ମନୋଜ ଦାସଙ୍କ ଫଟୋକୁ ‘ଶିଶୁଲେଖା’ରେ ବିକୃତ କରିବା ପ୍ରସଙ୍ଗ

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ

  • ୧୩୦ ପାଠକଙ୍କ ଦସ୍ତଖତ
  • ପ୍ରସାରଣ ବନ୍ଦ ଦାବି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ଶିଶୁ ପତ୍ରିକା ‘ଶିଶୁଲେଖା’ରେ ପ୍ରଥିତଯଶା ଲେଖକ ମନୋଜ ଦାସଙ୍କ ଫଟୋକୁ ବିକୃତ କରିବା ପ୍ରସଙ୍ଗରେ ଲିଖିତ ଅଭିଯୋଗ ହୋଇଛି । ରାଜ୍ୟପାଳ ଗଣେଶୀ ଲାଲ୍‍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡି଼ଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସଚିବଙ୍କୁ ଇ-ମେଲ ଯୋଗେ ପାଠକ ଭଞ୍ଜ କିଶୋର ମହାନ୍ତି ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ରରେ ୧୩୦ଜଣ ପାଠକ ଦସ୍ତଖତ କରିଛନ୍ତି ।

ଶିଶୁଲେଖାରେ ମନୋଜ ଦାସଙ୍କ ଏକ ଫଟୋକୁ ଭିନ୍ନରୂପ ଦିଆଯାଇଛି । ମୂଳ ଫଟୋଟିକୁ ଦେଖି ଚିତ୍ରଶିଳ୍ପୀ ଆଙ୍କିଥିଲେ ହେଁ ତାକୁ ଆଉ ଏକ ରୂପ ଦେବାକୁ ଚେଷ୍ଟା କରାଯାଇଛି । ଯାହା ପାଠକମାନଙ୍କ ଭାବାବେଗକୁ କୁଠାରଘାତ କରିଛି । ଫଟୋଟି ଦେଖିବା ପରଠୁ  ପାଠକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଆସୁଛନ୍ତି । ପ୍ରସାରଣ ବନ୍ଦ କରି ପୁନଃ ସଂଶୋଧିତ ପତ୍ରିକାର ପ୍ରସାରଣ ପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚରେ ଦାବି ହୋଇଆସୁଛି । ମାତ୍ର ଏ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ ହୋଇନଥିଲା । ଆଜି(ଗୁରୁବାର) ଶ୍ରୀ ମହାନ୍ତି ଇ-ମେଲ ଯୋଗେ ଏ ଦିଗରେ ପଦକ୍ଷେପ ନେବାକୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ଶ୍ରୀ ମହାନ୍ତି ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପ୍ରବୀଣା ମହାନ୍ତିଙ୍କ ନିବନ୍ଧରେ ପ୍ରକାଶିତ ଫଟୋଟି ମନୋଜ ଦାସଙ୍କ ବାସ୍ତବ ଫଟୋ ନୁହଁ । ତାକୁ ବିକୃତ କରି ଛପା ଯାଇଛି । ଯାହା ଆଦୌ ଭଲ ଲାଗୁନାହିଁ । କୋମଳମତି ଶିଶୁ, ଛାତ୍ରଛାତ୍ରୀଙ୍କ ମନରେ କିମ୍ବଦନ୍ତୀ ପୁରୁଷ ମନୋଜ ଦାସଙ୍କ ଅବାସ୍ତବ ଫଟୋଟି ଭିନ୍ନ ପ୍ରଭାବ ପକାଇବ । ତେଣୁ ଏହି ସ୍ୱତନ୍ତ୍ର ସଂସ୍କରଣଟିର ପ୍ରସାରଣ ବନ୍ଦ କରି ଆଉ ଥରେ ପ୍ରକାଶ କରାଯାଉ ।

ଏନେଇ ଅନଲାଇନ ମାଧ୍ୟମରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା । ଅଳ୍ପ ସମୟ ମଧ୍ୟରେ ଅଭିଯାନରେ ୧୩୦ ପାଠକ ଦସ୍ତଖତ କରିଛନ୍ତି । ସମସ୍ତଙ୍କର ଦାବି ତୁରନ୍ତ କ୍ଷମାପ୍ରାର୍ଥନା ସହ ତ୍ରୁଟି ସଂଶୋଧନ କରାଯାଉ ।

ଏ ବିବାଦରେ ସଂସ୍କୃତି ମନ୍ତ୍ରୀଙ୍କଠାରୁ ପତ୍ରିକାର ସମ୍ପାଦକଙ୍କ ଯାଏ ସମସ୍ତେ ଅବଗତ ଅଛନ୍ତି । ସମ୍ପାଦକ ସାମାଜିକ ଗଣମାଧ୍ୟମରେ କ୍ଷମାପ୍ରାର୍ଥନା କରିଥିଲେ ହେଁ ପାଠକଙ୍କର ଦାବି ସମ୍ପର୍କରେ ସମସ୍ତେ ଚୁପ୍‍ ରହିଛନ୍ତି, ଯାହା ପାଠକଙ୍କ କ୍ଷୋଭକୁ ବଢ଼ାଇ ଦେଇଛି ।

Related Posts

Leave a Reply

Your email address will not be published. Required fields are marked *