ଧନଞ୍ଜୟ ସ୍ଵାଇଁ

ଛିଟା ଛିଟା ବର୍ଷା ଲାଗେ ଭାରି ମିଠା
ମନରେ ଲଗାଏ ନିଆଁ
ନିଆଁ ନୁହେଁ ସିଏ ଏ ଦେହେ ଅଦିନେ
ବସନ୍ତର ମଧୁଛୁଆଁ ।

ବରଷା ଝରଇ ଝରଝର ହୋଇ
ବଜାଇ ବିଜୁଳି ବାଜା
ଯା’ ଲାଗି ଏ ମାଟି ଅର୍ଘ୍ୟ ଆଳତି
ସଜାଡ଼ି କରଇ ପୂଜା ।

ଝରକା ଛୁଇଁଲେ ତୁମ ଗାଁ ବର୍ଷା
ମୁଁ ତିନ୍ତେ ନୟନ ନୀରେ
ତୁମେ ତିନ୍ତୁଥାଅ ବରଷା ଛିଟାରେ
ଶ୍ରାବଣର ସାତ ସୁରେ ।

ଏ ବରଷା ତୁମ ଚାଲିରେ ଦେଇଛି
ଅଳସୀ ନଈର ଛନ୍ଦ
ଏ ବରଷା ଲାଗି ତୁମ ଦୁଇ ଆଖି
ଛାଇଢଙ୍କା ଦୁଇ ହ୍ରଦ ।

କଜ୍ଜଳ ଲୁହରେ ଲେଖିହୁଏ କେତେ
ବେଦନାର ବ୍ୟାକରଣ
ବରଷା କି ବୁଝେ ଲୁହରେ କେତେ ଯେ
ଶୋଷର ଶରାବୀପଣ !

ମଙ୍ଗଳା ମନ୍ଦିର ରୋଡ଼, କଟକ, ଚଳଭାଷ – ୯୪୩୭୦୦୦୬୩୬

ଲେଖକ ପରିଚୟ

ବୃତ୍ତିରେ ଜଣେ ରାଜ୍ୟ ପ୍ରଶାସନିକ ଅଧିକାରୀ ହେଲେ ରୁଚି ନାନା ବିଭାଗରେ କବିତା ଲେଖିବା । ଛନ୍ଦ କବିତା ହେଉ କି ଗୀତି କବିତା, ହେଉ ବି ସେ ଶିଶୁ କବିତା, କବିତା ଲେଖିବାରେ ଅପାର ଆନନ୍ଦ ମିଳେ ଲେଖକଙ୍କୁ । ‘କୁରେଇ ଫୁଲର ଖୋସା’, ‘ତୁମ ଗାଁ ବର୍ଷା’ ଆଦି ୧୧ ଖଣ୍ଡ କବିତା ପୁସ୍ତକ ରଚନା ସରିଛି ଏଯାବତ । ଏହାବ୍ୟତୀତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନଗୁଡ଼ିକରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ସେ ।

Related Posts

Leave a Reply

Your email address will not be published. Required fields are marked *