ବିଶ୍ୱନାଥ ସାହୁ

ଯୁଦ୍ଧ ଆଉ କଣ କି…. ?
ବାପ ଦେଇଥିବା ତରବାରୀକୁ ଘସି, ମାଜି, ଶାଣଦେଇ
ନାକକୁ ଆହୁରି ଆହୁରି ଆହୁରି ଗୋଜିଆ କରିବାର ଏକ ଅପଚେଷ୍ଟା ।
ସେତେବେଳେ ପାଟିରୁ ତୁହାକୁ ତୁହା ଗୁଳି ଛୁଟେ,
ଆଉ ପ୍ରାଣ ବାୟୁ ପ୍ରାଣନାଶକ ସାଜି
ନାକ ବାଟେ କୁହୁଳୁଥାଏ ।
ବଢ଼ି ବଢ଼ି ଚାଲିଥିବା ନାକ କଣାର ପରିଧି ଅନୁସାରେ
ନିର୍ଦ୍ଧାରିତ ହୁଏ ଯୁଦ୍ଧର ଭୟାଭୟତା ।
ଶେଷରେ ସେଇ ଖାଲରେ ଅଣନିଃଶ୍ୱାସୀ ହୋଇ ମରିଯାଏ
ତିନି ପୁରୁଷରୁ ସଞ୍ଚିତ ମାନ, ମର୍ଯ୍ୟାଦା, ହସ, କଉତୁକ ।
ଯୁଦ୍ଧ ଶେଷରେ
ଦେଖିବାକୁ ଆଖି ନ ଥାଏ,
କାନ ନ ଥାଏ ଶୁଣିବାକୁ
ମୁଣ୍ଡ ନିଜକୁ ବିକି ସାରିଥାଏ ପ୍ରତିପକ୍ଷେ
ଯେତେକ ବୀର୍ଯ୍ୟବଳ ଲହୁ- ଲୁହ – ଲେଞ୍ଜରା ହେଇ ବହିଯାଏ
ବଞ୍ଚେ ଖାଲି ନାକଟେ
ଏକଦମ୍ ବେଦାଗ, ଅସ୍ପର୍ଶ ହେଇ ।


ବିଶ୍ୱନାଥ ସାହୁ ଏବେ ବରପାଲି କଲେଜରେ ଓଡିଆ ବିଭାଗର ଅଧ୍ୟାପକ ଅଛନ୍ତି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏମଫିଲ କରିଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *