ପ୍ରଫେସର ସଙ୍ଗୀତା ରଥ ପାଇବେ ‘ଝୁମୁକା ପୁରସ୍କାର-୨୦୨୩’

ରଘୁନନ୍ଦନ ମହାପାତ୍ର ଓ ଶ୍ରୁତକୀର୍ତ୍ତି ତ୍ରିପାଠୀ ସାରସ୍ଵତ ସମ୍ମାନରେ ସମ୍ମାନିତ ହେବେ

ଭୁବନେଶ୍ଵର : ଓଡ଼ିଶାର ଜନପ୍ରିୟ ମନସ୍ତତ୍ତ୍ଵବିତ ଓ ସାହିତ୍ୟିକା ପ୍ରଫେସର ସଙ୍ଗୀତା ରଥଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଝୁମୁକା ପୁରସ୍କାର-୨୦୨୩ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି । ସାହିତ୍ୟ ପତ୍ରିକା ଝୁମୁକା ତରଫରୁ ପ୍ରତିବର୍ଷ ଦିଆଯାଉଥିବା ଏହି ପୁରସ୍କାର ହେଉଛି ରାଜ୍ୟର ଉଲ୍ଲେଖଯୋଗ୍ୟ ଶିଶୁ ସାହିତ୍ୟ ସମ୍ମାନ । ଏହାବ୍ୟତୀତ ଝୁମୁକା ପୃଷ୍ଠାର ସଫଳ ଲେଖକ ରଘୁନନ୍ଦନ ମହାପାତ୍ର ଓ ପିଲାଙ୍କ ସାହିତ୍ୟ ଲେଖିକା ଶ୍ରୁତକୀର୍ତ୍ତି ତ୍ରିପାଠୀଙ୍କୁ ଚଳିତ ବର୍ଷ ଝୁମୁକା ସାରସ୍ଵତ ସମ୍ମାନ ପ୍ରଦାନ କରାଯିବ ।

ନଭେମ୍ବର ୧୮ ତାରିଖ ଶନିବାର ଅପରାହ୍ନ ୫:୩୦ ରେ ଗୀତଗୋବିନ୍ଦ ଭବନ, ସଚିବାଳୟ ମାର୍ଗ, ଭୁବନେଶ୍ୱରରେ ଅନୁଷ୍ଠିତ ଝୁମୁକାର ୩୭ ତମ ସାମ୍ବାତ୍ସରିକ ସାରସ୍ଵତ ସମାରୋହରେ ଫଳକ, ଅଙ୍ଗବସ୍ତ୍ର, ମାନପତ୍ର ଓ ଉପାୟନ ଦିଆଯାଇ କୃତୀ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ପତ୍ରିକା ସମ୍ପାଦକ ମାନସରଞ୍ଜନ ସାମଲ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ବରିଷ୍ଠ ଶିଶୁ ସାହିତ୍ୟିକଙ୍କ ଜୀବନର ସାମଗ୍ରିକ ସାଧନା ଓ ସିଦ୍ଧିକୁ ନେଇ ଗତ ୩୬ ବର୍ଷ ଧରି ଏହି ପୁରସ୍କାର ପ୍ରଦାନ କରାଯାଇଆସୁଅଛି ।

ଏହି ଅବସରରେ ‘ପିଲାଙ୍କ ସାହିତ୍ୟ : ସେଦିନ ଓ ଆଜି’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ସମ୍ପାନ ଅନୁଷ୍ଠିତ ହେବ । ଏହି ସାଂସ୍କୃତିକ ସମାରୋହରେ ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ, ନୂଆଦିଲ୍ଲୀର ସଭାପତି ମାଧବ କୌଶିକ, ଉଦ୍ଘାଟକ -ମୁଖ୍ୟ ଅତିଥି ‘କଥା’ର ସମ୍ପାଦକ ଗୌରହରି ଦାସ, ମୁଖ୍ୟବକ୍ତା ଓ ସାହିତ୍ୟିକ ଡ. ବିଜୟାନନ୍ଦ ସିଂହ ସମ୍ମାନିତ ବକ୍ତା ଭାବେ ଯୋଗ ଦେବେ । ଏଥିରେ ବରିଷ୍ଠ ପ୍ରଶାସକ ତଥା ପର୍ଯ୍ୟଟକ ଓ ସଂସ୍କୃତି ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି ।

Related Posts

Leave a Reply

Your email address will not be published. Required fields are marked *