ଶିବାଶିଷ ପାଢ଼ୀ
ଟିକିଏ ହୁଣ୍ଡା ଥିଲା କିନ୍ତୁ ଭାରି ସାହସୀ ଥିଲା ଜଗତ । ‘ପାଞ୍ଚଟି ମଣିଷଙ୍କୁ ପାଣି ପିଆଇ ଦେବାର କ୍ଷମତା ରଖୁଥିଲା ସେ । ବାପା ନଥିଲା ବୋଲି ମା’ର ଅତିରିକ୍ତ ସ୍ନେହ ତାକୁ ଟିକେ ବିଗାଡ଼ି ଦେଇଥିଲା ଯାହା । ବିଗାଡ଼ି ଦେଇଥିଲା ବୋଇଲେ ଭାରି ଏକଯିଦିଆ କରି ଦେଇଥିଲା ତାକୁ । ଆଉ ସେହି ଜିଦ୍ ହିଁ ତାକୁ ପହଞ୍ଚେଇ ଦେଇଥିଲା ଗୋଆରେ । ମନା କରିଥିଲେ ଉକିଆ ମାଉସୀ, ହେଲେ ଜମା ଶୁଣି ନଥିଲା ସେ । କେଉଁ ଶ୍ରମିକ ଠିକାଦାରର କଥାରେ ପଡ଼ି ଯାଇଥିଲା ସେ । ମାଛ ମାରିବ ଓ ପ୍ରଚୁର ପଇସା ଆଣିବ କହି କି ଯାଇଥିଲା ଗୋଆ ।
ମାଛ ମାରିଲା କି ନମାରିଲା କିଏ ଜାଣିଛି ? ଖବରଟିଏ ଆସିଥିଲା ବିଘ୍ନେଶ୍ୱର ବାବୁଙ୍କ ପାଖକୁ,
“ଜଗତ ସେଇଠି ବାହା ହୋଇଯାଇଛି । ଅନ୍ୟ ଧର୍ମର ଗୋଟିଏ କେରଳି ଝିଅକୁ । ବଦଳାଇ ଦେଇଛି ଧର୍ମ । ଗାଁକୁ ଆସି ମା’ର ଧର୍ମନଷ୍ଟ କରିବାକୁ ଚାହୁଁନି ସେ । ଏଣୁ ସେ ଆଉ ଆସିବ ନାହିଁ ।”
ମା’ର ଭଲମନ୍ଦ ବୁଝିବା ପାଇଁ ଦାୟିତ୍ୱ ଦେଇଥିଲା ସମ୍ପର୍କୀୟ କାକା ବିଘ୍ନେଶ୍ୱରଙ୍କୁ । ମାତ୍ର ପାଗଳି ପ୍ରାୟ ହୋଇ ଯାଇଥିଲେ ଉକିଆ ମାଉସୀ । କାନ୍ଦିକାନ୍ଦି କେତେ ଲୋକଙ୍କୁ ନେହୁରା ହୋଇଥିଲେ ତାଙ୍କ ସହ ଗୋଆ ଯିବା ପାଇଁ । କିଏ ଶୁଣୁଥିଲା ତ କିଏ ଶୁଣୁ ନଥିଲା । ଥୋକାଏ ହସୁଥିଲେ ତ ଆଉ କିଏ ସମବେଦନା ଜଣାଉଥିଲେ । କିନ୍ତୁ ଓଡ଼ିଶାର କେଉଁ କୋଣରେ ଥିବା ଏ ନିପଟ ମଫସଲରୁ ଗୋଆ ଯିବାକୁ କେହି ବାହାରି ନଥିଲେ । ଗାଁରେ ଛୋଟ ଦୋକାନଟିଏ କରିଥିବା ବିଘ୍ନେଶ୍ୱର ବି ମଙ୍ଗି ନଥିଲେ ।
ନିରାଶାର ଗଭୀର ଗର୍ତ୍ତରେ ଧୀରେ ଧୀରେ ତଳକୁ ତଳକୁ ଖସି ଯାଉଥିଲେ ମାଉସୀ । ତାଙ୍କୁ ସେ ଗର୍ତ୍ତରୁ ଟାଣି ଆଣି ପାରୁ ନଥିଲା କେବେ କେମିତି ଜଗତ ପଠାଉଥିବା ଟଙ୍କା କି ସମୟ । ହଁ, ସମୟ । ଅବଶ୍ୟ ବାଧ୍ୟ୍ୟ କରି ବୁଝାମଣା କରାଇଥିଲା । ବୁଝାମଣା ସିନା କରାଇଥିଲା ସମୟ, କିନ୍ତୁ ମାଉସୀ ଅନେକ ସମୟରେ ମାନୁ ନଥିଲେ ସେ ବୁଝାମଣାକୁ । ମୋତେ ତ ଅନେକ ଥର କହୁଥିଲେ,
“ବାବୁ ତୁ ହିଁ ଆମ ଗାଁର ଏକମାତ୍ର କଲେଜ ପଢୁଆ ପିଲା । ତୁ ପାରିବୁ । ଚାଲୁନୁ ମୋ ସହ ଥରେ ! ସେ ନଆସୁ କିନ୍ତୁ ମୁଁ ଥରେ ଦେଖି କି ଆସିବି ବାବୁ ।” ପାଞ୍ଚ ବର୍ଷରେ ପାଞ୍ଚ ଶହ ଥର ଏକଥା କହିଥିବେ ମାଉସୀ । ତାଙ୍କ ବିକଳ ଅବସ୍ଥା ମୋତେ ବାଧ୍ୟ୍ୟ କରିଥିଲା । ପ୍ରସ୍ତୁତ ହୋଇଥିଲି ମୁଁ । ବିସ୍ତୃତ କଥା ବୁଝିବା ପାଇଁ ମୁଁ ଯାଇଥିଲି ବିଘ୍ନେଶ୍ୱର କାକାଙ୍କ ପାଖକୁ । ବଜାରରୁ ଫେରୁଥିଲି ମୁଁ । ପୁଅ ଜିଉଁନ୍ତିଆ ପୂଜା ସାରି ଫେରୁଥିଲେ ମାଉସୀ । ହାତରେ ଧରିଥିଲେ ପୂଜା ଥାଳି । ବିରାଟ ଲିଆ ଜୁଗାର ତଳେ ଦପ ଦପ ଜଳୁଥିଲା ଦୀପ । ମୋତେ ଦେଖି ଡାକଦେଲେ ସେ । ଥାଳିରୁ ପ୍ରସାଦ ଟିକିଏ ଦେଇ କହିଲେ,
“ତୋର କେବେ ଫୁରସତ ହେବ ବାବୁ ? ଆମେ ଯିବା ପରା !”
“ଏ ବୟସରେ ତୁମେ କାହିଁକି ଉପାସ କରୁଛ ମାଉସୀ ? ଦେହ ଖରାପ ହେବ ।” ପ୍ରସାଦକୁ ହାତରେ ଧରି କହିଥିଲି ମୁଁ । ବୋଧେ ବିରାଟ ଭୁଲଟିଏ କରିଦେଲି ମୁଁ । ପ୍ରବଳ ରାଗି ଯାଇଥିଲେ ମାଉସୀ ଆଉ କହିଥିଲେ,
“କଣ କହୁଛୁ ତୁ ପୁଅ ? ସେ ଯେଉଁଠି ଥିଲେ ବି ଭଲ ଥିବ । ସେ ପଚାରୁ ନପଚାରୁ, ମୁଁ ପରା ମାଆ । ମୁଁ ତାକୁ ଜନ୍ମ ଦେଇଛି । ତାପାଇଁ କଣ ଏତିକି କରି ପାରିବି ନାହିଁ ?” ଏମିତି କହି ଚାଲି ଯାଇଥିଲେ ମାଉସୀ । ତାଙ୍କ ଯିବା ବାଟକୁ ଚାହିଁ ପାରୁନଥିଲି ମୁଁ । ଆଖିରେ ଭାସୁଥିଲା ଖଣ୍ଡଖଣ୍ଡ ମେଘ । ହଠାତ ଠପ୍ ଠପ୍ ଝରି ପଡୁଥିଲା । ମୋର ମନେ ପଡୁଥିଲା ବିଘ୍ନେଶ୍ୱର କକାଙ୍କ କଥା,
“ଗୋଆକୁ ଯାଇ ଲାଭ ନାହିଁ ବାବୁ ! ନହେଲେ ମୁଁ କେବେଠୁଁ ଯାଇଥାନ୍ତି । ଯେଉଁ ଖବର ଆସିଥିଲା ସେ ଖବର ଶୁଣି ଭାଉଜ ବଞ୍ଚି ନଥାନ୍ତେ । ସେଇଥିପାଇଁ ସେ ଖବର ମୁଁ ଦେଇପାରିଲି ନାହିଁ । ଆଶାରେ ବରଂ ହେଉ ଭାଉଜ ତ ବଞ୍ଚିଛନ୍ତି ନାଁ !”
“ଆଉ ସେ ଟଙ୍କା ?” ପଚାରିଥିଲି ମୁଁ ।
“ନିଖୋଜ ଲୋକ କେବେ ଟଙ୍କା ପଠାଏ କି ବାବୁ ?” ଆଖିରୁ ଲୁହ ପୋଛି ଜବାବ ଦେଇଥିଲେ କକା ।
ମାଉସୀଙ୍କୁ ଦେଖି ପାରୁ ନଥିଲି ମୁଁ କିନ୍ତୁ ଏବେ ବି ଶୁଣା ଯାଉଥିଲା ତାଙ୍କ ବଡ଼ ବଡ଼ । ସେମିତି ମୁଣ୍ଡ ପୋତି ଠିଆ ହୋଇଥିଲି ମୁଁ । ଲାଗୁଥିଲା ଏ ଲୁହ ଆଜି ସରିବ ନାହିଁ । ଲୁହର ବନ୍ୟା ଆଣିକି ମାନିବ ।
ଶିବାଶିଷ ପାଢ଼ୀ, ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଦୁଇଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!