ପ୍ରତିଭା ପରିଜା
ଏତେ ସକାଳୁ କଲିଂ ବେଲର ଶବ୍ଦ ଶୁଣି ବିସ୍ମିତ ହୋଇ ଯାଇଥିଲେ ଈଶ୍ୱର ପ୍ରସାଦ । କାହାରି ଆସିବାର ତ ପ୍ରୋଗ୍ରାମ ନଥିଲା, ତିନି ଦିନ ତଳେ ତ ସୁନନ୍ଦାଙ୍କୁ ନେଇ ଅହମଦାବାଦରେ ଛାଡି ଦେଇ ଆସିଥିଲେ ନିଜେ । ଆଜି ପୁଣି ଫେରି ଆସିଲେ ନା କଣ !
ସାନ ଝିଅ ଅହମଦାବାଦରେ ରହେ । ତାର ଡେଲିଭରି ସମୟ ହେଇଗଲାଣି ବୋଲି ତାର ଶାଶୁ ଫୋନ କରି ଡକେଇ ନେଇଛନ୍ତି ସୁନନ୍ଦାଙ୍କୁ ।
“ଏଇଟା ଫାଷ୍ଟ ଡେଲିଭରି ମିତାଲିର । ତମେ ଆସ ସମୁଦୁଣୀ, ମାଆ ପାଖରେ ଝିଅ ଯେତେ ଫ୍ରି ହବ, ଶାଶୁ ପାଖରେ ହବନି । ଅନ୍ତତ ଦୁଇ ମାସ ରହିବା ପାଇଁ ରେଡି ହେଇ ଆସିଥିବ । ମୁଁ ସମୁଦିଙ୍କୁ ଫୋନ କରି କହିଦେବି । ସେ ଦୁଇ ମାସ ଆଡ଼ଜଷ୍ଟ କରିନେବେ ।“
ଫୋନ କରିଥିଲେ ମିତାଲିର ଶାଶୁ । ଦୁଇ ମାସ ଚଳିବା ପାଇଁ ସବୁ ଘରକରଣା ରେଡି କରି ରଖି ଦେଇଯାଇଛନ୍ତି ସୁନନ୍ଦା । ଏଇ ଦୁଇ ମାସ ହାତରେ ରୋଷେଇ କରି ଖାଇନେବେ ଈଶ୍ୱର ପ୍ରସାଦ । ସୁନନ୍ଦାଙ୍କୁ ନେଇ ଗଲା ସପ୍ତାହରେ ଝିଅ ପାଖରେ ଛାଡି ଦେଇ ଆସିଥିଲେ ନିଜେ । ଚା ‘ କପ ଟିକୁ ହାତରେ ଧରି ଦାଣ୍ଡ କବାଟ ଖୋଲୁ ଖୋଲୁ ଏକରକମ ଚମକି ପଡିଲେ ଈଶ୍ୱର ପ୍ରସାଦ ।
“ପ୍ରାଚୀ…..ତୁ…? ଆରେ ! ଏମିତି ହଠାତ କୁଆଡେ ତୁ ଚାଲିଆସିଲୁ ? ଆଗରୁ କିଛି ନଜଣାଇ ନକହି ଆସିକି ହାଜର । କଥା କଣ ?”
ଖୁସି ହବା ପରିବର୍ତ୍ତେ ମୁହଁ ଶୁଖିଗଲା ଈଶ୍ୱର ପ୍ରସାଦଙ୍କର ।
“ହଠାତ କଣ ? ମୁଁ ଆଗରୁ କହି ନଥିଲି, ଦିନେ ଯାଇ ତମ ଘରେ ପହଂଚି ଯିବି ଆଉ ତମକୁ ଚମକେଇ ଦେବି । କହିଥିଲି କି ନାହିଁ ? ଦେଖ, କେମିତି ଚମକେଇ ଦେଲି ।“
“ତୁ ଆଗରୁ କେବେ ଏ ଆଡେ ଆସିନଥିଲୁ । କେମିତି ରାସ୍ତା ପାଇଲୁ, ଘର ବି ପାଇଗଲୁ ? ପୁଣି ଏକାଏକା ? ତୋ ସ୍ୱାମୀଙ୍କୁ ଆଣିଲୁନି ସାଙ୍ଗରେ ?”
“କାହିଁକି, ମତେ କଣ ଡର ମାଡୁଚି ନା ମୁଁ ବୋକିଟାଏ ଯେ ଏକା ଆସିପାରିବିନି ? ତାଛଡା ସେ କୁଆଡେ ଯିବାକୁ ଭଲପାଆନ୍ତିନି । ମତେ କିନ୍ତୁ ମନା କରନ୍ତିନି କୁଆଡେ ଯିବାକୁ ଚାହିଁଲେ । ତମେ ମତେ ଦେଖି ଖୁସି ହବ ନା ଏମିତି ପ୍ରଶ୍ନ ପଚାରୁ ଥିବ ମ ! ବାଥରୁମ କୋଉଠି କହିଲ, ମୁଁ ଫ୍ରେସ ହେଇ ଆସେ ଆଗ । ସୁନନ୍ଦା …. ମାନେ ….ଭାଉଜ କାହାନ୍ତି, ଦିଶୁ ନାହାନ୍ତି ତ !” କହୁ କହୁ ଆଗରୁ ଦେଖିଥିଲା ପରି ବାଥରୁମକୁ ପଶିଗଲା ପ୍ରାଚୀ । ନିପଟ ମଫସଲ ହେଲେ ବି ସହରର ସବୁ ସୁବିଧା ଖଞ୍ଜି ଦେଇଥିଲେ ଈଶ୍ୱର ତାଙ୍କର ସେ ମଫସଲର ପଡା ଗାଆଁଟିର ଅତ୍ୟାଧୁନିକ ଷ୍ଟାଇଲରେ ବନେଇ ଥିବା ଘରେ ।
“ସୁନନ୍ଦା ଭାଉଜ ନାହାନ୍ତି ତାହେଲେ । ଠିକ ଅଛି, ସବୁ ତ ଏଠି ମହଜୁଦ ଅଛି । ଆଜି ମୁଁ ରୋଷେଇ କରିବି, ଦେଖିବ ମୁଁ କେତେ ସୁନ୍ଦର ଖାନା ବନେଇ ତମକୁ ଖୁଆଇବି ।“
“ନା ନା ତୁ ମୋର ଗେଷ୍ଟ ହେଇ ଆସିଛୁ, ମୁଁ ରୋଷେଇ କରି ତତେ ଖୁଆଇବା କଥା ନା । ସୁନନ୍ଦା ନାହିଁ, ତୁ ଏ ସମୟରେ ଆସିଲୁ ଯେ ମୁଁ… ମୁଁ କଣ କରିପାରିବି ଜାଣିପାରୁନି ।“ ଖୁବ ଅସହଜ ହେଇ ପଡୁଥିଲେ ଈଶ୍ୱର ପ୍ରସାଦ ।
“ହେଃ, ଗେଷ୍ଟ ଫେଷ୍ଟ କଣ ? ଈଶ୍ୱର, ତମେ ସହଜ ହେଇପାରୁନ ମୁଁ ଜାଣିପାରୁଛି । ଫୋନରେ ତ ଏମିତି କଥା ସବୁ କହୁଥିଲ ଯେ ସତେଯେମିତି ମୁଁ ତମର ଏକାନ୍ତ ନିଜର । ଆଉ ସାମ୍ନାରେ ଏମିତି ସଙ୍କୁଚିତ ହେଇପଡୁଛ କାହିଁକି ? ଏତେ ଫର୍ମାଲିଟି ଦେଖାଉଛ କଣ ?
ସୁନନ୍ଦା ଭାଉଜ ନାହାନ୍ତି ତ କଣ ହେଲା । ତମେ ବ୍ୟସ୍ତ ହେଇପଡୁଛ କାହିଁକି ? ମୁଁ ତମର ସାଙ୍ଗ ପରା, ମୁଁ ଫ୍ରି ହେଇପାରୁଛି, ତମେ ଏମିତି ବ୍ୟସ୍ତ ହଉଚ କାହିଁକି ?”
ଘର, ବାଡ଼ି-ବଗିଚା, ମାଛ ପୋଖରୀ ସବୁ ବୁଲି ବୁଲି ଦେଖୁଥିଲା ପ୍ରାଚୀ । ବାଃ, ବହୁତ ବଢିଆ ହେଇଚି ତମର ଘର ଆଉ ବାଡ଼ି-ବଗିଚା । ତମ ରୁଚି ପରା ! ବଢିଆ ହବନି କେମିତି । ମୁଁ ଠିକ ଅନୁମାନ କରୁଥିଲି ତମ ଘର ଆଉ ବଗିଚା ସବୁ ଏମିତି ହେଇଥିବ ବୋଲି ।
ଡ୍ରଇଂ ରୁମରେ ଥିବା ବଡ଼ ଆକ୍ଵରିଆମରେ ଛୋଟ ଛୋଟ ରଙ୍ଗୀନ ମାଛ ସବୁ ଦେଖି ଖୁବ ଖୁସି ହେଉଥିଲା ପ୍ରାଚୀ । ସୁନ୍ଦର ତମ ରୁଚି, ତମର ପସନ୍ଦ । ବହୁତ ଭଲ ଲାଗୁଚି ସବୁ ଦେଖି, ଇଛା ହଉଚି ସବୁଦିନ ଏଇଠି ରହି ଯାଆନ୍ତି ।
ଚୁପି ଚୁପି ହସିଦେଲେ ଈଶ୍ୱର ପ୍ରସାଦ । ସେ ସମୟ ସୁଯୋଗ ତ ତୁ ଆସିବାକୁ ଦେଲୁନି । କେବଳ ମନକୁ ମନ କହିଦେଲେ ପ୍ରାଚୀକୁ ନଶୁଭିବା ପରି ।
“ରହ , କିଏ ମନା କରୁଛି କି !”
“ସୁନନ୍ଦା ଭାଉଜ ଥିଲେ ରହି ଯାଆନ୍ତି ମ ! ତମେ ନକହିଲେ ବି ।“
ସୁନନ୍ଦା ଥିଲେ ମନେ ମନେ ଜଳୁଥାନ୍ତା, ପ୍ରାଚୀ । ତୋତେ ସେ ଇର୍ଷା କରେ । ଏ କଥା କହିପାରିଲେ ନାହିଁ ଈଶ୍ୱର ।
“ମୁଁ କାଲି ଚାଲିଯିବି ଈଶ୍ୱର । ସୁନନ୍ଦା ଭାଉଜ ଥିଲେ କଥା ଅଲଗା… । ସେ ନଥିବା ସମୟରେ ମୁଁ ରହିବାଟା ଠିକ ହବନି, ଜାଣିଥିଲେ ଆସି ନଥାନ୍ତି ଏଠିକି ।“
“କାହିଁକି ? ତୁ କଣ ଡରୁଛୁ ନା ତୋ ଆତିଥ୍ୟରେ ତ୍ରୁଟି କରିବି ବୋଲି ଭାବୁଛୁ ? ପାଞ୍ଚ ଶହ ମାଇଲ ଦୂରରୁ ଆସିଛୁ, ପାଞ୍ଚ ଦିନ ବି ରହିବୁନି ? ଇଏ କେମିତି କଥା ? ଅନ୍ତତଃ ଚାରି ପାଞ୍ଚ ଦିନ ତ ରହ, ସମୁଦ୍ର ତୋତେ ଭଲ ଲାଗେ ପରା, ବୁଲି ଯିବୁନି ?” ଏକ ଅଜ୍ଞାତ ଚୁମ୍ବକୀୟ ଆକର୍ଷଣରେ ଈଶ୍ୱର ଟାଣି ହୋଇ ଯାଉଥିଲେ ନିଜ ଅଜାଣତରେ ।
“ଯିବି ଈଶ୍ୱର । ତମ ସାଙ୍ଗରେ ସମୁଦ୍ର କୂଳରେ ବସି ଗପ କରିବାର ମଜା କିଛି ନିଆରା । ପୁରୀ କଲେଜରେ ପଢୁଥିଲା ବେଳେ ଯେମିତି ସମୁଦ୍ର କୂଳେ ବସି ଝାଲ ମୁଢି ଖାଇ ଖାଇ ଗପୁଥିଲେ ରାତି ହବା ଯାକେ । ମନେ ଅଛି ନା ?”
×××××
ସବୁ ମନେ ଅଛି । କିନ୍ତୁ ସେଦିନ ପରି ମନ ଭିତରର କଥାକୁ ପ୍ରକାଶ କରି ନପାରି ବାର ଯନ୍ତ୍ରଣା, ସବୁଠାରୁ ବେଶୀ କଷ୍ଟ ଦେଉଥିଲା ଈଶ୍ୱରଙ୍କୁ । ନିଜର ସାଧ୍ୟ ମତେ ନିଜକୁ ଆୟତ୍ତ କରୁଥିଲେ କେବଳ । ମଜା ମଜାରେ କହୁକହୁ ସତକୁ ସତ ପ୍ରାଚୀ ରାଉରକେଲାରୁ ଆସି ପାରାଦ୍ଵୀପରେ ପହଞ୍ଚିଯିବ ଏକଥା ବିଶ୍ୱାସ କରି ନଥିଲେ ସେ ।
ଅଣ୍ଟାରେ ଲୁଗାକୁ ଭିଡି ଦେଇ ରୋଷେଇରେ ଲାଗି ପଡିଥିଲା ପ୍ରାଚୀ । ଛୁରୀ ଆଉ ଚପର ଧରି ପରିବା କାଟିଲେ ଈଶ୍ୱର । ଗପର ପେଡି ଖୋଲି ଗଲା । ସ୍କୁଲଠାରୁ କଲେଜ ଯାଏ, ପିଲାଦିନ ଠାରୁ ବୁଢାବୁଢ଼ୀ ହେବା ଯାଏ । ନିଜ ପିଢ଼ିଠାରୁ ତୃତୀୟ ପିଢ଼ି ଯାଏ…. ହସି ହସି ଲୋଟି ପଡୁଥିଲା ପ୍ରାଚୀ । ଭିତରେ କିନ୍ତୁ ଚାପି ରଖିଥିଲା ଅନେକ କିଛି । କିଛି ସ୍ମୃତି କିଛି ବିସ୍ମୃତି…ଦୁହିଁଙ୍କୁ କୋରି ପକାଉଥିଲା ଭିତରେ ଭିତରେ ।
କେତେ କଷ୍ଟରେ ପାଞ୍ଚ ଦିନ ରହିବା ପାଇଁ ରାଜି ହେଇଚି ପ୍ରାଚୀ । ସୁନନ୍ଦାର ଅନୁପସ୍ଥିତି ଉଭୟଙ୍କୁ ଅପ୍ରସ୍ତୁତ କରୁଥିଲେ ବି ଉଭୟେ ପୁଣି ନିଜକୁ ସଜାଡି ନେଇ ସହଜ ହେବାକୁ ଚେଷ୍ଟା କରୁଥିଲେ । ପ୍ରାଚୀର ରୋଷେଇ କରିବା, ଅସଜଡା ଘରକୁ ମଝିରେ ମଝିରେ ସଜାଡି ଦେଲାବେଳେ ତାର ଅଲକ୍ଷ୍ୟରେ ତାକୁ ମୁଗ୍ଧ ଆଖିରେ ଦେଖୁଥିଲେ ଈଶ୍ୱର । ମନେମନେ କହୁଥିଲେ, ତୋତେ ଦେଖି ମନେହଉଚି ଯେମିତି ତୁ ଏ ଘରର ସର୍ବମୟ କର୍ତ୍ତ୍ରୀ । ତୋ ବିନା ଏ ଘର ଅଧୁରା । ଚାଳିଶି ବର୍ଷ ସୁନନ୍ଦା ସହ ରହି ମଧ୍ୟ ଏମିତି ଅପୂର୍ବ ଅନୁଭବଟିଏ ପାଇ ନଥିଲେ ଈଶ୍ୱର ପ୍ରସାଦ ।
ଡ୍ରଇଂ ରୁମରେ ସୁନନ୍ଦା ସହ ଈଶ୍ୱରଙ୍କର ଯୁଗଳ ଫୋଟୋଟିକୁ ନିରେଖି ଦେଖୁଥିଲା ପ୍ରାଚୀ । ସୁନନ୍ଦା ଭାଉଜ ଖୁବ ସୁନ୍ଦର, ନା ? ପରଫେକ୍ଟ ଯୋଡି । ମନେମନେ ଇର୍ଷାର ଝଲକରେ ଆପ୍ଳୁତ ହେଉଥିଲା । ଈଶ୍ୱର ପଚାରିଲେ,
“ଆଉ ତୁ, ତୁ କଣ କମ ସୁନ୍ଦର କି ? ଇଏ ଦଶ ବର୍ଷ ତଳର ଫଟୋ । ତେବେ ଫଟୋରେ କଣ ଅବା ଥାଏ । ଅସଲ ଫଟୋ ତ ହୃଦୟ ଭିତରେ ଥାଏ । ଯେଉଁଠି ତୁ ଅଛୁ ।“
ବୟସ ଆଉ ଘରକରଣା ଯେତେ ପୁରୁଣା ହେଉଥାଏ ଦାମ୍ପତ୍ୟ ଜୀବନରେ କଥା କଟାକଟି ମନମାଳିନ୍ୟ ସେତେ ବଢୁଥାଏ । ସୁନନ୍ଦା ସହ ମତାନ୍ତର ଆଉ ମନାନ୍ତରର ସେ ମୁହୂର୍ତ୍ତଗୁଡିକ ମନେପଡିଲେ ଦାମ୍ପତ୍ୟ ଜୀବନ ବିଷାକ୍ତ ମନେ ହେଉଥିଲା । ଆଜି କିନ୍ତୁ ପ୍ରାଚୀକୁ ସେ ସ୍ଥାନରେ ଦେଖି ନିଜକୁ ସଙ୍କୁଚିତ ଲାଗୁ ଥିଲା । ଆଃ ..ସୁନନ୍ଦା ସ୍ଥାନରେ ପ୍ରାଚୀ ଥାଆନ୍ତା କି !!
ଅତି ଯତ୍ନରେ ଈଶ୍ୱରଙ୍କୁ ନିଜ ପସନ୍ଦର ଆଇଟମ ତିଆରି କରି ଖୁଆଇବାର ଆଗ୍ରହରେ ବୁଡି ଯାଇଥିଲା ପ୍ରାଚୀ । ଏକ ଅନ୍ତରଙ୍ଗ ଅନୁଭବରେ ଦୁହେଁ ଓଦା ହେଇ ଯାଉଥିଲେ । ଯାହାକୁ କୁହାଯାଏ ହୃଦୟର ଆଖି ଥାଏ, ସେଇ ଆଖିରେ ଦିହେଁ ଦୁହିଁଙ୍କୁ ଦେଖୁଥିଲେ । କେତେ ଆବିଳତା ଶୂନ୍ୟ ଏଇ ଅନୁଭବ ! ନା ଅଛି କାହାଠାରୁ କେହି କିଛି ପାଇବାର ଆକାଂକ୍ଷା ନା ଅଛି କାହାକୁ କେହି କିଛି ଦେବାର ଅଭିପ୍ସା । ସେ ଏକ ଇନ୍ଦ୍ରିୟୋତର ଅନୁଭବ ଥିଲା ।
ଅଥଚ ଦିନ ଥିଲା ଦୁହେଁ ଦୁହିଁଙ୍କୁ ଚାହିଁଥିଲେ ଖୁବ ପାଖରେ ପାଇବାକୁ, ମିଶି କରି ସୁଖଦୁଃଖ ଭୋଗିବାକୁ, ଦୁହେଁ ଦୁହିଁଙ୍କ ହାତ ଧରି ବାଟ ଚାଲିବାକୁ । ସମୟ ଆଉ ଭାଗ୍ୟ ଅନେକ କିଛି ବଦଳେଇ ଦେଇଛି । ଦୁହେଁ କଷ୍ଟ ପାଇଲେ ବି ପରିସ୍ଥିତିକୁ ଗ୍ରହଣ କରିନେଇଛନ୍ତି । ଆଉ ବା ଉପାୟ କଣ ଥାଏ ମଣିଷ ପାଖରେ ! ସମୟ ଆସିଲେ କେତେ କେତେ ଗମ୍ଭୀର ଆକାଂକ୍ଷା ହୃଦୟର କେତେ କେତେ ମଧୁର ଆବେଗ ତାର ଗୁରୁତ୍ୱ ହରାଇ ବସେ, ଅବଶୋଷର ଶୁଖିଲାପଣ ଦେଇଯାଏ ।
ପ୍ରତ୍ୟେକ ମଣିଷର ମନ ଭିତରେ କେହି ଜଣେ ତ ଥାଏ ଯିଏ ଏକାନ୍ତ ଭାବେ ନିଜର । ସେ କେବଳ ଏକାନ୍ତରେ ନିରୋଳାରେ ନିଜର କାୟା ବିସ୍ତାର କରି ବସେ ମନ ଭିତରେ । ମଣିଷ ଯେତେ ସୁଖରେ ରହିଲେ ବି ପ୍ରାଚୁର୍ଯ୍ୟ ଭିତରେ ରହିଲେ ବି “ସେ” ଟି କେବେ ଭୁଲିହୁଏନି କି ଛାଡି ଯାଏନି । ବରଂ ସୁଖ-ଦୁଃଖରେ ପାଖରେ ଛିଡା ହୁଏ, ବଂଚିବା ପାଇଁ ଆଶ୍ୱାସନା ଦିଏ, ମୋହ ଲଗାଏ, ବିହ୍ଵଳିତ କରେ । ସେମିତି ପ୍ରାଚୀ ଆଉ ଈଶ୍ୱର ପ୍ରସାଦ ଦୁହେଁ ଦୁହିଁଙ୍କର ଖୁବ ଆପଣାର ଥିଲେ ଏବେ ବି ଅଛନ୍ତି, ଏକାନ୍ତ ନିଜର । ସମୟ ଯାହା ପରଦା ଢାଙ୍କି ଦେଇଛି । କିନ୍ତୁ ଉଭୟେ ଉଭୟଙ୍କ ହୃଦୟରେ ସୁରକ୍ଷିତ ।
×××××
ଏବେ ପାଞ୍ଚ ଦିନରୁ ତିନି ଦିନ ପକ୍ଷ ଲଗାଇ ଉଡି ଗଲାଣି । ଏବେ ଦୁହେଁ ଦୁହିଁଙ୍କ ପାଖରେ ଖୁବ ସହଜ ।
“କହିଥିଲ ପରା, ସମୁଦ୍ର କୂଳ ବୁଲି ଯିବାକୁ ।“
“ଆଜି ଯିବା ? ସନ୍ଧ୍ୟା ରେ ?”
ଚୁପ ଚାପ ଦୁହେଁ ସମୁଦ୍ରକୁ ଚାହିଁ ରହିଥିଲେ । ଦୁହିଁଙ୍କ ଭାବନାରେ ଥିଲା ଅପୂର୍ବ ସାମଞ୍ଜସ୍ୟ । ଦିନ ଥିଲା ଦୁହେଁ ଦୁହିଁଙ୍କ ପାଇଁ ବ୍ୟାକୁଳ ହେଇ ପଡୁଥିଲେ, ଏ ନିର୍ଲିପ୍ତତା କୋଉଠୁ ଆସିଲା ଆଜି ? ଏତେ ନିରୋଳାରେ ବସି ମଧ୍ୟ କେହି କାହା ପାଖରେ ମନ କଥା ବାଣ୍ଟି ପାରୁନାହାନ୍ତି । ଏମିତି ଏମିତି ଚାରି ଦିନ ସରିବାକୁ ବସିଲାଣି । କେବଳ ଫର୍ମାଲିଟି ଭିତରେ କଟିଗଲା ଦିନସବୁ । ଉଭୟଙ୍କର ଅଭାବ ଉଭୟଙ୍କ ଜୀବନରେ କିଛି ଫାଙ୍କ ସୃଷ୍ଟି କରିଛି, କିଛି ବ୍ୟର୍ଥତା ସୃଷ୍ଟି କରିଛି ଏ କଥା କେହି କାହା ଆଗରେ ପ୍ରକାଶ କରିବା ପାଇଁ ଅନିଛୁକ ।
ନୀଳ ସମୁଦ୍ରର ଢେଉ, ଝାଉଁ ବଣ, ନାଁ ଅଜଣା ପକ୍ଷୀମାନଙ୍କର କାକଳି, ଏସବୁ କିଛି ପ୍ରଭାବ ପକାଉ ନଥିଲା ଈଶ୍ୱର ପ୍ରସାଦଙ୍କ ମନରେ । ଖୁବ ଆତ୍ମହରା ହେଲା ପରି ଉପରକୁ ଦିଶୁଥିଲେ ବି ଉଦାସ ହେଉଥିଲା ପ୍ରାଚୀ । ହଠାତ ଈଶ୍ୱର ପଚାରିଦେଲେ,
“ଜୀବନରେ ତ ସବୁ ପାଇଛୁ ତୁ, ସତ କହିଲୁ ପ୍ରାଚୀ ! ସୁଖୀ ହେଇଛୁ ?” ଚମକି ପଡିଥିଲା ପ୍ରାଚୀ । ହଠାତ …. ଇଏ କି ପ୍ରଶ୍ନ ? କିଛି ସମୟ ଚୁପ ରହିଲା ପରେ କହିଲା,
“ଆଉ ତମେ ?”
ଦୁହେଁ ଚୁପ । ନିରବତାର ଭାଷାରେ ଦୁହେଁ ବୁଝିଗଲେ ଦୁହିଁଙ୍କୁ । ବଦଳି ଯାଇଥିବା ସମୟ ସହିତ ଆମକୁ ବଦଳି ଯିବାକୁ ହବ, ଏ କଥା କେହି କାହାକୁ ନକହିଲେ ବି ସେଇଆ ହିଁ ବୁଝିଥିଲେ ଦୁହେଁ । ଜୀବନଟା ଅଭିନୟରେ ହିଁ ତିଷ୍ଠି ରହେ । ନହେଲେ ଭାଙ୍ଗିଯାଏ ଅନେକ କିଛି, ସମ୍ପର୍କ ବି ।
ଯେତେ ହାଲକା ମନ ନେଇ ବୁଲିବାକୁ ଯାଇଥିଲେ ସେତିକି ଭାରି ମନ ନେଇ ଫେରିଲେ । ଗାଁ ମୁଣ୍ଡରେ ଥିବା ଜଗନ୍ନାଥ ମନ୍ଦିରରେ ଆଳତୀ ହେବାର ଶୁଭୁଥିଲା । ଘଣ୍ଟ, ଧୂପ, ଦୀପରେ ମହକି ଯାଉଥିଲା ଚଉଦିଗ ।
“ଆସ, ମନ୍ଦିର ଆଳତୀ ଦେଖି ସାରି ଘରକୁ ଫେରିବା ।“ ମନ୍ଦିର ଭିତରକୁ ଯାଇ ଚତୁର୍ଦ୍ଧା ମୂର୍ତ୍ତିକୁ ଦର୍ଶନ କରିବା ପରେ ବିହ୍ଵଳିତ ହୋଇ ପଡ଼ିଲା ପ୍ରାଚୀ । ହାଲକା ହେଇଗଲା ମନ । ଆଖି ବୁଜି ଧ୍ୟାନରେ ବସିଗଲେ ଈଶ୍ୱର ପ୍ରସାଦ ।
×××××
ଆଜି ଶେଷ ଦିନ । ଫେରିଯିବ ପ୍ରାଚୀ । କେମିତି କଟିଗଲା ପାଞ୍ଚ ଦିନ ! ସମୟର ଡେଣା ଥାଏ, ଖୁବ ଦ୍ରୁତ ଗତିରେ ସେ ଉଡୁଥାଏ । କେହି ଅଟକାଇ ପାରେ ନାହିଁ ।
“ସତରେ ଆଜି ଚାଲିଯିବୁ ପ୍ରାଚୀ ?” ଅସହାୟ ସ୍ୱରରେ ପଚାରୁଥିଲେ ଈଶ୍ୱର ।
“ଶୁଣୁ ଶୁଣୁ ଆଖିରେ ହଠାତ ଲୁହ ଚାଲିଆସିଲା ପ୍ରାଚୀର ।“ ଏଇ ଲୁହକୁ ପ୍ରାଚୀର ଭାରି ଭୟ । ସ୍ଥାନ, କାଳ, ପାତ୍ର କିଛି ଦେଖେନି ଏ ଲୁହ । କିଛି କଥା ଏମିତି ଥାଏ, ହୃଦୟକୁ ଛୁଉଁ ଛୁଉଁ ଟପ ଟପ ଝରି ଆସେ ଆଖି ବାଟ ଦେଇ । ସେଥିପାଇଁ ବହୁତ ସାବଧାନ ରହିବାକୁ ପଡେ ପ୍ରାଚୀକୁ । ନିଜକୁ ଟାଣ କରିବାକୁ ପଡେ । ବିଶେଷତଃ ଏଇ ଈଶ୍ୱରଙ୍କ ପାଖରେ ।
ଏ ପାଞ୍ଚ ଦିନ ଉଭୟେ ଅତୀତର ନିଜ ନିଜର ଆବେଗ, ଭାବପ୍ରବଣତା ସବୁକୁ ଖୁବ ନିରାପଦ ଦୂରତ୍ୱରେ ରଖିଥିଲେ । କାଳେ କିଛି ଭୁଲ ହେଇଯିବ ସେଥିପାଇଁ ପାଦେ ପାଦେ ସତର୍କ ଥିଲେ । ନିହାତି ମାମୁଲି ସମ୍ପର୍କ ପରି ବନ୍ଧୁତ୍ୱ ଏକ ସାବଲିଳ ନଦୀ ପରି ବହି ଚାଲିଥିଲା । ସେ ନଦୀ କେତେ ଗଭୀର କେତେ ସ୍ରୋତସ୍ୱିନୀ ସେକଥା କେବଳ ସେ ନଦୀ ହିଁ ଜାଣେ ।
ରାଉରକେଲା ଯିବା ପାଇଁ କଟକରୁ ଟ୍ରେନ ଧରିବା ପାଇଁ ହବ ପ୍ରାଚୀକୁ । କଟକ ପର୍ଯ୍ୟନ୍ତ ଈଶ୍ୱର କାର ନେଇ ପ୍ରାଚୀକୁ ଛାଡି ଦେଇ ଆସିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ପ୍ରାଚୀର ଜିଦ.. ସେ ଯିବାର କିଛି ଆବଶ୍ୟକତା ହିଁ ନାହିଁ । ଠିକ ଠିକ ସେ ଯାଇ ରାଉରକେଲାରେ ପହଁଚି ଯାଇପାରିବ, କଟକ ପର୍ଯ୍ୟନ୍ତ ଯାଇପାରିବ ନାହିଁ ? ଈଶ୍ୱର କିନ୍ତୁ ଅଧିକ ସେତିକ ସମୟ ପ୍ରାଚୀ ସହିତ କଟେଇବା ପାଇଁ କଟକ ଯିବା ଲାଗି ଚାହୁଁଥିଲେ । ପାରାଦ୍ଵୀପରୁ କଟକ ଅତିକମରେ ଦେଢ଼ଘଣ୍ଟା ଦୁଇ ଘଣ୍ଟା ତ ଲାଗିବ ।
ଅନେକ କଥା କହିବାକୁ ଚାହିଁଲେ ବି ତଣ୍ଟି ପାଖରେ ଅଟକି ଯାଏ ଈଶ୍ୱର ପ୍ରସାଦଙ୍କର । ପ୍ରାଚୀ ତୁ ସତରେ ଆସିଥିଲୁ ନା ଏ ମୋର ଗୋଟାଏ ସ୍ଵପ୍ନ ଥିଲା, ମୁଁ ଜାଣି ପାରୁନି । କେବେବି ଭାବି ନଥିବା କଥା, ଏମିତି ତୁ ଅଚାନକ ଆସିଯିବୁ ପୁଣି ଚାଲିଯିବୁ ଏ କଥା ମୁଁ କେବେବି ଭାବି ନ ଥିଲି । ନା, ତୁ ନଗଲେ ହୁଅନ୍ତାନି ପ୍ରାଚୀ, ଭୁଲି ଯାଇଥିବା ସ୍ମୃତି ସବୁକୁ ପୁଣିଥରେ ଜୀବନ୍ତ କରିଦେଲୁ । ବହୁ କଷ୍ଟରେ ତୋତେ ମୁଁ ଭୁଲିଥିଲି । ଆଉଥରେ କାହିଁକି ଆସିଲୁ ମୋ ଜୀବନରେ “ନିରବ ଭାଷାରେ କହି ଚାଲିଥିଲେ ଈଶ୍ୱର । କାହାରିକୁ ଶୁଭୁ ନଥିଲା ସେ ସ୍ୱର । ଆଖି ଛଳଛଳ ଥିଲା ।“
ପ୍ରାଚୀ ରେଡି ହେଇ କାର ପାଖକୁ ଆସିଗଲା । ଶେଷ ପର୍ଯ୍ୟନ୍ତ ବି ଚୁପ ରହିଲେ ଈଶ୍ୱର ପ୍ରସାଦ । ଉଭୟେ ଖୁବ ଦମ୍ଭ ଆଉ ହସ ହସ ମୁହଁରେ ହାତ ମିଳାଇଲେ । ବିଦାୟ ସମ୍ଭାଷଣ ଜଣାଇଲେ ।
“ବହୁତ ବହୁତ ଧନ୍ୟବାଦ ଈଶ୍ୱର, କେତେ ଶୀଘ୍ର ଦିନ କଟିଗଲା ଜାଣି ହେଲାନି । ତମ ସାଙ୍ଗରେ କଟେଇଥବା ଏଇ ଦିନଗୁଡିକ ମୋ ଜୀବନର ଶ୍ରେଷ୍ଠ ଦିନ ହେଇ ରହିବ ଜୀବନରେ । ଅଭୁଲା ହେଇ ରହିବ । ମୁଁ ଆସୁଛି ଏଥର…। ପୁଣି କେବେ ଦେଖାହବ, କେଜାଣି……!”
କିନ୍ତୁ ତମେ ଠିକ ଜାଣିଛ ଈଶ୍ୱର, ହୃଦୟର ଏକ ନିଭୃତ କୋଠରୀରେ ସବୁଦିନ ତମେ ଆସ୍ଥାନ ଜମେଇ ବସିଛ, ବସିଥିବ ଏ ହୃଦୟ ଥିବା ଯାକେ । ଏତକ ପ୍ରାଚୀ କହିଲା ମନେ ମନେ ।
“ଆର ଜନ୍ମରେ …” କରୁଣ ହସଟିଏ ହସି କହୁଥିଲେ ଈଶ୍ୱର । ଖୁବ କଷ୍ଟରେ ଅଟକାଇ ରଖିଥିବା ଆଖିର ଲୁହକୁ ଏଥର ବହିଯିବାକୁ ଛାଡିଦେଲେ …..। କାର ଆଖି ଆଗରୁ ଲୁଚି ଯାଇ ସାରିଥିଲା ।
ସିଡିଏ, କଟକ, ମୋବାଇଲ – ୯୪୩୭୫୦୫୯୪୩
ଲେଖକ ପରିଚୟ
ଖୁବ ପିଲାଦିନୁ ଲେଖାଲେଖି ଆରମ୍ଭ । ସତୁରି ଦଶକରୁ ସୁଚରିତା, ତନ୍ଦ୍ରା, ଆମେ, ଜନ ସାହିତ୍ୟ, ଆସନ୍ତାକାଲି, ନବରବି ଇତ୍ୟାଦି ବିଭିନ୍ନ ପତ୍ରପତ୍ରିକା ତଥା ପ୍ରଜାତନ୍ତ୍ର ସାହିତ୍ୟ ବିଭାଗରେ ଲେଖା ପ୍ରକାଶିତ ହେଉଥିଲା । ଚାକିରି ଜୀବନ ତଥା ପାରିବାରିକ ଦାୟିତ୍ୱ ଯୋଗୁ ଅନେକ ବର୍ଷ ଲେଖାଲେଖିଠାରୁ ଦୂରେଇ ରହିଥିଲେ ସୁଦ୍ଧା ପତ୍ରପତ୍ରିକା ଉପନ୍ୟାସ ପଢା ଚାଲୁରହିଛି । ନିୟମିତ ନହେଲେ ବି ସାମୟିକ ଲେଖାଲେଖି କରେ । ଜୀବନର ଅନୁଭୂତି, ସାମୟିକ ଘଟଣା ସମୂହକୁ ନେଇ ଲେଖିବାକୁ ଭଲପାଏ ।
କିଛି ସମୟ ପାଇଁ ହଜାଇ ଦେଲା ଗଳ୍ପ, ଅନେକ ଅଭିନନ୍ଦନ ନାନୀ ନମସ୍କାର