ବିଚିତ୍ରାନନ୍ଦ ଜେନା

ମାଟି ଆଜି ଦୁଇ ଭାଗ
ଗୋଟେ ପଟ ହସରେ ବିଭୋର
କାହା ପ୍ରେମର ପୂର୍ଣ୍ଣତା ପାଇ
ପାଇ ଆଞ୍ଜୁଳାଏ ସ୍ୱପ୍ନ
ସୌଭାଗ୍ୟର ଆୟୁଷ…

ଆରପଟେ ତମାମ ବୋବାଳି
ଲୁହରେ ବତୁରୁଛି ମାଟି
ତଥାପି ଗଜାମାଡ଼
ସବୁ ଆଶା ସବୁ ଭରସା
ତା ଦେହରେ ସମାଧିସ୍ଥ…

ଏପଟେ ମାଟି ଉପରେ ଢାଳ ସାଜେ
କଂକ୍ରିଟି ଚଟାଣ
ଅଦିନ ପବନରେ ନା ଧୂଳି ଉଡ଼େ
ନା ଉଡ଼େ ସ୍ୱପ୍ନ…
ଆରପଟେ ନୀରବ ସ୍ପନ୍ଦନ
ଭୋକ, ଶୋକ, ଦୁଃଖ, ଯନ୍ତ୍ରଣାର
କରୁଣ ଚିତ୍କାର
ବାରମ୍ବାର ମରୁଥାଏ ମନ…

ଏପଟ ମାଟିପରେ
ଛିଡ଼ା ହୋଇଛି ତିନି ଥାକର ପଞ୍ଜୁରୀ
ପଞ୍ଜୁରୀ ଭିତରୁ ବଣି ଦେଖେ
ଗୋଟାକିଆ ଜହ୍ନ
ଆରପଟ ଛପର ଭିତର-ବାହାର
ଅମାବାସ୍ୟାର ଅନ୍ଧାର
ଅଦିନିଆ ଝଡ଼
ଆଉ ମଉଳା ଦରଫୁଟା ସ୍ୱପ୍ନ… l

ସେଣ୍ଢତୀରା, ବନ୍ତ, ଭଦ୍ରକ, ମୋବାଇଲ – ୯୪୩୮୪୬୬୦୧୭

ଲେଖକ ପରିଚୟ

ବାସ୍ତବ ଜୀବନର କାରୁଣ୍ୟ ତାଙ୍କ ମନକୁ କବିତା ଲେଖାରେ ନିବେଶ କରିଛି । ପ୍ରଥମେ ସେ ଜୀବନର ଦୁଃଖ, କଷ୍ଟ, ଲୁହ,ଲୋହୁକୁ ନେଇ  କବିତା ଓ ଗଳ୍ପ ଲେଖିବା ଆରମ୍ଭ କରିଥିଲେ । ଅନେକ ଗଳ୍ପ ଆଉ କବିତା ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ଜନାଦୃତ ହେଲାପରେ “ବିବର୍ଣ୍ଣ ପଲାଶ” ଏବଂ “ମାଟି ମଲାଟ” ନାମକ ଦୁଇ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି । ଶିଶୁ କବିତା ବହି “ଧୂଳିଖେଳ” ଏବେ ପ୍ରକାଶ ଅପେକ୍ଷାରେ ।  

Related Posts

Leave a Reply

Your email address will not be published. Required fields are marked *