ବିଦେଶେ ସ୍ଵଦେଶ ସ୍ମୃତି

ମାନସ ରଞ୍ଜନ ନାୟକ

ଜୀବନ ଜୀବିକାର ପ୍ରତିଦ୍ୱନ୍ଦ୍ୱିତାରେ, ଭିଟାମାଟି ଦୁଃସ୍ଵପ୍ନ
ଚେତନାର ଚୌହଦୀରେ କ୍ଷୀଣ ଶୁଭେ, ହରେ ରାମ ହରେ କୃଷ୍ଣ ।
ହଜିଛି ଆତ୍ମୀୟତା, ବିବିଧତା ସତ୍ତ୍ୱେ ଭାଷାର ପ୍ରଗଳ୍ଭତା
ପ୍ଲାଷ୍ଟିକ୍ ଟଙ୍କା ବଜାରରେ, ମହଙ୍ଗା ମିଳେ ନିରୁତା ମମତା ।

ପାଶୋରିଛି ଶୀତ, ଗରମ, କୁହୁଡ଼ି, କାକରର କ୍ୟାଲେଣ୍ଡର୍
ଶୁଭେନି ଅର୍ଦ୍ଧ ରାତ୍ରିରେ ଏଠି, ବାହାଦୁର୍ ସ୍ଵର – ହୁସିଆର୍ ।
ବିକାଶର ଚଉଡ଼ା ରାସ୍ତାରେ ଅବିଚ୍ଛିନ୍ନ ପ୍ରଗତିର ରାହା
ସ୍ମୃତିରୁ କ୍ରମେ ଇତିହାସ ସାଜେ, ରଜ କି ଦୋଳ ସବୁ ସ୍ଵାହା ।

ଚାଖଣ୍ଡେ ଉଦର ଲାଗି, ସହସ୍ର କୋଶ ଭୂଗୋଳ ବିସ୍ଥାପନ
ପଥର ଛାତିରେ ବୁଢା ବାପ’ର, ପୁଅକୁ ଶେଷ ଆଲିଙ୍ଗନ ।
ବଢିଛି ଶିକ୍ଷା, ବୁଝିଛି ଦୀକ୍ଷା, କମିଛି କି ମୋକ୍ଷର ପ୍ରତୀକ୍ଷା ?
ଉନ୍ନତିର ପିଆଲାରେ, କକ୍ଷା ପରେ କକ୍ଷା କେବଳ ଆକାଂକ୍ଷା ।

ବଦଳୁଛି ସମୟ, ବଦଳେ ଆଭିମୁଖ୍ୟ, ଚାଲିଛି ସ୍ପନ୍ଦନ
ଉଦାସ ମନରେ କେବେ ଶୁଭିଯାଏ, ଗାଁ’ର ଖୋଳ ସଂକୀର୍ତ୍ତନ ।
ସଭ୍ୟତା, ପରମ୍ପରା, ସଂସ୍କାରକୁ ମଣେ ପ୍ରହେଳିକା’ର ଫାଶ
ପ୍ରଭୁତ୍ୱର ଅଭୀପ୍ସାରୁ ସାଜେ, ଜଡ଼ ବସ୍ତୁବାଦୀତା’ର ଦାସ ।

ପ୍ରାପ୍ତି ପରିତୃପ୍ତିର ସମ୍ମୋହନେ ଜିତିଛି ଖାଲି ନିଃସଙ୍ଗତା
ଅବସୋସ୍ ର ଗାଦି ପରେ ପୁଳାପୁଳା ଟଙ୍କାର ଅଭିଜ୍ଞତା ।
ଶୁଷ୍କ ହସର ବ୍ୟବହାରିକତାରେ ସରିଛି ଅନ୍ତରଙ୍ଗତା
ସମ୍ପର୍କର ସମୀକରଣରେ ଏଠି ଖାଲି ସ୍ଵାର୍ଥ ସଂକୀର୍ଣ୍ଣତା ।

ଅନ୍ତଃକରଣରେ ପଢିପାରେ ଜୀବନର ସୂକ୍ଷ୍ମ ମୂଲ୍ୟବୋଧ
ବିଦେଶୀ ମାଟିରେ ବୁଣେ ସ୍ଵଦେଶୀ ପିଢିର ବୀଜ ଅବବୋଧ ।
ପାରିବ କି ପର କରି ମାତୃଭୂମି ମାତୃଭାଷାର ମମତ୍ୱ
ସ୍ଵଦେଶ ପ୍ରୀତି ପାଖେ ନିଅଣ୍ଟ ହଜାର ମାଇଲ୍ ର ଦୂରତ୍ୱ ।

ମଞ୍ଜୁରୀ ରୋଡ୍, ଭଦ୍ରକ, ଭ୍ରାମ୍ୟଭାଷ- ୯୮୯୦୮୫୧୪୨୭

ଲେଖକ ପରିଚୟ

ପେସାରେ ଜଣେ ଔଦ୍ୟୋଗିକ ପରାମର୍ଶଦାତା( ସୁରକ୍ଷାତ୍ମକ ଆବରଣ), ହେଲେ ସୃଜନଶୀଳ ସାହିତ୍ୟରେ ରୁଚି ପିଲାଟିଦିନରୁ । ୩୦- ୪୦ ଟି କବିତା, ୪-୫ ଟି ଗଳ୍ପ ଓ ୧୦-୨୦ ଟି ସ୍ତମ୍ଭ ରଚନାକୁ ନେଇ ଏଯାଏଁ ଅବିଛିନ୍ନ ସାହିତ୍ୟ ରଚନାର ଧିର ମନ୍ଥର ଧାରା । ଗାଳ୍ପିକ କିବା କବି ବୋଲାଇବାର ଦକ୍ଷତା ଏଯାଏଁ ହାସଲ ହୋଇନାହିଁ ସତ, ହେଲେ ୨୦୨୧ ରୁ ଏଯାବତ୍ ଅନେକ ସମ୍ବାଦପତ୍ର ଓ ପତ୍ରିକାରେ ଲେଖାମାନ ପ୍ରକାଶ ପାଇ ଅନେକ ପାଠକୀୟତା ଅର୍ଜନ କରିପାରିଛି ।

Related Posts

One thought on “ବିଦେଶେ ସ୍ଵଦେଶ ସ୍ମୃତି

  1. Esteemed NeelimaJi,
    Sheer delight extending my deepest gratitude for your solemn gesture, accepting and publishing one of my poem here on this elite forum for the very first time. Trust my little effort through this poem would add some decimal value to this literary panorama ahead.

    Warm Regards
    Manas

Leave a Reply

Your email address will not be published. Required fields are marked *