ଜ୍ଞାନେନ୍ଦ୍ର

ତୁମେ ମୋତେ ଦିଶୁଛ
ଏ ସାରା ଆକାଶ ବ୍ରହ୍ମାଣ୍ଡ
ତୁମ ବାସ୍ନାୟିତ ଆଭାରେ
ଦିନ ରାତି ଧରି ଝଲସୁଛି
ଏ ପୃଥିବୀ ।

ମୁଁ
ଆଜନ୍ମ ବାମନଟିଏ
ଛୁଇଁ ପାରେନାହିଁ
ନିଷ୍ପାପ ଆଶାର ଚନ୍ଦ୍ରକୁ
କୁହ ତୁମକୁ କେମିତି
ଛୁଇଁବି?

ଖାତାରେ ପାପ ପୁଣ୍ୟ
କିଛି ବି ଲେଖି ପଖିପାର,
ମୋ ଭିତର ଅସ୍ତିତ୍ୱରେ ଥିବା
ସୀମାହୀନ କାଙ୍ଗାଳପଣ ପରି
ଏ ସବୁ ମଧ୍ୟ ଭୁଲିଯିବି,

ହଁ ଯଦି
କେବେ ତୁମେ ରାଜଗାଦି ଛାଡ଼ି
ସଙ୍ଖୋଳିବାକୁ ଚାଲିଆସ
ଏ ଯାଯାବରକୁ
ଆସ୍ପର୍ଦ୍ଧାରେ ତୁମ ସହ ମିଶିଯିବି ।

ଜ୍ଞାନେନ୍ଦ୍ର ପେସାରେ ଜଣେ ସୂଚନା ପ୍ରଯୁକ୍ତିବିଦ୍ୟାରେ ଇଞ୍ଜିନିୟର । ବାଲେଶ୍ୱର ଜିଲ୍ଲାରେ ତାଙ୍କର ଜନ୍ମ । କବିତା, ନାଟକ, ଏକାଙ୍କିକା, ପ୍ରବନ୍ଧ ଆଦି ସାହିତ୍ୟର ସବୁ ବିଭାଗରେ ସେ ନିୟମିତ ଲେଖାଲେଖି କରୁଛନ୍ତି । ବିଶେଷ ଭାବେ ସାମାଜିକ ଗଣମାଧ୍ୟମରେ କବିତା ଲେଖି ପାଠକଙ୍କ ପ୍ରିୟ ହୋଇପାରିଛନ୍ତି । ଏହା ବ୍ୟତୀତ ସେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *