ମୃତ୍ୟୁ, ମୋ ପ୍ରେମିକା

ନଳୀନକାନ୍ତ ଦାଶ

ପ୍ରତୀକ ସେ
ନିଚ୍ଛକ, ନିଃସ୍ୱାର୍ଥ ପ୍ରେମର
ଛଳନା, ମିଛ, ମାୟାରୁ
ତ ଦୂରେ !

ପ୍ରତିଶୃତିବଦ୍ଧ ଆସିବ
ନିଶ୍ଚୟ ସେ
ଅମାଅନ୍ଧାର ତମସାଚ୍ଛନ୍ନ ରାତି,
ଅବା ଦିବା ସୂର୍ଯାଲୋକରେ ।

ପ୍ରବଳ ବର୍ଷାର ହୋଇ ବାରିଧାରା, ନା
ଜ୍ୟେଷ୍ଠର ପ୍ରଚଣ୍ଡ ରୌଦ୍ର ସାଜି
ଅସହ୍ୟ ଶୀତର ଜାଡ଼ ପରି, ନା
ଫଗୁଣର ରଙ୍ଗ ଖେଳର ରଙ୍ଗୀନ ଚାଦର ଓଢି ।

କେବେ ? କେମିତି ?? ଆସିବ
ଏକଥାରୁ ମୁଁ ଅନଭିଜ୍ଞ
କିନ୍ତୁ, ଆସିବ ନିଶ୍ଚୟ
କାରଣ ସେ ବଚନବଦ୍ଧ ।

ଆସିବ ସେ ନିଶ୍ଚୟ
ଲାଲ ଶାଢୀ ପିନ୍ଧା ନବବଧୂ ବେଶେ
ଅବା
ସ୍ୱର୍ଗର ଶ୍ୱେତାମ୍ବରୀ ଅପସରା ସାଜି ।

ହାତରେ ହାତ ଛନ୍ଦି
ଏ ସଂସାରରୁ ନେବ ମୋତେ ଦୂରେଇ
ନିଜ ପଣତତଳେ ଶୁଆଇ ଦେଇ
ମୋ କ୍ଳାନ୍ତ ଶରୀରର
ଦୁଃଖ କଷ୍ଟକୁ ଦେବ ହଟେଇ ।

ଚଳଚଞ୍ଚଳ, ମନମୋହିନୀ ସେ
ସୂତ୍ରଧର ମୋ ଜୀବନର,
ମୋ ସଂଗୀନୀ, ମୋ ପ୍ରେମିକା
ମୃତ୍ୟୁ, ମୋ ପ୍ରେମିକା ।

ନିଚ୍ଛକ, ନିଃସ୍ୱାର୍ଥ ପ୍ରେମର ପ୍ରତୀକ
ମୃତ୍ୟୁ, ମୋ ପ୍ରେମିକା ।

ପ୍ରତିଶୃତିବଦ୍ଧ ସେ
ଆସିବ ନିଶ୍ଚୟ ….।

ମୃତ୍ୟୁ, ମୋ ପ୍ରେମିକା ।

କେସିଙ୍ଗା, କଳାହାଣ୍ଡି, ଦୂରଭାଷ- ୯୯୩୭୦୬୭୧୯୯

ଲେଖକ ପରିଚୟ

କଲେଜ ପଢିବା ସମୟରୁ ହିଁ ଗଳ୍ପ, କବିତା ଲେଖିବାକୁ ଭଲପାଏ । ଏତତବ୍ୟତୀତ ଅଭିନୟରେ ରୁଚି ରଖେ । ୟୁଟ୍ୟୁବରେ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ କରିଛି । ଶିକ୍ଷାଗତ ଯୋଗ୍ୟତା ଏମ୍.ଏ (ଇଂରାଜୀ ଓ ସମାଜଶାସ୍ତ୍ର), ଏଲ.ଏଲ. ବି ।

Related Posts

Leave a Reply

Your email address will not be published. Required fields are marked *