଶ୍ରୀ ମେନନ୍ ତାଙ୍କ ପୁସ୍ତକରେ ଏଭଳି ପରିସ୍ଥିତିରେ ଭାରତ କଣ କରିବା ଉଚିତ୍ ସେ ସମ୍ପର୍କରେ ମଧ୍ୟ ନିଜର ମତ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତକୁ ବିଶ୍ୱର ବଡ଼ ଶକ୍ତିଭାବେ ଦେଖିବା ପାଇଁ ଅତି ଜାତୀୟତାବାଦୀ ମାନେ ଚିତ୍କାର କରୁଛନ୍ତି ସତ କିନ୍ତୁ ସେ ଚିତ୍କାର ସହିତ ଏହା କିପରି ହୋଇପାରିବ ତାହା ଏ ପର୍ଯ୍ୟନ୍ତ ନିର୍ଦ୍ଦେଶିତ ହୋଇପାରିନାହିଁ ।
ଲେଖକଙ୍କ ମତରେ ଭାରତକୁ ଅଧିକ ସମୃଦ୍ଧ, ଶକ୍ତିଶାଳୀ ଏବଂ ଆଧୁନିକ ରାଷ୍ଟ୍ର ହେବାପାଇଁ ପଡ଼ିବ । ଏଥିପାଇଁ ଦେଶ ଭିତରୁ ଚେଷ୍ଟା କରିବା ପାଇଁ ପଡିବ ଏବଂ ନିଜ ସ୍ୱାର୍ଥକୁ ଜଗି ଅନ୍ୟାନ୍ୟ ଦେଶ ସହିତ ସଂପର୍କ ରଖିବାକୁ ପଡିବ । ଆମେରିକାର ବନ୍ଧୁତ୍ୱ ପାଇଁ ଅତି ବ୍ୟସ୍ତ ବିବ୍ରତ ହୋଇ ଅତି ମାତ୍ରାରେ ଚେଷ୍ଟିତ ହେବା ଉଚିତ୍ ନୁହେଁ ବୋଲି ତାଙ୍କର ମତ ।
ଦକ୍ଷିଣ ଏସିଆରେ ଚୀନ୍ ସହିତ ଜାପାନ, କୋରିଆ, ଇଣ୍ଡୋନେସିଆ ଏବଂ ଇରାନ୍ ର ମଧ୍ୟ ଅଭିବୃଦ୍ଧି ଘଟୁଛି । ସେମାନଙ୍କ ସହିତ ମଧ୍ୟ ଭାରତକୁ କେମିତି ଚଳିବାପାଇଁ ପଡିବ ସେ କ୍ଷେତ୍ରରେ ଚିନ୍ତା କରିବାର ସମୟ ଆସିଛି ।
ଶିବ୍ ଶଙ୍କର ମେନନ୍ଙ୍କର ଏ ପୁସ୍ତକଟି ଦକ୍ଷିଣ ଏସିଆରେ ଭାରତର ସ୍ଥିତିକୁ ବୁଝିବା ପାଇଁ ଏକ ଚମତ୍କାର ପୁସ୍ତକ ।