ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ

ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ସଂଗ୍ରାହକ ଓ ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ ୧୯୦୭ ମସିହା ଆଜି ଜୁଲାଇ ୧୨ ତାରିଖରେ ନୟାଗଡ଼ ଅନ୍ତର୍ଗତ ରାଇପୁର ଗ୍ରାମରେ ଜନ୍ମ ହୋଇଥିଲେ । ସେ ଦାସିଆ ଅଜା ନାମରେ ସମଗ୍ର ଓଡ଼ିଶାରେ ସୁପରିଚିତ । ସେ ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଚତୁର୍ଥ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ହେଲେ ବହି ପଢିବା ତାଙ୍କର ଏକ ପ୍ରକାର ନିଶା ଥିଲା । ଏହି ନିଶା ଯୋଗୁଁ ସେ ଓଡ଼ିଶା ଯାତ୍ରା ଆରମ୍ଭ କଲେ । ଗାଁଗଣ୍ଡା ସହର ବଜାର ଦ୍ଵାର ଦ୍ଵାର ବୁଲି ସେ ପାଲଟିଗଲେ ଜ୍ଞାନର ଭିକାରୀ । ହାତ ପାତି ସମସ୍ତଙ୍କୁ ପୁସ୍ତକ, ପତ୍ରପତ୍ରିକା, ତାଳପତ୍ର ପୋଥି, ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସାର ଭିକ୍ଷା ମାଗୁଥିଲେ ।

ମାଗିଯାଚି ସେ ଜାତି ପାଇଁ ସୃଷ୍ଟି କଲେ ଏକ ପ୍ରସିଦ୍ଧ ସାଂସ୍କୃତିକ ପର୍ଯ୍ୟଟନ ସମ୍ଭାର । ନୟାଗଡ଼ର ଏକ ନିପଟ ପାହାଡ଼ିଆ ମଫସଲ ଗାଁ ଉଦୟପୁରରେ ସେ ପ୍ରତିଷ୍ଠା କରିଥିଲେ ଏକ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର । ଦାସିଆ ଅଜାଙ୍କୁ ଏହି ମହାନ କାର୍ଯ୍ୟରେ ସହଯୋଗ କରିଥିଲେ ତାଙ୍କ ସହଧର୍ମିଣୀ ପୌର୍ଣ୍ଣମାସୀ ଦେବୀ । ଦାସିଆ ଅଜାଙ୍କ ଦ୍ଵାରା ପ୍ରତିଷ୍ଠିତ ପାଠାଗାରରେ ପୃଥିବୀର ବିଭିନ୍ନ ଭାଷାର ଦେଢ ଲକ୍ଷରୁ ଅଧିକ ପୁସ୍ତକ, ପତ୍ରପତ୍ରିକା, ସହସ୍ରାଧିକ ତାଳପତ୍ର ପୋଥି, ବୃତିଶ କାଳର ଶତାଧିକ ରେକର୍ଡପତ୍ର ସମେତ ଶହଶହ ବିରଳ ପଦାର୍ଥମାନ ସଂଗୃହୀତ ହୋଇରହିଛି । ଜୀବିତାବସ୍ଥାରେ ସେ ନିଜ ଦ୍ଵାରା ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକ ପାଇଁ ଏକ ଟ୍ରଷ୍ଟର ଦାୟିତ୍ଵ ପ୍ରଦାନ କରିଥିଲେ । ୧୯୯୭ ରେ ମୃତ୍ୟୁ ପୂର୍ବରୁ ନାତି ଦୀପକଙ୍କୁ ସେ ଏହି ଟ୍ରଷ୍ଟର ଦାୟିତ୍ଵ ପ୍ରଦାନ କରିଥିଲେ । ଦାସିଆ ଅଜାଙ୍କର ଏହି ମହାନ ସାଂସ୍କୃତିକ ସମ୍ଭାର ଆଜି ଦେଶ-ବିଦେଶର ପାଠକ, ଗବେଷକ, ଦର୍ଶକ, ପର୍ଯ୍ୟଟକ, ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କ ପାଇଁ ଏକ ତୀର୍ଥସ୍ଥଳୀରେ ପରିଣତ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *