ଡା. ମଞ୍ଜୁ ପଣ୍ଡା

ଏଠି କାହାର ସ୍ଥାୟୀ ଠିକଣା ନଥାଏ,
ଆଗପଛ ହେଇ ସଭିଙ୍କୁ ଫେରିବାକୁ ହୁଏ ।

କିଏ କେଉଁ ମତେ ଶ୍ରଦ୍ଧାଞ୍ଜଳି ଦିଏ ।
କିଏ କାନ୍ଦରେ, କିଏ କାନ୍ଧରେ
କିଏ ଫୁଲତୋଡ଼ାରେ ତ
କିଏ ଖଈ ଫୋପଡ଼ାରେ
ଆଉ ଯିଏ ରହିଯାଏ ଅପହଞ୍ଚରେ, ଅପ୍ରକାଶ୍ୟରେ
ସେ ଶବ୍ଦାଞ୍ଜଳି ଦିଏ
ନିଃଶବ୍ଦ ଶବ୍ଦରେ
ଛଳଛଳ ଆଖିରେ
ଢଳଢଳ ଭାବାବେଗରେ ।

ଅନ୍ତିମ ଅଗ୍ନିର ସଂଯୋଗରେ
ଅଲୋଡ଼ା ଏ ମର ଦେହ
ଲୀନ ହୁଏ ପଞ୍ଚଭୂତରେ ।
ପଛରେ ଯାହା ଛାଡ଼ିଯାଏ
ବିଗତ ଜୀବନର ସ୍ମୃତି ଖିଏ –
କ୍ୟାଲେଣ୍ଡର୍ ପୃଷ୍ଠାରେ
ନିର୍ଦ୍ଦିଷ୍ଟ ତିଥି ବାରରେ
କାଚ ବନ୍ଧା ଛବିରେ
କର୍ପୂର ମାଳରେ ।

ସତରେ
ଅଳ୍ପ ଦିନର ଗଳ୍ପ
ସ୍ଵଳ୍ପ ଏଇ ଜୀବନର କାୟାକଳ୍ପ ।
ଅତଏବ ହେ ଈଶ୍ଵର !
ଶେଷ ଇଚ୍ଛା ମୋର
ଏ ମର ଶରୀରର ମହାପ୍ରୟାଣ ପୂର୍ବରୁ
ପ୍ରଥମେ ମୃତ୍ୟୁ ହେଉ
ମୋ ନିଜ ଅହଂକାର, ଅହମିକା, ଅସୂୟାର ।

ମୋ ଭିତରର
ଅକୃତ୍ରିମ ଅବଶିଷ୍ଟାଂଶ ଯଦି କିଛି ରହେ ଅବଶେଷରେ
ଅବସୋସ ଆଉ ରହିବନି, ଯଦି
ତା’କୁ ବ୍ୟାପ୍ତ, ବିସ୍ତୃତ, ବିଚ୍ଛୁରିତ କରିଦବ ପ୍ରଭୋ !
ପାଣିର ଶୀତଳତାରେ, ପବନର ପବିତ୍ରତାରେ
ପକ୍ଷୀର କାକଳୀରେ, ବଣଫୁଲର ବାସ୍ନାରେ
ଆକାଶର ଅସୀମତାରେ
ଧରିତ୍ରୀର ସହିଷ୍ଣୁତାରେ ।

ଏକ ଆତୁରିତ ଅନୁଭବରେ ଅନୁଭବନ୍ତି ମୁଁ
ପ୍ରତିଟି ହୃଦୟର ସ୍ପନ୍ଦନକୁ
ପ୍ରେମସିକ୍ତ ପ୍ରେମର ପ୍ରାବଲ୍ୟକୁ !!!
ଆଃ – ସେଇ କିଞ୍ଚିତ ହିଁ
ମୋର ଚିର ଇଚ୍ଛିତ, ଏକାନ୍ତ ଇପ୍ସିତ
ସେ ମୋର ମୋହ ବି
ସେ ମୋର ମୋକ୍ଷ ବି !!!

ରେଲୱେ ଷ୍ଟେସନ ରୋଡ଼, ବଲାଙ୍ଗୀର

ଲେଖକ ପରିଚୟ

ଅବସର‌ ପରେ ଲେଖୁଛି । ଲେଖିବା ମୋର‌ ଭାବାବେଶ । ଏକ ଆବେଗରେ ବଶ ହେଇ ସମାଜକୁ କିଛି କହିବାକୁ ଇଚ୍ଛା ରଖେ ଲେଖା ମାଧ୍ୟମରେ । ଏଯାବତ ସାତଟି ଗଳ୍ପ ସଂକଳନ, ଦୁଇଟି କବିତା ସଂକଳନ ସହିତ ଗୋଟିଏ ଗୀତି କବିତା ପ୍ରକାଶିତ ହୋଇସାରିଛି ।

Related Posts

Leave a Reply

Your email address will not be published. Required fields are marked *