ଶିଶିର କୁମାର ପଣ୍ଡା

ଆମ ଘର ଆଗେ ଥିଲା ଯେଉଁ ଖାଲି ପଡ଼ିଆ
ଭାବିଚିନ୍ତି ସଫା କରି ଲଗେଇଲି ନଡ଼ିଆ ।

ଆଉ କିଛି ଜାଗା ବଞ୍ଚିବାରୁ ମୁହିଁ ଜାଣିକି
ପୋତିଦେଲି ଫୁଲ ଗଛ ଗୋଟେ ଗୋଟେ ଆଣିକି ।

ଖୁସେଇକି ଖତ ସାର ଦେଲି ସବୁ ଗଛରେ
ଜାଣିଥିଲି ଋଣ ଇଏ ଶୁଝି ଦେବ ପଛରେ ।

ଏଇମିତି ହୋଇବାରୁ କିଛିଦିନ ଅନ୍ତର
ମେଲିଦେଲା ନୂଆ କେତେ ଡାଳ ଆଉ ପତର ।

ଚାହୁଁଚାହୁଁ ସବୁ ଗଛେ ନାରିକେଳ ଫଳିଲା
ଖାଇପିଇ ବିକିବାକି ଆହୁରି ବି ବଳିଲା ।

ଫୁଲ ସବୁ ଫୁଟି ସବୁ ଚଉଦିଗ ବାସିଲେ
ମଧୁ ଆସେ କେତେ ଜାତି ପ୍ରଜାପତି ଆସିଲେ ।

ଆମ ଗାଆଁ ପରିବେଶ ନିରିମଳ ହୋଇଲା
ଜେଜିମାଆ ଯାଇ ଦିନେ ଖରାବେଳେ ଶୋଇଲା ।

କାଟିଲାନି ଖରା ତାକୁ ଲାଗିଲାନି ଗରମ
କହିଲା, ନାତିରେ ତୁହି ଅରଜିଲୁ ଧରମ ।

ଏଡ଼େ ଟିକେ ପିଲା ସିନା କେତେ ବୁଦ୍ଧି ମୁଣ୍ଡରେ
କେମିତି ଦେବି ଆଶିଷ ଭାଷା ନାହିଁ ତୁଣ୍ଡରେ ।

ଏଇଭଳି କାମ ଯଦି ସବୁପିଲା କରିବ
ବଢ଼ି, ଝଡ଼ି, ମରୁଡ଼ିକୁ କାହିଁକି କେ ଡରିବ ?

କୁଆଁସ, ମେରଦା କାଟିଆ, ଯାଜପୁର, ଆଳାପ – ୮୯୮୧୭୩୭୨୨୮

ଲେଖକ ପରିଚୟ

ମୋ ଜୀବନର ପ୍ରଥମ କବିତା “ଆସିଲି ମୁଁ ଶୀତ” ୧୯୮୮ରେ ‘ସମାଜ’ ଖବରକାଗଜରେ ପ୍ରକାଶିତ ହୋଇଥିଲା । ତା’ ପରଠୁ ପ୍ରାୟ ସବୁ ସମ୍ବାଦପତ୍ର ଓ ଶିଶୁ ପତ୍ରିକାରେ ମୋର ଲେଖା ପ୍ରକାଶ ହୋଇଆସୁଛି । ଅଦ୍ୟାବଧି ଦେଢ଼ ହଜାରରୁ ଅଧିକ ଲେଖା ପ୍ରକାଶିତ । “ଭଲଲାଗେ ମୋତେ” ନାମରେ ଗୋଟିଏ ଶିଶୁ କବିତା ସଂକଳନ ହୋଇଛି । ଆଉ ଗୋଟାଏ ଶିଶୁ କବିତା ସଙ୍କଳନ “ମରତ ଦେବତା” ପ୍ରକାଶ ଅପେକ୍ଷାରେ । ଏହାଛଡ଼ା ଅରବିନ୍ଦ ମୁଦୁଲି ଏବଂ ସୁବାସ ଦାସଙ୍କ କଣ୍ଠରେ ମୋର ଦୁଇଟି ଭଜନ କ୍ୟାସେଟ ପ୍ରକାଶ ପାଇଛି । ଆକାଶବାଣୀ କଟକ କେନ୍ଦ୍ରର “ଶିଶୁ ସଂସାର” କାର୍ଯ୍ୟକ୍ରମରେ ମୋ କବିତା ଏବଂ ଗଳ୍ପ ମଧ୍ୟ ପ୍ରସାରିତ ହୋଇଛି ଏବଂ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ମୋତେ ସମ୍ବର୍ଦ୍ଧିତ କରାଯାଇଛି ।

Related Posts

Leave a Reply

Your email address will not be published. Required fields are marked *