ଅରୁଣ କୁମାର ମିତ୍ର

ଖେଳିବିନି ହୋଲି ଲାଗିବନି ରଙ୍ଗ
ଢାଙ୍କିବିନି ମୁହଁ ଅବିରେ
ଫେରିନି ମୋହର କାବ୍ୟନାୟିକା
ସେ ରହିଲା ବହୁଦୂରେ ।
ସେଦିନ ସେ ଏକ ପ୍ରଥମ ଫଗୁଣେ
ନିଛାଟିଆ ନିର୍ଜନେ
ଗଲାଣି ନେଇକି ରଙ୍ଗର ପସରା
ନିଦାରୁଣ ଅଭିମାନେ ।
ଆଜି ବସିବସି ସ୍ମରଣରେ ଆସେ
ରଙ୍ଗୀନ ଦିନର କଥା
ରାଶିରାଶି ହସ, ପଥରେ ପଥରେ
ମୋ ପ୍ରିୟାର ବ୍ୟସ୍ତତା ।
ପଳାଶ ଶିମିଳି ପୁଷ୍ପ ତା ଶାଖେ
ମୁରୁକି ମୁରୁକି ହସି
କେଜାଣି କେମିତି ମୁହଁ ଲୁଚେଇକି
ତଳେ ପଡୁଥିଲା ଖସି ।
ଧିରିଧିରି ବାୟୁ ଉଡ଼ଇ ଆବିର
ଗଗନେ ରଙ୍ଗର ଝଲକ
ଆନନ୍ଦେ ଭାସେ ବିହଂଗ ଦଳେ
ହାବରେ ଭାବରେ ଚମକ ।
ସବୁ ହେବ ରଙ୍ଗା ମୋ ହୃଦୟ ଭଙ୍ଗା
ମନ ମୋର ଅପହୃତ
ସେଦିନର ସ୍ମୃତି ସବୁତକ ଇତି
ଫିକା ଫିକା ଆବୃତ୍ତ ।
ନାହିଁ ଆନନ୍ଦ ହଜି ଅଛି ଖୁସି
କିଏ ଲଗାଇବ ରଙ୍ଗ
ଆଜି ଉତ୍ସବେ ବସିଛି ନିଭୃତେ
ସପନ ହେଲାଣି ଭଙ୍ଗ ।
ଯାଜପୁର ରୋଡ଼, ଯାଜପୁର
ଲେଖକ ପରିଚୟ
କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।