ସ୍ନେହଲତା ପୃଷ୍ଟିଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : କବିତା ପୁସ୍ତକ ପ୍ରକାଶ କରିବା ପାଇଁ ପ୍ରକାଶକମାନେ ଆଉ ଆଗ ଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହା ଦ୍ଵାରା କବିମାନେ କିଛି ପରିମାଣରେ ପ୍ରଭାବିତ ହେଉଛନ୍ତି । ଆଜି ‘ସମ୍ବାଦ ଭବନ’ ପରିସରରେ ସ୍ନେହଲତା ପୃଷ୍ଟିଙ୍କ ଦୁଇଟି ପୁସ୍ତକ ଉପନ୍ୟାସ “ପାହି ଆସୁଥିବା ରାତି” ଓ କବିତା ସଂକଳନ “ଶ୍ୟାମଳ ପ୍ରୀତିର ଦୁଃଖ”ର ଉନ୍ମୋଚନ ଅବସରରେ ଏଭଳି ମତ ରଖିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସରଳ, ଅନାବିଳ ଓ ମାନଛୁଆଁ ଢଙ୍ଗରେ କବିତଗୁଡିକ ଲେଖା ଯାଉଥିବାବେଳେ ଏବେର ପିଢି ବହିଠାରୁ ଦୂରେଇ ଯାଉଛନ୍ତି । ଆଧୁନିକ କାରିଗରୀ କୌଶଳ ମାଧ୍ୟମରେ ଏହାର ବିକଳ୍ପ ବାଟ ବାହାର କରିବାକୁ ପ୍ରକାଶକମାନଙ୍କୁ ସେ ଆହ୍ଵାନ ଦେଇଥିଲେ । ଓଡ଼ିଆ ଭାଷାରେ ଅଧିକ ସଂଖ୍ୟାରେ ଭଲ, ସରଳ ଭାଷା ଓ ସୁନ୍ଦର ଶବ୍ଦ ସଂଯୋଜନାରେ ରଚିତ ଲେଖାଗୁଡିକ ବୃହତ ପାଠକଗୋଷ୍ଠୀ ପାଖରେ ପହଞ୍ଚି ପାରିଲେ ଭାଷାକୁ ନେଇ ଚିନ୍ତିତ ଭାଷାବିତମାନଙ୍କ ପାଇଁ ସେ ଚିନ୍ତା ଆଉ ରହିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ ।

‘ଆମ ଓଡ଼ିଶା’ର ସମ୍ପାଦକ ସ୍ଵରାଜ ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜ ବହି ସମ୍ପର୍କରେ ଲେଖିକା ସ୍ନେହଲତା ପୃଷ୍ଟି କହିଥିଲେ ଯେ କରୋନା ସମୟରେ ସମସ୍ତେ ନିଜ ନିଜ ପ୍ରିୟ ପ୍ରିୟଜନଙ୍କୁ ହରାଇ ଏକ ପୀଡ଼ାରେ ରହିଥିଲେ । ଏହି ପୀଡ଼ାକୁ ସୃଜନ ପୀଡ଼ା ଭାବି ତାକୁ କାଗଜ କଲମରେ ଲେଖିବା ସହ ଶବ୍ଦ ଓ ସାହିତ୍ୟରେ ବାନ୍ଧିବାକୁ ପ୍ରୟାସ କରିଥିଲେ । ଅନ୍ୟତମ ଅତିଥି ବିଶିଷ୍ଟ କଥାକାର ଗୌରହରି ଦାସ କହିଥିଲେ ଯେ କିଛି ଦିନ ହେବ ପ୍ରକାଶନ ଓ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ କିଛି ଉଲ୍ଲେଖନୀୟ କଥା ଦେଖିବାକୁ ମିଳୁଛି । ନୁଆ ପିଢିର ଲେଖକମାନେ ଏକ ନିର୍ଦ୍ଦିଷ୍ଟ ଭାବରେ ଗଳ୍ପ କିମ୍ବା କବିତାରେ ନିଜକୁ ବାନ୍ଧି ନରଖି ସବ୍ୟସାଚୀ ହେବାକୁ ଉଦ୍ୟମ କରୁଛନ୍ତି । ଏହା ସାଙ୍ଗେ କଥା ଓ କବିତା ରଚନା କରି ସେମାନେ ପାରଦର୍ଶିତା ଲାଭ କରୁଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ଏକାଡ଼େମୀ ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ କହିଲେ ଯେ, ସ୍ନେହଲତାଙ୍କ ଉପନ୍ୟାସ ଓ କବିତାରେ ପ୍ରେମ, ପ୍ରଣୟର ଚିତ୍ର ସହିତ ବାସ୍ତବ ଜୀବନର ଅନୁଭୂତି ନିଖୁଣ ଭାବରେ ଚିତ୍ରିତ ହୋଇଛି । ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ସ୍ନେହଲତାଙ୍କ ସୃଜନଶୀଳତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ଉପନ୍ୟାସ “ପାହି ଆସୁଥିବା ରାତି”ର ସମୀକ୍ଷା କରି କହିଥିଲେ ଯେ ଏହି ଉପନ୍ୟାସର ଭାଷା ତଥା କାହାଣୀ ସରଳ ସ୍ଵଚ୍ଛନ୍ଦ ଓ ଅନ୍ତରଙ୍ଗ ହୋଇପାରିଛି । ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ଲେଖିକାଙ୍କର ଖୁବ ଅନ୍ତରଙ୍ଗ ମନେହୁଏ । ଅନେକ ସ୍ଥାନରେ ସେ ନିଜକୁ ଏହା ମଧ୍ୟରେ ମିଶାଇ ଦେଇଛନ୍ତି ଯାହା ଉପନ୍ୟାସକୁ ଅଧିକ ଆବେଗପୂର୍ଣ୍ଣ କରିପାରିଛି । ଉପନ୍ୟାସଟି ବିଶେଷକରି ଅଶ୍ରୁ, ଆବେଗ, ସ୍ଵପ୍ନ ଓ ସଂଘର୍ଷକୁ ନେଇ ଗଢା ହୋଇଛି । ସାହିତ୍ୟିକ ଦେବାଶିଷ ମହାପାତ୍ର କବିତା ସଂକଳନ “ଶ୍ୟାମଳ ପ୍ରୀତିର ଦୁଃଖ”ର ସମୀକ୍ଷା କରି କହିଥିଲେ ଯେ ସଂକଳନଟି ଉତ୍ସର୍ଗ ହୋଇଛି କରୋନା ମହାମାରୀରେ ଭୟଭୀତ ହୋଇ ଭିଟାମାଟିକୁ ଫେରି ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ । ଏଥିରେ କବି ନିଜ ଅନୁଭବଗୁଡ଼ିକୁ ସୁନ୍ଦର ଭାବରେ ଶବ୍ଦର ରୂପ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉଭୟ ପୁସ୍ତକର ପ୍ରକାଶକ ରାଜକିଶୋର ଦାଶ ଓ ବନୋଜ ତ୍ରିପାଠୀ, ଲେଖିକାଙ୍କ ଭଉଣୀ ଅନିତା ରଥ, ଅଧ୍ୟାପିକା ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅନୁସୂୟା ନାଥ, ତନ୍ଦ୍ରାଳସା ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ଦେଇଥିଲେ । ଶେଷରେ ଯୁବ ଲେଖକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।   

Related Posts

Leave a Reply

Your email address will not be published. Required fields are marked *