ମନୋରମା ସାହୁ

ରେଲଓ୍ୱେ ପ୍ଲାଟଫର୍ମର ଏତେ ଗହଳି ଭିତର ବି ଦୃଶ୍ୟଟି ବାଦ୍ ପଡ଼ି ନଥିଲା ଜଳନ୍ଧରଙ୍କ ଆଖିରୁ । ମାଆବାପା ଓ ପୁଅ ଠିଆ ହୋଇଥାନ୍ତି ଟ୍ରେନକୁ ଅପେକ୍ଷା କରି । ପୁଅଟି ତିନି ଚାରି ବର୍ଷର ହେବ । ଗୁଲୁଗୁଲିଆ ପିଲାଟିଏ । ଟ୍ରେନକୁ ଅପେକ୍ଷା କରିବା ଭିତରେ ପିଲାଟି ମାଆବାପାଙ୍କ ଚାରିପଟେ ଦଉଡୁ ଦଉଡୁ ପଡ଼ିଗଲା । ମାଆଟି ନଇଁପଡ଼ି ପିଲାଟିକୁ ଉଠେଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ପାରିଲାନି । କାରଣ ଚିପା ଜିନ୍ସ ଓ ଟି’ ସାର୍ଟରେ ନଇଁବା ସମ୍ଭବ ହେଲା ନାହିଁ । ବାପାଙ୍କର ବି ସେଇ ଅବସ୍ଥା । ପିଲାଟି କାନ୍ଦିକାନ୍ଦି ମନକୁ ମନ ଉଠିଲା । ମାଆ କୋଳରେ ମୁହଁ ଗୁଞ୍ଜି କାନିରେ ପୋଛି ହୋଇଥିଲେ ତାକୁ ଟିକେ ଆରାମ ଲାଗିଥାନ୍ତା । କିନ୍ତୁ କୋଳ କାହିଁ ! କାନି ବି କାହିଁ !

ବାଧ୍ୟହୋଇ ପିଲାଟି ମାଆର ଜିନ୍ ପ୍ୟାଣ୍ଟରେ ମୁହଁ ଘଷିଲା । କିନ୍ତୁ ତାର କାନ୍ଦ କମିବା ପରିବର୍ତ୍ତେ ବଢିଗଲା । କାରଣ ଖଦଡିଆ ଜିନରେ ଘଷି ହୋଇ ପିଲାଟିର କଅଁଳ ମୁହଁ ଆଞ୍ଚୁଡି ହୋଇଗଲା । ରକ୍ତ ଉକୁଟି ଆସିଲା । ଏଥର ମାଆଟି ପାଟି କରୁଥିଲା ବାପାଙ୍କୁ ।

       “ସେଠି ଭୂତଟା ଭଳିଆ ଠିଆ ହୋଇଛ କଣ ମ’ ! ଦେଖୁଛ ତ ମୋ ବ୍ରାଣ୍ଡେଡ୍ ପ୍ୟାଣ୍ଟଟାକୁ ସେ କ’ଣ କଲାଣି ! ଶୀଘ୍ର ଟିସୁ ପେପର ଦିଅ ।”

      ବାପା ପିଲାଟି ହାତରେ ଟିସୁ ଧରାଇ ଦେଲେ । ସେଥିରେ ଅଭ୍ୟସ୍ତ ପିଲାଟି ଧୀରେଧୀରେ ତାର ଲୁହ ଓ ମୁହଁ ପୋଛିବାକୁ ଲାଗିଲା ।

        ଦୃଶ୍ୟଟି ଭାରି ବ୍ୟଥିତ କଲା ଜଳନ୍ଧରଙ୍କୁ । ମନେ ପଡ଼ି ଯାଉଥିଲା ପିଲାଦିନର କିଛି ସ୍ମୃତି ।

ଏମିତି ଥରେ ବୋଉ ଚାରିପଟେ ବୁଲୁବୁଲୁ ସେ ପଡ଼ି ଯାଇଥିଲେ । ତାଙ୍କ ଆଖିରୁ ଦୁଇଟୋପା ଲୁହ ବୋହୁ ନବୋହୁ ବୋଉ ସାଙ୍ଗେସାଙ୍ଗେ ‘ମୋ ଧନର କ’ଣ ହେଲା ଲୋ’ କହିକହି କୋଳେଇ ନେଇ ପଣତରେ ଝାଡ଼ିଝୁଡ଼ି ଦେଲା । କାଖ କରି କାଉ, କୁମ୍ଭାଟୁଆ ଦେଖାଇଲା । ଗାଲରେ ଚୁମା ଦେଲା । ଏମିତି କେତେ କ’ଣ ।

ବାସ୍, କାନ୍ଦ ସେତିକିରେ ବନ୍ଦ । ଦରଜ ହୋଇଥିବା ଜାଗାରେ ଆଉ ଔଷଧ ଲଗାଇବାର ଆବଶ୍ୟକତା ପଡ଼ି ନଥିଲା ।

       ବୋଉର ପଣତକାନିରେ ସବୁ ସମସ୍ୟାର ସମାଧାନ ଥିଲା ।

ତାଙ୍କର ମନେ ପଡୁଛି, ଷଷ୍ଠ ଶ୍ରେଣୀରେ ପଢୁଥିଲାବେଳେ ଥରେ ସେ ସାଙ୍ଗ ପିଲାଙ୍କ ସହ ସ୍କୁଲକୁ ଯିବେ ବୋଲି ଘରୁ ବାହାରିଲେ । ଯିବା ବାଟରେ ନଈ ପଡ଼େ ଓ ତା ପାଖରେ ଆମ୍ବତୋଟା । ସେଦିନ କାହିଁକି କେଜାଣି ମୁଣ୍ଡକୁ ଦୁର୍ବୁଦ୍ଧି ଜୁଟିଲା । ସ୍କୁଲ୍ ଯିବା ବନ୍ଦ । ସମସ୍ତେ ବ୍ୟାଗକୁ କାନ୍ଧରୁ ବାହାର କରି ବୁଦା ମୂଳରେ ଥୋଇଦେଲେ । ଚାଲିଲେ ଆମ୍ବତୋଟା । ଜଳନ୍ଧର ଚଢିଲେ ଗଛରେ । କଞ୍ଚା ଆମ୍ବ, ପାଚିଲା ଆମ୍ବ, ଦରପାଚିଲା ଆମ୍ବ ସବୁ ତୋଳି ପକାଇଲେ ତଳକୁ । ସାଙ୍ଗମାନେ ସବୁ ସାର୍ଟ ଖୋଲି ଅଣ୍ଟି କରି ସେଥିରେ ଆମ୍ବ ଧରୁଥାନ୍ତି । ତୋଳିତୋଳି ମନବୋଧ ହେବାରୁ ଗଛରୁ ଓହ୍ଲାଇଲେ । ସାଙ୍ଗ ହୋଇ ବସି ଆମ୍ବ ଖାଇଲେ । କିଛି ବ୍ୟାଗରେ ମଧ୍ୟ ରଖିଲେ, ତା’ପର ଦିନ ସ୍କୁଲରେ ଝିଅମାନଙ୍କୁ ଦେବାକୁ ।

ଆମ୍ବଖିଆ କାର୍ଯ୍ୟକ୍ରମ ସରିବା ପରେ ଡେଇଁଲେ ନଈକୁ ଭୁସଭାସ୍ । ବୁଡ଼ା ପହଁରା, ଚିତ୍ ପହଁରା, ଗୋଡ଼ଛଟା ପହଁରା, ସାଇଡ୍ ମରା ପହଁରା ଚାଲିଲା । ପହଁରାର ଯେତେଯେତେ କଳାକୌଶଳ ଜାଣିଥିଲେ, ସବୁ ସେଦିନ ପ୍ରଦର୍ଶନ କଲେ । କେତେବେଳେକେ ଯାଇ ମନ ପଡ଼ିଲା ଘର କଥା । ଖରାକୁ ଦେଖି ଜାଣିଗଲେ ସ୍କୁଲରୁ ଫେରିବା ସମୟ ପାଖେଇଲାଣି । ସମସ୍ତେ ଖରାରେ, ପବନରେ ଦେହ, ମୁଣ୍ଡ ଶୁଖାଇଲେ । ତା’ପରେ ସାର୍ଟପ୍ୟାଣ୍ଟ ପିନ୍ଧି, ବ୍ୟାଗ୍ ଗଳାଇ ସ୍କୁଲ୍ ଫେରନ୍ତା ପିଲା ପରି ଚାଲିଲେ ଘରକୁ ।

ଘରେ କିନ୍ତୁ ଏ ସମ୍ବାଦଟା ଆଗରୁ ପହଞ୍ଚି ସାରିଥାଏ । ତାଙ୍କ ଗାଁର ଧଡୁଦାଦା ନଈକୁ ଗାଧେଇ ଯାଇଥିଲେ । ଏମାନଙ୍କ କାରନାମା ବିଷୟରେ ସେ ଆସି ଘରେ ଜଣାଇ ଦେଇଥାନ୍ତି । ବାପା ପାଞ୍ଚଣଟାଏ ଧରି ଦାଣ୍ଡଘର ଖଟିଆ ଉପରେ ରାଗିକି ବସିଥାନ୍ତି । ଯେମିତି ଜଳନ୍ଧର ଦାଣ୍ଡ ଦୁଆର ଟପି ଘରେ ପଶିଲେ, ସେମିତି ବାପା ସାଏଁକିନା କବାଟଟାକୁ ଦେଇ ପାହାର ପରେ ପାହାର ବସେଇ ଚାଲିଲେ ତାଙ୍କ ପିଠିରେ । କହୁଥାନ୍ତି,”ମଣିଷ; ପୁଅ ଜନ୍ମ କରି ଅନେଇ ବସିଛି ପୁଅ ଆମର କୁଳ ଉଜ୍ଜଳ କରିବ ବୋଲି । ଏ ଗୁଣମଣିଙ୍କୁ ଦେଖ । ସ୍କୁଲ୍ ବନ୍ଦ କରି ନଈକୂଳରେ ଡ୍ରାମା ଚଲେଇଛି ।” ଜଳନ୍ଧର ସେତେବେଳକୁ ଲୁହଲାଳ ଏକାକାର । ଦେହସାରା ନୋଳା ଦାଗ ।

ବାପାଙ୍କ ଚିତ୍କାର ଶୁଣି ବୋଉ ବାରିପଟୁ ଦୌଡିଆସି ଏ କାଣ୍ଡ ଦେଖିଲା । ସାଙ୍ଗେସାଙ୍ଗେ ଜଳନ୍ଧରଙ୍କ ଉପରେ ପଣତକାନିଟାକୁ ଘୋଡେଇ ଦେଇ ତାଙ୍କୁ ଜାକିଧରି ବାପାଙ୍କ ଆଡ଼କୁ ପିଠିକରି ଠିଆ ହୋଇଗଲା । ବାପାଙ୍କର ରାଗ ବୋଉ ଉପରକୁ ଛିଟିକି ଆସିଲା । ରାଗରେ ପାଞ୍ଚଣଟାକୁ ଫୋପାଡି ଦେଇ ପାଟି କଲେ, “ତମରି ମୁହଁ ପାଇ ସେ ପିଲା ଏଇଦିନୁ ଏତେ ବଦମାସ୍ ହେଲାଣି । ଆଜି ସିନା ଧଡୁ ଦେଖିଲା ବୋଲି ! କେତେଥର ସେ ଏମିତି କଲାଣି କିଏ କହିବ ।”

ବାପା ବଜାର ଆଡେ ପଳେଇଲେ । ବୋଉ ଜଳନ୍ଧରଙ୍କ ସାର୍ଟ ଖୋଲି ଖଟ ଉପରେ ଶୁଆଇ ଦେଲା । ଗରମ ପାଣି କରି ସେକ ଦେଲା । ସୋରିଷ ତେଲ ଗରମ କରି ଧୀରେଧୀରେ ମାଲିସ୍ କରୁଥାଏ ଓ କାନ୍ଦୁଥାଏ । ବୋଉର ପଣତକାନି ସେଦିନ ବାପାଙ୍କର ପ୍ରଚଣ୍ଡ ମାଡକୁ ରୋକି ଦେଇଥିଲା । ନହେଲେ ଆହୁରି କେତେ ପାହାର ବାଜିଥାନ୍ତା କେଜାଣି ।

ଆଉଦିନେ ଗଣିତ ଆସିଲାନି ବୋଲି ଅଙ୍କସାର୍ ତାଙ୍କୁ ଗୋଗୋଛ ବାଡିଆ କରିଥାନ୍ତି । କାନ୍ଦିକାନ୍ଦି ଆଖି, ମୁହଁ ଫୁଲି ଯାଇଥାଏ । ଘରକୁ ଆସୁଆସୁ ବୋଉ ତାଙ୍କ ମୁହଁ ଦେଖି ସବୁକିଛି ଅନୁମାନ କରିନେଲା । କାନି ପଣତରେ ଦେହମୁହଁ ପୋଛି ପକାଇଲା । ସନ୍ଧ୍ୟାବେଳକୁ ଅଦା, ତେଜପତ୍ର ପକାଇ ନାଲିଚାହାରେ ମୁଢି ପକାଇ ଦେଲା । ଜଳନ୍ଧରଙ୍କ ମାଡ଼ କଷ୍ଟ ସବୁ ଭୁଲି ହୋଇଗଲା ।

ଗାଁ ପାଖରେ ଥିବା ମାମୁଁଘରକୁ ଚାଲିଚାଲି ଗଲାବେଳେ ବୋଉ ତା ପଣତକାନିକୁ ଦି’ପରସ୍ତ କରି ତାଙ୍କ ମୁଣ୍ଡ ଉପରେ ପକାଇଦିଏ । ସେ ବେଶ୍ ଆରାମରେ ନୂଆବୋହୂଟିଏ ପରି ବୋଉର କାନି ଘୋଡେଇ ହୋଇ ଚାଲନ୍ତି । ଯେଡେ ଟାଣଖରା ହେଲେବି ବାଧେ ନାହିଁ ।

ଖାଇସାରି ବୋଉକାନିରେ ହାତ, ପାଟି ପୋଛିଦେଲେ ତାଙ୍କ ପେଟ ଆହୁରି ପୂରିଯାଏ । ସେ ବେଶ୍ ମଜାରେ ହାକୁଟି ମାରିମାରି ଖେଳିବାକୁ ଚାଲିଯାନ୍ତି । ଖେଳିସାରି ଫେରିଲା ବେଳକୁ ବି ବୋଉର ପଣତକାନିର ଆବଶ୍ୟକତା ପଡେ । ଦେହମୁଣ୍ଡରେ ପଡିଥିବା ଧୂଳିକୁ ବୋଉ ତା’ କାନି ପଣତରେ ଝାଡିଦିଏ । ଗୋଡ ହାତ ପୋଛିଦିଏ ।

ବୋଉର ପଣତକାନି ବିନା ତ ପିଲାଦିନ ଭାବି ହୁଏ ନାହିଁ । ବାପାଙ୍କର ନାଲିଆଖି, ସାରଙ୍କର ବେତମାଡକୁ ବାଏଁବାଏଁ ଉଡ଼େଇ ଦିଏ ବୋଉର ପଣତକାନି । ପ୍ରଚଣ୍ଡ ଖରାରେ ବୋଉର ପଣତ ମୁଣ୍ଡରେ ଥିଲେ ଖରା କାଟେ ନାହିଁ, ଝଡ଼ି ବରଷାରେ ଦେହମୁଣ୍ଡ ଓଦା ହୁଏ ନାହିଁ । ଅନ୍ଧାର ରାତିରେ ସେଥିରେ ମୁହଁ ଲୁଚାଇଦେଲେ ଯେତେବଡ଼ ଭୁତ ଗପ, ବୁଢୀ ଅସୁରୁଣୀ ଗପ ଶୁଣିଲେ ବି ଭୟ ଲାଗେ ନାହିଁ । ବୋଉର ପଣତ ହାତରେ ଥିଲେ ଲାଗେ ବିରାଟ ଅସ୍ତ୍ରଟିଏ ଧରିବା ପରି । କାହାକୁ ଭୟ ଲାଗେ ନାହିଁ ।

ମାଟି ଗୋବର, ତେଲ ହଳଦି, ଧୂଳିଧୂଆଁରେ ଭରପୁର ଥିଲା ବୋଉର ପଣତ । କିନ୍ତୁ ଜଳନ୍ଧରଙ୍କୁ ତାହା ବାସୁଥିଲା ଶତ ସୁମନର ସୁଗନ୍ଧ ଭଳି । ଆଃ ! ବୋଉର ପଣତକାନିର ବାସ୍ନାରେ ବିଭୋର ହୋଇ ଉଠୁଥିଲେ ଜଳନ୍ଧର । ମନ ହେଉଥିଲା ଏଇ ସାଙ୍ଗେସାଙ୍ଗେ ଯାଇ ବୋଉର ପଣତକାନିରେ ମୁହଁ ପୋଛି ଦେବାକୁ । ପୋଛି ହୋଇଯାନ୍ତା ଜଞ୍ଜାଳମୟ ଜୀବନର ସବୁ ହତାଶବୋଧ, ଅବସୋସ, ଘୋଡାଦୌଡ, ପ୍ରତିଯୋଗିତା, ଅଭାବବୋଧ । କିନ୍ତୁ ତାହା କ’ଣ ଆଉ ସମ୍ଭବ ! ବୋଉ ମରିବାର ୟା’ ଭିତରେ କୋଡ଼ିଏ ବର୍ଷ ହୋଇଗଲାଣି ପରା !

ସରକାରୀ ଉ.ପ୍ରା.ବିଦ୍ୟାଳୟ, ପାରିଓରଡ଼, ଖୋର୍ଦ୍ଧା, ୭୭୩୫୦୭୫୦୬୫

ଲେଖକ ପରିଚୟ

ପେସାରେ ଶିକ୍ଷୟିତ୍ରୀ ଓ ନିଶାରେ ଲେଖିକା । କବିତା, ଗଳ୍ପ, ଉପନ୍ୟାସ, ଏକାଙ୍କିକା, ଶିଶୁ କବିତା, ଶିଶୁ ଗଳ୍ପ, ପ୍ରବନ୍ଧ, ଗୀତିକବିତା ଇତ୍ୟାଦି ସାହିତ୍ୟର ଭିନ୍ନ ଭିନ୍ନ ବିଭାଗରେ ଲେଖାଲେଖି କରି ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତା ଲେଖିକା ମହୋଦୟଙ୍କର ଏଯାବତ୍ ଦଶ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି ।

Related Posts

Leave a Reply

Your email address will not be published. Required fields are marked *