ନିରବିଗଲେ ପଦ୍ମଭୂଷଣ ରମାକାନ୍ତ

ଭୁବନେଶ୍ଵର : ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କର ଗତକାଲି ରବିବାର ଭୋଅର ପ୍ରାୟ ୪ ଟା ବାଜି ୩୦ ମିନିଟରେ ପରଲୋକ ଘଟିଯାଇଛି । ୯୧ ବର୍ଷ ବୟସରେ ଭୁବନେଶ୍ଵରର ଖାରବେଳନଗର ସ୍ଥିତ ତାଙ୍କ ବାସଭବନରେ ସେ ଚିରନିଦ୍ରା ଗଲେ । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲାବେଳେ ଶନିବାର ରାତି ପ୍ରାୟ ସାଢେ ଦୁଇଟା ବେଳେ ତାଙ୍କୁ ଶ୍ଵାସକ୍ରିୟାରେ କଷ୍ଟ ହୋଇଥିଲା । ଫଳରେ ଅକ୍ସିଜେନ ଲାଗିଥିଲା ।

ସ୍ଵର୍ଗତ ରମାକାନ୍ତଙ୍କର ଏକମାତ୍ର ପୁଅ ପିନାକୀ ରଥ ସିଙ୍ଗାପୁରରୁ ଆସିବା ପରେ ସୋମବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ପୁରୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସାନ ଝିଅ ଶ୍ୟାମା ରଥ ସୂଚନା ଦେଇଛନ୍ତି । କବିଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ସୂଚନା ଥାଉ ଯେ ୧୯୩୪ ଡିସେମ୍ବର ୧୩ ତାରିଖ ଦିନ କଟକଠାରେ ସେ ଜନ୍ମ ହୋଇଥିଲେ । ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶେଷ କରିଥିଲେ । ୧୯୫୭ ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ଵ ତୁଲାଇବା ସହିତ ୧୯୯୨ ରେ ସେ ଚାକିରିରୁ ଅବସର ନେଲେ । ଜଣେ ପ୍ରଶାସନିକ ଅଧିକାରୀ ହେବା ସତ୍ତ୍ୱେ ଓଡ଼ିଆ ସାରସ୍ଵତ ଜଗତ ପ୍ରତି ଅତୁଳନୀୟ ଅବଦାନ । ତାଙ୍କ ରଚିତ ‘କେତେ ଦିନର’, ‘ଶ୍ରୀରାଧା’, ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’ ଭଳି ଅନେକ ସାହିତ୍ୟ କୃତି ପାଠକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ସ୍ଵର୍ଗତ ରଥଙ୍କ ଦେହାନ୍ତ ଖବର ଶୁଣିବା ପରେ ତାଙ୍କ ବାସଭବନକୁ ପାଠକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୀୟା ଛୁଟିଥିଲା ।

Related Posts

Leave a Reply

Your email address will not be published. Required fields are marked *