ସାହିତ୍ୟିକା ସଂଘମିତ୍ରା ମିଶ୍ରଙ୍କୁ ‘ସରଳା ଦେବୀ ପୁରସ୍କାର’

ଭୁବନେଶ୍ୱର : ‘ସରଳା ଦେବୀ ପୁରସ୍କାର’ ପାଇବେ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ସଂଘମିତ୍ରା ମିଶ୍ର । ‘ସରଳା ଦେବୀ ମେମୋରିଆଲ ଟ୍ରଷ୍ଟ’ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି । ପୁରସ୍କାର ବାବଦରେ ତାଙ୍କୁ ୧୦ ହଜାର ଟଙ୍କାର ନଗଦ ଅର୍ଥ ରାଶି ସମେତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୯ ତାରିଖରେ ସରଳା ଦେବୀଙ୍କ ୧୨୦ତମ ଜନ୍ମ ଦିବସ ତଥା ଅଗଷ୍ଟ କ୍ରାନ୍ତି ଦିବସରେ ଜୟଦେବ ଭବନରେ ପୂର୍ବାହ୍ନରେ ଆୟୋଜିତ ହେବାକୁ ଥିବା ଏକ ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯିବ । ଉକ୍ତ ଅନୁଷ୍ଠିତ ହେବାକୁ ଥିବା ସଭାକୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦଘାଟନ କରିବେ । ମୁଖ୍ୟଅତିଥି ଭାବେ ରାଜ୍ୟ ଅର୍ଥ କମିସନର ପୂର୍ବତନ ଅଧ୍ୟକ୍ଷ ରବି ନାରାୟଣ ସେନାପତି ଯୋଗ ଦେବେ । ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ସମ୍ମାନିତ ଅତିଥି ଭାବେ ଐତିହାସିକା ନିବେଦିତା ମହାନ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ ଅଧ୍ୟକ୍ଷତା କରିବେ ବୋଲି ଟ୍ରଷ୍ଟର ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ଜଣାଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *