ଗାନ୍ଧୀଙ୍କର ଅହିଂସାର ଇତିହାସ

ବହି: ଏଲୁସିଭ ନନ୍‍ ଭାଓଲେନ୍‍ସ – ଦି ମେକିଙ୍ଗ୍‍ ଆଣ୍ଡ ଅନ୍‍-ମେକିଙ୍ଗ ଅଫ ଗାନ୍ଧୀଜିଜ୍‍ ରିଲିଜିଅନ ଅଫ ଅହିଂସା
ପ୍ରକାଶକ: କଣ୍ଟେଷ୍ଟ
ଲେଖକ: ଜ୍ୟୋତିର୍ମୟ ଶର୍ମା
ପୃଷ୍ଠା: ୨୬୮, ମୂଲ୍ୟ: ୬୯୯ ଟଙ୍କା

ଗାନ୍ଧୀଙ୍କର ଜୀବନ ଦର୍ଶନ ଉପରେ ଅନେକ ପୁସ୍ତକ ଲେଖାଯାଇଛି । ସତ୍ୟ ଏବଂ ଅହିଂସାକୁ ସେ ତାଙ୍କ ଜୀବନ-ଦର୍ଶନର କେନ୍ଦ୍ରରେ ଅବସ୍ଥାପିତ କରିଥିଲେ । ଏ ସଂପର୍କରେ ଗାନ୍ଧୀଙ୍କ ସଂପର୍କରେ ଗବେଷଣା କରୁଥିବା ଅନେକ ଲେଖକ ଏବଂ ଗବେଷକମାନେ ଲେଖିଛନ୍ତି ।

ଆଲୋଚ୍ୟ ପୁସ୍ତକରେ ଲେଖକ ଜ୍ୟୋତିର୍ମୟ ଶର୍ମା ଗାନ୍ଧୀଙ୍କର ଅହିଂସାର ଇତିହାସ ଏବଂ ଏହାକୁ କିଭଳି ସେ ରାଜନୈତିକ ଭାବରେ ବ୍ୟବହାର କରିପାରିଛନ୍ତି ସେ ସଂପର୍କରେ ଅଲୋଚନା କରିଛନ୍ତି । ଗାନ୍ଧୀଙ୍କର ଅହିଂସା ଏକ ନୂଆ ଅବଧାରଣା ନୁହଁ । ତାଙ୍କ ପୂର୍ବରୁ ଗୌତମ ବୁଦ୍ଧ, ମହାବୀର ଏବଂ ଅନ୍ୟାନ୍ୟ ଅନେକ ମହାପୁରୁଷ, ଦାର୍ଶନିକ ଓ ଚିନ୍ତାନାୟକ ଅହିଂସାକୁ ଜୀବନର ମୂଳମନ୍ତ୍ର ଭାବେ ଉପସ୍ଥାପନ କରିଛନ୍ତି ।

ଗାନ୍ଧୀ ଯାହା ପ୍ରଥମ ଥର ପାଇଁ କରିଥିଲେ ତାହା ହେଉଛି ଅହିଂସାକୁ ରାଜନୈତିକ ଭାବେ ଏବଂ ରାଜନୈତିକ ଉଦ୍ଦେଶ୍ୟରେ ଅହିଂସାକୁ ବ୍ୟବହାର କରିବା । ଆଉ ଗୋଟିଏ କଥା- ଗାନ୍ଧୀଙ୍କର ରାଜନୀତି କ୍ଷମତା ପାଇବାର ଏକ ସାଧନ ବା ମାର୍ଗ ନଥିଲା । ତାଙ୍କ ରାଜନୀତି ମଣିଷର ସର୍ବାଙ୍ଗୀନ ଉନ୍ନତି ଆଡକୁ ଦୃଷ୍ଟି ଦେଇଥିଲା ଅର୍ଥାତ ଅହିଂସାକୁ ସେ ମଣିଷର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟ୍ୟରେ ବ୍ୟବହାର କରିଥିଲେ ।

ଗାନ୍ଧୀଙ୍କର ଅହିଂସାରେ ନୂଆ କଣ? ଏ ପ୍ରଶ୍ନଟି ବାରମ୍ବାର ଏ ବହିରେ ପଚରା ଯାଇଛି ଏବଂ ଜ୍ୟୋତର୍ମୟ ଶର୍ମା ବିଭିନ୍ନ ଦୃଷ୍ଟିକୋଣରୁ ତାକୁ ଆଲୋଚନା, ପର୍ଯ୍ୟାଲୋଚନା ଏବଂ ବିଶ୍ଳେଷଣ କରିବାରେ ଚେଷ୍ଟା କରିଛନ୍ତି । ଗାନ୍ଧୀଙ୍କର ଜୀବନରେ ପଲିଟିକାଲ ଆସେଟିସିଜ୍‍ମ (ରାଜନୌତିକ ସନ୍ନ୍ୟାସ ଧର୍ମ) ଏକ ଅବଧାରଣା ଯାହାର ପଟାନ୍ତର ବିଶ୍ୱ ଇତିହାସରେ ଖୁବ୍‍ କମ୍‍ । ଜନ ଆନ୍ଦୋଳନ ସହିତ ଆସେଟିସିଜ୍‍ମ୍‍ ବା ଧାର୍ମିକ ଚେତନାକୁ ମିଶେଇବା (ଏଠି ଧର୍ମକୁ ଆଧ୍ୟାତ୍ମିକତା ଅର୍ଥରେ ଗ୍ରହଣ କରିବାକୁ ପଡ଼ିବ) ଏବଂ ଅହିଂସାକୁ ଏ ମିଶ୍ରଣର ପ୍ରଥମ ଧାରକ ଭାବେ ବ୍ୟବହାର କରିବା ଏକଥା ବିଶ୍ୱ ଇତିହାସରେ ଗାନ୍ଧୀ ପ୍ରଥମ ଥର ପାଇଁ କରିଥିଲେ ।

ଜ୍ୟୋତିର୍ମୟ ଶର୍ମା ତାଙ୍କ ପୁସ୍ତକରେ ଏ କଥା ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ ଅବଧାରଣା ଭାବରେ ଅହିଂସାର ଏକ ଲମ୍ବା ଇତିହାସ ରହିଛି । ଗାନ୍ଧୀ ତାକୁ ଏକ ରାଜନୈତିକ କନସେପ୍‍ଟ ଭାବରେ ବ୍ୟବହାର କରିଛନ୍ତି । ଗାନ୍ଧୀ ଆମର ପରମ୍ପରା, ସଂସ୍କୃତି ଏବଂ ବ୍ୟବହାରିକ ଧାରାକୁ ଏକ ମୋଡ ଦେଇ ଏକ ନୂତନ ହିନ୍ଦୁବାଦର ଆରମ୍ଭ କରିଛନ୍ତି । ଗାନ୍ଧୀଙ୍କର ଅବଧାରଣାରେ ଯେଉଁ ସ୍ୱାଧୀନତା ଥିଲା ତାହା ୟୁରୋପୀୟ ଅବଧାରଣା ନୁହଁ, ତାହା ଭିନ୍ନଏବଂ ଭାରତୀୟ ମାନସିକତାରେ ପ୍ରୋଥିତ । ଜ୍ୟୋତିର୍ମୟ ଶର୍ମା ତାଙ୍କ ପୁସ୍ତକରେ ଏଇ କଥାଟିକୁ ବିଷ୍ଳେଶଣ କରିବା ପାଇଁ ଚାହିଁଛନ୍ତି ।

ଜ୍ୟୋତିର୍ମୟ ଶର୍ମାଙ୍କ ମତରେ ଗାନ୍ଧୀଙ୍କର ରାଜନୈତିକ ସନ୍ନ୍ୟାସତ୍ୱ ଅହିଂସା ଏବଂ କର୍ମ ଓ କର୍ତ୍ତବ୍ୟ ସହିତ ଜଡ଼ିତ ଥିଲା । ଏହା ସଂସାରରୁ ଦୂରେଇଯିବା ସନ୍ନ୍ୟାସ ନୁହେଁ, ବରଂ ସମାଜକୁ ଜାବୁଡ଼ି ଧରି ତାକୁ ପରିଶୁଦ୍ଧ କରିବାର ପ୍ରୟାସ ।
ଗାନ୍ଧୀଙ୍କ ଅହିଂସା ନୀତିକୁ ନେଇ ଅନେକ ବିଚାର ବିଶ୍ଲେଷର ହୋଇଛି । ବହୁ ଭିନ୍ନ ମତ ମଧ୍ୟ ରହିଛି ଏ ସମ୍ପର୍କରେ ।
ଜ୍ୟୋତିର୍ମୟ ଶର୍ମାଙ୍କର ଏ ପୁସ୍ତକଟି ଗାନ୍ଧୀଙ୍କର ଅହିଂସା ନୀତିର ଅବଧାରଣାକୁ ବୁଝିବା ପାଇଁ ଏବଂ ଏକ ନୂଆ ଦୃଷ୍ଟିରେ ଦେଖିବା ପାଇଁ ସାହାଯ୍ୟ କରିବ ।

++

Related Posts

Leave a Reply

Your email address will not be published. Required fields are marked *