ସବୁଠି ନଥାନ୍ତି ମଣିଷ

ମୂଳ ଲେଖା – ପ୍ରଫେସର୍ ଡ. ସନ୍ତୋଷ କୁମାର ରଥ (କୋସଳି)
ଓଡ଼ିଆ ଅନୁବାଦ – ଶ୍ରୀପାଳ ପଣ୍ଡା

ସବୁଠି ନଥାନ୍ତି ମଣିଷ
ସଦାକାଳେ ।
କୋଉଠି କୋଉଠି ଥାଆନ୍ତି
ହିଂସ୍ର ବାଘ
କୋଉଠି କୋଉଠି
କାନ୍ଦୁରା ମଗର ।

ମଣିଷର କେତେ ରୂପ କେତେ ଢଙ୍ଗ
ତୁମେ ଯାହାକୁ ଯାଚିଛ ଜାମୁକୋଳି
ସେ ହିଁ ମାଗିବ ତୁମକୁ କଲିଜା ।
ତୁମେ ଯାହାକୁ କୂଅରୁ କାଢ଼ିଛ
ତାର ତୁମକୁ ହିଁ ଖାଇବାର ଭୋକ
ଯାହାକୁ ତୁମେ କାନ୍ଧରେ ବସେଇଛ
ସେ ତୁମକୁ ହିଁ କରିବ ପାହାଚ,
ମଣିଷ ନଥାନ୍ତି ସବୁ ଜାଗାରେ
ସବୁବେଳେ ।

ତୁମର ଯଦି ଭାଗ୍ୟରେ ଅଛି
ଭେଟିବ ଗୋଟେ ମହମହ ତୁଳସୀ ଗଛ
ନିଜକୁ ନିରନ୍ତର ଜାଳୁଥିବା ଗୋଟେ ଦୀପ
ସଭିଙ୍କୁ ଆଶ୍ରା ଦେଉଥିବାର ବରଗଛ
ଗୋଟେ ଏକମୁହାଁ ନଈ
ଏମାନେ ବି ମଣିଷ ।

ସମୁଦ୍ର ଭଳିଆ ଘୋଘୋ
କିଏ କିଏ ନିଆଁ ଭଳି ଡହଡହ
ପବନ ଭଳି ସାଇଁସାଇଁ
ମାଟି ପରି ସର୍ବଂସହା
କିଏ ଆଖି ପାଉନଥିବା
ଆକାଶ ।

ପ୍ରଣାମ କରିବ ନା
ଭୟରେ ଲୁଚିବ ।
ମଣିଷ ଏକା ଥିବ ସବୁ ଜାଗାରେ
ଏମିତି ହେଇ ନପାରେ ।
ଆଇନାରେ ଦେଖ ଥରେ ,
ତୁମେ କିଏ ?

ଦେଓଗାଁ , ବଲାଙ୍ଗୀର, ମୋ – ୯୫୫୬୪୨୪୩୩୬

ଲେଖକ ପରିଚୟ

ଶିକ୍ଷକତା ଜୀବନ ବାହାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକକଥା, ସମାଜ, ଜୀବନଶୈଳୀ ଓ ପରିସ୍ଥିତିକୁ ନେଇ ୨୦୨୦-୨୧ରୁ କବିତା, ଗପ ଲେଖୁଛି । ସାହିତ୍ୟ ମାଧ୍ୟମରେ ହିଁ ସମାଜ ଓ ଲୋକମାନଙ୍କ ଭିତରେ ବୈଚାରିକ ପରିବର୍ତ୍ତନ ଅଣାଯାଇ ପାରିବ । ଅନେକଗୁଡ଼ିଏ ଗପ ଓ କବିତା ପତ୍ରପତ୍ରିକାରେ ପ୍ରକାଶିତ ହେଇଛି । । ତତ୍ ସହିତ ଅନେକଗୁଡ଼ିଏ ମୂଳହିନ୍ଦୀ ଓ ଇଂରାଜୀ ଭାଷାର କବିତା, କ୍ଷୁଦ୍ରଗଳ୍ପ କୋସଳି / ସମ୍ବଲପୁରୀ ଭାଷାକୁ ଅନୁବାଦ କରିଛି । ଅନୁବାଦ ମାଧ୍ୟମରେ ଆଞ୍ଚଳିକ ଲୋକ ସାହିତ୍ୟକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ପ୍ରୟାସ ଜାରି ରହିଛି ।

Related Posts

Leave a Reply

Your email address will not be published. Required fields are marked *