ଚିତ୍ତରଞ୍ଜନ ନାୟକ

ଅନୁଭବ ତୁମେ ମୋ ପ୍ରେମର
ଯାହା ଉତ୍ପନ୍ନ ହେଲା
ପ୍ରଥମ ଥର
ମୋ କଅଁଳ ନିଷ୍ପାପ ହୃଦୟରୁ !!

ସ୍ପର୍ଶ ତୁମେ ସେହି ସ୍ନେହର
ଯାହା ଅନୁଭୂତ ହୁଏ
କାହା କାନ୍ଧରେ
ମସ୍ତକର ସାହାରା
ମାଗିଲେ !!

ପ୍ରତୀକ୍ଷା ତୁମେ
ସେହି ମିଳନ ରାତିର
ଅଭିସାରିକା ସାଜି ଆସ
ମୋ ସ୍ଵପ୍ନରେ
ମୋ ହୃଦୟରେ !!

ଏକାନ୍ତତା ତୁମେ
ସେହି ବେଳାଭୂମିର
ଯେଉଁଠି ବସିଲେ
ଆପେ ଆସିଯାଅ ତୁମେ
ମୋ ଭାବନାରେ !!

ପ୍ରେମ ତୁମେ
ଯେଉଁ ପ୍ରେମ ଉପଜୁଥିଲା
କୃଷ୍ଣର ହୃଦୟରୁ
ରାଧାଙ୍କ ହୃଦୟ ପର୍ଯ୍ୟନ୍ତ
ସବୁଠୁ ଅନଭିଜ୍ଞ
ଏକାନ୍ତ ସତ୍ୟ …

ମୁଁ ପଚାରେ ସ୍ୱୟଂକୁ
କିଏ ତୁମେ ?

ଏ କଳ୍ପନା ନୁହେଁ ତ ?
ଯାହା ମୋ ହୃଦୟରେ
ରଚିତ କଳ୍ପିତ ପ୍ରେମର
ଯଥାର୍ଥ ତୁମେ …

ଗ୍ରାମ / ପୋଷ୍ଟ – ନଖେଇ, ଜିଲ୍ଲା – ଯାଜପୁର, ମୋବାଇଲ – ୯୩୨୦୪୧୪୦୦୬

ଲେଖକ ପରିଚୟ

୧୯୮୬ ମସିହାରେ ଯୁକ୍ତ ଦୁଇ ପଢିଲାବେଳେ କବିତା ଓ ଗଳ୍ପ ଲେଖିବା ଆରମ୍ଭ କରିଥିଲି ମୁଁ । ବର୍ତ୍ତମାନ ସୁଦ୍ଧା ପ୍ରାୟ ଦୁଇ ଶହ କବିତା ଲେଖା ସରିଛି ଏବଂ କୋଡ଼ିଏରୁ ଉର୍ଦ୍ଧ୍ଵ ଗଳ୍ପ । ମୋ ଲେଖନୀର ପ୍ରେରଣା ମୁଁ ମୋ ନିଜକୁ ହିଁ ଦେବି । ମଧୁବାବୁଙ୍କ – “ମାତୃଭୂମି ମାତୃଭାଷାର ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗୁଣୀରେ ଗଣିବା ଅଜ୍ଞାନୀ ରହିବେ କାହିଁ ।“ ଏହି ପଦଟି ମୋତେ ମୋ ଭାଷା ସାହିତ୍ୟ ଆଡ଼କୁ ଆକର୍ଷିତ କରିଥିଲା । ଦୈନିକ ଖବର କାଗଜ ତଥା ଖୋଲା ମଞ୍ଚର ସାହିତ୍ୟ ପୃଷ୍ଠାରେ କବିତା “ଜହ୍ନ”, “ମୁଁ ଆଉ ତମେ”, “ସ୍ୱପ୍ନ” ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ଗଳ୍ପ “ଚୋର ପ୍ରତି ସାବଧାନ”, “ପୂଜା ଚାନ୍ଦା” ଆହ୍ୱାନ ଇ-ପତ୍ରିକାରେ ପ୍ରକାଶିତ ହୋଇଛି । ଏହାବ୍ୟତୀତ ମୋର ଏକ କବିତା ସଂକଳନ ଖୁବ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ।

Related Posts

Leave a Reply

Your email address will not be published. Required fields are marked *