ମନୋଜ ଦାସଙ୍କ ଫଟୋକୁ ‘ଶିଶୁଲେଖା’ରେ ବିକୃତ କରିବା ପ୍ରସଙ୍ଗରେ ପତ୍ରିକାର ପ୍ରସାରଣ ବନ୍ଦ ଓ କ୍ଷମାପ୍ରାର୍ଥନା ଦାବି

ଭୁବନେଶ୍ୱର : ଚଳିତ ମାସ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ଶିଶୁଲେଖା’ ପତ୍ରିକାଟି ସମ୍ପୂର୍ଣ୍ଣ ଭାବେ ପ୍ରଥିତଯଶା ସାହିତ୍ୟିକ ମନୋଜ ଦାସଙ୍କ ଉପରେ ସମର୍ପିତ ହୋଇଛି । ଏହା ନିଶ୍ଚିତ ରୂପେ ମନୋଜ ଦାସଙ୍କ ପାଠକଙ୍କୁ ଆନନ୍ଦିତ କରିବା କଥା । ମାତ୍ର ମର୍ମାହତ କରିଛି । କାରଣଟି ଏହାଯେ, ପତ୍ରିକାଟିରେ ମନୋଜ ଦାସଙ୍କ ଫଟୋକୁ ବିକୃତ କରି ପ୍ରକାଶିତ କରାଯାଇଛି । ଜଣେ ଯୋଗଜନ୍ମା ସାଧକଙ୍କ ଫଟୋକୁ କମ୍ପ୍ୟୁଟର ଜରିଆରେ ସମ୍ପାଦନା (ଏଡିଟ) କରି କଦର୍ଯ୍ୟ କରାଯାଇଛି । ଆପଣମାନେ ମୂଳ ଫଟୋ ଓ ବିକୃତ କରାଯାଇଥିବା ଫଟୋଟି ଏହି ପୃଷ୍ଠାରେ ଦେଖିପାରୁଥିବେ । ସମ୍ପାଦିତ ଫଟୋରେ ମନୋଜ ଦାସଙ୍କ ମୁହଁକୁ ଭିନ୍ନ ରୂପ ଦିଆଯାଇଛି । ସଂସ୍କରଣରେ ସ୍ଥାନିତ ପ୍ରବୀଣା ମହାନ୍ତିଙ୍କ ନିବନ୍ଧରେ ଛାପା ହୋଇଥିବା ଫଟୋରେ ଏପରି ହୋଇଛି ।

ଶିଶୁମାନଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ଏହି ପତ୍ରିକା ଜଣେ ପ୍ରସିଦ୍ଧ ଲେଖକଙ୍କର ଫଟୋକୁ ଭିନ୍ନ ରୂପ ଦେବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଘଟଣାଟି ମନୋଜ ସାହିତ୍ୟ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି । ସେମାନଙ୍କ ଭାବାବେଗକୁ କୁଠାରଘାତ କରିଛି । ଶତାଧିକ ପାଠକ, ପାଠିକା ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତୁରନ୍ତ ‘ଶିଶୁଲେଖା’ର ଏହି ବିଶେଷାଙ୍କକୁ ବାଜ୍ୟାପ୍ତି, ପୁଣି ସଂଶୋଧିତ ସଂଖ୍ୟା ପ୍ରକାଶ କରିବା ଓ ସମ୍ପାଦକ ସର୍ବସାଧାରଣ ମଞ୍ଚରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି ହେଉଛି ।

ପାଠିକା ଶାଶ୍ୱତୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରି ତୁରନ୍ତ ‘ଶିଶୁଲେଖା’ର ପ୍ରସାରଣ ବନ୍ଦ କରିବା ସହ ଯିଏ ଉତ୍ତରଦାୟୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପାଠିକା ସୁଷମା ତ୍ରିପାଠୀ କ୍ଷୁବ୍ଧ ହୋଇ ଲେଖିଛନ୍ତି ଯେ, ମନୋଜ ଦାସଙ୍କ ଫଟୋକୁ ବିକୃତ କରି ଛପାଯିବା ଦୁର୍ଭାଗ୍ୟର ବିଷୟ । ଏହା କେବଳ ମନୋଜ ଦାସଙ୍କ ପ୍ରତି ଅବଜ୍ଞାକୁ ସୂଚାଉ ନାହିଁ, ଗୋଟିଏ ଜାତି ପ୍ରତି ମଧ୍ୟ । ପ୍ରଥମଃ ଶିଶୁମାନଙ୍କ ପାଇଁ କିଛି କରିବା ବେଳେ ସେମାନଙ୍କ ସମ୍ବେଦନଶୀଳତା ପ୍ରତି ଅଧିକ ପ୍ରଯତ୍ନ ରହିବାକୁ ପଡେ । ଏଥିରୁ ଜଣାପଡୁଛି, ଏହି ପତ୍ରିକାଟି(ଶିଶୁଲେଖା) ସହିତ ଜଡିତ ଥିବା ବ୍ୟକ୍ତିତ୍ୱମାନେ କେତେ ସଚେତନ ଶିଶୁ ମନସ୍ତତ୍ତ୍ୱ ପ୍ରତି ।

ପାଠକ ସମୀର ରଞ୍ଜନ ଦାସ, ସୁଦର୍ଶନ ଦାସ, ରବିନାରାୟଣ ସେନାପତି, ତ୍ରୈଲୋକ୍ୟନାଥ ବେହେରାଙ୍କ ସମେତ ଶହ ଶହ ପାଠକ ସେମାନଙ୍କର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରସଙ୍ଗକୁ କିଛି ଦିନ ବିତିଗଲାଣି ହେଲେ, ସମ୍ପାଦକ କିମ୍ବା ସମ୍ପାଦନ ମଣ୍ଡଳୀ ପକ୍ଷରୁ ବିଧିବଦ୍ଧ ଭାବେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି । ପ୍ରସାରଣ ସଂଖ୍ୟାକୁ ଏ ପର୍ଯ୍ୟନ୍ତ ରୋକାଯାଇନି । ଏହା ସମସ୍ତଙ୍କୁ ଅଧିକ ମର୍ମାହତ କରିଛି ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ (ଆଇଟି ଆକ୍ଟ) ଅନୁସାରେ- କୌଣସି ବ୍ୟକ୍ତିର ଫଟୋକୁ ବିକୃତ କରିବା ଗର୍ହିତ ଅପରାଧ । ପୁଣି ଗଣମାଧ୍ୟମ ସଂସ୍ଥା ଏପରି କରିବା ଅକ୍ଷମଣୀୟ । ପତ୍ରିକାର ସମ୍ପାଦକ ଦାଶ ବେନହୁର, ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ ଓ ଲେଖିକା ପ୍ରବୀଣା ମହାନ୍ତି ତୁରନ୍ତ କ୍ଷମାପ୍ରାର୍ଥନା କରିବାକୁ ଦାବି ହେଉଛି ।

Related Posts

Leave a Reply

Your email address will not be published. Required fields are marked *