ଅସିତ କୁମାର ପଣ୍ଡା

ଘଣ୍ଟା ଢ଼ୋଲ ମାଦଳର
ପଟୁଆର ନେଇ
ଦେବୀ ଆସନ୍ତି ମଣ୍ଡପକୁ,
ନବ ପତ୍ରିକାକୁ ପଟ୍ଟବସ୍ତ୍ରରେ
ଆଚ୍ଛାଦନ କରି
ମୃଣ୍ମୟୀ ମୂର୍ତ୍ତି ପାଖରେ
ସଜେଇ ଦିଅନ୍ତି ଗୋସେଇଁ,
ଯା’ଦେବୀ ସର୍ବ ଭୁତେଷୁ ପାଠରେ
ଆରାଧନା ଚାଲେ ଦେବୀଙ୍କର ।
ଧୂପ ଦୀପ ନୈବେଦ୍ୟର
ଷୋଡ଼ଶ ଉପଚାର ସେଠି ଦେବୀ ପାଇଁ ।

ମଣ୍ଡପର ଝୁଣା ବାସ୍ନାଠୁଁ ଦୂରରେ
ଅନ୍ୟ ଏକ ଦେବୀଙ୍କ ଯୁଦ୍ଧ ଚାଲେ
କାମାନ୍ଧ ସୁମ୍ଭ ନିସୁମ୍ଭମାନଙ୍କ ସହ,
ଦ୍ଵିଭୁଜା ଦେବୀଙ୍କ ଦେହ ଆଡ଼କୁ
ଆଗେଇଯାଏ ବାସନା ବ୍ୟାକୁଳ
ଦଶ-ଭୁଜ ମହିଷାସୁର ମାନଙ୍କର,
ଅରଣ୍ୟର ଅନ୍ତରାଳେ ଅସୁରଙ୍କ ଦ୍ୱାରା
ଦେବୀ ହୁଅନ୍ତି ଅନାଭରଣ …
ଶୁଷ୍କ ପତ୍ରରର ମର୍ମିରରେ
ଚାପି ହୋଇଯାଏ ଘଣ୍ଟା ମାଦଳର
ଶବ୍ଦ ସହ ଦେବୀଙ୍କ ଚିତ୍କାର ।

ବାଲିଆପାଳ, ବାଲେଶ୍ୱର

ଲେଖକ ପରିଚୟ

ମାଆ କବୟିତ୍ରୀ ଶାନ୍ତିଲତା ପଣ୍ଡାଙ୍କ ପ୍ରେରଣାରେ ପିଲାଟିଦିନୁ ସାହିତ୍ୟ ପ୍ରତି ଆକୃଷ୍ଟ । ଜୀବନର ପ୍ରଥମ ପୂର୍ଣ୍ଣାଙ୍ଗ କବିତା ମାତ୍ର ୧୨ ବର୍ଷ ବୟସରୁ ଆରମ୍ଭ ହେଇ ଅଦ୍ୟାବଧି ଦୀର୍ଘ ତିନି ଦଶନ୍ଧି ଧରି ହିନ୍ଦୀ, ଓଡ଼ିଆ, ଇଂରାଜୀ ଭାଷାରେ ସାହିତ୍ୟ ସେବା ଜାରି ରଖିଛି । କବିତା ସଙ୍କଳନ “କେମିନିଆକ”, ଗଳ୍ପ ସଂକଳନ “ଭିନ୍ନ ରେବତୀ” ଓ “ସକାଳର ସୂର୍ଯ୍ୟାସ୍ତ”, ପ୍ରବନ୍ଧ “ମୃତ୍ୟୁ ପରେ ନେତାଜୀ” ଓ ବିସ୍ମୃତ ନାୟକ ଆଦି କୃତିରୁ କିଛି ପ୍ରକାଶିତ ହେବା ପରେପରେ କିଛି ପୁସ୍ତକ ପ୍ରକାଶନ ଅପେକ୍ଷାରେ ।

Related Posts

Leave a Reply

Your email address will not be published. Required fields are marked *