ଶିବାଶିଷ ପାଢ଼ୀ

ହାଇସ୍କୁଲ ଛକରେ ଥାଆନ୍ତି ସେମାନେ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ଚାରି ପାଞ୍ଚଟି ଠେଲାଗାଡ଼ି ଥାଏ । ସେମାନଙ୍କୁ ଦେଖୁଦେଖୁ ଏଇ ଉତ୍ତର ପଚାଶର ବୟସରେ ବି ମନ କହେ ଯେମିତି ପୁଣି ମୁଁ ଫେରିଯାଇଛି ମୋ ହାଇସ୍କୁଲ ସମୟକୁ । ମନେମନେ କଳ୍ପନା କରୁକରୁ ପାଟିକୁ ଯେମିତି ଆସିଯାଏ ସେ ସ୍ୱାଦ । ଇଛା ହୁଏ ସବୁଦିନ ଯାଇ ଖାଇଦିଅନ୍ତି କୋଡ଼ିଏ ପଚିଶଟି ଗୁପଚୁପ । ହେଲେ ଗ୍ୟାଷ୍ଟ୍ରିକର ଆତଙ୍କ ଫେରାଇଦିଏ ପାଦ । ଏଣୁ ଭାବନାର ସୁଆଦରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ୍ୟ ହୁଏ ମୁଁ । ସବୁଦିନ ଅଫିସରୁ ଫେରିବାବେଳେ କିଛି ଏମିତି ମୁହୂର୍ତ୍ତକୁ ବଞ୍ଚୁଥିଲି ମୁଁ ।

ଆଜି କିନ୍ତୁ ଆଉ ସେ ଆକର୍ଷଣକୁ ଏଡ଼ାଇ ପାରିନଥିଲି, ଆଉ ତାର କାରଣ ବି ହେଲା ଯେ ସବୁଦିନ ଭିଡ଼ ରହୁଥିବା ସେ ନିର୍ଦିଷ୍ଟ ଠେଲାଟି ଆଜି ଖାଲି ଥିଲା । ଯାହା ହେବ ଦେଖାଯିବ – ଭାବି ବାଇକରେ ମାରିଥିଲି ବ୍ରେକ । ପ୍ରାୟତଃ ମୋ ବୟସର ହେବ ସେ ଗୁପଚୁପବାଲା । ମୋତେ ଦେଖି ହସିଦେଇ କହିଲା – ‘ଆସନ୍ତୁ ।‘ ତା ପରେ ସେ ଲାଗିପଡ଼ିଲା ମସଲା ତିଆରି କରିବାରେ । କାଢୁଥିଲା ଆଳୁ । ଲୋକଟି ହସିହସି ମୋତେ ସ୍ଵାଗତ କରିଥିଲା ସିନା ହେଲେ ଲୋକଟି ଏତେ କଠୋର ଥିବ ଏକଥା ମୁଁ ଜାଣି ନଥିଲି ।

ଅଭ୍ୟାସ ବଶତଃ କୌଣସି ଏମିତି ଛୋଟ ଦୋକାନକୁ ଗଲେ ପ୍ରଥମେ ପକେଟର ରେଜା ପଇସା ଚେକ୍ କରେ ମୁଁ । ନହେଲେ ସମସ୍ୟା ହୁଏ । ଦଶ କୋଡ଼ିଏ ଟଙ୍କା ପାଇଁ ବେଳେବେଳେ ହଇରାଣ ହେବାକୁ ପଡ଼େ ତ କେବେ କେମିତି ବିରକ୍ତିକୁ ସାମ୍ନା କରିବାକୁ ପଡ଼େ । ଏଣୁ କିଛି ଖାଇବା ଆଗରୁ ମୁଁ ପଚାରି ଦିଏ ।

ଆଜିବି ଚେକ୍ କଲି ମୁଁ । ପର୍ସରେ ପଡ଼ିଥିଲା ପାଞ୍ଚଶହ ଟଙ୍କିଆ ନୋଟଟିଏ ଓ ମାତ୍ର ଦଶ ଟଙ୍କିଆ ନୋଟଟାଏ । ଏଣୁ ମୁଁ ପଚାରିଦେଲି – ଦଶ କୋଡ଼ିଏର ଖାଇବି ପାଞ୍ଚ ଶହର ଖୁଚୂରା ଅଛି ତ ? ମୁଣ୍ଡ ହଲାଇ ମନା କଲା ସେ । କହିଲା ନାହିଁ ଆଜ୍ଞା ମୋ ସ୍ତ୍ରୀର ଦେହ ଖରାପ ଥିଲା ତ ଏଣୁ ଏବେଏବେ ଆସିଛି ଆଜି । ଆପଣ ଯାଇ ଟଙ୍କାକୁ ଭଙ୍ଗେଇ ଆଣନ୍ତୁ ।

ହେଲେ ମୋ ନିଜ ଉପରେ ମୋର ଭୟ ଥିଲା । ଏଇଠୁ ଖସିଲେ ଡାକ୍ତରଙ୍କ କଥା ଓ ରୋଗର ଭୟ ମୋତେ ଆଉ ଏଠାକୁ ଫେରିବାକୁ ଦେବ କି ନାହିଁ ସେ ନେଇ ସନ୍ଦେହ ଥିଲା । ମୁଁ ଠିକ କଲି ଆସିଛି ମାନେ ଦଶ ଟଙ୍କାର ହେଲେ ଖାଇବି । ପଚାରିଲି – ଦଶ ଟଙ୍କାର କେତୋଟି ଦେଉଛ କି ?

ଛଅଟି ଆଜ୍ଞା । କହିଥିଲା ସେ ।

‘କଣ ହୋ ଛଅଟି ଦେଉଛ ବାକି ସବୁଠି ତ ଆଠଟି ଦେଉଛନ୍ତି’ – ମୁଁ ପ୍ରକୃତରେ ଦର ଜାଣି ନଥିଲି କିନ୍ତୁ କହିଥିଲି ତାକୁ ।

ଆଉ ଜାଣି ନଥିଲି ଯେ ସେଇଟା ହିଁ ଥିଲା ଅସଲ ଦର । ସାମାନ୍ୟ ଅସନ୍ତୁଷ୍ଟ ଜଣାପଡୁଥିଲା ସେ । ମସଲାକୁ ଚକଟୁ ଚକଟୁ କହିଥିଲା – ଠିକ ଯେ ସାର ସେ ଗୁପଚୁପ ଅଲଗା । ଆପଣ ଥରେ ମୋ ପାଖରୁ ଖାଆନ୍ତୁ ଆପଣ ଜାଣିଯିବେ ଯେ ! ହେଲେ ମୁଁ ନାଚାର ଥିଲି । ଯୁକ୍ତିତର୍କ କରି ଦଶ ଟଙ୍କାରେ ସାତଟିରେ ରାଜି କରାଉଥିଲି ତାକୁ । କିନ୍ତୁ ହଠାତ ବଦଳିଗଲା ତାର ବ୍ୟବହାର । ରୋକଠୋକ କହିଲା –

ଛଅଟା ହିଁ ଦେବି ସାର । ଖାଇବେ ତ ଖାଆନ୍ତୁ ନହେଲେ ଯାଇ ଟଙ୍କା ଭଙ୍ଗେଇ ଆଣନ୍ତୁ । ଚୁପ ହୋଇଗଲି ମୁଁ । ଚୁପଚାପ ପତ୍ର ଦନା ଧରି ଛିଡ଼ା ହୋଇଗଲି । ଠିକ ସେତିକିବେଳେ ଆସିଥିଲା ପାଖ ବସ୍ତିର ପିଲାଟିଏ । ଆଠ ଦଶ ବର୍ଷର କି କଣ ହେବ । ବୋଧେ ସକାଳଠାରୁ କେଉଁଠି ଖେଳୁଥିଲା ସେ । ଧୂଳି ଧୂସରିତ ଥିଲା ସମ୍ପୂର୍ଣ ଶରୀର । ପିନ୍ଧିଥିଲା ସରକାରୀ ସ୍କୁଲ ପୋଷାକ କିନ୍ତୁ ତାକୁ ପୋଷାକ କୁହାଯିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ଥିଲି ମୁଁ । କାରଣ ସେ ସାର୍ଟରେ ଗୋଟିଏ ବି ବୋତାମ ନଥିଲା ! ପୁଣି ପଛ ପାଖରେ ଏକ ବିରାଟ ଫାଟ । ପେଣ୍ଟର ବୋତାମ ସ୍ଥାନରେ ଥିଲା ଏକ ବଡ଼ ଗଣ୍ଠି ।

ହାତ ବଢ଼ାଇ ବଢ଼ାଇଦେଲା ଏକ ଦଶ ଟଙ୍କିଆ ନୋଟ । ସମ୍ପୂର୍ଣ ଲୋଚାକୋଚା ହୋଇ ଯାଇଥିଲା ନୋଟଟି । ବୋଧେ କେତେବେଳୁ ତାକୁ ସେମିତି ହାତରେ ଧରିଥିଲା ସେ । ଏବେ ପୁଣି ସେ ଗୁପଚୁପବାଲାର ଚେହେରାକୁ ଫେରି ଆସିଥିଲା ହସ  । ଦନାଟିଏ ବଢ଼ାଇ ଦେଲା ସେ ।

ମୁଁ ଗଣୁଥିଲି ଖାଉଥିଲି । ପ୍ରକୃତରେ ବହୁତ ସ୍ୱାଦିଷ୍ଟ ଥିଲା ସେ ଗୁପଚୁପ । ମୁଁ ଜାଣି ପାରିଥିଲି ଛଅ ଜାଗାରେ ସାତଟି ଦେଇଥିଲା ସେ । ସାମାନ୍ୟ ଆଶ୍ଚର୍ଯ୍ୟ ହେଲି ମୁଁ ଆଉ ଭାବୁଥିଲି ବୋଧେ ଗଣି ଜାଣୁ ନାହିଁ କି କଣ ସେ ! ହେଲେ ଅସଲି ଆଶ୍ଚର୍ଯ୍ୟର କାରଣ ସେୟା ନଥିଲା । ମୁଁ ଆଶ୍ଚର୍ଯ୍ୟ ହେଉଥିଲି ସେ ପିଲାକୁ ଦେଇ ଚାଲୁଥିଲା ସେ । ଦଶ,ଏଗାର, ବାର, ତେର…. ମୁଁ ଗଣୁଥିଲି ପିଲାଟି ମନା କରିଥିଲା ସେତିକିରେ ।

‘ଖଟାପାଣି ପାଇଁ ଦନାକୁ ବଢ଼ାଇ ମୁଁ କହିବାକୁ ଚାହୁଁଥିଲି’ – ପ୍ରକୃତରେ ଦଶ ଟଙ୍କାରେ କେତୋଟି କି ? ହେଲେ ବୋଧେ ମୋ ପ୍ରଶ୍ନକୁ ଆଗରୁ ଜାଣିଗଲା ସେ । ମୋତେ କହିବାକୁ ନଦେଇ ସେ ଆଗରୁ କହିଦେଲା – ‘ସମସ୍ତଙ୍କ ପାଇଁ ଅଲଗା ଅଲଗା ଗଣତି ଥାଏ ଆଜ୍ଞା’

ଏତିକି କହି ଅନେକ କିଛି କହିଦେଲା ସେ । ମୁଁ ବି ହସିଦେଲି । କିନ୍ତୁ ଆଜିଯାଏଁ ବହିରୁ ଶିଖିଥିବା ଗଣତି ବାଦ ଏକ ନୁଆ ଗଣତି ଶିଖୁଥିଲି ମୁଁ । ଭାବୁଥିଲି ପ୍ରକୃତରେ ଇୟେ ହିଁ ଠିକ ଗଣତି ଜାଣିଛି ।

ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮

ଲେଖକ ପରିଚୟ

ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!

Related Posts

Leave a Reply

Your email address will not be published. Required fields are marked *