ସତ୍ୟନାରାୟଣ ଗନ୍ତାୟତ

ହେ ନେତାଜୀ !
ସ୍ୱପ୍ନ ତୁମ ସତତ ସତେଜ
ଅନ୍ତହୀନ ତୁମରି ସଂଗ୍ରାମ
ମୃତ୍ୟୁଂଜୟୀ ତୁମେ
କାଳ ଆଉ ମହାକାଳ ପାଇଁ !

ହେ ନେତାଜୀ !
ତୁମେ ସଦା ଆୟୁଷ୍ମାନ
ସତ୍ୟ ଥିଲା ତୁମ ଶସ୍ତ୍ର
ସାହସ ହିଁ ଥିଲା ସହଚର
ଦେଶଭକ୍ତି ଧମନୀରେ ଧରି
ସଂଗ୍ରାମର ପଥେ ଆଗୁସରି
ଦୃପ୍ତ କଣ୍ଠେ ଦେଇଛ ଆହ୍ୱାନ
ପ୍ରତି ପ୍ରାଣେ ଜଗାଇ ସ୍ପନ୍ଦନ
ଉନ୍ମାଦିତ କରି !

ସ୍ୱାଧୀନତା ଦିଏ ନାହିଁ
କେହି ବି କାହାକୁ
ଶକ୍ତି ବିତ୍ତ କ୍ଷମତା ବଳରେ
ବଳୀୟାନ ପାଶେ କେନ୍ଦ୍ରୀଭୂତ ଯେଉଁ ସ୍ୱାଧୀନତା
ଲୋଡ଼ଇ ସେ
ରକ୍ତଝରା ଦୁର୍ବାର ସଂଗ୍ରାମ
ତା’ ଆଗରେ ନିରର୍ଥକ
ଜନତାଙ୍କ ସବୁ ନିବେଦନ ଆଉ ବ୍ୟାକୁଳତା !

ହେ ନେତାଜୀ !
ଶାନ୍ତି ନଥିଲା କେବେବି ତୁମର
କ୍ରାନ୍ତି ପଥରେ ଭ୍ରାନ୍ତିଠୁ ଥିଲ ଦୂରେ
ହେଲେ ଏବେବି ପରାଧୀନ ଆମେ
ପରାଭୂତ ଆମ ପ୍ରତିବଦ୍ଧତା !

କାହିଁ ପ୍ରତିଧ୍ୱନି ?
ଯଦିଓ ଏବେବି ଅନ୍ତରେ ହେଉଛି ଧ୍ୱନିତ
ରକ୍ତ ଦିଅ
ରକ୍ତ ଦିଅ ମିଳିବ
ତୁମକୁ ସ୍ୱାଧୀନତା !!

“ସୁହାସିତମ୍”,କସ୍ତୁରୀ ନଗର, ରାୟଗଡା : ୭୬୫୦୦୧, ମୋବାଇଲ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା ସହ ସ୍ତମ୍ଭ ନିବନ୍ଧାଦି ବିବିଧ ବିଷୟକ ଗଦ୍ୟ ରଚନାରେ ରୁଚି ରଖି ଆସିଥିବା ଲେଖକଙ୍କ “ଥୁଣ୍ଟାଗଛ” ଓ “ଛବିର ମଣିଷ” ଶୀର୍ଷକ ଦୁଇଟି କବିତା ବହି ପ୍ରକାଶିତ । ଏଲ.ଆଇ.ସି, ରାୟଗଡ଼ା ଶାଖାର ସେବାରତ ଲେଖକ ସମ୍ପ୍ରତି ନିଜ ଦିବଙ୍ଗତ ଅନୁଜ ଗନ୍ତାୟତ ଶିବପ୍ରସାଦ ଓ ଅଗ୍ରଜା ନିର୍ମଳାଙ୍କ ଅପ୍ରକାଶିତ ରଚନାବଳିଙ୍କ ସଙ୍କଳନ ଓ ସଂକରକ୍ଷଣର ଭଳି ସାରସ୍ୱତ କର୍ମରେ ନିମଗ୍ନ ।

Related Posts

Leave a Reply

Your email address will not be published. Required fields are marked *