ବିନୟ ମହାପାତ୍ର
ରଜରେ ପ୍ରିୟାକୁ ସଜ ଦେଖିବାକୁ
ଉଡ଼ିଯାଏ ମନ, ଆଜି ପ୍ରିୟତମା ଗାଆଁ,
ମନରେ ସଂଯୋଗୀ ଗୋଟିଏ କାମନା
ପାଇବାକୁ ଥରେ ପ୍ରିୟାର କୁଆଁରୀ ଛୁଆଁ ।
ସଜ ଫୁଲେ ଗଭା ସଜାଇ ଥିବ ସେ
କଳା କୁନ୍ତଳରେ ବାନ୍ଧି ଥିବ ମଲ୍ଲୀମାଳ,
କେଡ଼େ ଶୋଭାବନ ଦିଶୁଥିବ ଆହା
କଳା ବାଦଲରେ ସତେକି ବିଜୁଳି ଖେଳ ।
କୁଆଁରୀ ତା ତନୁ ହଳଦୀ ତେଲରେ
ହଳଦୀ ତା ମୁହଁ ଦିଶୁଥିବ ଜକଜକ,
ଏମିତି ନିଇତି ଦେଖୁଥିଲେ ବସି
ଭୁଲିଯିବି ସତେ ଦୁନିଆଁ ଜଂଞ୍ଜାଳ ଦୁଃଖ ।
ଚୁର୍ଣ୍ଣ କୁନ୍ତଳ ତା ମୁହଁ ଢାଙ୍କୁଥିବ
କଳା କଳା ମେଘ ଢାଙ୍କି ଯାଏ ଅବା ଜହ୍ନ,
ମଳୟକୁ ଡାକେ ଉଡ଼ାଇ ନେବାକୁ
ତା ଚୁର୍ଣ୍ଣ କୁନ୍ତଳ, ଜହ୍ନ ଦେଖିବାକୁ ମନ ।
କପାଳରେ ତାର ନାଲିଆ ବିନ୍ଦି ଲୋ
ଦେଉଥିବ ଅବା ଟିକିଏ ମୁରୁକି ହସି,
ମୋ ପ୍ରିୟା ଓଠର ଟିକିଏ ହସରେ
ଝଣଝଣ କରି ମୁକୁତା ପଡ଼ିବ ଖସି ।
ମହକୁଥିବ ତା’ କସ୍ତୁରୀ ମହକ
ପବନରେ ଦେଇ କୁଆରୀ ତନୁର ବାସ,
ମାଳତୀ କୁଞ୍ଜରେ ମାନିନୀ ରାଧିକା
ଅଭିଶାରେ ଅବା ଚାହିଁଛି ରଚିବ ରାସ ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।