ଡ. ବିଭୁଦତ୍ତ ନାୟକ

ଦୀପଟିଏ ହେଇ
କିଛି ସମୟ ଜଳିପାରିବ ମୋ ପାଇଁ ?
ବିଶ୍ଵାସ ଅଛି ମୋର, ତୁମେ ମନା କରିବନି,
ଏଠି ଖୁବ୍ ଅନ୍ଧାର
କଥା ଦିଅ, ଆଲୁଅ ଧାରେ
ବିଚ୍ଛେଇ ଦେଇଥିବ
ମୋ ଅଙ୍କାବଙ୍କା ଚଲାପଥରେ
ମୋର ଶେଷ ପଦପାତ ଯାଏଁ …
ତା ଆଗରୁ କେବେ ଲିଭିଯିବନି !

ଚିରୁଡ଼ାଏ ଆଲୋକ ତ ମାଗୁଛି,
ମୁହଁ ଦିଶୁ ନଥିବା ଏଇ ଅନ୍ଧାରରେ
ନାକଫୁଲ ପରି ଛୋଟ ମୋ ଖୁସି ଟିକକ
ଜାଣେନା କେତେବେଳେ କେଉଁଠି ଖସି ପଡ଼ିଛି,
ତାକୁ ଖୋଜିବାକୁ ହେବ !
ସୁତରାଂ, ଆଲୁଅ ଧାରେ ପାଇଁ ତୁମକୁ ଜଳିବାକୁ ହେବ !

ଦୀପାଳିଟିଏ ଜାଳି
ବୁଣିହୁଅନ୍ତା ଯଦି ପ୍ରେମର ବୀଥିକା,
ଆଙ୍କି ହୁଅନ୍ତା ଯଦି
କାନଭାସ୍ ର ଚିତ୍ର ପରି ପୃଥିବୀଟିଏ
ଯେଉଁଠି ସବୁକିଛି ସୁନ୍ଦର
ଖୁବ୍ ସୁନ୍ଦର …
ଅବିକଳ ତୁମ ପରି,
ଅସଜଡ଼ା ନଥିବ କିଛି
ନା ଥିବ କିଛି ଅଦରକାରୀ …
ଜାଳିଦିଅନ୍ତି ମୁଁ ପରାର୍ଦ୍ଧେ ଦୀପାଳି,
ହେଲେ, ଦୀପତଳ ପରି
ମୁଁ ସବୁବେଳେ ଅନ୍ଧାରରେ …
ତେଣୁ, ତୁମେ ଜଳୁଥାଅ
ମୋ ଚିତ୍ରଅଙ୍କା ସରିବା ଯାଏଁ !

ସାରାଟା ଅନ୍ଧାରରେ
ଖୋଜୁଥିଲି ମୁଁ ଜୀବନକୁ
ଝୁଣ୍ଟୁଥିଲି ବାରମ୍ବାର
ନିଃଶ୍ୱାସ କ୍ଷୀଣରୁ କ୍ଷୀଣତର,
ଅବଶ ଅବୟବମାନଙ୍କୁ ମୋର
ବୋହିଚାଲିବା ଆଉ ସମ୍ଭବ ହେଉନାହିଁ,
ଆଶ୍ରା ଟିକେ ଖୋଜିବାକୁ ହେବ ଏଣିକି
କଥା ଦିଅ, ଆଲୁଅ ଧାରେ
ଚିରକାଳ ବିଚ୍ଛେଇ ଦେଇଥିବ ମୋ ପାଇଁ !!

ପଟନା, ବିହାର, ମୋବାଇଲ – ୮୭୭୯୩୧୯୬୬୪

ଲେଖକ ପରିଚୟ

ଏକ ସାହିତ୍ୟ ଅନୁରାଗୀ ପରିବାରରେ ଜନ୍ମଗ୍ରହଣ କରିଥିବା ଡ. ବିଭୁଦତ୍ତ ନାୟକ, ପେଶାରେ ଜଣେ ବ୍ୟାଙ୍କ ଅଫିସର, ଅଥଚ କବିତା ଲେଖିବା ସହ ଗଳ୍ପ, ପ୍ରବନ୍ଧ, ଓ ପୁସ୍ତକ ସମୀକ୍ଷା ଲେଖିବାରେ ସେ ପାରଙ୍ଗମ । ତାଙ୍କର ତିନୋଟି କବିତା ସଂକଳନ “ନିଃଶବ୍ଦର ଶବ୍ଦ” (୨୦୧୯), “ତୁମେ ଆସିବ ବୋଲି” (୨୦୨୦) ଓ “ଝର୍କା ପାଖର ଏକଲା ମଣିଷ” (୨୦୨୨) ପ୍ରକାଶିତ ହୋଇସାରିଛି l

Related Posts

Leave a Reply

Your email address will not be published. Required fields are marked *