ରୟାଲ ଏନଫିଲ୍ଡ ମୋଟର ସାଇକେଲର କାହାଣୀ

ବହି: ଇଣ୍ଡିଆନ ଆଇକନ ଏ କଲ୍ଟ କଲ୍‍ଡ ରୟାଲ ଏନଫିଲ୍ଡ
ଲେଖକ: ଅମ୍ରିତ ରାଜ
ପ୍ରକାଶକ: ୱେଷ୍ଟ ଏଣ୍ଡ ବୁକ୍‍ସ, ୨୦୨୧
ମୂଲ୍ୟ: ୬୯୯ ଟଙ୍କା

ରୟାଲ ଏନଫିଲ୍ଡ ମୋଟର ସାଇକେଲ କେବଳ ଏକ ସାଧାରଣ ମୋଟର ସାଇକେଲ ନୁହଁ । ଏହା ଏକ ଆଇକନିକ ମୋଟର ସାଇକେଲ । ଏହାକୁ ଯେଉଁମାନେ ବ୍ୟବହାର କରନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଏହାକୁ କେବଳ ଏକ ଯାନ ଭାବେ ବ୍ୟବହାର କରିବା ପାଇଁ ବ୍ୟବହାର କରନ୍ତି ନାହିଁ ବରଂ ଭଲ ପାଇ ବ୍ୟବହାର କରନ୍ତି । ଏହାକୁ କେନ୍ଦ୍ର କରି ଅନେକ ଗଳ୍ପ, ଅନେକ କାହାଣୀ ରହିଛି, ତା’ ଭିତରୁ ଗୋଟେ ଛୋଟ କାହାଣୀଟି ହେଲା- ଇଏ ବୋଧେ ଏକମାତ୍ର ମୋଟର ସାଇକେଲ ଯାହା ଏକ ମନ୍ଦିରରେ ବି ପୂଜା ପାଉଛି । ରାଜସ୍ତାନର ଯୋଧପୁର ସହରରୁ ୬୦ କିଲୋମିଟର ଦୂର ଏକ ଗାଁରେ ମନ୍ଦିର ଅଛି, ଯେଉଁଠି ଦିଅଁ ଭାବରେ ଅଛି ରୟାଲ ଏନଫିଲ୍ଡ ମୋଟର ସାଇକେଲଟିଏ । ପ୍ରେକ୍ଷାପଟ୍ଟ ହେଲା, ଲୋକମାନଙ୍କର ଧାରଣା ଏ ମୋଟର ସାଇକେଲକୁ ପୂଜା କଲେ ଦୁର୍ଘଟଣା ହେବ ନାହିଁ । ଏଠି ପ୍ରସାଦ ଭାବରେ ଅର୍ପଣ କରାଯାଏ ହ୍ବିସ୍କି ।

ରୟାଲ ଏନଫିଲ୍ଡ ମୋଟର ସାଇକେଲକୁ ନେଇ ଏମିତି ବହୁ କାହାଣୀ ଅଛି । ସାରା ପୃଥିବୀରେ ରୟାଲ ଏନଫିଲ୍ଡ ମୋଟର ସାଇକେଲର ଅନେକ ଦିୱାନା ମଧ୍ୟ ଅଛନ୍ତି । ହାର୍ଲେ ଡେଭିଡ୍‍ସନ୍‍ ଭଳି ରୟାଲ୍‍ ଏନଫିଲ୍ଡ ମୋଟର ସାଇକେଲକୁ ନେଇ କ୍ଲବ ଅଛି, କାଫେ ଅଛି । ଏ ମୋଟର ସାଇକେଲ ଚଲଉଥିବା ଲୋକମାନଙ୍କର ସଂଘ ଓ ସମ୍ପ୍ରଦାୟ (କମ୍ୟୁନିଟି) ମଧ୍ୟ ଅଛି ।

୧୯୫୦ରୁ ଭାରତବର୍ଷରେ ରୟାଲ ଏନଫିଲ୍ଡ ତିଆରି ହେଲା । ତା’ ପୂର୍ବରୁ ଇଂଲଣ୍ଡରେ ଏହାର ଜନ୍ମ । ୧୯୮୦ ମସିହା ଯାଏ ଏ ମୋଟର ସାଇକେଲ ଗୋଟିଏ ସ୍ତରରେ ଖୁବ୍‍ ଲୋକପ୍ରିୟ ଥିଲା । ଭାରତୀୟ ସେନାବାହିନୀ ମଧ୍ୟ ଏହାକୁ ବ୍ୟବହାର କରୁଥିଲା, ଏବେ ବି କରୁଛି । ୧୯୮୦ ମସିହା ପରେ ଅନେକ ଜାପାନୀ ମୋଟର ସାଇକେଲ କମ୍ପାନି (ହୋଣ୍ଡା, ସୁଜୁକି, ଇତ୍ୟାଦି) ଆସିଯିବା ପରେ ଏହାର ଜନପ୍ରିୟତାରେ ଭଟ୍ଟା ପଡି଼ଲା । ସେହି ସମୟରେ ବିକ୍ରମ ଲାଲ ଏହାକୁ ପୁଣି ଥରେ ଜନପ୍ରିୟ କରିବା ଦିଗରେ ଚେଷ୍ଟା କଲେ । କିନ୍ତୁ ପ୍ରକୃତରେ ମୋଡ଼ ବଦଳେଇଲେ ତାଙ୍କ ପୁଅ ସିଦ୍ଧାର୍ଥ ଲାଲ । ଏ ବହିରେ ସେ ମୋଡ଼ ବଦଳାଇବାର କାହାଣୀ କୁହାଯାଇଛି ।

ତେବେ ଏ ବହିଟି ଗୋଟେ କମ୍ପାନୀ ବା ଗୋଟେ ବ୍ରାଣ୍ଡର ଜନପ୍ରିୟତା ଫେରି ପାଇବାରେ ସୀମାବନ୍ଧ ନୁହଁ । ଇଏ ଏମିତି ଏକ ମୋଟର ସାଇକେଲର କାହାଣୀ- ଯାହା ଲୋକଙ୍କ ହୃଦୟରେ ଘର କରି ନେଇଛି । ଏ ବହିରେ ଏ ମୋଟର ସାଇକେଲକୁ ଭଲ ପାଇ ବସିଥିବା ଅନେକ ଲୋକଙ୍କ କାହାଣୀ ରହିଛି । ଏମିତି ଜଣେ ମିସ୍ତ୍ରୀଙ୍କ କାହାଣୀ ରହିଛି, ଯିଏ ରୟାଲ ଏନଫିଲ୍ଡ ଚାଲିଲା ବେଳେ କେବଳ ଶବ୍ଦ ଶୁଣିକି, ମୋଟର ସାଇକଲେ ଠିକ୍‍ ଅଛି ନା କୌଣସି ଜାଗାରେ କିଛି ତ୍ରୁଟି ଅଛି ଜାଣିପାରୁଥିଲେ । ଅନେକେ ଲକ୍ଷ୍ୟ କରିଥିବେ ଏନ୍‍ଫିଲ୍‍ଡ ମୋଟର ସାଇକେଲଟି ଚାଲିଲା ବେଳେ ଡିକ୍‍ ଡିକ୍‍ ଡିକ୍‍ ହୋଇ ଗୋଟେ ଶବ୍ଦ ଶୁଣାଯାଏ । ଏ ଶବ୍ଦରୁ ଅନେକେ ଜାଣିପାରନ୍ତି ଏନ୍‍ଫିଲ୍‍ଡ ମୋଟର ସାଇକେଲ ଯାଉଛି ।

ଏ ମୋଟର ସାଇକେଲକୁ ନେଇ ଲୋକ ବହୁ ଦୂରଦୂରାନ୍ତରକୁ ଯାଇଛନ୍ତି । ଦେଶ ଦେଶାନ୍ତରକୁ ମଧ୍ୟ ଯାଇଛନ୍ତି । ଏ ବହିରେ ଏମିତି ଅନେକ ଲୋକଙ୍କର କାହାଣୀ କୁହାଯାଇଛି ।

ଏ ବହିଟି ବସ୍ତୁତଃ ମୋଟର ସାଇକଲେର କାହାଣୀ ନୁହଁ, ଇଏ ସେ ଲୋକମାନଙ୍କର କାହାଣୀ । ଏ ବ୍ରାଣ୍ଡକୁ ଭଲ ପାଉଥିବା ଲୋକଙ୍କର ପ୍ରେମ କାହାଣୀ ।

ଯଦି ଆପଣ ରୟାଲ ଏନଫିଲ୍ଡ ମୋଟର ସାଇକେଲକୁ ଭଲ ପାଆନ୍ତି, ତେବେ ଏ ବହିକୁ ନିଶ୍ଚୟ ପଢ଼ନ୍ତୁ । ଯଦି ଆପଣ କୌଣସି କମ୍ପାନୀକୁ ନୂଆ ଭାବରେ କେମିତି ପୁନର୍ଗଠନ କରିହୁଏ- ସେ ବିଷୟରେ ଜାଣିବାକୁ ଚାହୁଛନ୍ତି, ତେବେ ବି ଏ ବହି ଆପଣ ପଢ଼ିପାରନ୍ତି । କିମ୍ବା ଯଦି କିଛି ଇନ୍‍ଟେରେଷ୍ଟିଂ ତଥ୍ୟ, ଘଟଣା ଓ ଗପ ପଢ଼ିବା ପାଇଁ ମଧ୍ୟ ଏ ବହିଟିକୁ ପଢ଼ିପାରନ୍ତି ।

ବହିଟିକୁ ଲେଖିଛନ୍ତି ଅମ୍ରିତ ରାଜ । ସେ ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳରେ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମର ଛାତ୍ର ଥିଲେ । ପରବର୍ତ୍ତୀ ସମୟରେ ବାଣିଜ୍ୟ ସାମ୍ବାଦିକତାରେ ଜାତୀୟ ସ୍ତରରେ ବେଶ୍‍ ଖ୍ୟାତି ଅର୍ଜନ କରିଛନ୍ତି । ଏଟା ତାଙ୍କର ପ୍ରଥମ ବହି ।

ଅମ୍ରିତ ରାଜଙ୍କ ହାତଟି ଭାରି ଭଲ । ସରଳ ଆଉ ସାବଲୀଳ । ଏ ଦୁଇଟି ଯାକ ସାମ୍ବାଦିକତାର ବଡ଼ ସମ୍ପତ୍ତି । ଗପ ପରି, ଉପନ୍ୟାସ ପରି ଏ ବହିଟିକୁ ପୂରା ପଢ଼ି ହେଇପାରୁଛି । ଏ ବହିଟିରେ ସାବଲୀଳତା ସହିତ ସାମ୍ବାଦିକତାର ଆଉ ଏକ ସମ୍ପତ୍ତି- ସତ୍ୟନିଷ୍ଠ ତଥ୍ୟ ବି ରହିଛି । ପଢ଼ନ୍ତୁ, ଭଲ ଲାଗିବ ।

Related Posts

One thought on “ରୟାଲ ଏନଫିଲ୍ଡ ମୋଟର ସାଇକେଲର କାହାଣୀ

Leave a Reply

Your email address will not be published. Required fields are marked *