ବରଷା ରାଣୀ ଆଖିରେ ପାଣି !

ଦ୍ୱିତୀ ଚନ୍ଦ୍ର ସାହୁ

ଉଦୁଉଦିଆ ଖରା । ଭଦୁଅ ମାସ । ସାର ପିଇ ବିଲବାଡ଼ିରେ ଧାନ କଳା ମଚମଚ ହେଇଛି । ଆଉ କିଛି ଦିନ ଭିତରେ ଗର୍ଭ ସଂଚାର ହୋଇ ଫୁଲ ଖେଳେଇବ । ହେଲେ ବର୍ଷା ରାଣୀର ଦେଖା ନାହିଁ । ଅପେକ୍ଷା କରି କରି ହତାଶ ହୋଇଗଲେ ଚାଷୀ କୂଳ । ଜମିରେ ପାଣି ଚବର ଚବର । କୋଉଠି କୋଉଠି ମାଟିରେ ଦଉଡ଼ି ସମାନର ଫାଟ । ବିଲ ଭିତରେ ବିକଳ ଚିତ୍ର । ମାଟିରେ ଅସଂଖ୍ୟ ରେଖା ଚିତ୍ର ଭିତରେ ଜଳଜଳ ଦିଶୁଛି ଚାଷୀର ବିଡ଼ମ୍ବିତ ଭାଗ୍ୟ ରେଖା । ବିଲ ପାଣିକୁ ଆଶ୍ରା କରିଥିବା କୀଟପତଙ୍ଗ, ଜଳଚର ସବୁ କୁଆଡ଼େ ଗାୟବ । କୁଦା ମାରିଥିବା ଧାନ ଗଛ ସବୁ ମଳିନ ପଡ଼ି ଆସିଲେଣି । ଆଉ କିଛିଦିନ ଭିତରେ ବର୍ଷା ନହେଲେ ଧାନର ପତ୍ର ସବୁ ମୋଡ଼ି ହୋଇ ଶୁଖିଯିବେ । ଆକାଶକୁ ଚାହିଁ ରହିଛି ସବୁ ଚାଷୀ ପରିବାର ।

ଜମି ହେଉଛି ଅନ୍ନଦାତ୍ରୀ ମାଆ । ବର୍ଷକର ଗୁଜରାଣ ସେଥିରୁ ଚାଲେ । ଆକାଶରେ କୁହୁଳିଆ ପାଗ ହେଲେ ମନରେ ଅସମ୍ଭବ ଆଶା ଉଙ୍କି ମାରେ । କିନ୍ତୁ ମେଘ ଫାଙ୍କରୁ ସୂର୍ଯ୍ୟ ଦିଶିଲେ ପୋଷେ ରକତ ଶୁଖିଯାଏ ସମସ୍ତଙ୍କର । ପାଣି ମାଡ଼ିବାକୁ  କେନାଲ ନାହିଁ । ତେଣ୍ଡାରେ କି ପମ୍ପରେ ଉଠେଇବାକୁ ବନ୍ଧବାଡ଼ରେ ବି ପାଣି ଯଥେଷ୍ଟ ନାହିଁ । ଏମିତି ଏକ ଉଦାସିଆ ଖରାବେଳିଆରେ ଖଟିଆ ଗୋଟେ ସାହି ଭିତରକୁ ପଶିଲା । ତା’ସହିତ ଶୁଭିଲା ଗୀତ ।  ଶୁଭୁଛି ବାଜା । ଯୁବକମାନେ ମତପୁରି ହୋଇ ନାଚୁଛନ୍ତି । ଦୁଇ ଜଣ ଗାଁ ଯୁବକ ଖଟିଆକୁ ବୋହିଛନ୍ତି । ଖଟିଆର ଖୁରାଗୁଡ଼ାକ ଯେମିତି ପ୍ରଣାମ ମୁଦ୍ରାରେ ଆକାଶକୁ ଚାହିଁଛନ୍ତି । ଦଉଡ଼ିଆ ଖଟକୁ ଦଉଡ଼ିରେ ବନ୍ଧା ଯାଇ ଗୋଟେ କାଠ ଦଣ୍ଡାରେ ବୁହାଯାଇଛି । ବାଜା ଓ କୋଳାହଳ ଶୁଣି ଘର ଭିତରେ ଥିବା ପରିବାରର ସବୁ ସଦସ୍ୟମାନେ ବାହାରକୁ ଆସିଲାବେଳେ ସାହି ଦାଣ୍ଡରେ ପଟୁଆର । ଖଟ ଉପରେ ଘାସର ଆସ୍ତରଣ । ବନ୍ଧା ହୋଇ ଅସହାୟ ଓ ଉଦବିଗ୍ନ ଅବସ୍ଥାରେ ଅଛନ୍ତି ଦି’ ଟା ବଡ଼ ବେଙ୍ଗ । ମୁଣ୍ଡରେ ସିନ୍ଦୁର ଓ ଚନ୍ଦନ ଲାଗିଛି । ଫୁଲ ସବୁ ବିଛେଇ ହୋଇ ପଡ଼ିଛି ଆଖପାଖରେ । ମଝିରେ ମଝିରେ ଅସ୍ଥିର ହୋଇ ଡେଉଁଛନ୍ତି ଦୁହେଁ । କିନ୍ତୁ କୋଳାହଳରୁ ବର୍ତ୍ତିବା ସହଜ ନୁହେଁ । ମଝିରେ ମଝିରେ କେହିକେହି ପାଖ ଢେଙ୍କି ପାଇପରୁ (ନଳକୂପ)ରୁ ପାଣି ଆଣି ଅଜାଡ଼ି ଦେଉଛନ୍ତି ବେଙ୍ଗ ଆଉ ଭାରୁଆଙ୍କ ଉପରେ । ନାଲି ରଙ୍ଗର ପାଣିରେ ବି ଯୁବକମାନେ ବହୁରଙ୍ଗୀ ଦିଶୁଛନ୍ତି । ଯେମିତି ଆଉ ଏକ ହୋଲି ।

କିଛି ବୁଝିବା ଆଗରୁ ଘରର ତଥା ଆଖପାଖର ମାଇପିମାନେ ହୁଳହୁଳି ପକାଇଲେ । ମଗ୍ନ ପରିବେଶ । ମତୁଆଲା ଗାଁ ଦାଣ୍ଡ । ପ୍ରଥମଥର ପାଇଁ ମାଆଠାରୁ ଜାଣିଲି ବେଙ୍ଗ-ବେଙ୍ଗୁଲିର ବାହାଘର ପାଇଁ ଏସବୁ ସଜବାଜ । ବର୍ଷାକାଳରେ ସାମାନ୍ୟ ସଞ୍ଜରୁ ବେଙ୍ଗମାନେ କେଁକଟର କରନ୍ତି । ଜଣେ ଆରମ୍ଭ କଲେ ବାକି ରହିରହି ସ୍ୱର ସହ ସ୍ୱର ମିଶାଇ ରଡ଼ି ଛାଡ଼ନ୍ତି । ଝିଙ୍କାରୀ ସହ ବେଙ୍ଗର କେଁକଟର ସମ୍ମିଳିତ ସ୍ୱର, ଗାଁରେ ବର୍ଷା ରାତିକୁ ଆହୁରି ଗୁରୁଗମ୍ଭୀର କରିଦିଏ । ଏମିତି ବେଙ୍ଗଙ୍କ କଳରବ ଆଗାମୀ ଦିନରେ ଝଡ଼ି ବର୍ଷାର ସୂଚନା ବୋଲି ଗୁରୁଜନ ଲୋକେ କୁହନ୍ତି । ଏଇ କାରଣରୁ ବେଙ୍ଗଙ୍କ ଭିତରେ କୃତ୍ରିମ ପରିବେଶ ତିଆରି କରି କେଂକଟର କରାଇବା ଉଦ୍ଦେଶ୍ୟରେ ଏମିତି ଆୟୋଜନ । ବେଙ୍ଗ-ବେଙ୍ଗୁଲିର ବାହାଘର ଆୟୋଜନରେ ବର୍ଷା ଦେବତା ‘ବରୁଣ’ କାଳେ ସନ୍ତୁଷ୍ଟ ହୁଅନ୍ତି । ଆର୍ଶୀବାଦ ଦେବାକୁ ବର୍ଷା କରାନ୍ତି ବୋଲି ଲୋକଙ୍କ ଅଗାଧ ବିଶ୍ୱାସ । ଅନାବୃଷ୍ଟି ବେଳେ ସେଥିପାଇଁ ହିନ୍ଦୁ ରୀତିରେ ବେଙ୍ଗ-ବେଙ୍ଗୁଲିର ବାହାଘର କରାଯାଏ । ପଟୁଆର ଗାଁ ସାରା ବୁଲେ ଓ ଭୋଜିଭାତରେ ଗାଁ ମସଗୁଲ ହୁଏ । କାକତାଳୀୟ ନୀତିରେ ହେଉ କି ବେଙ୍ଗ ବାହାଘର ପାଇଁ ହେଉ ସତକୁ ସତ ତାର ଦି’ ଦିନ ପରେ ଗାଁରେ ବର୍ଷା ହୋଇଥିଲା । ସମସ୍ତେ ଖୁସି ହୋଇଥିଲେ । ଆୟୋଜକ ଯୁବକମାନେ ଛାତି ଫୁଲେଇ କିଛିଦିନ ଗାଁ ଦାଣ୍ଡରେ ବୁଲିଥିଲେ ।

ଏବେ ବର୍ଷା ନାହିଁ । ମୌସୁମୀର ଦେଖା ନାହିଁ । ଚାରିଆଡ଼େ ହାହାକାର । ବର୍ଷା ନହେବାର ଅନେକ ସ୍ଥାୟୀ କାରଣ ଆମ ପାଖରେ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । ବିକାଶର ନାଟକରେ ବିନାଶର ଲୀଳା ଚାଲିଛି । ସବୁଜ ପରିବେଶ ନାହିଁ । କେବଳ ସବୁଜ ପରିବେଶ ନଷ୍ଟ ହୋଇନି ବରଂ ଆମ ଭିତରେ ଗତଦିନର ବିଶ୍ୱାସ ଟିକକ ବି ନାହିଁ । ଜାଣିଶୁଣି ମାରି ଦେଇଛୁ କୋଉ କାଳୁ । ବରୁଣ, ଇନ୍ଦ୍ରମାନେ ବି ଆମ ପାଇଁ ଅଲୋଡ଼ା ଯେମିତି । ଆଧୁନିକ ଯୁଗରେ ଏଇ ପ୍ରଥାର ହୁଏତ ପ୍ରାଂସଙ୍ଗିକତା ନାହିଁ । ଏହା ହୋଇପାରେ ଗୋଟେ ଅନ୍ଧବିଶ୍ୱାସ, କିନ୍ତୁ ଏକଥା ସତ ଏବେ ବରଷା ରାଣୀର ଆଖିରେ ସତରେ ପାଣି । କାନ୍ଦି କହୁଛି ତା’ ଦୁଃଖ କାହାଣୀ । ହେଲେ ବିନାଶର ବାଟରେ ଧାଉଁଥିବା ମଣିଷ କେବେ ତା’ କଥା ଶୁଣିନି କି ଶୁଣିବାକୁ ପ୍ରସ୍ତୁତ ବି ନାହିଁ । ଆଉ ଆମ ଭବିଷ୍ୟତ ଦିଶୁଛି ଜଳଜଳ, ନୁହେଁ କି ?

ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା-୭୬୫୦୦୧, ମୋ – ୯୪୩୭୯୦୯୬୭୧

ଲେଖକ ପରିଚୟ

ବୃତ୍ତିରେ ଶିକ୍ଷକ ମାତ୍ର ନିଶା ହେଉଛି ଲେଖିବା ।  ଗଳ୍ପ, ପ୍ରବନ୍ଧ, ଫିଚର, କବିତା, ନାଟକ, ଉପନ୍ୟାସ, ଜୀବନୀ, ଶିଶୁ ସାହିତ୍ୟ, ସ୍ତମ୍ଭ ସର୍ବୋପରି ଜନଜାତି ଗବେଷଣା ପ୍ରସୂତ ଲେଖା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖିଛି ।  ଏଯାବତ୍ ୪ ଟି ଗଳ୍ପ ସଂକଳନ, ୨ ଟି ଉପନ୍ୟାସ, ୩ ଟି ପ୍ରବନ୍ଧ, ୨ ଟି ଆଦିବାସୀ ଗବେଷଣା ପୁସ୍ତକ, ଶିଶୁ କାହାଣୀ ଆଦି ୧୪ ଖଣ୍ଡ ବହି ପ୍ରକାଶିତ ହୋଇଛି । ସମାଜର ସଂଘାତ, ସଂଘର୍ଷ, ଦୁଃଖ ତଥା ଜନଜୀବନର ଚିତ୍ରକୁ ନିଜ ଲେଖା ମାଧ୍ୟମରେ ସବୁବେଳେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଆସିଛି । ଏଇ କ୍ରମରେ ଏବେ ସମୟ ଓ ସମାଜକୁ ନେଇ କିଛି ନିଚ୍ଛକ ଆଲୋଚନା “ସଫା କଥା”ରେ ।

Related Posts

4 thoughts on “ବରଷା ରାଣୀ ଆଖିରେ ପାଣି !”

  1. So nice, highly commendable. The author has really struck the right cord to touch heart. It would inspire lot many people.

  2. ଅତ୍ୟନ୍ତ ସରଳ ଅଥଚ ଭାବଗର୍ଭକ ଦ୍ୱିତୀଚନ୍ଦ୍ରଙ୍କ ସ୍ତମ୍ଭ ରଚନା ! ଶୁଭମସ୍ତୁ

  3. ବାସ୍ତବ କଥା । ବିକାଶ ନାଁ ରେ ବିନାଶ କରି ଚାଲିଛେ । ବରଷା ରାଣୀଙ୍କ ଆଖିରେ ସତରେ ପାଣି । ଚାଷୀକୁଳର ଉଜୁଡା ଭବିଷ୍ୟତ କୁ ନେଇ ମର୍ମସ୍ପର୍ଶୀ ଉପସ୍ଥାପନ । ବାସ୍ତବତାରେ ଭରା । ନିୟମିତ ଏମିତି ବିଷୟସବୁ ପଢିବାକୁ ମିଳୁ । ପ୍ରଣାମ୍ ସ୍ରଷ୍ଟା ଶ୍ରୀ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ।

  4. ସବୁଥର ଭଳି ଏଇ ବି ସାରଗର୍ଭକ ତଥା ଉପାଦେୟ

Leave a Reply

Your email address will not be published. Required fields are marked *