ଧର୍ମାନନ୍ଦ ମହାରଣା

ଧନ ଦଉଲତ କି’ହେବରେ ଭାଇ
ଥିଲେ ଥାଉ ଯେତେ ପାଶେ
ଅନ୍ୟର ହିତରେ ନଲାଗିଲା ଯଦି
ତାହାର ମୂଲ୍ୟ କି ଆସେ ।

ଆପଣା ପୀଡ଼ାରେ ହୃଦୟ କାନ୍ଦୁଛି
ବାହୁନିବାହୁନି ଯହିଁ
ଆନ ପୀଡ଼ା ଦେଖି ତୁମ ସେ ଉରସ
ମଉନ ରହୁଛି କାହିଁ ?

ଆନ ପ୍ରାଣୀ ଦୁଃଖ ଦେଖି କରି ଯଦି
ନେତ୍ର ଯାଏ ନାହିଁ ଭରି
ଆପଣା ଦୁଃଖରେ ଜନ ସମାଜରେ
କେମିତି କର ଗୁହାରି ।

ସାହାଯ୍ୟ କରିଲେ ସାହାଯ୍ୟ ମିଳଇ
ଏ କଥା କି ଗଲ ଭୁଲି
ହାତ ଦେଇଥିଲେ ହାତ ଦେବା ପାଇଁ
ପର ବି ଆସିବ ଚାଲି ।

ମଣିଷ ହୋଇଣ ମଣିଷର ବ୍ୟଥା
ହରିବାକୁ ଦ୍ୱିଧା କାହିଁ
ଏଇ ପରା ଅଟେ ପଶୁର ପ୍ରବୃତ୍ତି
ଅନ୍ୟକଥା ଭାବେ ନାହିଁ ।

ବିପଦ ସମୟେ ହାତ ଯିଏ ଦିଏ
ଜଗତେ ମହତ ଜାଣ
ଅଳ୍ପ ହେଉପଛେ ସାହାସ ବଢ଼ାଇ
ହୃଦୟ ତାହାଙ୍କ ଜିଣ ।

ସାମାଜିକ ପ୍ରାଣୀ ଆମେ ଯେ ସଭିଏଁ
ବିପଦ ଆପଦ ଥାଇ
ବିପଦ ସମୟେ ପାଶେ ଠିଆ ହେଲେ
ବିପତ୍ତି ଯିବ ଦୂରେଇ ।

ସବୁଦିନ ପରା ସମାନ ନୁହଁଇ
ସୁଖ ପରେ ଦୁଃଖ ଆସେ
ଆପଣା ଖୁସିରେ ଅନ୍ଧ ଯିଏ ଥାଏ
ତା’ର କେତେ ଯାଏ ଆସେ ?

ବୋଝର ଉପରେ ନଳିତା ବିଡ଼ା ସେ
ଭାଙ୍ଗିଦିଏ ମନୋବଳ
ଅସମୟ ପୁଣି ଚିହ୍ନାଏ ସମ୍ପର୍କ
ବିଧିର ବିଚିତ୍ର ଖେଳ ।

ଆନ ଦୁଃଖେ ଯିଏ ପାଶେ ଠିଆ ହୁଏ
ଭୁଲି ସକଳ ସ୍ୱାର୍ଥକୁ
ସାଥେ ତା’ର କିଏ ରହୁ କି ନରହୁ
ଦୀନବନ୍ଧୁ ସାହା ତାକୁ ।

ମଣିଷ ଅଟଇ ମଣିଷର ବନ୍ଧୁ
ଏହା ହିଁ ବଡ଼ ବିବେକ
ବନ୍ଧୁ ଯଦି ବନ୍ଧୁ ବ୍ୟଥା ନହରିବ
କାହିଁ ଅଛି ତା’ ବିବେକ ।

ସାରା ବସୁଧାକୁ ନିଜର କୁଟୁମ୍ବ
ଯେଉଁ ନର ମଣୁଥାଏ
ମୃତ୍ୟୁ ପରେ ମଧ୍ୟ ଜନ ମାନସରେ
ଅମର ହୋଇକି ରୁହେ ।

ମର୍ଦ୍ଦକୋଟ, ଗଞ୍ଜାମ, ଦୂରଭାଷ – ୮୯୧୭୪୪୬୪୪୧

ଲେଖକ ପରିଚୟ

ସ୍କୁଲ ସମୟରୁ ହିଁ ମୁଁ ଏଣେତେଣେ କରି କିଛି କିଛି ଲେଖାଲେଖି କରୁଥିଲି ଯଦିଓ ଛନ୍ଦ ଉପରେ ନୁହଁ । ସେତେବେଳେ ଛନ୍ଦ, ଅଳଙ୍କାର ଉପରେ ସେତେଟା ଜ୍ଞାନ ନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱତଃ ଅନୁଭବ ହେଲା ‘ସ’ରୁ ସାହିତ୍ୟ ‘ସ’ରୁ ସମ୍ପର୍କ, ସମ୍ପର୍କରୁ ସାହିତ୍ୟ ଓ ସାହିତ୍ୟରୁ ସମ୍ପର୍କ । ୨୦୧୯ରେ ପୁଣି ସାହିତ୍ୟ ସହ ଜଡ଼ିତ ହେଲି ଭାଗୀରଥୀ ବେହେରା ସାରଙ୍କ ପ୍ରେରଣା ଏବଂ ସହକର୍ମୀ ବନ୍ଧୁ ଫକିର ମୋହନ ସାହୁଙ୍କ ଉତ୍ସାହ ପାଇ । ମୁଁ ଯଦି କ୍ଷୁଦ୍ର ବୃକ୍ଷଟିଏ ତେବେ ସମାଜ ମୋ ପାଇଁ ଜଳ ଏବଂ ସାହିତ୍ୟ ମୋ ପାଇଁ ଆୟୁଷ (ସୂର୍ଯ୍ୟକିରଣ) ସଦୃଶ । ବାଣୀପୁତ୍ର, ସାହିତ୍ୟ କୁସୁମ, ଭାଷା ବିଭବ-୨୦୨୩ ଏମିତି ଅନେକ ସମ୍ମାନ ମିଳିଛି ।

Related Posts

Leave a Reply

Your email address will not be published. Required fields are marked *