ଡ. ଜ୍ୟୋତି ପ୍ରକାଶ ମହାପାତ୍ର

ଜୀବନର ସୁଆଦ ଅଛି । ମରଣ ନାହିଁ, ଦୁଃଖ ନାହିଁ ।

କେଡ଼େ ଚମତ୍କାର ଓ ଆବେଗପୂର୍ଣ୍ଣ ଶବ୍ଦରେ ଜୀବନକୁ ଦୁଇ ଧାଡ଼ିରେ ଲେଖି ଦେଇଥିଲେ ଗୋପୀନାଥ ମହାନ୍ତି ! ପୁୟୁ, ପୁବୁଲି, ସରବୁ ସାଓଁତାର ଜୀବନକୁ ‘ଅମୃତର ସନ୍ତାନ’ରେ ପାହାଡ଼ର ଧାଡ଼ି ପରେ ଧାଡ଼ି ବର୍ଣ୍ଣନା କରୁଥିବାବେଳେ ଶେଷକୁ ଏଇ ଦୁଇ ଧାଡ଼ିରେ ଗୋପୀନାଥ ମହାନ୍ତି ସାରିଥିଲେ – ଆମ ଭାଷା ସାହିତ୍ୟର ଶ୍ରେଷ୍ଠ ଉପନ୍ୟାସକୁ ।

ନେଳିଆ, ସବୁଜ, କରମଙ୍ଗା ପରି ପାହାଡ଼ କତିରେ ଜୀବନର ଆନନ୍ଦ ଦେଖିଥିଲେ ସେ । ହଜାର ହଜାର ଫୁଟ କନ୍ଧ ଭୂଇଁରେ ଜୀବନ କିପରି ଅଳସୀ ଛୁଆଁ ଗଛ ଛାଇରେ ରଙ୍ଗେଇ ହୁଏ, କି ମହୁଲ ନିଶାରେ ଟଳଟଳ ଜୀବନୀ ପାଦଚିହ୍ନ କିପରି ଗୋଳେଇପୋଳେଇ ହୋଇ ଅଲଗା ସୁଅରେ ବୋହିଯାଏ କିମ୍ବା ପଇସା କିପରି ପଇସାକୁ ଡାକେ, ସେ ରକ୍ତଲଗା କି ମାଂସଲଗା ପଇସା ହେଉ ଆଉ ତା’ରି ଭିତରେ ଶୁକ୍ରୁ ଯାନିର ଜୀବନକୁ ଦେଖି – ପାହାଡ଼ ସନ୍ଧିର ମଣିଷଙ୍କ ମନରେ ବିପ୍ଳବର ନିଆଁ ଖଞ୍ଜି ଦେଇଥିଲେ ଯିଏ – ସେ ଗୋପୀନାଥ ମହାନ୍ତି ।

ଏ ଜାତିର, ଭାଷା ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ସ୍ରଷ୍ଟା । ଫକୀରମୋହନଙ୍କ ପରେ ଯଦି କିଏ ଏ ଜାତିକୁ ଜାବୁଡ଼ି ଧରି ତା’ର ପ୍ରତିଟି ଟିକିନିଖି କଥାକୁ ଗଦ୍ୟ ସାହିତ୍ୟରେ ଝରଣା ପରି ପ୍ରବହମନା ବାଗରେ ଫୁଟେଇ ଥିଲେ – ସେ ଗୋପୀନାଥ ମହାନ୍ତି । ମଣିଷର ମନଗହନର କଥା, ଉଷୁମ ମନହାଣ୍ଡିରେ, ଭାତହାଣ୍ଡିରେ ମଣିଷର ଥାନ, ମନଗହନର ଯନ୍ତ୍ରଣା ଓ ତାର ନିରବ ଚିତ୍କାର, ଆକାଶକୁ ବ୍ୟାପ୍ତ କରିଥିବା ଭସା ବାଦଲ, ଆକାଶକୁ ଛୁଇଁବା ପାଇଁ କୋଉଦିନରୁ ଅନେଇ ପଡ଼ିଥିବା ଧାଡ଼ିଧାଡ଼ି ବୁଢା ପାହାଡ଼ ଓ ତା’ରି ସଭ୍ୟତା ଭିତରେ ଜୀଉଁଥିବା ପଲପଲ, ହାଉଜାଉ ମଣିଷଙ୍କ ନିରବ ସଂଳାପ ତ ଗୋପୀନାଥ ମହାନ୍ତିଙ୍କର ପ୍ରତିଟି ଲେଖାରେ ସ୍ପଷ୍ଟ !

ଗାଁ ଗଣ୍ଡାର ଭାଷା, ଆମ ତମ ଲୋକଭାଷା, ତାଙ୍କ ବୋଉର ଭାଷା, ଚଳଣିକୁ ସାରା ବିଶ୍ୱରେ ପରିଚିତ କରେଇ ଦେଇଥିଲେ ଗୋପୀନାଥ ମହାନ୍ତି । ସମୁଦ୍ରକୂଳର ମଣିଷ, ଗାଁ ଭାଗବତ ଗାଦିରେ ଭାଗବତ ଶୁଣି ଭାଗବତ ପ୍ରେମରେ ଲଣ୍ଠନ ଆଲୁଅରେ ଢୁଳେଇ ପଡ଼ିଥିବା ମଣିଷର ମନ ଓ ସ୍ୱପ୍ନ, ଶଗଡ଼ ଧୂଳି ବୋଳା ରାସ୍ତାରେ ନିଇତି ଯାଉଥିବା ଆସୁଥିବା ମଣିଷର କାହାଣୀକୁ ସେ ଦେଖେଇ ଯାଇଛନ୍ତି ସାରା ବିଶ୍ୱକୁ ।

୧୯୪୦ ମସିହା ମଇ ମାସରୁ ୧୯୪୪ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୋରାପୁଟରେ ମାଜିଷ୍ଟ୍ରେଟ ତଥା ଏଜେନ୍ସି ମୁନ୍ସୀ ଭାବରେ ଥିଲାବେଳେ ସେ ରଚନା କରିଥିଲେ ଅନବଦ୍ୟ ଉପନ୍ୟାସ ‘ଦାଦିବୁଢା’ (୧୯୪୪), ‘ପରଜା’ (୧୯୪୫), ‘ଅମୃତର ସନ୍ତାନ’ (୧୯୪୯), ‘କୁଂଭିକନ୍ଧ ଭାଷାତତ୍ୱ’, ‘ଗଦବା ଭାଷା ପରିଚୟ’ । ‘ମାଟି ମଟାଳ’ ତ ପୁରୁଷ ପୁରୁଷର କାହାଣୀ କହେ ।

ତାଙ୍କର ଉପନ୍ୟାସ ମଧ୍ୟରେ ‘ମାଟି ମଟାଳ’ (୧୯୬୪), ‘ଶିବଭାଇ’ (୧୯୫୫), ‘ଅପହଞ୍ଚ’ (୧୯୬୧), ‘ବଘେଇ’ (୧୯୭୬) ଓ ‘ଅନାମ’ (୧୯୯୩) ଆଦିବାସୀ ଜୀବନକୁ ନିଖୁଣେଇ ଦର୍ଶାଏ ।

‘ଦାଦିବୁଢାରେ’ ସେ ଦେଖେଇଛନ୍ତି – ପ୍ରକୃତି ଭିତରୁ ଗୋଟେ ଗଛ ଗଣ୍ଡିରେ ଚୋଟ ପକେଇ ମଣିଷ କେମିତି ସେଥିରେ ରଂଗ ବୋଳି ଦେବତାଙ୍କୁ ଡାକି ଆଣେ ଆଉ ସେ ବିଶ୍ୱାସ ଆସ୍ତେ କୋଉ ବାଗରେ ଅପସରି ଯାଏ, ପୁଣି ପରିତ୍ୟକ୍ତ ହୋଇ ଯାଆନ୍ତି ଦିଅଁ ।

୧୯୭୫ ମସିହାରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟରୁ ଡି.ଲିଟ୍ ଉପାଧି, ୧୯୭୯ ମସିହାରେ ୟୁ.ଜି.ସି. ଫେଲୋସିପ୍ ସହ ୧୯୮୧ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଭୂଷଣ ଉପାଧି ପାଇଛନ୍ତି  । ଏ ଜାତିର ଭାଷା ସାହିତ୍ୟର ପ୍ରଥମ ଜ୍ଞାନପୀଠ ଓ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ତାଙ୍କୁ ହିଁ ମିଳିଥିଲା ।

ତେବେ ଏ ପୁରସ୍କାର, ଏ ସମ୍ମାନକୁ ଛାଡ଼ି ଗୋଟେ ସଦା ଅନ୍ୟମନସ୍କ ଜାତିକୁ ତାରି କାହାଣୀ ସେ ଶୁଣେଇଛନ୍ତି, କହିଛନ୍ତି ଗୋଟି ଗୋଟି କରି ତାଙ୍କରି ଭାଷାରେ, ଗଦ୍ୟରେ ପଦ୍ୟ ଲେଖି ମିଣିଆପାୟୁ ହେଉ କି ସୋରିଷପଦର ପ୍ରତି ଆଡେ଼ ସେ ଜୀବନର ଜଞ୍ଜାଳ ସହ ତାରି ସଂଘର୍ଷ, ମନର ଚଉପଦୀ ଲେଖି ଯାଇଛନ୍ତି ଗୋପୀନାଥ ।

୧୯୧୪ ଏପ୍ରିଲ ୨୦ ତାରିଖରେ ସଦା ଭଲ ପାଉଥିବା ଏ ପୃଥିବୀକୁ ଆସିଥିଲେ ସେଇ ଅମୃତର ସନ୍ତାନ ।

ଯାଜପୁର, ମୋବାଇଲ – ୯୪୩୭୦୮୦୦୪୮

ଲେଖକ ପରିଚୟ

ଡ. ମହାପାତ୍ର ଜଣେ ଗଣମାଧ୍ୟମ ଶିକ୍ଷାବିତ ଓ ସାମ୍ବାଦିକ ଭାବେ ଢେର ବର୍ଷ କାର୍ଯ୍ୟ କରିଛନ୍ତି । ସେ ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖନ୍ତି । ମାଟି ଓ ମଣିଷଙ୍କୁ ନେଇ ଗପ ଓ କବିତା ଲେଖୁଥିବା ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ‘ଯାଜପୁର-ସେ ସମ୍ପର୍କ ସେଇମିତି’ ନାଁରେ ସଂକଳନଟିଏ ପ୍ରକାଶିତ ହୋଇସାରିଛି । ଏହା ବେଶ ପାଠକୀୟ ଆଦୃତି ମଧ୍ୟ ଲାଭ କରିଛି ।

Related Posts

Leave a Reply

Your email address will not be published. Required fields are marked *