ଛବିରାମ ସେଠୀ
ତୁହିରେ କାଳିଆ ତୁ ବଡ଼ ଛଳିଆ
ଆସିବୁ ଭକ୍ତଙ୍କ ପାଇଁ
ନୀଳାଚଳେ ଧାମେ ଯାତରା କରିବୁ
ଭାଇଭଉଣୀଙ୍କୁ ନେଇ ।(୧)
ରଥରେ ଚଢିବୁ ମନ ହରଷରେ
ଜଗତ ଜନଙ୍କ ମେଳେ
ଗହଳି ଲଗାଇ ବୁଲିବୁ ଦାଣ୍ଡରେ
ସେବାୟତଙ୍କର ବଳେ ।(୨)
କୋଟିକୋଟି ଭକ୍ତ ଚାହିଁ ରହିଛନ୍ତି
ଦେଖିବେ ତୋ ଘୋଷ ଯାତ
ମହାବାହୁ ହୋଇ ବସିବୁ ରଥରେ
ଟେକି ଦେବୁ ଦୁଇ ହାତ ।(୩)
ଫାଟି ପଡୁଥିବ ବଡ଼ ଦାଣ୍ଡ ଭୁଇଁ
ସଂସାର ଭକ୍ତଙ୍କ ମେଳେ
ଘଣ୍ଟ ହୁଳହୁଳି ମୃଦଙ୍ଗ ଶବ୍ଦରେ
କମ୍ପିବ ମେଦିନୀ କୋଳେ ।(୪)
ଆହେ ଦୀନବନ୍ଧୁ ପ୍ରଭୁ ଜଗବନ୍ଧୁ
ତୁମ୍ଭେ ତ ଶ୍ରୀକ୍ଷେତ୍ର ହରି
ଭକ୍ତ ହୃଦୟର ମନକୁ କିଣିବୁ
ଜଗତେ ପଡ଼ିବ ହୁରି ।(୫)
ବଳିଆ ଭାଇନା ଶୁଭଦ୍ରା ଭଉଣୀ
ଆଗେ ବସି ରଥେ ରହି
ପଛରେ ଆସିବେ କାଳିଆ ଠାକୁର
ଭକ୍ତ ହୃଦୟକୁ ଛୁଇଁ ।(୬)
ଏତିକି କାଳିଆ ଚରଣରେ ତବ
ଚକାଆଖି ଦେଲେ ଚାହିଁ
ଦୁଃଖୀ ଜନଙ୍କର ମଂଗଳ ପାଇଁ କି
ରଥରୁ ଆସିବୁ ଧାଇଁ ।(୭)
ବାରଙ୍ଗ, କଟକ, ମୋ – ୯୮୬୧୬୦୬୧୪୮
ଲେଖକ ପରିଚୟ
ପିଲାଦିନୁ ରେଡ଼ିଓ ଶୁଣିବାକୁ ଭଲପାଏ । ସାହିତ୍ୟ ପ୍ରତି ଆଗ୍ରହ ବଢାଇଲା ୨୦୧୯ ମସିହା କରୋନା ସମୟ ଯାହାକି ମଣିଷ ଜୀବନ ପ୍ରତି ଥିଲା ଏକ ସତର୍କ ଘଣ୍ଟି । ଏହି ତାଲାବନ୍ଦ ସମୟର ମୂଲ୍ୟ ବୁଝିବାକୁ ଯାଇ ଅନୁଭୂତିର ଏକ କବିତା ଆରମ୍ଭ କରିଥିଲି, ଯାହା ପାଇଁ ଆଜି ନିଜେ ମୁଁ ଗର୍ବିତ । କବିତା ମୋର ପେସା ନୁହେଁ କେବଳ ନିଶା । କ’ଣ ଲେଖେ ମୁଁ କିଛି ଜାଣିପାରେ ନାହିଁ, ସବୁ ସେହି ଲୀଳାମୟଙ୍କ ଇଛା ।