‘ଯଶୋଧାରା’ ଓ ‘ଉପେକ୍ଷିତା ଯଶୋଦା’ ଲୋକାର୍ପିତ

ଭୁବନେଶ୍ୱର : ଗୌତମବୁଦ୍ଧଙ୍କ ପତ୍ନୀ ଯଶୋଧାରାଙ୍କୁ ନେଇ ଅନେକ ପ୍ରଶ୍ନ ଆସେ । ବିଦ୍ରୋହ ବି ଜନ୍ମ ନିଏ । କିନ୍ତୁ ଔପନାସିକା ପୁଷ୍ପାଞ୍ଜଳି କର ନିଜ ଉପନ୍ୟାସ ‘ଯଶୋଧାରା’ରେ ଅଭିମାନୀ, ପ୍ରେମିକା ଓ ସର୍ବସଂହା ଯଶୋଧାରାଟିକୁ ଜନ୍ମ ଦେଇଛନ୍ତି । ଅନେକ ସ୍ଥାନରେ ଯଶୋଧାରାଙ୍କ ମନରେ ଔପଣସିକା ତର୍କସିଦ୍ଧ ଭାବେ ପ୍ରଶ୍ନ ମଧ୍ୟ ଜାଗ୍ରତ କରାଇଛନ୍ତି । ଇତିହାସ ଓ ପୁରାଣ ଶାସ୍ତ୍ରରେ ଠିବା ଚରିତ୍ରଗୁଡ଼ିକୁ ନେଇ ଚରିତ୍ର ଉପନ୍ୟାସ ଲେଖିବା ଯେତିକି ସୁବିଧା, ସେତିକି ଅସୁବିଧା । ମୌଳିକ ଉପନ୍ୟାସ ଲେଖିବାରେ ଜଣେ ଲେଖକର ଯେଭଳି ସମ୍ପୂର୍ଣ୍ଣ ସ୍ଵାଧୀନତା ଥାଏ, ଚରିତ୍ର ଉପନ୍ୟାସରେ ତାହା ନଥାଏ । ଇତିହାସରୁ ବାହାରକୁ ଯାଇ କିମ୍ବା ଲୋକଙ୍କ ମନରେ ଥିବା ଛବିକୁ ଚହଲାଇ ଆମେ ଚରିତ୍ର ଉପନ୍ୟାସ ଲେଖିପାରିବା ନାହିଁ । ଚରିତ୍ର ଉପନ୍ୟାସ ରଚନା ପାଇଁ ଅଧ୍ୟୟନ, ଅନୁଶୀଳନ, ମନନ, ଚିନ୍ତନ ଓ ସୃଜନ ଆଦିର ଆବଶ୍ୟକତା ରହିଛି । ଆଜି ହୋଟେଲ ଏମ୍ପାୟାର୍ସଠାରେ ଔପନାସିକା ପୁଷ୍ପାଞ୍ଜଳି କରଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେ ଉଦ୍ଘାଟିକା ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଖ୍ୟାତ ଔପନାସିକା ପଦ୍ମଶ୍ରୀ ପ୍ରତିଭା ରାୟ ।  

ଏହି କାର୍ଯ୍ୟକ୍ରମରେ ଔପଣସିକା ଶ୍ରୀମତୀ କରଙ୍କ ୨ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । ଗୌତମବୁଦ୍ଧଙ୍କ ପତ୍ନୀ ଯଶୋଧାରାଙ୍କୁ ନେଇ ଚରିତ୍ର ଉପନ୍ୟାସ ‘ଯଶୋଧାରା’ ଓ ୧୫ଟି ଗଳ୍ପକୁ ନେଇ ଗଳ୍ପ ସଂକଳନ ‘ଉପେକ୍ଷିତା ଯଶୋଦା’ । କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ଯରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଭାଷାକୁ ବଞ୍ଚାଇବା ତଥା ସାହିତ୍ୟର ସୁରକ୍ଷା ପାଇଁ ଗଦ୍ୟ ସାହିତ୍ୟଠାରୁ ଭଲ ମାଧ୍ୟମ କିଛି ନଥାଏ । ଗଦ୍ୟ ଦୁର୍ବଳ ହୋଇଗଲେ ଆମ ଗଣତନ୍ତ୍ର ବି ଦୁର୍ବଳ ହୋଇଯାଏ । ଗଦ୍ୟକୁ ସୁନ୍ଦର ଭାବେ ପ୍ରାସଙ୍ଗିକ ଓ ଯୁକ୍ତିଯୁକ୍ତ କରି ଉପସ୍ଥାପନ କଲେ ଅନେକ ସମସ୍ୟା ଓ ପ୍ରସଙ୍ଗ କେବଳ କଥାବାର୍ତ୍ତାରେ ହିଁ ସମାଧାନ ହୋଇପାରିବ । ପ୍ରଭାବୀ ଢଙ୍ଗରେ କହିବାର ସାମର୍ଥ୍ୟ ଭାଷାର ଏକ ବଡ଼ ଦିଗ । ତାହା ସେତେବେଳେ ସମୃଦ୍ଧ ହେବ, ଯେବେ ଗଦ୍ୟ ସାହିତ୍ୟଟି ମଧ୍ୟ ସମୃଦ୍ଧ ହେବ । ଏଣୁ ଗଦ୍ୟ ସାହିତ୍ୟର ଦୁଇଟି ଦିଗ ଗଳ୍ପ ଓ ଉପନ୍ୟାସ ରଚନା ଅଧିକରୁ ଅଧିକ ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ, ଶିଶୁ ଜନ୍ମ ନେଲାବେଳେ ମା’ ଯେମିତି ପ୍ରସବ ବେଦନା ସହିଥାଏ, ଠିକ ସେହିଭଳି ସାରସ୍ଵତ ସୃଷ୍ଟି ସମୟରେ ସ୍ରଷ୍ଟା ମଧ୍ୟ ବେଦନା ସହିଥାଏ । ଔପନାସିକା ପୁଷ୍ପାଞ୍ଜଳି କର ନିଜ ଭିତରେ ଯଶୋଧାରାଙ୍କୁ ଅନୁଭବ କରିଥିବାରୁ, ତାଙ୍କ ପୀଡ଼ାକୁ ମନରେ ଧାରଣ କରିଥିବାରୁ ଉପନ୍ୟାସରେ ତାଙ୍କ ଚରିତ୍ର ଏତେ ଜୀବନ୍ତ ହୋଇପାରିଛି । ଉପନ୍ୟାସଟି ପଢିଲେ ପୁରୁଷ ହେଉ କି ନାରୀ, ଯଶୋଧାରାଙ୍କ ବେଦନା ଓ ମନର ପ୍ରଶ୍ନକୁ ସହଜରେ ଅନୁଭବ କରିପାରିବ । ଔପନାସିକା ପ୍ରବୀଣା ମହାନ୍ତି ପୁସ୍ତକ ଦୁଇଟିର ସମୀକ୍ଷା କରି କହିଲେ ଯେ ଏହି ଉପନ୍ୟାସରେ ଔପନାସିକା ଯଶୋଧାରାଙ୍କୁ ଜଣେ ବିପ୍ଲବିନୀ ରୂପରେ ନସଜେଇ ଜଣେ କର୍ମଯୋଗିନୀ ଭାବେ ଅବତାରଣା କରିଛନ୍ତି । ସଂସାର ଭିତରେ ରହି କର୍ମ କରି ବି ଜଣେ କିଭଳି ସନ୍ୟାସୀ ହୋଇପାରିବ, ତାହା ଯଶୋଧାରାଙ୍କ ଚରିତ୍ର ବୁଝାଇଦିଏ ବୋଲି ସେ କହିଥିଲେ ।

ଔପନାସିକା ଶ୍ରୀମତୀ କର ନିଜ ପୁସ୍ତକ ଦୁଇଟି ବିଷୟରେ ସମ୍ୟକ ଧାରଣା ଦେଇ କହିଥିଲେ, ଏକଦା ମୁଁ ଭୁଟାନ ଯାଇଥିଲି । ସେଠାରେ ଗୌତମବୁଦ୍ଧଙ୍କ ବିଷୟରେ ବହୁତ କିଛି ଅଛି, କିନ୍ତୁ ଯଶୋଧାରାଙ୍କ ଗୋଟିଏ ଚିତ୍ର ବି ମୁଁ ଦେଖିବାକୁ ପାଇ ନଥିଲି । ଏହା ମୋ ମନକୁ ଆନ୍ଦୋଳିତ କରିଥିଲା । ରାତି ଅଧରେ ଯେତେବେଳେ ସିଦ୍ଧାର୍ଥ, ଯଶୋଧାରାଙ୍କୁ ଛାଡ଼ି ଚାଲିଯାଇଥିଲେ, ଏହାପର ଜୀବନ ଯଶୋଧାରାଙ୍କର କେମିତି ଥିଲା ? ଏ ନେଇ ମୋ ମନରେ ବହୁ ପ୍ରଶ୍ନ ବି ଉଠିଥିଲା । ବହୁ ଅଧ୍ୟୟନ ଓ ଗବେଷଣା ପରେ ମୁଁ ଏହି ପୁସ୍ତକ ଲେଖିପାରିବା ସମ୍ଭବ ହୋଇପାରିଛି । ସେହିଭଳି ବିଭିନ୍ନ ସମୟରେ ତାଙ୍କର ବିଭିନ୍ନ ପତ୍ରିକାରେ ପ୍ରକାଶିତ କ୍ଷୁଦ୍ର ଗଳ୍ପର ସମାହାରକୁ ନେଇ ଗଳ୍ପ ସଂକଳନ ‘ଉପେକ୍ଷିତା ଯଶୋଦା’ ପ୍ରକାଶିତ ହୋଇଥିବା ସେ କହିଥିଲେ । କାର୍ଯ୍ୟକ୍ରମକୁ ପକ୍ଷୀଘର ପ୍ରକାଶନୀ ସଂସ୍ଥାର ପ୍ରକାଶକ ବନୋଜ ତ୍ରିପାଠୀ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *