ସୁପ୍ରିୟା ପ୍ରଶାନ୍ତ

ଭାଗ –୧୦

ସେଦିନ ରାତିରେ

ମୋ ଗାଇବା ପରେ ଷ୍ଟୁଡିଓରୁ ବାହାରିଲାରୁ ଦେବେନ୍ଦ୍ର ବାବୁ ମୋତେ ଭାବବିହ୍ୱଳ ହୋଇ କୁଣ୍ଢାଇ ପକେଇଲେ।

“କି କଣ୍ଠ ଆପଣଙ୍କର, ସାକ୍ଷାତ୍ ମା’ ସରସ୍ୱତୀ ବସିଛନ୍ତି ଆପଣଙ୍କ କଣ୍ଠରେ। ଆହାଃ, ମନ ପୂରା ଜଗନ୍ନାଥ ଜଗନ୍ନାଥ ହେଇଗଲା।” ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ରଙ୍ଗନାଥ ନନ୍ଦ ବିଦାୟ ନେଲେ। ଦେବେନ୍ଦ୍ର ବାବୁ ଆମକୁ ବାଧ୍ୟ କଲେ, “ଆପଣମାନେ ଟିକେ ବସନ୍ତୁ। ମୁଁ ଟିକେ କାମ ତୁଟେଇଦିଏ, ଯିବା, ଗୋଟେ ଭଲ ଜାଗା ଅଛି ସେଠି ଖାଇବା।”

ରଘୁ ଭାଇନା ବି କହିଲେ, “ହଁ , ହଁ, ଅନେକ ଦିନ ହେଲା ବସିକି ଆପଣଙ୍କ ସହ ଗୁଲିଖଟି ଜମିନି। ଚାଲନ୍ତୁ।”

ଆମ ତିନି ଜଣଙ୍କୁ ଦୂରଦର୍ଶନର ବିଶ୍ରାମ କକ୍ଷରେ ବସାଇ ଦେଇ ଦେବେନ୍ଦ୍ର ବାବୁ ତରତର ହେଇ କାମରେ ଗଲେ। ଆମେ ତିନି ଜଣ ଜାଣିଥିଲୁ ଆମର କାମଟା ଆମେ ବହୁତ ଭଲ କରିଥିଲୁ। ରମେଶ ଓ ରଘୁ ଭାଇନାଙ୍କ ମୁହଁରେ ଆତ୍ମସନ୍ତୋଷ ଦେଖି ମୋର ଆନନ୍ଦ ଦୁଇଗୁଣା ବଢିଗଲା। ଆମେ ତିନିଜଣ ଏଣୁ ତେଣୁ ଟିକେ ଆଲୋଚନା କରି ଯେଝା ଭ୍ରାମ୍ୟଭାଷଟି ଭିତରେ ହଜିଗଲୁ। ସେତିକି ବେଳେ କୁସୁମର ଫୋନ ଆସିଲା।

“ଭାଇଇଇଇ….,” କୁସୁମ ଅତି ଖୁସିରେ କହିଲା, “କି ସୁନ୍ଦର ଗାଇଲ….”
“ହଉ,” ମୁଁ ହସି ହସି କହିଲି।
“ଭାଇ, ଜାଣିଛ, ସେ ବି ଦେଖିଲା, କହିଲା….”
ତାକୁ କଥା ଶେଷ କରିବାକୁ ନଦେଇ ମୁଁ କହିଲି, “ମୁଁ ବାହାରେ ଅଛି। କାଲି କଥା ହେବି।”

ମୁଁ ଜାଣିଥିଲି ସେ କଣ କହିଥାନ୍ତା। ଏ ମୂହୁର୍ତ୍ତରେ କିଏ ସେ ସବୁ ଶୁଣିବ? ତାକୁ କିଛି କହିବାକୁ ନ ଦେଇ ରଖିଦେଲି।
ଆମେ ଅଧଘଣ୍ଟା ଉପରେ ବିଶ୍ରାମ କକ୍ଷରେ ବସିଥିବୁ, ଦେବେନ୍ଦ୍ର ବାବୁ ସେଠିକି ଫେରିଲେ।

“ଚାଲନ୍ତୁ, ଏଥର ବାହାରିବା। ପଟିଆ ଆଗକୁ ମୁଁ ଗୋଟେ ନୂଆ ଖାଇବା ଜାଗା ଆବିଷ୍କାର କରିଛି। ଛୋଟିଆ ଜାଗାଟେ, କିନ୍ତୁ ବେଶ୍ ରୁଚିପୂର୍ଣ୍ଣ। ସେଠି ବସିବା।”

ଆମେ ସବୁ ଦୂରଦର୍ଶନ ଫାଟକରୁ ବାହାରି ବାମ ଦିଗକୁ ଗାଡି ମୁହାଇଁଲୁ। ଯୁକ୍ତ ଦୁଇ ପରିଷଦ କାର୍ଯ୍ୟାଳୟ ସାମନା ଦେଇ ଯେଉଁ ରାସ୍ତାଟା ଯାଇ ଜୟଦେବ ବିହାର ନନ୍ଦନକାନନ ମୁଖ୍ୟ ରାସ୍ତାରେ ପଡିଛି, ସେ ରାସ୍ତାରେ ଯାଇ ମୁଖ୍ୟ ରାସ୍ତାରେ ପହଞ୍ଚିଲୁ। ରାତି ନଅଟା ହେବାକୁ ଆସିଲାଣି, ତେଣୁ ରାସ୍ତାରେ ବହୁତ ଗହଳି। ପଟିଆର ସେଇ ନୂତନ ଆବିଷ୍କୃତ ଖାଇବା ସ୍ଥାନରେ ପହଞ୍ଚିଲା ବେଳକୁ ସାଢେ ନଅଟା ଉପରେ। ଆମକୁ ଭୋକ ବି କଲାଣି।

ଦେବେନ୍ଦ୍ର ବାବୁଙ୍କୁ ଦେଖି ହୋଟେଲର ମାଲିକ ଚିହ୍ନା ହସଟିଏ ଦେଇ ଆମକୁ ବି ଦେଖି ସ୍ମିତ ହସିଲେ, ଯେମିତି ଆମେ ଗରାଖ ନୁହେଁ, ତାଙ୍କର ଅତିଥି, ତାଙ୍କୁ ଅଭ୍ୟର୍ଥନା କରିବାର ବିରଳ ସୁଯୋଗଟିଏ ଦେଇଛୁ।

ଦେବେନ୍ଦ୍ର ବାବୁ ଓ ରଘୁ ଭାଇନା ପ୍ରଥମେ କିଛି ମସଲା ପାମ୍ପଡ ସହ ହ୍ୱିସ୍କି ବରାଦ କଲେ। ଅବିଳମ୍ବେ ଯୁବକଟିଏ ଆସି ଆମ ପାଖରେ ଚାରୋଟି ଗ୍ଲାସ, ଆଉ ଚାରୋଟି ଥାଳି ଥୋଇ ଦେଇଗଲା। ଗୋଟାଏ ପାଣି ବୋତଲ ବି ଥୋଇ ଦେଇଗଲା। ତା ପରେ ପରେ ଆମ ସାମନାରେ ଗୋଟେ ବାଉଁଶ ଡାଲାରେ କିଛି ମସଲା ପାମ୍ପଡ ଆଣି ରଖିଲା। ତା ସହ ଗୋଟିଏ ହ୍ୱିସ୍କି ବୋତଲ।

ଦେବେନ୍ଦ୍ର ବାବୁ ରଘୁ ଭାଇନାଙ୍କୁ ଚାହିଁ କହିଲେ, “ଆରମ୍ଭ କରନ୍ତୁ।”

ବୋତଲ ଠିପି ଖୋଲି ରଘୁ ଭାଇନା ସମସ୍ତଙ୍କ ଗ୍ଲାସରେ ପାନୀୟ ଢାଳିଲେ। ସେ କହିଲେ, “ମଣିଷ ଜଞ୍ଜାଳରେ ଘାଣ୍ଟି ହେଇଯାଉଛି। ଏମିତି ଟିକେ ବସିବା ସାତ ସପନ ହେଲାଣି। ଆଉ ଟିକେ ପରେ ଘରଣୀଙ୍କ ଡାକର ଆସିଯିବ, କେତେବେଳେ ଆସିବ? ଏ ଭ୍ରାମ୍ୟଭାଷ ନ ଥିଲା ଭଲ ଥିଲା। ମଣିଷକୁ ଘରୁ ଘନ ଘନ ଫୋନ ଆସୁ ନଥିଲା।”

“ହା ହା ହା….” ଦେବେନ୍ଦ୍ର ବାବୁ ହସି ଉଠିଲେ, “କଥା ଗୋଟେ ଯାହା କହିଲେ ଆପଣ।” ସେ ଅଧା ଗ୍ଲାସ ହ୍ୱିସ୍କିକୁ ଦି ଢୋକରେ ପିଇ ସାରି ଦେଲେ ଓ ବୋତଲରୁ ପୁଣି କିଛି ନିଜ ଗ୍ଲାସରେ ଢାଳିଲେ। କିଛି ସମୟରେ ଭିତରେ ହିଁ ଦେବେନ୍ଦ୍ର ବାବୁଙ୍କ ଦାୟିତ୍ୱପୂର୍ଣ୍ଣ କର୍ତ୍ତବ୍ୟନିଷ୍ଠ ପ୍ରଯୋଜକ ସତ୍ତାଟି ତାଙ୍କ ଭିତରେ ରହିଲା ପରି ମନେ ହେଲାନି। ସେ ପ୍ରଗଳଭ୍ ହୋଇଉଠିଲେ। ସେ ମୋ ଆଡକୁ ଚାହିଁ କହିଲେ, “କଲ୍ୟାଣ, ବଢିଆ ହେଲା ଆଜି ଭଜନ ସନ୍ଧ୍ୟା। ଯାହାକୁ କହନ୍ତୁ ସୁପର୍ବ। ୟୁ ଆର୍ ଏ ଯେମ୍, ମାଇଁ ଡିଅର ୟଙ୍ଗମାନ୍…. ୟୁ ଆର୍ ଏ ଯେମ୍….”

ମୁଁ ତାଙ୍କୁ ଚାହିଁ କିଛି କହିଲିନି। ନିଶାର କବଳରେ ଅନେକ ଏମିତି ଅନର୍ଗଳ ଇଂରାଜୀ କହିଥାନ୍ତି। ଥରେ ମୋର ଜଣେ ସାଙ୍ଗ ମାଲ୍ ପିଇ ଅଚେତ ଅବସ୍ଥାରେ ରସୁଲଗଡ ବାଣୀବିହାର ରାସ୍ତାରେ ଗୋଟେ କଡରେ ପଡିଥିଲା। ମଧ୍ୟରାତ୍ରୀ ପରେ ପୁଲିସ ପେଟ୍ରୋଲିଙ୍ଗ୍ ସମୟରେ ତାକୁ ଉଠେଇ ବାଣୀବିହାର ଥାନାକୁ ନେଇଗଲେ। ତାର ଚେତା ଫେରିଲାରୁ ସେ ତାକୁ ସେଠିକି କାହିଁକି କିଏ ଆଣିଲା ଆଦି କହି ଏମିତି ହଲିଉଡ ସିନେମା ସଂଳାପ ଇଂରାଜୀରେ କହିଲାଯେ ଥାନା ବାବୁ ମୁଣ୍ଡରେ ହାତ ଦେଇ କହିଲେ, “ଆଜ୍ଞା, ଯାଆନ୍ତୁ ଆପଣ।”

“ୟୁ ଆର୍ ଅ ଜାମ୍” ଦେବେନ୍ଦ୍ର ବାବୁଙ୍କ ଉଚ୍ଚାରଣ ଏପଟ ସେପଟ ହେବାକୁ ଲାଗିଲା। ମୁଁ ମୁଣ୍ଡ ହଲାଇ କୃତଜ୍ଞତା ଜଣାଇଲି।

“ଆଉ ସେ ସୋନାଲି ସାହୁ, କି ଗାୟିକା ସିଏ। ତାକୁ ଡାକି ଆଣିଥିଲା ସେ ଡହରା ପ୍ରଯୋଜକ।”

ସେଦିନ ମୋ ଗାଇବା ପରେ ଆଉ ପନ୍ଦର ମିନିଟ୍ ଗାୟିକା ସୋନାଲି ସାହୁଙ୍କ ପାଇଁ ଥିଲା। ଅନ୍ୟ ଜଣେ ପ୍ରଯୋଜକ ସେ ଦାୟିତ୍ୱରେ ଥିଲେ। ଦେବେନ୍ଦ୍ର ବାବୁ ସେଇ କଥା କହୁଥିଲେ।

“ମୋର ଜମା ଇଚ୍ଛା ନଥିଲା ତାକୁ ନେବାକୁ। ମୁଁ ମନା କଲି, ହେଲେ ଶୁଣିଲାନି। କହିଲା କଣ ନା କୋକିଳ କଣ୍ଠୀ! କୋକିଳ କଣ୍ଠୀ ନା କୋକିଳ ମଳଦ୍ୱାର—” ଦେବେନ୍ଦ୍ର ବାବୁ କହିବା ଆଗରୁ ଆଉ କିଛି ଭାବିବା ଅବସ୍ଥାରେ ଥିଲା ଭଳି ଜଣା ପଡୁନଥାନ୍ତି। ସେତେବେଳକୁ ଦୁଇ ଗ୍ଲାସ୍ ପାନୀୟ ସେ ପିଇ ଶେଷ କରିସାରିଲେଣି।

“ଆଜିକାଲି ତ ଯୁଗ ସେୟା, ଯିଏ ଯେତେ ଯୋଗାଡ କରିପାରିବ, ସିଏ ସେତେ ଉପରକୁ ଉଠିବ।” ରଘୁ ଭାଇନା କହିଲେ। ରଘୁ ଭାଇନା ଏମିତି ସମୟରେ ନିଜକୁ ନିୟନ୍ତ୍ରଣରେ ରଖିପାରନ୍ତି।

ମୋର ତ ଗାଡି ଚଲେଇ ଫେରିବାର ଥାଏ, ତେଣୁ ବାହାରେ କେବେ ଅଧଗିଲାସରୁ ଅଧିକ ପିଏ ନାହିଁ। ରମେଶ ମଧ୍ୟ ଏସବୁ ଦିଗରେ ଖୁବ୍ ସଂଯତ; ଘରେ ମାଆବାପା, ବଡଭାଇ ଭାଉଜ। ସେମାନେ ଜାଣିଲେ ବିରକ୍ତ ହେବେ।

ଦେବେନ୍ଦ୍ର ବାବୁ ଖାଇବା ଆଣିବାକୁ ନିର୍ଦ୍ଦେଶ ଦେଲେ। ଆମେ ସବୁ ଖାଇସାରି ଫେରିଲା ବେଳକୁ ରାତି ଏଗାରଟା। ମୁଁ ରମେଶକୁ ତା ଘର ଆଗରେ ଛାଡିଦେଇ ମୋ ବସାକୁ ଫେରିଲି। ପୋଷାକ ବଦଳାଇ ଖଟ ଉପରେ ଗଡିପଡିବା କଥା।

(କ୍ରମଶଃ)

Related Posts

Leave a Reply

Your email address will not be published. Required fields are marked *