ଈଶ୍ୱର ହାରିବା ପରେ

ଚିତ୍ତରଞ୍ଜନ ନାୟକ

ଖୋଲିଦେଲି ନିଜଠି ନିଜକୁ
ସବୁ କଟାଦାଗ
ସବୁ ଘା, ଝାଳଗନ୍ଧ
ସବୁ ଅସହାୟତା, ଅହଙ୍କାର
ଏ ସବୁ ତୁମର
କହିପାରିବିନି କି ଆସ ଢାଙ୍କିଦିଅ
ଏ ଜନ୍ମ ଜନ୍ମାନ୍ତରର ଅପରାଧ
ଏ ଅମୃତ ଅମୃତ ଦିଶୁଥିବା
ତତଲା ଜହର
ବୈରାଗ୍ୟ ପରି ଶୂନଶାନ
ଏ ନିଆଁର ସଂସାର !

ଯାହା କହିପାରିଲିନି
ଏତେ ଦିନ ଧରି
ତାହା କଣ ଗଣ୍ଠିଲି କରି
ସାଇତି ରଖିଥିବି ଅନ୍ଧାରରେ ?
ଯାହା ଦେଖେଇପାରିନି
ଏତେ ଯୁଗ ଧରି
ତାହା କଣ ଲୁଚେଇଦେବି
ତମକୁ ଭେଟିନଥିବା ସେ
ପ୍ରାଚୀନ ତୀର୍ଥରେ ?

ହେ ମୋର ପ୍ରିୟତମ ଶତ୍ରୁ
ହେ ମୋର ପ୍ରିୟତମ ଶୂନ୍ୟତା
ହେ ମୋର ନିଶ୍ୱାସ ପରି ନିବିଡ଼ତା
ହେ ମୋର ଶେଷ ହେଉନଥିବା ରାସ୍ତା !
ମୋତେ ସଜାଡ଼ ଅବା ଉଜାଡ଼
ହେଲେ ଅନାହତ ହେଇକି ଥାଉ କାଳକାଳ
ମୋର ଏଇ ଷାଠିଏ ପଉଟି ଲୁହର କବିତା !

ଆସ, ନେଇଯାଅ ତୁମ ଚୁକ୍ତିପତ୍ର
ରକ୍ତର ନଦୀ ପହଁରି
ମୁଁ ଓଟାରି ଆଣିଥିବା ତୁମ ପରାଜୟ
ଝଡ଼ର ପଞ୍ଝାରୁ ମୁକୁଳେଇଥିବା
ମୋର ସବୁତକ ବିଜୟ
ସ୍ଵପ୍ନର କ୍ଷତମାନଙ୍କରେ
ମୁଁ ଲେପି ଦେଇଥିବା ଜହ୍ନରାତି
ମୋର ପ୍ରତିଟି ହାହାକାରକୁ
ଘୋଡ଼େଇ ରଖିଥିବା ବୈଶାଖର ତାତି ।

ଖୋଲିଦେଲି ନିଜଠି ନିଜକୁ
ଆସ, ସ୍ୱୀକାର କରିଯାଅ
ଏ ଆଶୀର୍ବାଦ ତୁମର ହିଁ ଥିଲା
ଏ ଅଭିଶାପ ତୁମର ହିଁ ଥିଲା !
ଆଉ କଣ କହିବି ବା କୁହ
ମୋତେ ଯିବାକୁ ଦିଅ ଏଥର
ସଜେଇବାକୁ ହେବ ପୁଣିଥରେ ମତେ
ଜନ୍ମ ଆଉ ମୃତ୍ୟୁର ତର୍ପଣ ପାଇଁ
ବିଶ୍ୱାସ ଓ ଅବିଶ୍ୱାସର ନୂଆ ଭୋଗଡାଲା ।

ଘଟଗାଁ, କେନ୍ଦୁଝର, ବାର୍ତ୍ତାଳାପ- ୯୯୩୭୫୬୫୪୯୨

ଲେଖକ ପରିଚୟ

କବିତା ଗୋଟେ ଶେଷ ହେଉନଥିବା ନିଶା ଯାହା ହୃଦୟରେ ରକ୍ତ ହେଇ ବହେ, ବାରମ୍ବାର ଛାତିକୁ ଆଟଲାସର କାନ୍ଧ କରି ଠିଆ କରେ, ଯୁଗଯୁଗ ପାଇଁ ଅସରନ୍ତି ଶୋଷକୁ ସ୍ଵପ୍ନ ପରି ବିଞ୍ଚିଦିଏ । ଆଉ କିଛି କରୁ ବା ନକରୁ କବିଟିଏକୁ ମଣିଷଟିଏ କରି ଗଢେ କବିତା । ଏଇ ଭାବନା ହିଁ ମତେ କବିତାର (ସାହିତ୍ୟ) ପ୍ରେମରେ ପତଙ୍ଗ ଭଳି ଝାସ ଦେବାକୁ ପ୍ରେରିତ କରେ । ଏଯାବତ ତିନୋଟି କବିତା ସଂକଳନ ପ୍ରକାଶିତ ହୋଇସାରିଛି ।

Related Posts

Leave a Reply

Your email address will not be published. Required fields are marked *