ବାଗୀଶ୍ଵରୀ ବନ୍ଦନା

ଶତରୂପା ମିଶ୍ର

ବାଗୀଶ୍ଵରୀ ଆହେ ଦେବୀ ସରସ୍ଵତୀ ଧରା ପରେ ଅବତରି,
ବସନ୍ତ ପଞ୍ଚମୀ ଶୁଭ ମୁହୂରତେ ଦିଅ ସୁଜ୍ଞାନ ବିତରି ।

ଚନ୍ଦ୍ର ସମ ଶ୍ୱେତବସ୍ତ୍ର ପରିହିତା ଶ୍ୱେତ କମଳେ ବିରଜି,
ଶ୍ୱେତ ରାଜହଂସ ବାହନେ ଆରୋହି ପୁଣିଥରେ ଆସ ଆଜି ।

ତୁମରି ବୀଣାର ମଧୁ ମୂର୍ଚ୍ଛନାରୁ ସୃଷ୍ଟ ସକଳ ଧ୍ଵନି,
ପ୍ରଶମିତ କରେ ସକଳ ପ୍ରାଣୀଙ୍କ ପ୍ରାଣ-ପ୍ରପୀଡ଼ନ ବହ୍ନି ।

କରେ ଧରି ଚତୁର୍ବେଦୋପନିଷଦ ଢ଼ାଳିଦିଅ ପ୍ରଜ୍ଞାଲୋକ,
ଆଲୋକିତ କର ଏ ସାରା ସଂସାର ଧନ୍ୟ ହେଉ ମର୍ତ୍ତ୍ୟଲୋକ ।

ସୃଜନର ଦେବୀ ଶାରଦା ଗୋ ତୁମେ ସର୍ଜନା ଶକତି ଦିଅ,
ସମାଜରେ ଯେତେ ଅମାନବିକତା ଲାଗଇ ଅସହନୀୟ ।

ବାଗ୍ଦେବୀ ଗୋ ତୁମ ଆଶିଷକୁ କରି ଜୀବନେ ଅମୋଘ ଅସ୍ତ୍ର,
ନାଶିବୁ କୁପ୍ରଥା, ଅମାନବିକତା, ସମାଜ ହେବ ପବିତ୍ର ।

ମଥା ରଖି ତୁମ୍ଭ ଶ୍ରୀଚରଣେ ଆଜ କୁହଇ ଏ ଜ୍ଞାନହୀନା,
ଭକତି ନୈବେଦ୍ୟ କର ହେ ଗ୍ରହଣ ଏତିକି ମୋର କାମନା ।

ଆଠଗଡ଼, କଟକ

ଲେଖକ ପରିଚୟ

କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ରେ ଜନ୍ମିତା ଶତରୂପା ମିଶ୍ର ଜଣେ ଉଦୀୟମାନ ଯୁବ ସାହିତ୍ୟିକା ଭାବରେ ଖ୍ୟାତିସମ୍ପନ୍ନା । ସମ୍ପ୍ରତି ସ୍ନାତକ ଶେଷ ବର୍ଷ ପଦାର୍ଥବିଜ୍ଞାନ ବିଭାଗର ଏହି ଛାତ୍ରୀ ଜଣକ ପ୍ରାୟ ଦଶ ବର୍ଷ ଧରି ସାରସ୍ୱତ ସାଧନା କରୁଛନ୍ତି ।

Related Posts

Leave a Reply

Your email address will not be published. Required fields are marked *