ସାହିତ୍ୟିକା ମୀରା ବେଉରାଙ୍କ ସହିତ ସହ-ସମ୍ପାଦିକା ନୀଳିମା ନିବେଦିତାଙ୍କ ଏକ ସାକ୍ଷାତକାର :
ପିଲାଟିବେଳୁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଭଲପାଏ । ଏ ଶ୍ରେୟ ମୋ ମାଆଙ୍କୁ ଯିବ । କାରଣ ସେ ବି ସବୁବେଳେ ତତ୍ପର ଥାଆନ୍ତି ସାଧ୍ୟମତେ ସମସ୍ତଙ୍କୁ ସାହାଯ୍ୟ କରିବାକୁ । ଏହାଛଡ଼ା ସେବା କରିବା ଦିଗରେ ମଦର ଟେରେସା ସମେତ ମନୋରମା ମହାପାତ୍ରଙ୍କ ଦ୍ଵାରା ବି ଖୁବ ପ୍ରଭାବିତ ହୋଇଛି ମୁଁ । ଘର, ପରିବାରକୁ ପ୍ରାଥମିକତା ଦିଏ ଓ ଜଣେ ‘ଉତ୍ତମ ମାଆ’ ରୂପେ ପୁରସ୍କୃତ ହେଇଛି । ତେବେ ଲେଖନୀ ଚାଳନା କରି କେବଳ ପାଠକବର୍ଗଙ୍କୁ ମୁଁ ସୂକ୍ଷ୍ମ ରୂପେ ସାହାଯ୍ୟ କରିପାରୁଥିଲା ବେଳେ କ୍ରମେ ସକ୍ରିୟ ସମାଜ ସେବା ଦ୍ଵାରା ଆବାଳ-ବୃଦ୍ଧ-ବନିତା ସବୁ ବର୍ଗର ଅସହାୟ ପୀଡ଼ିତଙ୍କୁ ସାହାଯ୍ୟ କରି ବେଶୀ ସନ୍ତୁଷ୍ଟି ପାଏ । ବର୍ତ୍ତମାନ ‘ଓଡ଼ିଶା ନାରୀ ସଭା ସଂଘ’ର ସଂଗଠନ ସମ୍ପାଦିକା ଏବଂ ‘ରଘୁନାଥ ଜୀଉ ମହାବିଦ୍ୟାଳୟ’ରେ ପିଲାଙ୍କୁ ଆତ୍ମନିର୍ଭରଶୀଳ ଓ ଆତ୍ମସୁରକ୍ଷା କୌଶଳ ଶିକ୍ଷାରେ ସଂଯୋଜିକା ଭାବେ କାର୍ଯ୍ୟରତ । ମଣିଷ ଅଧୁନା ଅତ୍ୟାଧୁନିକ ଯୁଗରେ ପଦାର୍ପଣ କରି ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାରୁଛି ସତ । କିନ୍ତୁ ଏଭଳି ଜଣେ ବ୍ୟକ୍ତି ପାଉନି ଯାହା ସାଙ୍ଗରେ ନିଜ ମନର ଭାବନା ପରିପ୍ରକାଶ କରିବ । ସେଇଠୁ ହିଁ ସୃଷ୍ଟି ହେଇଛି ସାହିତ୍ୟର ଆବଶ୍ୟକତା ।
୧. ସାହିତ୍ୟକୁ ସାଧନା ବୋଲି କାହିଁକି କୁହାଯାଏ ଓ ସାହିତ୍ୟର ସଂଜ୍ଞାକୁ ନେଇ ଆପଣ କ’ଣ ଉତ୍ତର ରଖିବେ ?
ସାହିତ୍ୟ ନିଶ୍ଚିନ୍ତ ଏକ ସାଧନା । ଯେପରି ବିନା ସାଧନାରେ କୌଣସି ବି କାର୍ଯ୍ୟ ସମ୍ପାଦନ ହୋଇପାରେ ନାହିଁ ଠିକ ସେହିପରି ସାହିତ୍ୟ ପାଇଁ ମଧ୍ୟ ସାଧନା କରିବାକୁ ପଡ଼େ । ସାହିତ୍ୟ ହେଉଛି ପ୍ରତ୍ୟେକ ହୃଦୟର ଭାଷା । ହୃଦୟରୁ ତେଣୁ ଏହି ସାଧନାକୁ ଜାରି ରଖିବାକୁ ପଡ଼େ ।
ଆମ ଚିନ୍ତା ଚେତନାରୁ ସାହିତ୍ୟ ଆସିଥାଏ । ସାହିତ୍ୟ ସମାଜର ହିତ ପାଇଁ ଆବଶ୍ୟକ । ପୁଣି ଏମିତି ବି କହିପାରିବା ଯେ ଯାହା ସମାଜର ହିତ ପାଇଁ ଲେଖା ଯାଇଥାଏ, ତାହା ହିଁ ତ ସାହିତ୍ୟ ! ସାହିତ୍ୟ ଚେତନାକୁ ଉର୍ଦ୍ଧ୍ଵମୁଖୀ କରେ । ଚେତନାରେ ପବିତ୍ରତା ଆଣେ, ଉନ୍ମାଦନା ଆଣେ, ଆଶା ଆଶ୍ଵାସନା ଆଣେ, ଜାଗରଣ ଆଣେ । ସାହିତ୍ୟ ଭିତରେ ଏଭଳି ଶକ୍ତି ରହିଛି ଯାହା ପ୍ରତିକୂଳ ପରିସ୍ଥିତିରେ ସାଧାରଣ ମଣିଷଟିଏକୁ ଲଢିବାକୁ ପ୍ରେରଣା ଦିଏ ବା ଲଢିବାକୁ ଶିକ୍ଷା ଦିଏ । ମୋ ମତରେ ଜଣେ ସାଧାରଣ ମଣିଷକୁ ଉଚ୍ଚତର ସୋପାନକୁ ଯିଏ ନେଇଯାଏ ସିଏ ହିଁ ସାହିତ୍ୟ ପଦବାଚ୍ୟ ଓ ଏଥିପାଇଁ ତାକୁ ସାଧନା କରିବାକୁ ପଡ଼ିଥାଏ ।
୨. ଜଣେ କେମିତି ଜାଣିବ ତା ଲେଖା ପ୍ରକାଶିତ ହେବାକୁ ଯୋଗ୍ୟ ? ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାକୁ ନେଇ ଆପଣଙ୍କ ଅନୁଭୂତି କିପରି ଥିଲା ?
ଲେଖକଟିଏ ପ୍ରଥମ ପାଠକ ହେବା ଦରକାର ବୋଲି ମୁଁ ମନେକରେ । କିଭଳି ? ପ୍ରଥମେ ଆମେ ଲେଖୁଥିବା ଲେଖାଟିକୁ ବାରମ୍ବାର ପଢିବା, ସେ ଲେଖାଟି ଜନମାନସରେ କିଭଳି ଆଦୃତ ହେବ, ଲେଖାଟି କିଭଳି ଭାବରେ ପାଠକ ଗୋଷ୍ଠୀଙ୍କୁ ପ୍ରଭାବିତ କରିବ ସେସବୁ ତଦାରଖ କରିବା । ପ୍ରତ୍ୟେକ ଲେଖାରେ ଆଗ ଲେଖକ ନିଜ ଲେଖାଟିକୁ ପଢି ଲେଖାର ଗୁଣବତ୍ତା କେତେ ଅଛି ଦରକାର ସହିତ ଉକ୍ତ ଲେଖାରେ କିଛି ବାର୍ତ୍ତା ରହିଛି ସମାଜ ପାଇଁ କିମ୍ବା ଲେଖାଟି ପଢିଲେ ପାଠକ ମନରେ ଉଙ୍କି ମାରୁଥିବା ସମସ୍ୟାର ସମାଧାନ ହେଇଯାଉଛି, ତା ଭିତରେ ଯେଉଁ ହତାଶା, ନିରାଶାର କଳା ବାଦଲ ଅଛି ତାହା ହଟି ଯାଉଛି ଏବଂ ତା ଭିତରେ ଗୋଟେ ଆଶାର ଉଦ୍ଗିରଣ ହେଉଛି ଓ ତାକୁ ବଞ୍ଚିବାର ଗୋଟେ କଳା ଶିଖାଉଛି କି ନା ଯାଞ୍ଚ କରିବାକୁ ହେବ । ପାଠକଟି ଯେମିତି ଜୀବନ ଯୁଦ୍ଧରେ କେବେ ହାରି ନଯାଉ, ତା ଭିତରେ ଉତ୍ସାହ ଉଦ୍ଦୀପନା ସୃଷ୍ଟି କରିବା ପାଇଁ ଯେଉଁ ଖୋରାକ ଟିକକ ଦରକାର ତାହା ଯେମିତି ସେ ଲେଖାଟି ଭିତରେ ରହିଥିବ । ଯଦି ଲେଖାଟିକୁ ପଢି ସାରିଲା ପରେ ପାଠକ ମନରେ ଗୋଟେ ପ୍ରତିକୂଳ ପରିସ୍ଥିତିରେ ଲଢିବାର ଜିଜ୍ଞାସା ଉତ୍ପନ୍ନ ହେଉଛି, ସମସ୍ତଙ୍କୁ ଭଲପାଇବାର କଳା ସେ ଶିଖି ପାରୁଛି ଓ ସର୍ବପ୍ରଥମେ ନିଜକୁ ଭଲପାଇ ପାରୁଛି ଏସବୁ ପ୍ରତି ବି ଧ୍ୟାନ ଦେବାକୁ ହେବ । ନିଜକୁ ଯଦି ଜଣେ ଭଲ ନପାଇ ପାରିଲା ତେବେ ସେ ସମାଜକୁ କିଭଳି ଭଲପାଇ ପାରିବ ? ରାଷ୍ଟ୍ରକୁ କେମିତି ଭଲପାଇ ପାରିବ ? ସମଗ୍ର ବିଶ୍ୱକୁ କିଭଳି ଭଲପାଇ ପାରିବ ? ତେଣୁ ଭଲପାଇବାର ବାର୍ତ୍ତା ସେ ଲେଖାରେ ଥିବା ଦରକାର । ଲେଖାଟି ଯେପରି ଜଣକୁ ବଦଳାଇ ଦେଇ ପାରୁଥିବ, କିମ୍ବା ଯେଉଁ ଉଦ୍ଦେଶ୍ୟ ନେଇ ଲେଖାଟିଏ ଲେଖକ ଲେଖିଥାଏ ଲେଖାଟି ଯେପରି ସେ ଉଦ୍ଦେଶ୍ୟକୁ ସାଧନ କରିପାରୁଥିବ । ଏସବୁ ଦିଗ ପ୍ରତି ଯଦି ଯତ୍ନଶୀଳ ହୁଏ ଲେଖକ ଜଣକ ତେବେ ଜାଣିବା ଖୁବ ସହଜ ହେଉଯିବ ଯେ ଉକ୍ତ ଲେଖାଟି ପ୍ରକାଶିତ ହେବାକୁ କେତେ ଯୋଗ୍ୟ ।
ଦ୍ଵିତୀୟ ପ୍ରଶ୍ନର ଉତ୍ତରରେ ମୋ ପ୍ରଥମ ପ୍ରକାଶିତ ଲେଖା ହିଁ ମୋ ଲେଖନୀ ଜୀବନର ପ୍ରଥମ ପାହାଚ କହିଲେ ଭୁଲ ହେବନି । ଯେତେବେଳେ ମୁଁ ଷଷ୍ଠ ଶ୍ରେଣୀରେ ପଢୁଥାଏ, ମୋ ଲିଖିତ ଗୋଟିଏ କୁନି କବିତା ସ୍କୁଲ ପତ୍ରିକାରେ ପ୍ରକାଶିତ ହୋଇଥିଲା । ପ୍ରଥମ ପ୍ରକାଶିତ କବିତାର ନାଆଁ ଥିଲା “କିଣିଛି ହୃଦ-ମନ” । କାରଣ ଛୋଟବେଳୁ ମୁଁ ମାଆ କାଞ୍ଚନବାଳା ବଲବନ୍ତରାୟଙ୍କ ପ୍ରେରଣାରେ କବିତା ଲେଖିବା ଆରମ୍ଭ କରିଥିଲି । ସେ ସବୁବେଳେ କୁହନ୍ତି, ଲେଖା ଏମିତି ହେବା ଦରକାର ଯେଉଁ ଲେଖା ପଢି ଜଣଙ୍କ ମନରେ ଆଶା ଅଙ୍କୁରିତ ହେଉଥିବ । ଏଣୁ ମୋ ପ୍ରଥମ କବିତାର ବିଷୟ ବସ୍ତୁ ଥିଲା କିପରି ଛୋଟ ପିଲାଟିଏ ଭଲ କାମ କରି ସମସ୍ତଙ୍କ ହୃଦୟକୁ କିଣିପାରୁଛି । ମୁଁ ଭାବେ ଯେ ପୁରସ୍କାର କିଛି ନୁହେଁ ଯଦି ମଣିଷ ହୃଦୟରେ ଆମେ ନିଜ ପାଇଁ କିଛି ସ୍ଥାନ ସରଂକ୍ଷିତ କରିପାରିଲେ । ପ୍ରଥମ କବିତା ପ୍ରକାଶିତ ହେବା ଦିନ ମୋ ସ୍କୁଲର ଦିଦିମାନେ ମୋତେ ଖୁବ ପ୍ରଶଂସା କରିବା ସହିତ ମୋ ମନରେ ଆଶା ଆଶ୍ଵାସନା ଭରି ଦେଇଥିଲେ ଯେ ତୁ ଲେଖିପାରିବୁ, ଖୁବ ସୁନ୍ଦର ଲେଖିପାରିବୁ । ଘରେ ବି ମୋ ବାପାମାଆ ବି ଖୁବ ଉତ୍ସାହିତ କରିଥିଲେ ମୋତେ । ମାତ୍ର ଛଅ ପଂକ୍ତି ବିଶିଷ୍ଟ ମୋର ପ୍ରଥମ କୁନି କବିତାଟି ମୋତେ ଖୁବ ପ୍ରେରଣା ଦେଇଛି ଆଜିର ଏ ସଫଳ ଲେଖାକୀୟତା ପାଇଁ ।
୩. ନାରୀକୁ ନେଇ ଆପଣଙ୍କ ବିଚାର କଣ ? ସାହିତ୍ୟରେ ଜଣେ ନାରୀର ଭୂମିକା କେତେ, ସହଭାଗିତା କେତେ ?
ନାରୀ ହେଉଛି ଈଶ୍ଵରଙ୍କ ସୃଷ୍ଟିରେ ଏକ ଦିବ୍ୟ ଏବଂ ଦୁର୍ଲଭ ପ୍ରାଣୀଟିଏ ଯାହାକୁ ସ୍ଵୟଂ ଭଗବାନ ସୃଷ୍ଟି କରିଛନ୍ତି । ସ୍ନେହ, ମମତା, ଧୈର୍ଯ୍ୟ, ସେବା ମନୋବୃତ୍ତି, ଭଲପାଇବା, ତ୍ୟାଗ, ତିତିକ୍ଷାର ଜ୍ଵଳନ୍ତ ପ୍ରତିମୂର୍ତ୍ତିଟିଏ ହେଉଛି ନାରୀ । ସେ ଚାହିଁଲେ ଗୋଟିଏ ଦିବ୍ୟ ସମାଜ ସୃଷ୍ଟି କରିପାରିବ ଏବଂ ସେ ଚାହିଁଲେ ମଧ୍ୟ ସମାଜ ନର୍କଗାମୀ ହୁଏ । ଜାତିର ପିତା ଗାନ୍ଧୀ କହୁଥିଲେ ପୁରୁଷ ଓ ନାରୀ ଉଭୟଙ୍କୁ ନେଇ ସମାଜ ସୃଷ୍ଟି । ସ୍ଵାମୀ ବିବେକାନନ୍ଦ କହୁଥିଲେ ନାରୀ ଓ ପୁରୁଷ ଗୋଟିଏ ଚଢେଇ ଦୁଇଟି ଡେଣା ଭଳି । ଗୋଟିଏକୁ ବାଦ୍ ଦେଲେ ସମାଜ ଠିକରେ ପରିଚାଳିତ ହୁଏ ନାହିଁ । ସେଥିପାଇଁ ଆମେ ନାରୀକୁ ସମାଜର ମାଆ ବୋଲି ବି ଆଖ୍ୟା ଦେଇଥାଉ । କିନ୍ତୁ ସାମ୍ପ୍ରତିକ ସମାଜ ମୋ ମନ ଭିତରେ ଏକ କ୍ଷୋବ ସୃଷ୍ଟି କରାଏ । ଆପୋଲା, ବିଶ୍ଵବରା, ଲୋପମୁଦ୍ରା, ଗାର୍ଗି, ମୈତ୍ରୀଙ୍କୁ ବୈଦିକ ସଂସ୍କୃତିରେ ଯେଉଁଭଳି ଭାବରେ, ଯେଉଁଭଳି ଢଙ୍ଗରେ ଚିତ୍ରଣ କରାଯାଇଥିଲା ବା ଆମେ ସେମାନଙ୍କୁ ଯେଉଁଭଳି ଶକ୍ତିସ୍ଵରୁପା, ମାତୃସ୍ଵରୂପା ରୂପେ ଦେଖୁଥିଲୁ, ଏମିତିକି ଭଗିନୀ ନିବେଦିତା ହୁଅନ୍ତୁ, ଝାନ୍ସି ରାଣୀ ଲକ୍ଷ୍ମୀବାଈ ହୁଅନ୍ତୁ, ସରୋଜିନୀ ନାଇଡୁ ହୁଅନ୍ତୁ ଅଥବା ମଦର ଟେରେସା, ଶ୍ରୀମା ମଦରା ଆଲଫାସା ସମସ୍ତେ ତ ଜଣେ ଜଣେ ସାହିତ୍ୟ, ସମାଜର ମାନଦଣ୍ଡ । ସେମାନେ ସମସ୍ତେ ଜଣେ ଜଣେ ଦିବ୍ୟତା ସମ୍ପନ୍ନ ନାରୀ ଥିଲେ । ସ୍ନେହ, ମମତା, ପ୍ରେମର ଏଭଳି ସମାବେଶ ଥିଲେ ଯାହା ପାଖରେ ସମାଜ ନିଜର ମୁଣ୍ଡ ନୁଆଇଁଥିଲା । ଗୋଟିଏ ନାରୀ ଭିତରେ ଏସବୁ ରହିବା ଦରକାର । ତା ଭିତରେ ମାନବିକତା, ଆସ୍ପୃହା ଇତ୍ୟାଦି ସୃଷ୍ଟି ହେବା ଉଚିତ । ମାତ୍ର ଆଜିକାଲି ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସମାଜ ଆଗରେ ଏକ ପଣ୍ୟ ଦ୍ରବ୍ୟ ରୂପେ ପ୍ରସ୍ତୁତ କରୁଛି ସେ ନିଜକୁ । ଯାହାର ଫଳସ୍ୱରୂପ ଦେଖିବାକୁ ମିଳୁଛି ଏକ ବିଶୃଙ୍ଖଳିତ ସମାଜ ।
ଯଦି ନାରୀଟିଏ ନିଜର ଶକ୍ତିକୁ ଠିକ ଭାବରେ ଚିହ୍ନି ପାରନ୍ତା, ଭଗବାନ ତାକୁ କେଉଁ ଉଦ୍ଦେଶ୍ୟ ନେଇ ସୃଷ୍ଟି କରିଛନ୍ତି ତାହା ଜାଣିପାରନ୍ତା ଓ ସେସବୁକୁ ଠିକଣା ବାଟରେ ବିନିଯୋଗ କରିପାରନ୍ତା, ହୁଏତ ସେ ଦିବ୍ୟ ସମାଜଟିଏ ପୁଣିଥରେ ପୁନର୍ଗଠନ କରିପାରନ୍ତା । କିନ୍ତୁ ଯେତେବେଳେ ନାରୀଟିଏ ନିଜ ଭିତର ଶକ୍ତି ଓ ତିତିକ୍ଷା ଭାବକୁ ଚିହ୍ନିବ ସେଇଠି ସେ ଜଣେ ଦିବ୍ୟ ସନ୍ତାନକୁ ବି ସୃଷ୍ଟି କରିବ । ପରିବାର ହେଉ କି ସମାଜ ଗଠନ ହେଉ, ନାରୀଟିଏ ଉପରେ ହିଁ ଗୁରୁଦାୟିତ୍ଵ ଥାଏ । ସାହିତ୍ୟ ମଧ୍ୟ ସମାଜର ଗୋଟିଏ ଅଂଶ । ଆମେ ସାହିତ୍ୟକୁ ସମାଜର ଦର୍ପଣ ବୋଲି କହୁ । ମୋ ମତରେ ସାହିତ୍ୟରେ ନାରୀର ଗୁରୁତ୍ଵ ଓ ସହଭାଗିତା ଶତ ପ୍ରତିଶତ ରହିଛି । କାହିଁକିନା ସମାଜ କେବଳ ପୁରୁଷଙ୍କୁ ନେଇ ବୁଝାଏ ନାହିଁ, ଉଭୟ ପୁରୁଷ ଓ ନାରୀଙ୍କୁ ନେଇ ସମାଜ ହୁଏ । ପରସ୍ପର ପରସ୍ପରର ପରିପୂରକ । ଜଣେ ଆଗେଇଗଲେ କେବଳ ଯେ ସମାଜ ଆଗେଇ ଯିବ ଏହା ଭାବିବା ଭୁଲ । କାରଣ ସମାଜ ଗାଡ଼ି ହେଲେ ନାରୀ ଓ ପୁରୁଷ ତାର ଚକା ସଦୃଶ । ଗୋଟିଏ ଆଗେଇ ଗଲେ ଅନ୍ୟଟି ପଛରେ ପଡ଼ି ରହିଲେ ଗାଡ଼ି ତାର ସନ୍ତୁଳନ ହରାଇବା ଥୟ । ପ୍ରତିଦ୍ଵନ୍ଦୀ ହିସାବରେ ନୁହେଁ ସହଭାଗିତା ହିସାବରେ ଜଣେ ଜଣଙ୍କ ସାଙ୍ଗରେ ଚାଲିବାକୁ ହେବ । ସାହିତ୍ୟ ବି ସମାନ କଥା କହେ । ଉଭୟଙ୍କ ଅବଦାନରେ ହିଁ ସାହିତ୍ୟ ଉତ୍କୃଷ୍ଟତା ଲଭେ । ଜଣେ ଜଣଙ୍କୁ ଉପେକ୍ଷା କରିବା, ନାରୀବାଦକୁ ଅତ୍ୟଧିକ ପ୍ରାଧାନ୍ୟ ଦେବା ଓ ପୁରୁଷବାଦର କଣ୍ଠରୋଧ କରିବା ସପକ୍ଷରେ ମୁଁ ନୁହେଁ । ମୋ ମତରେ ସାହିତ୍ୟ କ୍ଷେତ୍ରରେ ନାରୀର ଭୂମିକା ବେଶୀ, ଯେହେତୁ ନାରୀ ହିଁ ପୁରୁଷଟିଏକୁ ଜନ୍ମ ଦିଏ । ତେଣୁ ପ୍ରଥମେ ନାରୀଙ୍କୁ ସଂଯମୀ ହେବାକୁ ଶିକ୍ଷା ଦେବା ଓ କିପରି ସେ ସମାଜକୁ, ସାହିତ୍ୟକୁ ଦାନବ ନୁହେଁ ଏକ ଦେବ ଶିଶୁ ଯୋଗାଇଦେବ ସେନେଇ ପ୍ରଯତ୍ନ କରିବା ଉଚିତ ।
୪. ଆପଣଙ୍କ ମତରେ ପାରିପାର୍ଶ୍ଵିକ ପରିସ୍ଥିତି ଓ ପରିବେଶ ଜଣେ ଲେଖକ ଉପରେ କିଭଳି ପ୍ରଭାବ ପକାଏ ? ସୃଜନ ପାଇଁ ଲେଖକ ଜଣେ କେତେ ପ୍ରତିଶତ ଦାୟୀ ?
ଗୋଟିଏ ଲେଖକ ସବୁବେଳେ ଚାହିଁଥାଏ ସମାଜରେ ଉପରେ ନିଜ ଲେଖା ମାଧ୍ୟମରେ କିଞ୍ଚିତ ପ୍ରଭାବ ପକାଇବାକୁ । ସେ ସବୁବେଳେ ଚେଷ୍ଟା କରୁଥାଏ ଲେଖାଟିକୁ ଏମିତି ଲେଖିବ ଯାହା ପରିବେଶକୁ ବେଶ ପ୍ରଭାବିତ କରିପାରୁଥିବ । ପରିବେଶରେ ଘଟଣା ଘଟୁ କି କୌଣସି ଦୁର୍ଘଟଣା, ଲେଖକଟିଏକୁ ତାହା ପ୍ରଭାବିତ କରିଥାଏ ଓ ସେ ନିଜର ଲେଖନୀର ଅସ୍ତ୍ର ଧରି ଲଢିବାକୁ ତେୟାର ହୁଏ ନିଜ ଲେଖା ମାଧ୍ୟମରେ । ଜଣେ କିଶୋରୀ ଅବହେଳିତ ହେଉଛି, ବଧୂ ନିର୍ଯାତନାର ଶିକାର ହେଉଛି ଓ ଶୈଶବଟିଏ ବି କିଭଳି ଅବାଞ୍ଛିତ ହେଉଛି, ବୃଦ୍ଧ ଜଣେ ଜରାଶ୍ରମର ଆଶ୍ରୟ ନେଉଛି ଓ କେମିତି ପାଶ୍ଚାତ୍ୟ ଢାଞ୍ଚାରେ ଜରାଶ୍ରମମାନ ବୃଦ୍ଧି ପାଇବାରେ ଲାଗିଛି, ଆତଙ୍କବାଦୀଙ୍କ ପାଦୁର୍ଭାବ ହେଉ କି ବିଶ୍ଵରେ ଆର୍ଥିକ ଅନାଟନ ପରିସ୍ଥିତି କିମ୍ବା କୃଷକଟିଏ ଯେତେବେଳେ ଦୁଃଖରେ ଭାଙ୍ଗିପଡ଼େ ସେସବୁ ଲେଖକକୁ ଲେଖିବାକୁ ବାଧ୍ୟ କରେ । ଲେଖକର ଲେଖନୀ ଏଭଳି ଦୃଢ ହେବା ଦରକାର ଯେପରି ସମାଜର ଯେକୌଣସି ସମସ୍ୟାକୁ ସେ ସମାଧାନର ବାଟ ଦେଖେଇ ପାରୁଥିବ ବା ପରିବର୍ତ୍ତନ କରିବାରେ ସହାୟକ ହେଇ ପାରୁଥିବ । ଦୃଷ୍ଟାନ୍ତମୂଳକ ଭାବେ ଆମେ ରୁଷ ବିପ୍ଲବକୁ ନେଇପାରିବା । ଆମେ ଆମ ଦେଶ ଭାରତକୁ ବି ଉଦାହରଣ ରୂପେ ନେଇପାରିବା ଯେ କିପରି ସ୍ଵାଧୀନତା ସଂଗ୍ରାମ ବେଳେ ଲେଖନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
୫. ସାହିତ୍ୟ ସମାଜର ଦର୍ପଣ ନା ସମାଜ ପାଇଁ ସାହିତ୍ୟ ଏକ ଦର୍ପଣ ସଦୃଶ ? ଏ ନେଇ ଆପଣଙ୍କ ମତାମତ ।
ପ୍ରକୃତରେ ସାହିତ୍ୟ ହିଁ ସମାଜର ଦର୍ପଣ । କାରଣ ସାହିତ୍ୟରେ ସେଇ ସବୁ ଶୋଭାପାଏ ଯାହା ପ୍ରତିଦିନ ଘଟୁଥାଏ । ନିତିଦିନିଆ ଘଟଣାବଳୀ ହିଁ ଉଦ୍ଭାସିତ ହୁଏ ସାହିତ୍ୟରେ । ଘଟଣା ହେଉ କି ଦୁର୍ଘଟଣା, ମନରେ ଅନେକ ପ୍ରଶ୍ନ ସୃଷ୍ଟିକରେ ଓ ନିଜର ଆନ୍ଦୋଳିତ ମନକୁ ନେଇ ଲେଖକ ଲେଖେ ସାହିତ୍ୟ । ଲେଖକଟିଏ କିନ୍ତୁ ସଚେତନ ହେବା ଦରକାର ଯେ ତା ସୃଷ୍ଟ ସାହିତ୍ୟକୁ ଯଦି ଜଣେ ପଢେ ତେବେ ସେ ତତକାଳୀନ ଘଟଣା ଦୁର୍ଘଟଣା ସହିତ ସମାଜର ସ୍ଥିତିକୁ ସହଜେ ହୃଦୟଙ୍ଗମ କରିପାରିବ । ଫକୀରମୋହନ ସେନାପତିଙ୍କ ରେବତୀ ଗଳ୍ପ ଏ ପ୍ରଶ୍ନର ସଠିକ ଉତ୍ତର ବୋଲି ମୁଁ କହିବି । ସେ ସମୟରେ ସମାଜରେ କଣ ଘଟୁଥିଲା ତାହା ସ୍ପଷ୍ଟ ଅନୁମେୟ ଉକ୍ତ ଗଳ୍ପଟିରେ, ସାହିତ୍ୟରେ । ସେହିପରି ସେକ୍ସପିୟରଙ୍କ ନାଟକ କି କବିତା ବି ପଢିଦେଲେ ଜାଣିହେବ ସେ ସମୟର ସାମାଜିକ ପରିସ୍ଥିତି । ଅତଏବ ପ୍ରତ୍ୟେକ ଯୁଗର ସାହିତ୍ୟ ହିଁ ତା ସମାଜର ଦର୍ପଣ ସଦୃଶ ।
୬. ପୁରସ୍କାର, ପାଠକ ଓ ଲେଖକ ମଧ୍ୟରେ କଣ ସମ୍ପର୍କ ରହିଛି ? ଆପଣଙ୍କ ଲେଖକୀୟ ଜୀବନରେ କିଏ ବେଶୀ ଗୁରୁତ୍ଵ ରଖେ ?
ପୁରସ୍କାର, ପାଠକ ଓ ଲେଖକ, ପ୍ରକୃତରେ ଏହାକୁ ଏକ ତ୍ରିକୋଣୀୟ ତ୍ରିଭୁଜ କହିଲେ ମଧ୍ୟ ଭୁଲ ହେବ ନାହିଁ । ଯଦିଓ ପୁରସ୍କାର କିଛି ମାତ୍ରାରେ ଲେଖକଟିକୁ ପ୍ରୋତ୍ସାହିତ କରେ, ତା ଭିତରେ ଭରିଦିଏ ଉତ୍ସାହ ଓ ଉଦ୍ଦୀପନା, ଲେଖନୀକୁ ଚଳଚଞ୍ଚଳ କରିଥାଏ, କିନ୍ତୁ ତାହା ଯଦି ପାଠକୀୟ ସ୍ୱୀକୃତି ଲାଭ କରିନଥାଏ, ମୋ ମତରେ ତାହା ଉପଯୁକ୍ତ ସୃଜନଟିଏ ନୁହେଁ । ଯଦି ଲେଖାଟିଏ କାହା ହୃଦୟକୁ ସ୍ପର୍ଶ କରିପାରେ, ପାଠକ ମନରେ ଆଶାଟିଏ ସଂଚାର କରିବାରେ ସକ୍ଷମ ହୁଏ, ଜଣଙ୍କୁ ବଞ୍ଚି ରହିବାର ଶକ୍ତି ଯୋଗାଏ, ସର୍ବୋପରି ପାଠକୀୟ ସ୍ୱୀକୃତି ପାଏ ତାହା ହିଁ ଲେଖକ ପାଇଁ ଅଧିକ ପ୍ରେରଣାଦାୟୀ ହୋଇଥାଏ ।
ଲେଖା କଦାପି ପୁରସ୍କାର ସର୍ବସ୍ଵ ନହେଉ । ଅତି କ୍ଷୋଭର ସହିତ କହିବାକୁ ପଡୁଛି ଯେ ପୁରସ୍କାର ନାମରେ ଆମେ ଲେଖକଟିକୁ ଚିହ୍ନିଥାଉ । କିନ୍ତୁ ମୋ ମତରେ ଲେଖାକୁ ନେଇ ଲେଖକର ମାନ ନିର୍ଦ୍ଧାରଣ କରାଯାଉ, ପୁରସ୍କାରକୁ ନେଇ ନୁହେଁ । ଲେଖାଟି ଯଦି କାହା କ୍ଷତରେ ମଲମ ହେଇପାରୁଛି, କାହା ହୃଦୟରେ ଆସ୍ପୃହା ଯୋଗେଇ ଦେଇପାରୁଛି, କାହା ଭିତରେ ଜିଜ୍ଞାସା ତ କାହା ଭିତରେ ଭଲପାଇବା ଭରି ଦେଉଛି, ନିଜକୁ ଭଲପାଇବା ପାଇଁ ତା ଭିତରେ ଖୋରାକ ଯୋଗାଉଛି ମୋ ମତରେ ତାହା ହିଁ ହେଉଛି ପ୍ରକୃଷ୍ଟ ଲେଖା ଯିଏ ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହେଇପାରୁଛି । ହିଂସା, ଦ୍ଵେଷ, ଈର୍ଷା, ପରଶ୍ରୀକାତରତା ସବୁ ହଟେଇ ଦେଇ କେବଳ ପ୍ରେମ ସୃଷ୍ଟି କରିପାରୁଛି ତାହା ହିଁ ଯଥାର୍ଥ ଲେଖା ବୋଲି ପରିଗଣିତ ହେବା ଉଚିତ । କାରଣ ‘ପ୍ରେମ’ ଶବ୍ଦ ସାରା ପୃଥିବୀରେ ବିରଳ ।
୭. ବିବାହ, ସନ୍ତାନ ଓ ସୁରକ୍ଷା ଜଣେ ନାରୀ ପାଇଁ କେତେ ଜରୁରୀ ? ଏସବୁ କେବେ ଆପଣଙ୍କୁ ଆପଣଙ୍କ ସାହିତ୍ୟ ସାଧନା ଏବଂ ସମାଜ ସେବାରେ ବାଧା ଉପୁଯାଇଛି କି ?
ଯଦିଓ ବିବାହ, ସନ୍ତାନ ଓ ସୁରକ୍ଷା ଗୋଟିଏ ନାରୀ ପାଇଁ ଜରୁରୀ ବୋଲି ମୁଁ ମନେକରେ ତଥାପି ବ୍ୟକ୍ତିଗତ ମତ ମୋର ଅନ୍ୟ ଦୁଇଟି ଅପେକ୍ଷା ସୁରକ୍ଷା ନିହାତି ଜରୁରୀ । ଗୋଟିଏ ନାରୀ ପାଖରେ ଯେତେ ପ୍ରତିଭା ଥାଉ, ସେ ସୁନିତା ୱିଲିଉମ ହୁଅନ୍ତୁ କି ମଦର ଟେରେସା, ଇନ୍ଦିରା ଗାନ୍ଧୀ ହୁଅନ୍ତୁ କି କଳ୍ପନା ଚାୱଲା କି ସରୋଜିନୀ ନାଇଡୁ, ସମସ୍ତଙ୍କ ପାଇଁ ସୁରକ୍ଷା ଲୋଡ଼ା । ଆଜି ଦେଖିବାକୁ ମିଳୁଛି କେତେ ସ୍ପର୍ଶକାତର, ମର୍ମଦୁନ୍ତ ଦୁର୍ଘଟଣାମାନ ଆମ ଚାରିପାଖରେ ଘଟିଯାଉଛି । ନିକଟରେ ଘଟି ଯାଇଥିବା ମଣିପୁର ଘଟଣାକୁ ନିଆଯାଇପାରେ ଯେଉଁଠି ସାରା ବିଶ୍ଵ ସ୍ତମ୍ଭୀଭୂତ ହୋଇଯାଇଛି । ଅତ୍ୟନ୍ତ ଦୁଃଖର ବିଷୟ ଯେ ଆଇନ କେବଳ କାଗଜ କଲମରେ ସୀମିତ ହୋଇଯାଉଛି ଏବଂ ଆମେ ପ୍ରକୃତରେ ନାରୀକୁ ସୁରକ୍ଷା ଯୋଗାଇ ପାରୁନାହୁଁ । ଏକବିଂଶ ଶତାବ୍ଦୀରେ ବି ନା କିଶୋରୀଟିଏ ଏଠି ସୁରକ୍ଷିତ ନା ବୃଦ୍ଧା ଜଣେ । ହେଲେ ଏଥିପାଇଁ ଦାୟୀ କିଏ ? ଦଳୀୟ ସ୍ଵାର୍ଥରେ ମାତି ମହିଳା ସୁରକ୍ଷାକୁ ନେଇ ରାଜନୀତି ନକରି ଆଇନକୁ କଡ଼ାକଡ଼ି ରୂପେ ପାଳନ କରିବା ଉଚିତ ।
ମହିଳାର ଶରୀର ଯୁଦ୍ଧରେ ଅସ୍ତ୍ର ରୂପେ ବ୍ୟବହାର କରିବା ଏକ ନିହାତି ନିନ୍ଦନୀୟ କାର୍ଯ୍ୟ । ପ୍ରଶାସକ ହୁଅନ୍ତୁ କି କୌଣସି ଗୋଷ୍ଠୀ ବା ସମ୍ପ୍ରଦାୟ କିମ୍ବା ଜଣେ ସଭ୍ୟ ମାନବ ହେଉ, ନାରୀ ସୁରକ୍ଷା ପ୍ରାଥମିକ ଏବଂ ପ୍ରଯତ୍ନଶୀଳ ହେବା ଆବଶ୍ୟକ । ବୈଦିକ କାଳ ହେଉ କି ସିନ୍ଧୁ ସଭ୍ୟତା, ଗୋଟିଏ ପଟେ ଆଭୂଷଣରେ ସଜେଇ ନାରୀକୁ ଦେବୀ କରି ଆମେ ପୂଜା କରୁ, ମାଆର ଆଖ୍ୟା ଦେଉ । ଅନ୍ୟପଟେ ବାସ୍ତବରେ ସମ୍ପ୍ରତି ନାରୀଟିଏ ସଦା ଅସୁରକ୍ଷିତ । ଏସବୁ କିନ୍ତୁ ସାହିତ୍ୟ କ୍ଷେତ୍ରରେ ଜଣେ ସାହିତ୍ୟିକ ପାଇଁ ଆଲୋଡ଼ନର ବିଷୟ । ତିକ୍ତ ଅନୁଭୂତି ସାଉଁଟି ଲେଖକ ଜଣକ ସୃଷ୍ଟି କରେ ସାହିତ୍ୟ ଓ ତାହା ନିଶ୍ଚେ ସୁସ୍ଥ ସାହିତ୍ୟ ନୁହେଁ । ମୋ ମତରେ ନାରୀର ସୁରକ୍ଷା ହିଁ ରାଷ୍ଟ୍ରର ପ୍ରଧାନ ଦାୟିତ୍ଵ ହେବା ଉଚିତ । ସୁରକ୍ଷା କବଚ ପିନ୍ଧିଲା ପରେ ତ ଯାଇ ନାରୀଟିଏ ନିଜ ପ୍ରତିଭାକୁ ପୂର୍ଣ୍ଣ ବିକାଶ କରିପାରିବ ! ଅନ୍ତରାୟ ସେତେବେଳେ ସୃଷ୍ଟି ହେବନି ଯେତେବେଳେ ସମାଜ ନାରୀଟିଏକୁ ସହଯୋଗର ହାତ ବଢାଇବ । ନାରୀକୁ ସୁରକ୍ଷା ଯୋଗାଇଦେବା ଘର ପରିବାର ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କର ଦାୟିତ୍ଵ ।
୮. ସାହିତ୍ୟରେ ବାସ୍ତବିକ ଜୀବନ କେତେ ଥାଏ, କେତେ ଥାଏ କଳ୍ପନାର ପୁଟ ? ସାହିତ୍ୟର କେଉଁ ବିଭାଗରେ ଲେଖନୀ ଚଳେଇ ଆପଣ ସନ୍ତୁଷ୍ଟ ଅନୁଭବ କରନ୍ତି ଓ କାହିଁକି ?
ମୋ ମତରେ ସାହିତ୍ୟରେ ୯୦ ଭାଗ ବାସ୍ତବିକତା ଓ ୧୦ ଭାଗ କଳ୍ପନା ଥାଏ । ତେବେ କବିତା ଲେଖିଲା ବେଳେ କଳ୍ପନା ଅଧିକ ମାତ୍ରାରେ ଥାଏ ଯେତେବେଳେ କି ଗଳ୍ପ ଲେଖିଲା ବେଳେ ତାହା ତୁଳନାତ୍ମକ ଭାବେ କମ୍ ଥାଏ କିନ୍ତୁ ସ୍ତମ୍ଭ ହେଉ କି ପ୍ରବନ୍ଧ ହେଉ, ସେଠାରେ କଳ୍ପନା ନଥାଏ ବୋଲି କହିଲେ ଠିକ ହେବ । କିମ୍ବା ଅତି ନ୍ୟୁନ ମାତ୍ରାରେ ଥାଏ କହିହେବ । ମୁଁ ଯେତେବେଳେ ଗୋଟିଏ ସ୍ତମ୍ଭ ଲେଖିଲି “ଦଳୀୟ ସ୍ଵାର୍ଥରେ ନିଷ୍କ୍ରିୟ ଗଣତନ୍ତ୍ର” ସେ ସମୟରେ ବେଶୀ ଆନନ୍ଦିତ ଥିଲି । ଏମିତିକି ମୋ ମତରେ ଯାହା ଗଳ୍ପ କି ପ୍ରବନ୍ଧରେ ଲେଖି ହୁଏ ନାହିଁ ତାହା ସ୍ତମ୍ଭ ସାହିତ୍ୟରେ ସହଜରେ ଲେଖି ହେଇଯାଏ ଏବଂ ମୋତେ ସ୍ତମ୍ଭ ଲେଖିବାରେ ବେଶୀ ସନ୍ତୁଷ୍ଟି ମିଳେ ।
କେବଳ ନାରୀ କାହିଁକି ପୁରୁଷକୁ ବି ସୁରକ୍ଷା ଦରକାର, କାରଣ ପୁରୁଷଟିଏ ସାଧାରଣତଃ ପ୍ରକାଶ କରିପାରେନି ନିଜ ବେଦନା କି ଅସହାୟତା । ନିଜ ପ୍ରତି ଅବିଚାର ସେ କାହାକୁ କହିପାରେନି କି କାନ୍ଦି ବି ପାରେନି । ତାବୋଲି ସେ ଯେ ସବୁବେଳେ ଶୋଷଣକାରୀ ବୋଲି କହିବା ଭୁଲ । ନିର୍ଯ୍ୟାତିତ ସେ ବି ହୁଏ ଅନେକବେଳେ । ତେଣୁ ମୋ ସାହିତ୍ୟ ଉଭୟ ନାରୀ ଓ ପୁରୁଷଙ୍କୁ ନେଇ ।
ମୋ ଚାରିପାଖରେ କୌଣସି ହୃଦୟ ବିଦାରକ ଘଟଣା ଘଟିଗଲେ ମୋତେ ରାତିରେ ନିଦ ହୁଏନି ଆଉ କଲମ ଚଳଚଞ୍ଚକ ହୋଇଉଠେ । ବିପ୍ଲବର ସ୍ଵର ବୁଣିବାକୁ, ପାଠକମାନଙ୍କୁ ଜାଗୃତ କରିବାକୁ ତତ୍ପର ହୋଇଉଠେ ମୋ କଲମ । ସଚ୍ଚିତାନନ୍ଦ ରାଉତରାୟଙ୍କ ‘ହାତ’ ଗଳ୍ପ ହେଉ କି ଗୋଦାବରୀଶ ମହାପାତ୍ରଙ୍କ କବିତା ହେଉ, ‘ଉଠ କଙ୍କାଳ, ଛିଡୁ ଶୃଙ୍ଖଳ …. ‘ କିପରି ଭାବରେ ଜାତୀୟତା ମନୋଭାବ, ମଧୁ ବାବୁଙ୍କର ମଧ୍ୟ କବିତା ଗୋଟେ “ଶାଗୁଣା ବିଲୁଆ ଚିକିତ୍ସକ ହେଲେ, ଶବ କି ପାଇବ ପ୍ରାଣ”, ରବି ସିଂହଙ୍କର ସେମିତି ‘ଚରମ ପତ୍ର’ କବିତାରେ “ଚବିଶି ଘଣ୍ଟାରେ ସିଂହାସନ ଖାଲି କର” ଓ ତାହା ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁଣି, ଗଙ୍ଗାଧର ମେହେରଙ୍କ କବିତା “ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ” ଇତ୍ୟାଦି ସମେତ ଭୀମ ଭୋଇଙ୍କ କବିତା ମଧ୍ୟ ମୋତେ ଅନୁପ୍ରାଣିତ କରେ । ଯେମିତିକି
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।”
ସେହିପରି ଗୋପବନ୍ଧୁ ଦାସଙ୍କ କବିତା,
“ନିଜ ସ୍ଵାର୍ଥ ପାଇଁ ଜାତ ନୁହେଁ ହିନ୍ଦୁ,
ବିଶ୍ଵ ହିତେ ପ୍ରତି ହିନ୍ଦୁ ରକ୍ତ ବିନ୍ଦୁ;
ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ।”
Excellent write up about writers!!! It’s inspiring the new writers who want to be famous in the literary world!
Excellent coverage of writers!
ବହୁତ ଭଲ ଉତ୍ତର ଦେଇଛନ୍ତି ଲେଖିକା ! ତାକୁଂ ବଧାଇ!!!
Meera Madam!
Namakar. Extremely heart touching interview . Nany many thanks for your expressiin towards literature. Thamks again.
– Rabi Sir