ମହକିତ ଚିତ୍ରଲିପି

ହେମନ୍ତ କୁମାର ରାଉତ

ଗଛର କାୟାରେ ନିର୍ଲିପ୍ତ ନୀଳପକ୍ଷୀର ଗୁଂଜରଣ
ନୀଳବୃନ୍ତ ମହମହ ମହକିତ
ଗଛର ଛାଇ ବୋଉର ଶୈଶବର ପଣତ ।
ପୌଷର ଶୀତରେ ବୈଶାଖିର ତାତିରେ
ବର୍ଷାର ରୁମଝୁମ୍ ଗୀତରେ
ନିବୁଜ ପତ୍ରମାନଙ୍କ ସଂଗଠିତ ଆତ୍ମାରେ
ଯେମିତି ଉଡ଼ୁଥାଏ ମୋ ବୋଉ ଶାଢୀର ଲମ୍ବା ପଣତ ।
ବ୍ରହ୍ମାଣ୍ଡକୁ କ୍ଷେପିଥିବା ସୂର୍ଯ୍ୟ କିପରି ନିରବିଯାଏ
ପ୍ରତି ମୁହୂର୍ତରେ
ପତ୍ରର ଫାଙ୍କରେ ଜହ୍ନ ରୂପାର ରେଣୁ
ବିଂଚି ହୋଇଯାଏ
ମାୟା ନଦୀର ଏ ପାରିରେ କାୟାର
ହୁଲିଡ଼ଙ୍ଗା ବାହି ଚାଲିଥାଏ
କିଛି ଖରା କିଛି ତାରା ମୋ ଆକାଶରେ
ଢାଙ୍କି ଆସୁଥାଏ ଗୋଟିଏ ଘନ ଅନ୍ଧାରର ଛାଇ ପରି ।
ଏମିତି ଦିନେ ବୋଉର ପଣତ ମୋ
ମୁଣ୍ଡରେ ଢାଙ୍କିଥିଲି ଯେତେବେଳେ ଘୂର୍ଣ୍ଣି
ଝଡ଼ରେ ଭାଙ୍ଗିଥିଲା ଆମ ଚାଳ ଛପର ଘର
ଭୂମିକମ୍ପରେ ଫାଟି ପଡ଼ୁଥିଲା
ମାଟି ଘରର ଚିତ୍ରଲିପି
ଦୈତ୍ୟ ମାନଙ୍କର ଆଖିର କରାଳ ଚକ୍ର
ଦାଉଦାଉ ଜଳୁଥିଲା ।
ବୋଉ ଡ଼ହଳ ଖରାରେ ଜଳୁଥାଏ ଗଛ ପରି
ତଥାପି ସତେଜ ତା’ର କଅଁଳ ହାତ
ବୋଉ ପଣତ କାନିରେ ହଂସ ହଂସୁଲି ପରି
ଗଛର ପତ୍ର ଗହଳରେ
ଯୋଡ଼ି ଯୋଡ଼ି ଚଢେଇ ।
ବୋଉର ପଣତରେ ଚାବି ନେନ୍ଥା ଝୁଲିବା ପରି
ଗଛରେ ଝୁଲୁଥାଏ ଫଳ ଫୁଲୁରି ।
ବୋଉର ପଣତରେ ଲୁହ ପୋଛିବା ପରି
ଗଛର ପତ୍ର ପୋଛିଦିଏ
ଅସହାୟ ମଣିଷର ନିଆଁର ଧାସ ।

ବାର୍ହାପୁର, ରାଜନଗର,
କେନ୍ଦ୍ରାପଡ଼ା, ପିନ୍‌-୭୫୪୨୪୬
ମୋ:୯୯୩୮୬୬୯୬୩୧

Related Posts

Leave a Reply

Your email address will not be published. Required fields are marked *