ସୁଧୀର କୁମାର ପଣ୍ଡା

ପେଟର ଆରପାଖରେ
ମସୃଣ ଚଟାଣ
ଆକାଶ ପରି ଦିଶେ
ପଡ଼ିଆ ପରି ଦିଶେ
ସମୁଦ୍ର ପରି ଦିଶେ ।

ହାତରେ ଗଢିଥିବା
ଭବିଷ୍ୟତର ସ୍ଵପ୍ନ
ସଫଳ କରିବାକୁ
ଆଗକୁ ପାତିଦିଏ
ମଥା, କଥା, ବ୍ୟଥା
ଦୁର୍ଦ୍ଦିନକୁ ଢାଲ କରି
ପାତି ହୁଏ ପିଠି ।

ଘୋଡ଼ା ହୋଇ
ସ୍ନେହର ଭାରକୁ
ବୋହିବାକୁ ଏଠି
ସଦା ପ୍ରସ୍ତୁତ ସେ ପିଠି ‌।

ପେଟର ନାଟ
ସମୟର ଛାଟ
ଭବିଷ୍ୟତ ବାଟ
ସବୁକୁ ଆପଣା
ପିଠିରେ ଅଗଣା ।

ସବୁ ଭାର
ମୁଣ୍ଡାଇବା କଷ୍ଟ,
ପୃଥିବୀକୁ ବୋହିଥିବା
ବାସୁକୀ ନାଗ ବା
ହରକ୍ୟୁଲସ୍ ଭଳି,
ଆପଣାର ସୁଖ ସବୁ
ଜଳାଞ୍ଜଳି ଦେଇ
ସୁଖ ଦେଖେ
ପରିବାର, ସନ୍ତାନ ଆଖିରେ ।

ସ୍ଵପ୍ନ ଦେଖେ
ପିଠି ଏକ ଅଗାଧ ସମୁଦ୍ର
ପିଇ ଦେଇ ସବୁ ଲୁହ,
ଲୁଚାଇ ସେ ସବୁ କୋହ,
ଲୁଣ ହୋଇ ସ୍ଵାଦ କରେ
ଜୀବନ ବ୍ୟଞ୍ଜନ ।

ସୁଖ ସମୃଦ୍ଧିର ପଣ
ସୁଝିବାକୁ ସବୁ ଋଣ
ନିଜକୁ ସେ କରିଦିଏ
ମାଲବାହୀ ଗାଡ଼ିର ଚଟାଣ
ବୋହିବାକୁ ସବୁ ବୋଝ,
ଅବା ଆଶ୍ରୟ ସତତ
ଏକ ସ୍ଥିର ଅନାହତ
ଜୀବନର ପୋତ ।

ପିଠିଟିଏ
ଧର୍ମ ହୁଏ
ସ୍ଵର୍ଗ ହୁଏ
ହୁଏ ପରମ ତପ,
ପରିବାର ଦାୟିତ୍ଵକୁ
ପିଠାଇ ପିଠାଇ
ପିତା ହୁଏ
ପିଠିର ସ୍ଵରୁପ ।

ବ୍ରହ୍ମପୁର, ମୋବାଇଲ – ୯୩୩୭୭୮୨୯୧୨

ଲେଖକ ପରିଚୟ

ଦଶ ବର୍ଷ ପରିସଂଖ୍ୟାନ ସଂସ୍ଥା ନିଲସନସ୍‌ରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କଲାପରେ ବ୍ରହ୍ମପୁର ସହରରେ ନିଜର ଔଷଧ ବ୍ୟବସାୟରେ କାର୍ଯ୍ୟରତ ।  ବିଭିନ୍ନ ଧାରାର କବିତା ବିଶେଷତଃ ଓଡ଼ିଆ ସନେଟ୍, ହାଇକୁ ଓ ଅନୁସୃଜନ କବିତା ରଚନାରେ ସିଦ୍ଧହସ୍ତ । ସେ ବିଭିନ୍ନ ସାହିତ୍ୟ ସଂଗଠନରେ ସମ୍ପୃକ୍ତ ଏବଂ ସାହିତ୍ୟର ବହୁବିଧ ଉନ୍ନତି ପାଇଁ କାର୍ଯ୍ୟରତ ।

Related Posts

Leave a Reply

Your email address will not be published. Required fields are marked *