ସ୍ମୃତି ସ୍ଵପ୍ନ ଶୈଶବ

ପୂର୍ଣ୍ଣ ଦାସ

‘ଧୋଓରେ ବାଇଆ ଧୋ’ ସପନରେ
ନିଦ ଆସୁଥିଲା ଘେରି,
ଚୂନାଚୂନା ତାରାଫୁଲ ଅଞ୍ଜଳିରେ
ଆସୁଥିଲେ ନୀଳପରୀ ।

ଆଳୁପୋଡ଼ାର ସେ ମିଠା ମହକରେ
ଜହ୍ନ ପଡୁଥିଲା ଖସି,
ଧନମାଳି ସୁନାଥାଳିର ଖୁସିରେ
ରାତି ଉଠୁଥିଲା ହସି ।

ଓଦା ସିଲଟର ଚିପୁଡ଼ା ପାଣିରେ
ନଈ ଉଠୁଥିଲା ଭରି,
ଯାନି ଯାତରାର ଗହଳଚହଳେ
ତାରା ପଡୁଥିଲେ ଝରି ।

ବୋଉ କାନିପୋଛା ଚଗଲା ଓଠରେ
ଉକୁଟି ଉଠିଚି ହସ,
ସେଇ ହସ ଆଜି ଶୋଷ ତାଟିଆରେ
ଦିଶେ ନୀଳ ନୀଳ ବିଷ ।

କାହିଁଗଲା ସେଇ ପିଲାଦିନ ଆହା
କେଣେ ଗଲା ଯଉବନ,
ଆଳିମାଳିକାରୁ ବାଛୁଚି ବସି ମୁଁ
ହୀରାମୋତି ଭରା ଦିନ ।

କଣ୍ଟାବଣିଆ, ଛତ୍ରପଡ଼ା, ପ୍ରୀତିପୁର, ଯାଜପୁର-୭୫୫୦୧୩, ସମ୍ପର୍କ : ୯୩୩୭୫ ୪୮୮୯୩

ଲେଖକ ପରିଚୟ

ପ୍ରତିଦିନ ଅନ୍ତତଃ ପଦଟିଏ ଲେଖେ । ଏଯାବତ ଖଣ୍ଡିଏ କବିତା ସଂକଳନ “ତମ ଗାଁ ନଈ” । ପାଠକଙ୍କ ଭଲପାଇବା ହିଁ ମୋର ପୁଞ୍ଜି ।

Related Posts

Leave a Reply

Your email address will not be published. Required fields are marked *