ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ

ଗୋପାଳପୁର ବେଳାଭୂମି ଉପରେ ଅପରାହ୍ନର ଛାଇଟା ଲମ୍ବିଲମ୍ବି ଆସୁଥାଏ । ଆକାଶ ଥାଏ ବେଶ୍ ନିର୍ମଳ ଓ ପବନ ଶାନ୍ତ । ସୁଧାର ପିଲାଟି ଭଳି ବଙ୍ଗୋପସାଗରର ଛାତି ମଧ୍ୟ ସେଦିନ ଥାଏ ବେଶ୍ ନରମ । ଛୋଟ ଛୋଟ ଢେଉ ଗୁଡ଼ିକ ଅପରାହ୍ନ ଛାଇରେ ଚିକ୍ ଚିକ୍ କରୁଥାନ୍ତି ଓ ଅଳସ କନ୍ୟା ଭଳି କୂଳରେ କୁଢେଇ ହୋଇ ପଡ଼ୁଥାନ୍ତି । ଅସଂଖ୍ୟ ଯୁବକ ଯୁବତୀ ହାତ ଧରାଧରି ହୋଇ ସମୁଦ୍ର କୂଳରେ ଦୂରକୁ ଦୂରକୁ ଚାଲିବାକୁ ଲାଗିଥାନ୍ତି । ଚାହୁଁ ଚାହୁଁ ଝାପ୍‌ସା ଅନ୍ଧାର ମାଡ଼ି ଆସିଲାଣି । ନୀଳ ସାଗର ମଧ୍ୟରେ ସତେ ଯେମିତି କଳା ଓଢଣୀ ଢାଙ୍କି ହୋଇ ଗଲାଣି । କୂଳରେ ବାଲୁକା ରାଶିରେ ବସି ମୁଁ ବିଭିନ୍ନ ଭାବନାରେ ମଜ୍ଜି ରହିଥାଏ । ଆଜି ହେଉଛି ବ୍ରହ୍ମପୁର ମେଡ଼ିକାଲ୍ କଲେଜ୍‌ର ୧୯୭୦ ବ୍ୟାଚ୍ ମେଟ୍‌ଙ୍କର ବନ୍ଧୁ ମିଳନ ସମାରୋହ । ଆଉ କିଛି ସମୟ ପରେ ମେ’ଫେୟାର୍ ହୋଟେଲ୍‌ରେ ଉଦ୍ଘାଟନ ହେବ । ୧୯୭୦ ମସିହାରୁ ଏହି ଦୀର୍ଘପଥ ଦେଇ ଆସିବାବେଳେ ବାଟରେ କେତେ ବନ୍ଧୁ ହଜି ଯାଇଛନ୍ତି ସବୁଦିନ ପାଇଁ । ସୁଦୂର ଅତୀତକୁ ଚାହିଁ ଯେତିକି ଖୁସି ସେତିକି ଦୁଃଖ ଲାଗେ । ବୟସର ଅପରାହ୍ନରେ ସମସ୍ତେ ଆଜି କ୍ଲାନ୍ତ । ଦୀର୍ଘବର୍ଷ ପରେ ବନ୍ଧୁମିଳନ ମାଧ୍ୟମରେ ହଜିଲା ଦିନର ସ୍ମୃତିକୁ ସାଉଁଟିବା ପାଇଁ ଏହା ବୋଧେ ବନ୍ଧୁମିଳନର ଶେଷ ପ୍ରୟାସ ।…..ଏମିତି ଭାବୁଭାବୁ କେତେ ସମୟ ଯେ ମୁଁ ଧ୍ୟାନମଗ୍ନ ହୋଇରହିଛି, ଜାଣି ପାରିନାହିଁ । ଦୂର ସାଗର ଗର୍ଭରେ ଭାସମାନ ପୋତ ମାନଙ୍କରେ ଆଲୋକ ଜଳି ଉଠିଲାଣି । ଗୋପାଳପୁର ଲାଇଟ୍ ହାଉସ୍ ରୁ ବିଚ୍ଛୁରତ ରଶ୍ମୀ ସାଗର ଗର୍ଭକୁ ରହିରହି ନିକ୍ଷିପ୍ତ ହେବାରେ ଲାଗିଥାଏ । ସମୁଦ୍ର ଭିତରୁ ଥଣ୍ଡା ପବନ ବହିବାକୁ ଆରମ୍ଭ କଲାଣି । ହଠାତ୍ କାହାର ସ୍ପର୍ଶ ପାଇ ଚମକି ପଡ଼ିଲି । ଅର୍ଦ୍ଧ ପ୍ରକୃତିସ୍ଥ ମାନସିକ ଅବସ୍ଥା ଓ ଅର୍ଦ୍ଧ ଆଲୋକିତ ପରିବେଶ ଭିତରେ ପଛକୁ ଚାହିଁ ଦେଖିଲି, ଜଣେ ନାରୀ ମୂର୍ତି ଛିଡ଼ା ହୋଇଛି । ଝାପ୍‌ସା ଅନ୍ଧାରରେ ମୂର୍ତିଟି ମତେ ଢେର୍ ଭୟଙ୍କର ଲାଗିଲା । ଖୁବ୍ ମୋଟା ଚେହେରା । ବେଶପୋଷାକ ଇତଃସ୍ତତଃ । ମୁଣ୍ଡର ପାଚିଲା କେଶ ମୁକୁଳା । ଗୋଟିଏ ଅଶରୀରୀ ମୂର୍ତି ଭାବି ଚମକିପଡ଼ିଲି । ଏତିକିବେଳେ ନାରୀ ମୂର୍ତିଟି କହିଲା, “ମତେ କ’ଣ ଚିହ୍ନି ପାରୁନ? ମୁଁ ହେଉଛି ତୁମ କ୍ଲାସ୍ ମେଟ୍ ଅପରାଜିତା! ପଢିବାବେଳେ ତୁମ ପ୍ରତି କରିଥିବା ଅବିଚାର ପାଇଁ କ୍ଷମା ମାଗିବାକୁ ତୁମେ ଏକୁଟିଆ ବସିଥିବା ଜାଣି ଏଠାକୁ ଆସିଛି । …..”
ସେ ଏକ ବହୁତ୍ ପୁରୁଣା କାହାଣୀ । ଚଳଚିତ୍ର ଭଳି ଅତୀତର ଘଟଣା ମାନ ମୋ ମାନସ ପଟ୍ଟରେ ଉଦ୍‌ଭାଶିତ ହୋଇ ଉଠିଲା । ମେଡ଼ିକାଲ୍‌ରେ ପଢିବାବେଳେ ଅପରାଜିତା ଥିଲା ସୌନ୍ଦର୍ଯ୍ୟର ଏକ ଚଳନ୍ତି ପ୍ରତିମା । ତା’ର ଭସାଭସା ଆଖି, ହସହସ ମୁହଁ, ଢଳଢଳ ଚାଲି, ଚମ୍ପା ଫୁଲ ପରି ରଙ୍ଗ ଅନେକ ଯୁବକଙ୍କୁ ସେମାନଙ୍କ ହୃଦୟର ରାଣୀ ସଜେଇ ଦେଇଥିଲା । ମୁଁ ମଧ୍ୟ ସେଥିରୁ ବାଦ୍ ପଡ଼ିନଥିଲି । ତା’ ପ୍ରତି ମୋର ଥିଲା ଅଦମ୍ୟ ଆକର୍ଷଣ । ଶୟନେ ସପନେ ତା’ ରୂପକାନ୍ତି ମୋ ଆଖି ଆଗରେ ଭାସି ଉଠିଲା । ପଢିବା ପାଇଁ ବହି ଖୋଲିଲେ, ତା’ ମୁହଁ ଦିଶିଲା । ନିଜକୁ ଆୟତ୍ତ କରିନପାରି ଦିନେ ସେ ଏକୁଟିଆ ଥିବାବେଳେ ତାକୁ କହିଦେଲି, “ମୁଁ ତୁମକୁ ବହୁତ୍ ଭଲପାଏ!” ମୋ କଥା ଶୁଣି ଚୂପ ହୋଇଗଲା ଅପରାଜିତା । ଅଳ୍ପସମୟ ପରେ ଏକ ରହସ୍ୟମୟ ହସ ହସି ସେ କହିଲା, “କାଲି ସନ୍ଧ୍ୟା ୫ଟା ବେଳେ ଗଡ଼ଗଡ଼ିଆ ଘାଟ ପାଖକୁ ଆସ, କଥା ହେବା!” ସେଦିନ ରାତିଟା ମତେ ବହୁତ୍ ଲମ୍ବା ଲାଗିଲା । ନିଦ ହେଲାନି । ଆଖି ଆଗରେ ନାଚି ଉଠିଲା ଖାଲି ତା’ ମୁହଁ । ପରଦିନ ସକାଳେ ଉଠି କିଭଳି ପୋଷାକ ପିନ୍ଧିବି, ମୁଣ୍ଡବାଳ କିପରି କୁଣ୍ଡାଇବି, କିଭଳି ପର୍ ଫ୍ୟୁମ୍ ଦେହରେ ସ୍ପ୍ରେ କରିବି, କିଭଳି ଗୋଲାପ ଫୁଲ ତାକୁ ଦେବି ଇତ୍ୟାଦି ଠିକ୍ କରୁକରୁ ହଷ୍ଟେଲ୍ ଘଣ୍ଟାରେ ସମୟ ୪ଟା ସୂଚାଇଦେଲା । ନିଜର ରାଲେ ସାଇକେଲ୍ ଚଢି ମହାନଦୀ ବନ୍ଧ ବାଟେ ଗଡ଼ଗଡ଼ିଆ ଆଡ଼େ ଯାତ୍ରା କଲି । ୫ଟା ବାଜିବାକୁ ୧୫ ମିନିଟ୍ ଆଗରୁ ପହଞ୍ଚି ନଈ କୂଳରେ ଅପେକ୍ଷା କରିବାକୁ ଲାଗିଲି । କିଛିସମୟ ପରେ ମନ୍ଦିର ଉହାଡ଼ରୁ ଅପରାଜିତା ବାହାରି ଆସିଲା । ନୀଳରଙ୍ଗର ପୋଷାକରେ ସେ ପରୀଟି ଭଳି ଦିଶୁଥିଲା । ସେ ବି ତା’ ହାତରେ ଗୋଲାପ ଫୁଲଟିଏ ଧରିଥିଲା । ମୋ ହାତ ଧରି ନଈକୁ ଓହ୍ଲାଇ ମହାନଦୀ ବାଲିକୁ ଚାଲିଗଲୁ । ଅଳ୍ପ ଦୂରରେ ମହାନଦୀ ପଠାର ଝାଉଁ ଜଙ୍ଗଲ । ଲୋକେ କେହି ନଥାନ୍ତି । ମୋ ହାତ ଧରି ସେ ଝାଉଁ ଜଙ୍ଗଲ ଆଡ଼େ ଗଲା । ମତେ ସ୍ୱର୍ଗର ଚାନ୍ଦ ହାତରେ ଧରିବା ପରି ଲାଗୁଥାଏ । ନିଜର ସୌଭାଗ୍ୟ ଉପରେ ନିଜକୁ ଈର୍ଷା ଲାଗୁଥାଏ । ଧୀରେଧୀରେ ପତଳା ଅନ୍ଧାର ମାଡ଼ି ଆସୁଥାଏ । ଆମେ ଦୁଇଜଣ ମଜା କଥାରେ ମଜ୍ଜିଥାଉ । ଏତିକିବେଳେ ଝାଉଁ ଗଛ ଉହାଡ଼ରୁ ତିନିଜଣ ଯୁବକ ବାହାରି ଆସି ମତେ ବିଧା ଚାପୁଡ଼ା ମାରି ଚାଲିଲେ । ମୁହଁ ଆଖି ଫୁଲିଗଲା । କଟା ଘା’ରେ ଚୁନ ଦେବା ପରି ଅପରାଜିତା ନିଜ ଚପଲ କାଢି ମୋ ଗାଲରେ ପାହାର ଦେଲା । ଥଟ୍ଟା କରି କହିଲା, “ ଏଥର ପ୍ରେମ ନିଶା ଛାଡ଼ିଯିବ!” ସେହି ତିନିଜଣ ଯୁବକ ଥିଲେ ଅପରାଜିତାର ସଂପର୍କୀୟ ଭାଇ । ସେମାନେ ଚାଲିଗଲା ପରେ ଯନ୍ତ୍ରଣା ଓ ଲଜ୍ଜାରେ ଜର୍ଜ୍ଜରିତ ହୋଇ ଧୀରେଧୀରେ ନଈବନ୍ଧ ନିକଟକୁ ଆସିଲି । କୌଣସି ପ୍ରକାର ସାଇକେଲ୍ ଚଢି ହଷ୍ଟେଲ୍‌ରେ ପହଞ୍ଚିଲି । କାହାକୁ କିଛି ନକହି ବଥା ଓ ନିଦ ଔଷଧ ଖାଇ ଶୋଇପଡ଼ିଲି । ପରଦିନ ଲମ୍ବା ଛୁଟି ନେଇ ଗାଁକୁ ଚାଲିଆସିଲି । ସାଇକେଲ୍ ରୁ ପଡ଼ି ମାଡ଼ ବାଜିଛି ବୋଲି ଘରେ ସଫେଇଦେଲି ।
ଏହାମଧ୍ୟରେ ଆମର ଏହି କାହାଣୀ ଅପରାଜିତା କଲେଜରେ ପ୍ରଚାର କରିଦେଇଥାଏ । ଏଭଳି କାମ କରି ପାରିଥିବାରୁ ସେ ଗର୍ବରେ ଫାଟି ପଡ଼ୁଥାଏ । ଏଣେ ପିଲାଙ୍କ ନିକଟରେ ମୁଁ ଉପହାସର ବସ୍ତୁ ହୋଇଗଲି । ମତେ ନେଇ କ୍ଲାସ୍ ରୁମ୍‌, କ୍ୟାଂଟିନ୍‌, ପାର୍କ ସବୁଠି ଚର୍ଚ୍ଚା ଚାଲିଲା । ଗଭୀର ମନସ୍ତାପରେ ସମୟ ବିତୁଥାଏ । କାଳେ କିଏ ଥଟ୍ଟା କରିବ ଭାବି ସାଙ୍ଗ ମାନଙ୍କ ଠାରୁ ଦୂରେଇ ଏକପ୍ରକାର ନିର୍ବାସିତ ଜୀବନଯାପନ କଲି । କ୍ଲାସ୍‌କୁ ଗଲାବେଳେ ଅପରାଜିତାର ତାତ୍ସଲ୍ୟଭରା ଦୃଷ୍ଟି ମତେ ଛୁଂଚି ଫୋଡ଼ିବା ଭଳି ଲାଗୁଥାଏ । କେବଳ ଭାବେ, ଭଲପାଏ ବୋଲି କହିଦେବା କ’ଣ ଏତେବଡ଼ ଭୁଲ୍‌?….
କଥାରେ ଅଛି, ଟାଇମ୍ ଇଜ୍ ଗ୍ରେଟେଷ୍ଟ ହିଲର୍ । ସମୟ ତା’ ବାଟରେ ଗଡ଼ି ଚାଲିଲା । ଧୀରେଧୀରେ ଆମ କାହାଣୀ ପିଲାମାନେ ଭୁଲିଗଲେ । ଦୁଃଖକୁ ଭୁଲିବା ପାଇଁ ମୁଁ ପଢାରେ ମନଦେଲି । କିନ୍ତୁ ଅପରାଜିତା ଗର୍ବରେ ଉତ୍‌ଫୁଲିତ ହୋଇ ଜଣଙ୍କ ପରେ ଜଣଙ୍କୁ ପ୍ରେମ କରି ଛାଡ଼ୁଥାଏ । ପାଠପଢା ସରିଲା । ହଷ୍ଟେଲ୍ ଛାଡ଼ି କର୍ମକ୍ଷେତ୍ରକୁ ଚାଲିଗଲୁ । ପରେ ଶୁଣିଲି ଅପରାଜିତା ଜଣକୁ ବିବାହ କରି ଛାଡ଼ପତ୍ର ଦେଇ ପୁଣି ଜଣେ ବଡ଼ ବ୍ୟବସାୟୀକୁ ବିବାହ କରିଛି । ସେଦିନର ସେହି ଅପରାଜିତା ଆଜି ମତେ କ୍ଷମା ମାଗୁଛି! ଏହା ‘ମାଉଁଟେନ୍ ଇଜ୍ କମିଙ୍ଗ୍ ଟୁ ମହମଦ୍‌’କଥା ଭଳି । ଆଗପଛ ବିଚାର ନକରି ସେ ମୋ ହାତ ଧରି ଟାଣିନେଲା । କହିଲା, “ ଆସ ଯିବା, ସାଙ୍ଗମାନେ ଅପେକ୍ଷା କରିଛନ୍ତି । ଆମେ ଗଲେ ମିଟିଂ ଆରମ୍ଭ ହେବ ।” ବାଟରେ ଗଲାବେଳେ ସେ କହିଲା, “ସମୟ କ’ଣ ନକରେ! ସୌନ୍ଦର୍ଯ୍ୟକୁ ନେଇ ଗର୍ବ ଅଂହକାରରେ ମୁଁ ଧରାକୁ ସରା ମଣୁଥିଲି । ବିନାଦୋଷରେ ତୁମକୁ ଚପଲରେ ମାରିଲି । ପ୍ରେମ କରି ଜଣଙ୍କ ପରେ ଜଣଙ୍କୁ ଧୋକ୍କା ଦେଲି! ବିବାହ ପରେ ସ୍ୱାମୀକୁ ଛାଡ଼ିଲି! ଶେଷରେ ଯାହାକୁ ବାହା ହେଲି, ଅତ୍ୟଧିକ ମଦ୍ୟପାନ ଯୋଗୁ ତାଙ୍କର ମୃତ୍ୟୁ ଘଟିଲା । ଅସଂଯତ ଯୌନ ସଂପର୍କ ଓ ବାରମ୍ବାର ଗର୍ଭପାତ ଯୋଗୁ ମା’ ହେବରୁ ବଞ୍ଚିତ ହେଲି! ବିଭିନ୍ନ ଔଷଧର ପ୍ରତିକ୍ରିୟା ସ୍ୱରୂପ ମୁଁ ମାରାତ୍ମକ ପେମ୍ଫିଗସ୍ ରୋଗର ଶିକାର ହେଲି । ଦେହସାରା ଘା’ ହୋଇଗଲା । ଦେହରୁ ଦୁର୍ଗନ୍ଧ ବାହାରିଲା । ଲୋକେ ଘୃଣା କଲେ । ମୁଣ୍ଡର ବାଳ ଧଳା ହୋଇଗଲା । ଦାନ୍ତ ଆଗକୁ ବାହାରି ପଡ଼ିଲା । ଆଜି ମୁଁ ବୁଢୀ ଅସୁରୁଣୀ ହୋଇଯାଇଛି । ତୁମରି ଅଭିଶାପରୁ ମୋର ଏମିତି ଅବସ୍ଥା ହେଲା! ବହୁବାର ଭାବିଛି, ତୁମ ପାଖକୁ ଯାଇ ଶାନ୍ତି ପାଇବି! କିନ୍ତୁ ସାହସ ହୋଇନି! ଆଜି ତୁମକୁ କ୍ଷମା ମାଗି ମନରେ କିଛିଟା ଶାନ୍ତି ପାଉଛି!…….” ମୋ ମୁହଁରେ କିଛି ଭାଷା ନଥିଲା । ତାକୁ ମୁଁ ଏକଲୟରେ ଚାହିଁ ରହିଥାଏ । ସେଦିନର ସେହି କଲେଜ୍ କୁଇନ୍ ସୌନ୍ଦର୍ଯ୍ୟର ମୂର୍ତ୍ତିମନ୍ତ ଦେବୀ ଆଜି କୋଣାର୍କର ଭଗ୍ନଶୀଳା ହୋଇ ଯେମିତି ସମୁଦ୍ରବାଲିରେ ଅଯତ୍ନରେ ପଡ଼ିରହିଛି । ହାତ ଧରାଧରି ହୋଇ ହୋଟେଲ୍ ସଭାଗୃହରେ ପ୍ରବେଶ କଲୁ । ଆମ ଦୁଇଜଣଙ୍କୁ ଦେଖି ସାଙ୍ଗମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଛାତ୍ର ବେଳର ସେହି କାହାଣୀ ସମସ୍ତଙ୍କର ମନଥାଏ । ହଠାତ୍ ଅପରାଜିତା ମତେ ଟାଣି ନେଇ ମୋ ଗାଲରେ ଚୁମ୍ବନଟିଏ ଆଙ୍କିଦେଲା । ସମସ୍ତେ ତାଳି ମାରିଲେ । ମାଇକ୍ ପାଖକୁ ଯାଇ ଅପରାଜିତା କହିଲା, “ ଆଜି ଆମେ ସମସ୍ତେ ବୟସର ଅପରାହ୍ନରେ ପହଞ୍ଚିଛେ । ଆଜି ଆମେ କେହି ପ୍ରେମିକ ପ୍ରେମିକା ନୁହଁ, ବଡ଼ ସାନ ନୁହଁ, କିଏ ହାରିଲା କିଏ ଜିତିଲା, ତାହାର ପ୍ରାସଙ୍ଗିକତା ନାହିଁ! ଆଜି ମନରେ ଆମର ରାଗ କି ଅଭିମାନ ନାହିଁ, ଇର୍ଷା କି ହିଂସା ନାହଁ, ପବିତ୍ର ବନ୍ଧୁତାର ଉ୍‌ଜ୍ୱଳ ଆଲୋକରେ ଆଜି ଆମେ ସମସ୍ତେ ଉଦ୍ଭାସିତ । ବନ୍ଧୁତା ହିଁ ଆମର ଶେଷ ପରିଚୟ ।……..” ସମବେତ ବନ୍ଧୁମାନେ କରତାଳି ମାରିଲେ । ସେହି କରତାଳିରେ ମେ’ଫେୟାର୍ ହଲ୍‌ଟି କମ୍ପି ଉଠୁଥିଲା ।

ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ,
ଆଜ୍ଞାପୁର, ସାଲେପୁର, କଟକ,ମୋ-୯୪୩୭୨୩୫୩୮୬

Related Posts

Leave a Reply

Your email address will not be published. Required fields are marked *