ପରଲୋକରେ କବି ସୁନୀଲ କୁମାର ପୃଷ୍ଟି

ଭୁବନେଶ୍ଵର : ତିନି ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଓଡ଼ିଆ ସାହିତ୍ୟର ପ୍ରଖର କାବ୍ୟସ୍ଵର ଥିବା କବି ସୁନୀଲ କୁମାର ପୃଷ୍ଟିଙ୍କ ଗତକାଲି ଦେହାନ୍ତ ହୋଇଛି । ଭୁବନେଶ୍ଵର ସ୍ଥିତ ବାସଭବନରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । କବି ସୁନୀଲ ୮୦ ଦଶକରେ କବିତା ଲେଖାଲେଖି ଆରମ୍ଭ କରି ୨୦୨୦ ଯାଏଁ ସକ୍ରିୟ ଥିଲେ । ୨୦୦୫ ବେଳକୁ ସେ ରୋମାଣ୍ଟିକ କାବ୍ୟଚେତନାର ଏକ ପ୍ରମୁଖ ସ୍ଵର ପାଲଟିଥିଲେ । କବିତା ସଂକଳନ ‘ଚିହ୍ନାଚିହ୍ନା ନିର୍ଜନତା’, ‘ଦେହ ଦେଉଳ’ ପରେ ‘ତନୁଲତାର କବିତା’ ଲେଖି ଓଡ଼ିଆ ଯୁବମାନସରେ ପ୍ରେମ କବିତାର ଉଦାତ୍ତ ରେଖାପାତ କରିଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ଅତ୍ୟନ୍ତ ସଫଳ କବିତାକୁ ‘ଅସଫଳ କବିତା’ ସଂକଳନ ପ୍ରକାଶିତ ହୋଇଥିଲା ।

୧୯୫୩ ମଇ ୧୩ ତାରିଖରେ ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସୁନୀଲ ଏବଂ ତାଙ୍କର ବାଲ୍ୟକାଳ, ସ୍କୁଲ କଲେଜ ଶିକ୍ଷା ରାୟଗଡ଼ା ଜିଲ୍ଲାରେ ଘଟିଥିଲା । ଚାରି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ ସେ ଥିଲେ ଜ୍ୟେଷ୍ଠ । ଉତ୍ତୀର୍ଣ୍ଣ କୈଶର ବେଳକୁ ରାୟଗଡ଼ା ଜିଲ୍ଲାର ନାଗାବଳୀ ନଦୀ ସୁନୀଲଙ୍କୁ ଜଣେ ନାନ୍ଦନିକ କବି ଭାବେ ଗଢି ତୋଳିଥିଲା ।

ନବେ ଦଶକର ଆଦ୍ୟଲଗ୍ନରେ ସେ ଜେକେ ପେପର ମିଲ ମହାବିଦ୍ୟାଳୟରେ କିଛି କାଳ ଅଧ୍ୟାପନା କରିଥିଲେ । ଅଧ୍ୟାପନା ଛାଡ଼ି କିଛି ସମୟ ‘ନବଲିପି’ ପତ୍ରିକାର ସମ୍ପାଦନା, କିଛି ସମୟ ‘ସମ୍ବାଦ’ ଏବଂ ‘ସମାଜ’ ସମ୍ପଦନା ବିଭାଗରେ କାର୍ଯ୍ୟ କରିଥିଲେ । ୧୯୯୬ ଅକ୍ଟୋବରରୁ ୨୦୦୯ ଶେଷ ଯାଏଁ ‘ସଚିତ୍ରା ବିଜୟା’ର ସମ୍ପାଦକ, ୨୦୧୦ରୁ ୨୦୧୨ ଯାଏଁ ‘ସାହିତ୍ୟ ପୃଥିବୀ’ର ସମ୍ପାଦକ ଏବଂ ୨୦୧୩ରୁ ୨୦୧୭ ଯାଏଁ ‘ଶିଶିର’ର ସମ୍ପାଦକ ଭାବେ କାର୍ଯ୍ୟ ତୁଳାଇଥିଲେ । ପତ୍ରିକା ସମ୍ପାଦନା କ୍ଷେତ୍ରରେ ସେ ଉଚ୍ଚକୋଟୀର ସ୍ଵାକ୍ଷର ଛାଡ଼ିଥିବା ବେଳେ କବିତାର ଶାଣିତ ସ୍ଵର ପାଲଟି ଅନେକ ଯୁବ ସାହିତ୍ୟିକଙ୍କ ଭାବଦର୍ଶର କବି ଭାବେ ଈର୍ଷଣୀୟ ସଫଳତା ହାସଲ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *