ରାମକୃଷ୍ଣ ବାରିକ

କେବେକେବେ ପ୍ରେମିକାମାନେ
ସାଜନ୍ତି ସରକାର, ପାଲଟନ୍ତି ପ୍ରଶାସନ
କରୋନା କଟକଣାଠୁ ବି କଡ଼ାକଡ଼ି କରନ୍ତି ନିୟମ
ରାତିଅଧିଆ ଲଭରେ ଲଗାନ୍ତି ଲକଡ଼ାଉନ୍
ସମ୍ପର୍କ କରନ୍ତି ସଟଡ଼ାଉନ୍
ଏଠି ପାଟି ଖୋଲିଲେ ପ୍ରଳୟ
ଶବ୍ଦଟିଏ ଉଚ୍ଚାରଣ କଲେ
ସମ୍ପର୍କ ଭାଙ୍ଗିଯିବାର ଭୟ
ତମ ପାଇଁ ଚୁପ୍ ରହିବା ଭଲ
ଲକ୍ଷ୍ମଣରେଖା ନଡେଇଁବା ବୁଦ୍ଧିମାନର କାମ,
ସଚ୍ଚା ପ୍ରେମିକଟିଏ ଚାହେଁନି
ତା’ପାଇଁ ସଂକ୍ରମିତ ହେଉ ସୁରକ୍ଷିତ ଥିବା ପ୍ରେମ…

ପ୍ରେମିକାମାନେ ବି ପାଲଟନ୍ତି ପାଷାଣ
କୋମଳ ଛାତିକୁ କରନ୍ତି ଲୁହାଠୁ ଟାଣ
ଏବେ ମୋ ଛାତିରେ ଆଉ ଫୁଟୁନି
ତୁମ ଗଭା ପାଇଁ ଲାଲ ଟୁକଟୁକ ପଦ୍ମ
ଖାଲି ଫୁଟିଚାଲିଛି ନିଷ୍ଠୁରତାର ନୀଳକଇଁ…

ତମ ମିଠା ଜାତନାର ଜୁଇରେ ଜଳିଜଳି
ମୋ ଛାତି ଭିତରେ ବହୁଛି ଗୋଟେ ରକ୍ତର ନଈ
ଆସ, ଥରେ ବୁଡ଼ ପକାଅ,
ତମ ମୁକୁଳା ମନରେ ମାଖିଦିଅ ମୋ ଛାତିର ରକ୍ତ
ଆଞ୍ଜୁଳାଏ ରୁଧିର ନେଇ ଧୋଇଦିଅ ରାଗ
ଭାଙ୍ଗିଦିଅ ଅଭିମାନର ଅଭେଦ୍ୟ ଦୁର୍ଗ
ମୋ ଛାତିରେ ଛୁରୀ ମାରି ଛିନଛତ୍ର କରିଦିଅ
ତମେ ଛାପିଥିବା ତମ ନିଜ ଛବି…
ଆସ, ତମେ ପାଲଟିଯାଅ ଦ୍ରୌପଦୀ
ମୁଁ ପାଲଟିଯାଏ
ଆମ ମନ ମହାଭାରତର ମୁକସାକ୍ଷୀ ।

ସାମ୍ବାଦିକ,କନକ ନ୍ୟୁଜ, ସୋର,  ବାଲେଶ୍ୱର, ମୋବାଇଲ : ୯୭୭୬୭୩୧୨୧୫

ଲେଖକ ପରିଚୟ

ମାଟ୍ରିକରେ ଗୋଟେ ଝିଅ, କବିତାରେ ପ୍ରଥମ ହୋଇଥିଲା ଆଉ ମୁଁ ଗପରେ, କିନ୍ତୁ ମୋର ଇଚ୍ଛା ଥିଲା ଦୁଇଟା ଯାକରେ ପ୍ରଥମ ହେବାକୁ । କବିତାରେ ୩ୟ ସ୍ଥାନ ପାଇ ଖୁବ୍ କାନ୍ଦିଥିଲି । ପରେ କବିତା ଲେଖିବାକୁ ବାପା ପ୍ରେରଣା ଦେଇଥିଲେ ଏବଂ କଲେଜ ସମୟରେ ‘ବାପା’ କବିତା ବିଭିନ୍ନ ଆଡୁ ଶୁଭେଚ୍ଛା ସାଉଁଟିଥିଲି । +୩ ପଢିବାବେଳେ ଅନେକ ପ୍ରେମ କବିତା ଲେଖି କଲେଜରେ ଚର୍ଚ୍ଚିତ ଥିଲି ମାତ୍ର ବୟସ ବଢିବା ସହ କବିତା ସବୁ ସମାଜିକ ସମସ୍ୟା ଆଡ଼କୁ ମୁହାଁଇଛି । ସ୍ଵର୍ଗତ କବି ବ୍ରଜନାଥ ମୃତ୍ୟୁ ପୂର୍ବରୁ କବିତା ନଛାଡ଼ିବାକୁ ମୋତେ ଶପଥ କରେଇଥିଲେ, ବାସ୍ ତା’ପରଠୁ ଆଜି ଯାଏ ଲେଖୁଛି । ସୋସିଆଲ ମିଡ଼ିଆରେ “ରାମର ରଫଖାତା” ନାଁରେ ଅନେକ କବିତା ଏବଂ ଭିଡ଼ିଓ ଲୋକାଦୃତ ହେଲାପରେ ଖୁବ୍ ଶୀଘ୍ର ତାହା ବହି ହେବାକୁ ଯାଉଛି ।

Related Posts

Leave a Reply

Your email address will not be published. Required fields are marked *