କୃଷ୍ଣ ମହାରଣା

ବାଡ଼ି ଅଗଣାରେ ଶୁଖୁଥିବା
ଭାଉଜର ପଣତ କାନିରେ
ଅଇଁଠା ମୁହଁକୁ ପୋଛୁ ପୋଛୁ
ମୋ ଶାଢ଼ୀ ଅସନା ହେଇଯିବ କହି
ପୁଅକୁ କାଖରେ ଯାକି
ଦୌଡ଼ ଆସୁଥିବେ ଭାଉଜ
କିଛି ଏମିତି ଥାଏ ମୋ ଗାଁ ।

ଦି’ ହାତରେ ମୋ ଅଇଁଠା ବାସନକୁ ଧରି
ପାନଖିଆ ପାଟିରେ
ବଡ଼ବୋଉ ମୁରୁକି ହସି ଯାଉଥିବ
ବଡ଼ବାପା ଚଗଲା ହଅନା କହି
ଖଣ୍ଡି ଖାସ ମାରିମାରି
ମୁହଁ ପୋତି ହସୁଥିବେ
କିଛି ଏମିତି ଥାଏ ମୋ ଗାଁ ।

ଗାଁ ଆଲୁଅ ସବୁ ଲୁଚିଗଲା ପରେ
ବୁଢୀ ଚଉଁରା ମୂଳରେ
ନଟିଆ ବୋଉ ତା’ ପୁଅର
ରୋଗ ପାଇଁ ଅଳି କରୁକରୁ
ଅଜାଣତରେ ଦି’ ଟୋପା ଲୁହ
ଗଡ଼ଉଥିବ ତା’ ଆଖିରୁ,
ଲୁହ ପୋଛି ଭିକ ମାଗେ
ତା’ ପୁଅ ଆୟୁଷକୁ ନେଇ
କିଛି ଏମିତି ଥାଏ ମୋ ଗାଁ ।

ଜଗା ଭାଇ ତା’ ବୋଉ କାନିରୁ
ଦି’ଟା ଟଙ୍କିକିଆ ଆଣି
ପ୍ରଶାନ୍ତ ଦୋକାନରୁ
କୋଣଦାନ୍ତରେ ଗୁଟଖା ଚିରି
ଦେଖେଇ ହେଇ ଖାଉଥିବ
ଠିକ୍ ମୋ ସାମ୍ନାରେ,
କିଛି ଏମିତି ଥାଏ ମୋ ଗାଁ ।

ଗାଁ ଦାଣ୍ଡ ରାସ୍ତାରେ
ଧୂଆଁଧୁଳି ସବୁ
ଚକାଭଉଁରୀ ଖେଳୁଥିବେ,
ତାସ ଖେଳରେ
ଛତରା ପିଲା ସବୁ
ହୋ ହା’ରେ ଗାଁ କମ୍ପୁଥିବ
କିଛି ଏମିତି ଥାଏ ମୋ ଗାଁ ।

ନଟ ଦାଦାର ଶଗଡ଼ ଗାଡ଼ି
ଏବେ ବିନା ବଳଦରେ ମାଟି ସହ
ଧୀରେଧୀରେ ମିଶିବାକୁ ଯାଉଛି
ନୂଆନୂଆ ଟ୍ରାକ୍ଟର କିଣିଥିବା
ଭଗିଆ ମଉସା ତାଳି ମାରି ହସୁଛି
କିଛି ଏମିତି ଥାଏ ମୋ ଗାଁ ।

ରାଜଗାଙ୍ଗପୁର, ସୁନ୍ଦରଗଡ଼

ଲେଖକ ପରିଚୟ

ମାତ୍ର ଦୁଇ ବର୍ଷ ହେବ ଲେଖାଲେଖି ସକ୍ରିୟ ମୁଁ । ତେବେ ସବୁଥର କବିତାଟିଏ ଲେଖି ସାରିଲା ପରେ ସୋସିଆଲ ମିଡ଼ିଆରେ ତାକୁ ପୋଷ୍ଟ କରେ ଓ ପାଠକୀୟ ମତାମତ ପାଇ ପୁଣିଥରେ ନୂଆ ଏକ କବିତା ଲେଖିବାକୁ ପ୍ରୋତ୍ସାହନ ପାଏ । ଆଞ୍ଚଳିକ କେତୋଟି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ କବିତା ପଢିବାର ସୁଯୋଗ ପାଇଛି ଓ ଶ୍ରୋତାଙ୍କ କରତାଳି ବି ସାଉଁଟି ପାରିଛି ।

Related Posts

Leave a Reply

Your email address will not be published. Required fields are marked *