ମନୋଜ ଦାସ ଥିଲେ ମୋ ଯାତ୍ରାର ବତୀଖୁଣ୍ଟ

ପଦ୍ମଲୋଚନ ପ୍ରଧାନ

ମନୋଜ ଦାସ ମୋ ପାଇଁ ଲେଖକ ନ ଥିଲେ । ସାହିତ୍ୟିକ, ଗାଳ୍ପିକ, ଉପନ୍ୟାସିକ ନ ଥିଲେ । ମୋର ନବଜନ୍ମଦାତା ପିତା ଥିଲେ । ଜୀବନ ଜଳଯାତ୍ରାର ବତୀଖୁଣ୍ଟ ଥିଲେ ।

କେଉଁ ଉପାଧୀ ଲଗାଇ ତାଙ୍କୁ ସମ୍ବୋଧନ କରିବି ଜାଣିପାରୁନି । ଯେଉଁ ଶବ୍ଦ ଲଗେଇଲା ବେଳେ ଊଣା ପଡୁଛି । ମହାପୁରୁଷ, ଯୁଗଜନ୍ମା, ଯୋଗୀ, ଋଷି ଇତ୍ୟାଦି କାହିଁକି ମନକୁ ଛୁଉଁନୁ । ମହାନ ଆତ୍ମା ବା ମହାତ୍ମା ଭାବେ ସମ୍ବୋଧନ କରିବାକୁ ସହଜ ମନେ କରୁଛି ।

ସେହି ମହାତ୍ମାଙ୍କୁ ନେଇ ମୋ ମନର ସ୍ମୃତିକୁ ଲେଖିବାକୁ ଯାଉଛି ।

ମନୋଜ ଦାସ ବଞ୍ଚିଥିବା ପୃଥିବୀରେ ମୁଁ ବାସ କରୁଥିଲି: ଏହା ମୋର ସବୁଠୁ ଗର୍ବର ବିଷୟ । ସେମିତି ବାକି ଜୀବନ ଅତିବାହିତ କରିବାକୁ ହେବ- ମନୋଜ ଦାସଙ୍କ ବିନା! ଏ କଳ୍ପନା ଆସିବା କ୍ଷଣି ପୃଥିବୀ ଆଦୌ ଭଲ ଲାଗୁନି । କିନ୍ତୁ ଏତିକି ଆଶ୍ୱସନା ଯେ, ତାଙ୍କ ସମଗ୍ର ରଚନାକୁ ଏବେ ବି ପଢ଼ି ଶେଷ କରିନି । ଜୀବନ ଥିବା ଯାଏ ସେ ଲେଖାଗୁଡି଼କ ମୋ ପାଖରେ ଥିବେ, ଅର୍ଥାତ ମନୋଜ ଦାସ ମୋ ଜୀବନ ଭିତରେ ଥିବେ ।

ଯୁକ୍ତ ୨ ପାଠ୍ୟକ୍ରମ ସରିବା ଯାଏ ମନୋଜ ଦାସଙ୍କୁ ଚିହ୍ନି ହିଁ ନ ଥିଲି । କି ଅଭାଗା ଥିଲି ସତେ! ଯେତେବେଳେ ରାଉରକେଲା ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟରେ ପଢ଼ିବାର ସୁଯୋଗ ମିଳିଲା, ସେତେବେଳେ ମନୋଜ ଦାସଙ୍କ ପରିଚୟ ପାଇଲି । ଓଡି଼ଆ ପାଠ୍ୟକ୍ରମରେ ‘ଲକ୍ଷ୍ମୀର ଅଭିସାର’ ଗଳ୍ପଟି ଥିଲା । ତାକୁ ପଢ଼ାଉଥିଲେ ମୋର ପ୍ରିୟ ଅଧ୍ୟାପିକା/ଲେଖିକା/ପଥପ୍ରଦର୍ଶିକା ଡ. ସ୍ୱର୍ଣ୍ଣ ଦେବୀ । ଅଭିସାର ଶବ୍ଦଟିକୁ ମୁଁ ସେତେବେଳେ ବୁଝିପାରୁନଥିଲି । ସାଧାରଣ ଭାବେ ଅନେକ ଏବେବି ବୁଝିପାରୁନଥିବେ । କାରଣ ଏହା ଆମ ନିତିଦିନିଆ ଜୀବନରେ ବ୍ୟବହାର ହୁଏନାହିଁ । ସେଦିନ ଏ ଶବ୍ଦଟିକୁ ବୁଝେଇବା ପାଇଁ ଡ. ଦେବୀ ବହୁ ଉଦାହରଣ ଦେଇଥିଲେ । ମାଡାମଙ୍କ ବୁଝେଇବା ଭିତରେ ଭାବୁଥିଲି, ଗଳ୍ପଟି ପ୍ରେମ ଉପରେ ଆଧାରିତ । ଧୀରେ ଧୀରେ ପଢ଼ିବା ଭିତରେ ଚମକୃତ ହୋଇଥିଲି । ଏ କି ପ୍ରକାର ପ୍ରେମ ସତେ ! ଅନାବିଳ । ଅଦ୍ଭୁତ ।

ଗଳ୍ପ ପଢ଼ା ସରିଲା, ମନର ଭାବନା ରାଜ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରିଲା । କେତେ କେତେ କଥା । ସେ କଥାରେ ଏବେବି ପୂର୍ଣ୍ଣଚ୍ଛେଦ ପଡି଼ନାହିଁ ।

ଗଳ୍ପ/କବିତା ଯେଉଁମାନେ ଲେଖନ୍ତି, ସେମାନେ ଆମ ପରି ସାଧାରଣ ମଣିଷ ବୋଲି ମୋର ସେତେବେଳେ ଧାରଣା ନ ଥିଲା । ଭାବୁଥିଲି, ସେମାନେ ଅଲଗା ରାଇଜର । ଏ ଭାବନା ଦୂର ହେଲା ଡ. ସ୍ୱର୍ଣ୍ଣ ଦେବୀଙ୍କ ଲେଖା ପଢ଼ିଲା ପରେ । ତାଙ୍କ ଗଳ୍ପ, ଉପନ୍ୟାସଗୁଡି଼କୁ ରାତିଦିନ ପଢ଼ିବାକୁ ଲାଗିଲି । ଭାରି ଭଲ ଲାଗିଲା । ଆରମ୍ଭ ହେଲା ସାହିତ୍ୟକୁ ଭଲ ପାଇବା । ମାଗାଜିନ କିଣିବା, ଗଳ୍ପ ବହି କିଣିବା, ଏହା ଆଜି ନିଶାରେ ପରିଣତ । 

ଦିନେ ମାଡାମ କ୍ଲାସ ନେଉଥିଲେ । ପ୍ରଶ୍ନୋତ୍ତର ଚାଲିଥାଏ । ହତାଠ୍‍ ମୁଁ ପ୍ରଶ୍ନ କଲି, ମାଡାମ, ଆପଣଙ୍କ ପ୍ରିୟ ଲେଖିକ କିଏ? ମାଡାମ ଉତ୍ତରଦେଲେ, ମନୋଜ ଦାସ । ମାଡାମ, ସସ୍ରଦ୍ଧ ନାମଟି ଉଚ୍ଚାରଣ କଲେ । ସେତେବେଳେ ଦେଖିଛି, ମାଡାମଙ୍କ ମୁଖମଣ୍ଡଳ କି ପ୍ରକାର ଆନନ୍ଦିତ ହୋଇଥିଲା ।

ଭାବିଲି, ମାଡାମଙ୍କ ଲେଖା ଯଦି ଏତେ ଭଲ ଲାଗୁଛି, ସେ ଯାହାଙ୍କୁ ଭଲ ପାଆନ୍ତି, ତାଙ୍କ ଲେଖା କେତେ ଭଲ ଲାଗିବ? କେତେ ମିଠା ହେଇନଥିବ ସତେ? ଏମିତି କ’ଣ ଲେଖନ୍ତି ଯେ, ମାଡାମ ତାଙ୍କୁ ଭଲ ପାଆନ୍ତି? ଏମିତି କେତେ କଥା ।

ଆରମ୍ଭ ହେଲା ମନୋଜ ଦାସଙ୍କୁ ପଢ଼ିବା ।

ଯେତେ ଯେତେ ପଢ଼ୁଥାଏ, ସେତେ ସେତେ ଅଭିଭୂତ ହେଉଥାଏ । ଚମକୃତ ହେଉଥାଏ । ଚେତନାର ଅନ୍ଧକାର ଦୂର ହେଉଥାଏ । ନୂଆ ଏକ ଦୁନିଆକୁ ପାଦ ଦେଉଥାଏ । କେତେ କେତେ ଭ୍ରାନ୍ତ ଧାରଣାକୁ ଫିଙ୍ଗି ଫୋପାଡୁ଼ ଥାଏ । ସେ ଧାରା ଆଜି ବି ଅବ୍ୟାହତ ।

ମାଡାମଙ୍କ ଠାରୁ ମନୋଜ ଦାସଙ୍କ ବିଷୟରେ ଅନେକ କଥା ଜାଣିବାକୁ ପାଇଲି । ଅନେକ ସମୟରେ ସାର୍‍ଙ୍କ ବିଷୟରେ କହନ୍ତି । ମାଡାମ ସାର୍‍ଙ୍କ ଲେଖାକୁ ନେଇ ଗବେଷଣା ମଧ୍ୟ କରିଛନ୍ତି । ସେତେବେଳେଠୁ ମନୋଜ ଦାସଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଥିବା ୱେବସାଇଟକୁ ନିୟମିତ ଯାଏ । ସେଠି ଲେଖା ଖୋଜେ ।

କଲେଜ ପଢ଼ା ସରିବା ପରେ ଆସିଲି ଆଇଆଇଏମ୍‍ସି । ପ୍ରଥମ ଦିନ କପିଳାସ ଭ୍ରମଣରେ ଯାଇଥିଲୁ । ସେଠୁ ଫେରିବା ପରେ ରିପୋର୍ଟ ଲେଖିବାକୁ କୁହାଗଲା । ରିପୋର୍ଟରେ ମୁଁ ଲେଖିଥିଲି: ‘କପିଳାପ ପରିଭ୍ରମଣ; ଏକ ଦୃଷ୍ଟିପାତ’ । ପୂରା ପ୍ରବନ୍ଧ ଶୈଳୀରେ । ତାର ଆଧ୍ୟାତ୍ମିକ ଦିଗଠୁ ଆରମ୍ଭ କରି ମୋର ଅନୁଭୂତି ଯାଏ । ଏ ରିପୋର୍ଟ ପଢ଼ି ମୋର ସାମ୍ବାଦିକତାର ଆଦ୍ୟ ଗୁରୁ ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଚିଡି଼ଲେ । କହିଲେ, ରିପୋର୍ଟ ଲେଖ । ଏମିତି କଣ ଲେଖୁଛ । ମନୋଜ ଦାସ ହେବାକୁ ଚେଷ୍ଟା କରନି ।…..ଏମିତି କଣ କହିଲେ । ଆଜି ସ୍ପଷ୍ଟ ମନେ ପଡୁନି । କିନ୍ତୁ ମନୋଜ ଦାସଙ୍କ ନାମ ଉଚ୍ଚାରଣ କରିଥିଲେ ।

ସେ ଦିନ ଜାଣିବାକୁ ପାଇଲି ଯେ, ମୋ ଚେତନାରେ ମନୋଜ ଦାସ ଜଡ଼େଇ ହେଇ ରହିଲେଣି । ମୋ ଅଜାଣତରେ ତାଙ୍କ ଲେଖାର ପ୍ରଭାବ ମନ, ଧ୍ୟାନ, ଉଚ୍ଚାରଣ, ଆଚରଣରେ ପଡି଼ଲାଣି । ଭାରି ଖୁସି ହେଲି ।

ଜ୍ୟୋତି ସାର୍‍ ଆମ ଆସାଇନ୍‍ମେଣ୍ଟ କ୍ଲାସ୍‍ରେ ବହୁ ବାର ମନୋଜ ଦାସଙ୍କ ବିଷୟରେ ଆଲୋଚନା କରନ୍ତି । ତାଙ୍କ ଗପ କୁହନ୍ତି । ତାଙ୍କ ଲେଖା ପଢ଼ିବାକୁ ପ୍ରେରିତ କରନ୍ତି । ମନୋଜ ଦାସଙ୍କୁ ଯିଏ ଜାଣିନଥାନ୍ତି, ସେ ସାର୍‍ଙ୍କ ଠାରୁ ଜାଣନ୍ତି । ଯିଏ ଜାଣିଥାନ୍ତି, ସିଏ ଅଧିକ ଜାଣନ୍ତି ।

ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ତାଙ୍କ ‘ଗଣମାଧ୍ୟମ ଓ ସାମ୍ବାଦିକତା’ ପୁସ୍ତକରେ ଗୋଟିଏ ସ୍ଥାନରେ ଲେଖିଛନ୍ତି, ଭଲ ସାମ୍ବାଦିକ ହେବାକୁ ସାହିତ୍ୟ ପଢ଼ିବା ଆବଶ୍ୟକ । ବିଶେଷ କରି ସୁରେନ୍ଦ୍ର ମହାନ୍ତି ଓ ମନୋଜ ଦାସଙ୍କ ଲେଖା ପଢ଼ିବାକୁ ପରାମର୍ଶ ଦେଇଛନ୍ତି । ତାହା ପଢ଼ିବା ସମୟଠୁ ଆଜିଯାଏ ସାମ୍ବାଦିକତା ଦୃଷ୍ଟିକୋଣରୁ ମଧ୍ୟ ମନୋଜ ସାର୍‍ଙ୍କୁ ପଢ଼ିବା ଆରମ୍ଭ କରିଥିଲି ।

ଆଇଆଇଏମ୍‍ସିରେ ଆମେ ରେଡିଓ ଫିଚର କରୁ । ମୁଁ ଫିଚର ଲେଖିବାକୁ, ପଢ଼ିବାକୁ ଭାରି ଭଲ ପାଉଥିଲି । ଆରମ୍ଭରେ ବିଭିନ୍ନ ପର୍ବପର୍ବାଣୀରେ ଫିଚର ଲେଖୁଥିଲୁ । ଫେବ୍ରୁଆରୀ ମାସ ୨୭ରେ ସାର୍‍ଙ୍କ ଜନ୍ମ ଦିନ । ସେ ବର୍ଷ(୨୦୧୪) ସାର୍‍ଙ୍କୁ ୮୦ ବର୍ଷ ଛୁଇଁଥିଲା । ଏହି ଅବସରରେ ପ୍ରାୟ ସବୁ ଖବରକାଗଜରେ, ରବିବାର ପୃଷ୍ଠାରେ ଆଲେଖ୍ୟ, ସାକ୍ଷାତକାର ବାହାରୁଥାଏ । ମୋ ମୁଣ୍ଡକୁ ଜୁଟିଲା, ଗୋଟେ ରେଡିଓ ଫିଚର କରିବା ।

ରେଡିଓ ଫିଚର ଲେଖିଲି । ତାର ଶିରୋନାମା ଦେବା ମୋ ପାଇଁ କାଠିକର ହେଲା । ବହୁତ ପରିବର୍ତ୍ତନ ଅନ୍ତେ ମୋର ବନ୍ଧୁ କିଶନ ଗୋଟେ ଶିରୋନାମା ଦେଲେ, ‘ଶବ୍ଦର ବିନ୍ଧାଣୀ ମନୋଜ’ । ସେ ଫିଚରଟି ମୃଣାଳ ସାର୍‍, ଜ୍ୟୋତି ସାର୍‍ ଓ ଅନ୍ୟମାନଙ୍କୁ ଭଲ ଲାଗିଥିଲା ।

ସମୀର ରଞ୍ଜନ ଦାସ(ମୁଁ ଭାଇ ବୋଲି ଡାକେ), ଯିଏ ମନୋଜ ଦାସଙ୍କ ଭଲ ପାଇ ପଣ୍ଡିଚେରୀରେ ରହୁଥିଲେ । ତାଙ୍କ ଉପରେ ୱେବସାଇଟ ତିଆରିବାଠୁ ତାଙ୍କ ଲେଖାକୁ ସଞ୍ଚୟ କରି ରଖିବା ଯାଏ ସବୁ କାମ କରୁଥିଲେ । ସମୀର ଭାଇ ସାମାଜିକ ଗଣମାଧ୍ୟମରୁ ଏ ଫିଚର ବାବଦରେ ଜାଣିବାକୁ ପାଇଲେ । ମୋତେ ଫିଚରଟି ମେଲ୍‍ କରିବାକୁ କହିଲେ । ଫିଚର ଶୁଣି ସାରିବା ପରେ ମୋତେ ଫୋନ୍‍ କଲେ ।  ଭାଇ ତାଙ୍କ ତରଫରୁ ପ୍ରଶଂସା କଲେ । ଆଉ କହିଲେ, ମନୋଜ ସାର୍‍ ଫିଚର ଶୁଣିଲେ ।

ମୁଁ ଆଶ୍ଚର୍ଯ୍ୟ । ସାର୍‍ ଶୁଣିଲେ! ଜମାରୁ ବିଶ୍ୱାସ କରିପାରୁନଥିଲି । ପରବର୍ତ୍ତୀ ସମୟରେ ଏହାକୁ ନେଇ କେତେ ଯେ ଖୁସି ନ ହେଇଛି, ଗର୍ବ ନ କରିଛି, ତାହା କହିହେବ ନାହିଁ ।

ମୋର ମନୋଜ ପ୍ରେମ ସହ ପ୍ରାୟ ସବୁ ସାଙ୍ଗ ପରିଚିତ । ଆଇଆଇଏମ୍‍ସିରେ ଯଦି ମୁଁ କିଛି କଥା କହେ, ସେ କଥା ଯଦି ମୋର କହିବାର ଯୋଗ୍ୟତା ବାହାରେ ଥାଏ, ଅନ୍ୟମାନେ ଠଉରେଇ ପାରନ୍ତି ଯେ, ବୋଧେ ଏଇୟା ମନୋଜ ଦାସଙ୍କଠାରୁ ଜାଣିଛି ।

ଆଇଆଇଏମ୍‍ସିରେ ପଢ଼ିବା ସମୟରେ ଥରେ ମନୋଜ ଦାସ ଭୁବନେଶ୍ୱର ଆସିଥିଲେ । ତାଙ୍କ ଦେଖିବା ପାଇଁ ଦିନେ ସ୍ୱପ୍ନ ଦେଖୁଥିଲି । ସେ ଭୁବନେଶ୍ୱର ଆସିବା ଶୁଣି ରହିପାରିଲି ନାହିଁ । କିଶନ ଆଉ ମୁଁ ଗଲୁ । ଜୟଦେବ ଭବନରେ ଥାଏ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ସମୟ ପୂର୍ବରୁ ଆମେ ଯାଇଥାଉ । ସେତେବେଳେ ଆୟୋଜକ ବି ଆସିନଥାନ୍ତି । ପ୍ରଥମ ଶ୍ରୋତା ଭାବେ ଆମେ ଦୁଇଜଣ ଥିଲୁ । କେହି ନଥିଲେ । ବର୍ଷା ହେଉଥାଏ । ଭାବିଲୁ, କାର୍ଯ୍ୟକ୍ରମ ବାତିଲ ହେଇଯିବ କି? କିନ୍ତୁ କିଛି ସମୟ ପରେ ବର୍ଷା ଛାଡି଼ଗଲା । ଆଉ କିଛି ସମୟ ଭିତରେ ହଲ୍‍ ଭର୍ତ୍ତି ହୋଇଗଲା । ବସିବା ପାଇଁ ସ୍ଥାନର ଅଭାବ ପଡି଼ଲା ।

ପ୍ରଥମ ଥର ସାର୍‍ଙ୍କୁ ସେଠି ଦେଖିଲି । ପ୍ରଥମ ଥର ଶୁଣିଲି । ତଲ୍ଲୀନ, ମଗ୍ନ । ଅନନ୍ୟ ଅନୁଭୂତି । ତାହା ବର୍ଣ୍ଣନାତୀତ ।

କାର୍ଯ୍ୟକ୍ରମ ସରିଲା, ସାର୍‍ ବାହୁଡି଼ବେ । ଆମେ ସୁଯୋଗ ଉଣ୍ଡୁଥାଉ, କେମିତି ସାରଙ୍କ ସହ ଫଟୋ ଉଠାଇବୁ, ଅଟୋଗ୍ରାଫ ନେବୁ । ଆମ ପରି ଆହୁରି ଅନେକ ଥା’ନ୍ତି । ବହୁତ ଭିଡ଼ । ସାର୍‍ ବାହାରିଲେ । ଭିଡ଼ ଦେଖି, ସାର୍‍ ବହୁତ ଅଶ୍ୱସ୍ତିବୋଧ କରୁଥାନ୍ତି । ଆମେ ସେ ଭିଡ଼ ଭିତରେ ପଶିପାରିଲୁ ନାହିଁ ।

ଧୀରେ ଧୀରେ ଭିଡ଼ କମିଲା । ସାର୍‍ କାର୍‍ ପାଖକୁ ଯିବା ସମୟରେ କିଶନ ଓ ମୁଁ ସାର୍‍ଙ୍କ ନିକଟବର୍ତ୍ତୀ ହୋଇ ଫଟୋ ଉଠେଇପାରିଥିଲୁ । ସେତେବେଳେ ଆମର ସ୍ମାର୍ଟ ଫୋନ ନଥାଏ । କିଶନର ୧୮୫୨ ମୋଡେଲର ଗୋଟେ ଫୋନ ଥାଏ । ସେଥିରେ ଯାହା ଯେମିତି ଉଠେଇଲୁ । କିଶନ ଅଟୋଗ୍ରାଫ ମାଗିଲା । ସାର୍‍ ପ୍ରଥମେ  ଭିଡ଼ ଭିତରେ ଅଶ୍ୱସ୍ତିବୋଧ କରିବା ସହ ଟୁକୁରା କାଗଜ ଦେଖି କହିଲେ, ‘ଏଇଟା ରହିବନି । ଥାଉ ।’ କିନ୍ତୁ କାର୍‍ରେ ବସି ସାରିବା ପରେ ପୁଣି ଡାକିକରି ଅଟୋଗ୍ରାଫ୍‍ ଦେଲେ । ଆମେ ଖୁସି ହେଲୁ । ଏ ଅଟୋଗ୍ରାଫର ହକ୍‍ଦାର ହେଲା କିଶନ । କିନ୍ତୁ ତା’ଠୁ ମୁଁ ଚୋରି କରି ଆଣିଛି । ତାହା ଏବେ ମୋ ପାଖରେ । କିଶନ ସହ ଏ ବିଷୟରେ ଯେବେ କଥା ପଡ଼େ, ସେ ବଡ଼ ବିରକ୍ତ ହୁଏ ଯେ, ମୁଁ କାହିଁକି ଅଟୋଗ୍ରାଫ ଦେଉନି । ସେ ଯେତେ କହିଲେ ବି ମୁଁ ଆଉ ଦେଉନି ।

ଏହା ପରଠୁ ସାର୍‍ଙ୍କୁ ଶୁଣିବା ପାଇଁ ଅନେକ ଥର ଭୁବନେଶ୍ୱର ଆସିଛି । ଥରକର କଥା । ମୁଁ ସେତେବେଳେ ଅନୁଗୁଳରେ ‘ପ୍ରମେୟ’ର ରିପୋର୍ଟର ଥିଲି । ସାର୍‍ଙ୍କର କାର୍ଯ୍ୟକ୍ରମ ଥାଏ ହୋଟେଲ ଟ୍ରାଇଡେଣ୍ଟ, ସକାଳ ୯ଟାରେ । ସେଦିନ ଛୁଟି ପାଇଁ ଆବେଦନ କଲି । ଛୁଟି ମିଳିଲାନି । କରିବି କଣ? ବ୍ୟାକୁଳ ଲାଗିଲା । ଭାବିଲି, ଭୋର୍‍ରୁ ବାଇକ୍ରେ ଭୁବନେଶ୍ୱର ଯାଇ ସନ୍ଧ୍ୟା ସୁଦ୍ଧା ଫେରିହେବ । ସେଇୟା ହିଁ କଲି । ଶୀତ ଦିନ । ବାଇକ୍‍ ଚଲାଇବା କଷ୍ଟ । କିନ୍ତୁ କିଛିକୁ ଖାତିର ନ ଥାଏ । ରାତି ୪ଟାରୁ ବାଇକ୍‍ରେ ବାହାରି କାର୍ଯ୍ୟକ୍ରମ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଲି । ସାର୍‍ଙ୍କୁ ଶୁଣିବା ପରେ ଫେରିଲି, ଅଫିସ୍‍ରେ କାମ କଲି ।

ଥରେ ସାର୍‍ଙ୍କ ସହ ମୁହାଁମୁହିଁ ସାକ୍ଷାତ କରିବାର ଇଚ୍ଛାଟି ଥିଲା । ଭାବୁଥିଲି ଏହା ସମ୍ଭବ ହେବନି । ମୁଁ କାହିଁ, ସାର୍‍ କାହିଁ ! କେମିତି ସମ୍ଭବ । ଭେଟିଲେ କଣ ବା କହିପାରିବି । ସାର୍‍ ଥରେ ଭୁବନେଶ୍ୱର ଆସିଥାନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ଘରେ ରହୁଥାନ୍ତି । ବିଭିନ୍ନ କାର୍ଯ୍ୟକ୍ରମ ଥାଏ । ମଝିରେ ଗୋଟେ ଦିନ କୌଣସି କାର୍ଯ୍ୟକ୍ରମ ନ ଥାଏ । ସେତେବେଳେ ସମୀର ଭାଇଙ୍କ ସହ କୌଣସି ଏକ କାର୍ଯ୍ୟକ୍ରମ ବାବଦରେ କଥା ହେଉଥିଲି । ହଠାତ୍‍ ଭାଇଙ୍କୁ କହିଲି, ସାର୍‍ଙ୍କୁ କଣ ମୁଁ ଭେଟି ପାରନ୍ତି । ଭାଇ ଏନେଇ ସାର୍‍ଙ୍କୁ କହିଲେ । କେବଳ ମୁଁ ନୁହଁ, ଜ୍ୟୋତି ସାର୍‍ ଓ କିଶନ ମଧ୍ୟ ଭେଟିବାର ଯୋଜନା ସାର୍‍ଙ୍କ ସହ ସାକ୍ଷାତ ପାଇଁ ସ୍ଥିର ହେଲା । ‘ଇମ୍‍କା’ର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବାକୁ ଜ୍ୟୋତି ସାର୍‍ଙ୍କ ନେତୃତ୍ୱରେ ଆମେ ଗଲୁ ।

ସେଦିନର କଥାଗୁଡି଼କ ସ୍ୱପ୍ନ ପରି ଲାଗୁଥିଲା, ଆଜିବି ସେମିତି ଲାଗେ । ସାର୍‍ଙ୍କ ପାଦ ଛୁଇଁ ପ୍ରଣାମ କଲୁ । ଆମକୁ ବସିବାକୁ କହିଲେ । ଚା’ ପିଇବାକୁ କହିଲେ । ଆମେ ମନା କଲୁ । ଜ୍ୟୋତି ସାର୍‍ ଆରମ୍ଭ କଲେ ପରିଚୟରୁ । ତା ପରେ କାର୍ଯ୍ୟକ୍ରମକୁ ନିମନ୍ତ୍ରଣରୁ । ସାର୍‍ ସବୁ ବିଷୟରେ ବୁଝି ଆମକୁ ମୋବାଇଲ ନମ୍ବର ଦେଲେ । କହିଲେ, ସେତେବେଳେ ଯଦି କୌଣସି କାର୍ଯ୍ୟକ୍ରମ ନ ଥାଏ ନିଶ୍ଚୟ ଆସିବେ । କିନ୍ତୁ ପ୍ରାୟ ସେହି ସମୟ ବେଳକୁ କାର୍ଯ୍ୟକ୍ରମ ଥାଏ ।

ଅନ୍ୟ କଥା ଭିତରେ, ମୁଁ ସରପଞ୍ଚ ଥିବା କଥା ଜ୍ୟୋତି ସାର୍‍ କହିଲେ । ଏବଂ କହିଲେ, ମୋ ଗାଁକୁ ସମୀର ଭାଇ ଥରେ ଯାଇଥିଲେ । ସମୀର ଭାଇ ବୋଧେ ସାର୍‍ଙ୍କୁ ମୋ ବିଷୟରେ କେବେ କହିଥିଲେ । ସାର୍‍ ମନେ ପକେଇବାକୁ ଚେଷ୍ଟା କରି କହିଲେ, ‘ଓହୋ ! ଭଲ । ମୁଁ ଶୁଣିଛି । ରାଜନୀତିରେ ଏବେ ବି ବହୁତ ଭଲ ଲୋକ ଅଛନ୍ତି ।’ ଏ କଥା ଶୁଣି, ମୁଁ ନିଜକୁ କଳୁଥିଲି, ସତରେ ସାର୍‍ଙ୍କ ‘ଭଲ ଲୋକ’ ଭିତରେ ମୁଁ ଆସିପାରିବି । ନିଜକୁ ନେଇ ସେଇ ଭଲ ଲୋକ ଆସନରେ ବସେଇବାର ସାହସ ଆସୁନଥିଲା । ଆଜିବି ଆସୁନି ।

କିଛି ସମୟ ପରେ ଆମେ ସାର୍‍ଙ୍କ ସହ ଫଟୋ ଉଠେଇବାକୁ ଅନୁରୋଧ କଲୁ । ସାର୍‍ଙ୍କ ପାଖରେ ବସି ସମସ୍ତେ ଫଟୋ ଉଠେଇଲୁ । ଆସିଲା ବେଳକୁ ଆମକୁ ଏରୁଣ୍ଡି ବନ୍ଧଯାଏ ଛାଡି଼ବାକୁ ଆସିଲେ । ଆସିବା ବେଳେ ସାର୍‍ ମୋର ଓ କିଶନର କାନ୍ଧରେ ହାତ ରଖି ଘରୁ ବାହାର ଯାଏ ଆସିଲେ । କାନ୍ଧରେ ହାତ ରଖିବା ସମୟରେ ଅନୁଭବ କରୁଥିଲି, ଏକ ଅଦ୍ଭୁତ ପ୍ରକାର ଶିହରଣ । ଶରୀର, ମନ, ଚେତନା ଏକାକାର ମନେ କରୁଥିଲି ।

ଏହିଦିନ ମଧ୍ୟ ମୋତେ ଛୁଟି ମିଳିନଥିଲା । କିନ୍ତୁ ଚାକିରି ପଛେ ଯାଉ, ମୁଁ ସାର୍‍ଙ୍କୁ ସାକ୍ଷାତର ସୁଯୋଗକୁ ହାତଛଡ଼ା କରିବି ନାହିଁ ଭାବି ଭୁବନେଶ୍ୱର ପଳେଇ ଆସିଥିଲି । ସାକ୍ଷାତକାର ସମୟ ଥାଏ ଅପରାହ୍ଣ ୪ଟା । ସାର୍‍ଙ୍କୁ ଭେଟିବା ପରେ ସମ୍ବଲପୁର ଇଣ୍ଟରସିଟିରେ ଅନୁଗୁଳ ଫେରିଲି । ଅଫିସ୍‍ ଗଲି । ଗଲା ବେଳକୁ ମୋ ଉପସ୍ଥାନ ଖାତାରେ ଅନୁପସ୍ଥିତ ବୋଲି ଲେଖା ସରିଥିଲା । ହେଲେ ମନରେ ଟିକେ ଚିନ୍ତା ନଥିଲା, ଦୁଃଖ ନ ଥିଲା । ଅଫିସ୍‍ କାମ କଲି ।

ଆଦ୍ୟ ଯୌବନ ସମୟ । ମନର ଆବେଗ ପ୍ରବେଗ ଜୁଆର ପରି । ସେତେବେଳେ ପ୍ରେମରେ ପଡି଼ଥିଲି । ପରେ ପରେ ବିରହ । ଅତ୍ୟନ୍ତ ଦୁର୍ଦିନ ସମୟ ଦେଇ ଗତି କରୁଥିଲି । ବିଷାଦମୟ ସ୍ଥିତି । କୌଣସି କୂଳ କିନାରା ମିଳୁନଥିଲା । ‘ଅମାବାସ୍ୟାର ଚନ୍ଦ୍ର’ ପଢ଼ି ‘କାଉଲ’ଙ୍କ ପରି ନିଜକୁ ନିରୁଦ୍ଧିଷ୍ଟ କରିଦେଇଥିଲି । ଏମିତି ଏକ ସମୟରେ ହାତରେ ପଡି଼ଲା ‘ଅମୃତଫଳ’ । ଏକା ରାହାରେ ତାକୁ ପଢ଼ିବାକୁ ଆରମ୍ଭ କଲି । କେତେବେଳେ ଅମରନାଥଙ୍କ ସହ ମିଶି ଯାଉଥିଲି ତ, କେତେ ବେଳେ ପୁଣି ରାଜା ଭର୍ତ୍ତୃହରିଙ୍କ ପଛେ ପଛେ ଅନୁଧାବନ କରୁଥିଲି ସତ୍ୟ ସନ୍ଧାନ ପାଇଁ । ପୃଷ୍ଠି ଯେତିକି ବଢ଼ୁଥାଏ, ସେତିକି ସେତିକି ମନରେ ଚମକପ୍ରଦ ଅନୁଭବ ହେଉଥାଏ । ନିଜକୁ ନିଜେ ଆବିଷ୍କାର କରୁଥିଲି । ହଠାତ୍ କେତେବେଳେ ଉପନ୍ୟାସ ଶେଷ ହେଇଗଲା । ସେବେଠୁ ଆଜିଯାଏ ମୋ ଚିନ୍ତା, ଚେତନାକୁ ଅମୃତଫଳ କରାୟତ କରିରଖିଛି । ବିଷାଦର କଳାବାଦଲ ସୂର୍ଯ୍ୟାଲୋକରେ ଅପସରି ଯାଇଛି ଯେ ଯାଇଛି ।

ପରେ ପରେ ପଢ଼ିବାକୁ ଲାଗିଲି- ‘ଆକାଶର ଇଶାରା’, ‘ପ୍ରଭଞ୍ଜନ’, ‘ଶେଷ ବସନ୍ତର ଚିଠି’, ‘ଜହ୍ନ ରାତିର ସେତୁ’, ‘ଉପକଥା ଶତକ’, ‘କନକ ଉପତ୍ୟକାର କାହାଣୀ’, ‘ଦୂର ଦୂରାନ୍ତର’, ‘କେତେ ଦିଗନ୍ତ’, ‘ସମୁଦ୍ରକୂଳର ଏକ ଗ୍ରାମ’, ‘କବିତା ଉତ୍କଳ’, ‘ତୁମ ଗାଁ ଓ ଅନ୍ୟାନ୍ୟ କବିତା’ ‘ଶେଷ ତାନ୍ତ୍ରିକର ସନ୍ଧାନରେ’ ଆଦି ଅନେକ । ତାଙ୍କର ଉପନ୍ୟାସ ସଙ୍କଳନ,  ଗଳ୍ପ ସଙ୍କଳନ ପାଖରେ ରଖିଥିଲି । ଏଇ ଦୁଇ ବର୍ଷ ତଳେ ସମୀର ଭାଇ ମୋତେ ଓ ମୋ ବନ୍ଧୁ ସ୍ମୃତିକୁ ସାର୍‍ଙ୍କ ଦୁଇଟି ପ୍ରବନ୍ଧ ସଙ୍କଳନ ଉପହାର ଦେଇଥିଲେ । ଏ ସବୁ ସହ ସାର୍‍ଙ୍କ ଉପରେ ବିଶିଷ୍ଟ ବ୍ୟକ୍ତିମାନେ ଲିଖିତ ପୁସ୍ତକ, ସାକ୍ଷାତକାରଗୁଡି଼କର ସଙ୍କଳନ ଇତ୍ୟାଦି ସାଇତି ରଖିଛି ।

ଦିନ ଏମିତି ଆସିଲା ଯେ, ଯେ କୌଣସି ପତ୍ରିକା ଦେଖୁଥିଲି, ସେଠି ମନୋଜ ଦାସଙ୍କ ଲେଖା ଖୋଜୁଥିଲି । ଯଦି ସାର୍‍ଙ୍କ ଲେଖା ନାହିଁ, ସେ ପତ୍ରିକା କିଣୁନଥିଲି । ‘ପ୍ରତିନିଧି’ ପତ୍ରିକାରେ ସାର୍‍ଙ୍କ ନିୟମିତ ଲେଖା ପ୍ରକାଶ ହେଉଥିଲା । ତାକୁ ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ବରାଦ ଦେଉଥିଲି । ଯେଉଁଠି ବି ସାର୍‍ଙ୍କ ଲେଖା ବାହାରୁଥିଲା, ତାକୁ ସଂରକ୍ଷିତ ରଖୁଥିଲି ।

ସାର୍‍ଙ୍କର ବହୁ ପୁରୁଣା ସାକ୍ଷାତକାର ପଢ଼ି ସାରିଛି । ତା’ ସହ ୟୁଟ୍ୟୁବରେ ଥିବା ପ୍ରାୟ ସମସ୍ତ ଭାଷଣ ଶୁଣିସାରିଛି ବାରମ୍ବାର । ଏ ସବୁଥିରୁ ପାଇଛି କ’ଣ? କାହିଁକି ମୁଁ ସାର୍‍ଙ୍କ ପ୍ରତି ଏତେ ଆକର୍ଷିତ? କାହିଁକି ମୋ ଜୀବନରେ ମନୋଜ ଦାସ ଏତେ ଗୁରୁତ୍ୱପୂର୍ଣ୍ଣ ହେଇଗଲେ? ଏ ସବୁକୁ ଆଜି ଯେତେବେଳେ ଭାବିବସୁଛି- ଦେଖୁଛି ଯେ, ମନୋଜ ଦାସଙ୍କୁ ଜାଣିବା ପୂର୍ବରୁ ଏବଂ ତା’ ପରେ କେତେ ଫରକ ଆସିଛି ।  କେତେ କେତେ ଭ୍ରାନ୍ତ ଧାରଣା ପରିବର୍ତ୍ତିତ ହୋଇଛି । ନିଜକୁ ଚିହ୍ନିବା ଆରମ୍ଭ କରିଛି । ଅନ୍ତର୍ମୁଖୀ ହୋଇଛି । ଚେତନାକୁ ଚିହ୍ନୁଛି । ମନ, ଶରୀର, ଆତ୍ମା ଭିତରେ ପ୍ରଭେଦ ବାରିପାରୁଛି । ଅନ୍ଧକାରରୁ ଆଲୋକ ଆଡ଼କୁ, ଅସତ୍ୟରୁ ସତ୍ୟ ଆଡ଼କୁ ଏବଂ ମୃତ୍ୟୁରୁ ଅମରତ୍ୱ ଆଡ଼କୁ ମୋର ଯାତ୍ରା ଆରମ୍ଭ ହେଲା ପରି ମନେ ହେଉଛି । ଏ ଯାତ୍ରାର ମାର୍ଗଦର୍ଶକ ଆଜି ଆଉ ନାହାନ୍ତି । ଲାଗୁଛି, ବାଟ ହୁଡି଼ ଯିବିନି ତ ?

ହେ ମହାତ୍ମା… ଆପଣ ମୋ ଚେତନା ଆକାଶର ସୂର୍ଯ୍ୟାଲୋକ । ସେ ଆଲୋକ କେବେ ହେଁ ନ ହେଉ ନିର୍ବାପିତ ।

Padma

ପଦ୍ମଲୋଚନ କିଛି ବର୍ଷ ସାମ୍ବାଦିକତା କରିବା ପରେ ଏବେ ଆଇଆଇଏମସିରେ ଗଣମାଧ୍ୟମ ଶିକ୍ଷକ ଭାବେ କାର୍ଯ୍ୟରତ । ଓଡ଼ିଆ ସାହିତ୍ୟରେ ତାଙ୍କର ରୁଚି ରହିଛି ।

Related Posts

Leave a Reply

Your email address will not be published. Required fields are marked *