ଅରୁଣ କୁମାର ତ୍ରିପାଠୀ

ଭେଣ୍ଟିଲେଟରରେ ଯେବେ ମୁଁ ଅଚେତ ଥିଲି
ମୋ କଷ୍ଟକୁ ନିଜର କରି
କଇଁକଇଁ ହେଇ ଚାଲିଆସିଥିଲ ତମେ
ଅନଅଥରାଇଜଡ୍ ଲିଭ୍ କୁ ଭୃକ୍ଷେପ ନକରି
ମୋ ପାଦ ଧରି କାନ୍ଦୁଥିଲ ଯେବେ
ହେଲେ ନିର୍ଦ୍ଦୟ ବିଧାତା
ମୋ ପାଟିରୁ ଆହାଃ ପଦେ ବି ଶୁଣେଇଲାନି !
ବରଂ ମୋ ପରିଜନ ତୁମକୁ ନିନ୍ଦିଲେ ବହୁତ
ହେଲେ ମୋର ବା ଦୋଷ କଣ !
ବୋଧେ ପ୍ରାରବ୍ଧର ପାପ ସବୁ
କାଳର ସହଚରୀ ହୋଇ
ମୋତେ ନିତ୍ୟ ନାଶୁଅଛି !
ପୂର୍ଣ୍ଣମୀ ବାସିରେ ଯେବେ ମୁଁ
ଦୁନିଆରୁ ବାହୁଡ଼ିଲି
ଚିତ୍କାର କରି କେଶକୁ ବିଦାରି
ଲୁହ ସବୁ କିଆଁ ତୁମେ ସାରିଦେଲ ?
ବୁକୁ ଫଟେଇ କାହିଁ ଏତେ କାନ୍ଦ,
କୋହକୁ ଆବାହନ କରି
ବିଧାତାକୁ କାହିଁ ଏତେ ଗାଳି ଦିଅ ?
ମୁଁ ଅଛି ଏବେବି ତୁମ ପାଉଁଜିରେ
ଝୁମୁକାର ସୂର ହେଇ
ମୁଁ ଅଛି ଏବେ ବି ତୁମ ଆନନରେ
ଲିଭିଥିବା ହସ ହେଇ ।
ମୁଁ ଅଛି ଏବେ ବି ତୁମ ଓଢଣୀରେ
ଲହକା ପଣରେ ଥାଇ ।
ମୁଁ ଅଛି ଏବେ ବି
ତୁମ ହୃଦୟରେ ପ୍ରଥମ ଭାବନା ହେଇ !
ମୁଁ ଅଛି ଏବେବି ତୁମ ପ୍ରଶ୍ୱାସରେ
ନିଶ୍ୱାସର ଛାଇ ହେଇ
ମୁଁ ଅଛି ଏବେ ବି ତୁମ ନୟନରେ
କଜଳ ଗାରଟି ହେଇ ।
ମୁଁ ଅଛି ଏବେ ବି ତୁମ ଧମନୀରେ
ରକ୍ତର ସପତ୍ନୀ ହୋଇ !
କାନ୍ଦ ନାହିଁ ପ୍ରିୟେ, ମୋ ଆତ୍ମବେଦନା
ହଉଛି ଆହୁରି ବେଶି
ସିନ୍ଦୁର ଟୋପାଏ ନଦେଇ ପାରିଲି
ଆୟୁଷ ତ ଥୋଇଦେଲି !
ଜୟପୁର, ମୋ – ୯୦୭୮୮୩୮୬୨୭
ଲେଖକ ପରିଚୟ
କବିତାରୁ ନିଜର ସାରସ୍ୱତ ଯାତ୍ରା ପ୍ରାରମ୍ଭ କରିଥିଲେ, ସେତେବେଳେ ନବମ ଶ୍ରେଣୀ । ଅର୍ଥଶାସ୍ତ୍ର, ଲୋକ ପ୍ରଶାସନ, ସମାଜ ଶାସ୍ତ୍ର, ସାମ୍ବାଦିକତା ଏବଂ ଗଣଯୋଗାଯୋଗରେ ସ୍ନାତକୋତ୍ତର ହାସଲ କରିଥିବା ଶ୍ରୀ ତ୍ରିପାଠୀ ଆଦିବାସୀ ଅଧ୍ୟୟନରେ ବିଦ୍ୟାନିଶାନ୍ତ ହାସଲ କରିଅଛନ୍ତି । ସାମ୍ପ୍ରତିକ ବିଷୟକୁ ନେଇ ରାଜ୍ୟର ବିଭିନ୍ନ ଖବରକାଗଜରେ ସ୍ତମ୍ଭ, ଗଳ୍ପ ତଥା କବିତାମାନ ଲେଖନ୍ତି । ଓଡ଼ିଆ ଏବଂ ଇଂରାଜୀ ମିଶାଇ ୩ ଟି ପୁସ୍ତକ ପ୍ରକାଶିତ ହୋଇ ସାରିଥିବା ବେଳେ ଆଉ ଏକ ପୁସ୍ତକ ପ୍ରକାଶନ ଅପେକ୍ଷାରେ ।