ମୌସୁମୀ ଦାସ

“କି ଗୁଣ ଗାଇବି ଖଜୁରୀ ଗଛର ଲୋ ସଜନୀ, ସେ ତ ମୂଳରୁ ପାହାଚ ପାହାଚ।”

ଚମକି ପଡ଼ି ଅରବିନ୍ଦ ପଛକୁ ବୁଲି ଚାହିଁଲେ । ଆରେ …ଏ ତ ସେଇ ସ୍ଵର ! ଅର୍ଜୁନିର ସେଇ ସ୍ଵର କ’ଣ ଭୁଲିହୁଏ ଯେ ଭୁଲି ହେଇଥାଆନ୍ତା । ସେଇ ମୂର୍ଚ୍ଛନାରେ ଅରବିନ୍ଦ କେତେ ଅନ୍ୟମନସ୍କ ହେଇ ଉଠୁଥିଲେ । ଏବେବି ସେ ସ୍ଵର ମୂର୍ଚ୍ଛନା ତାଙ୍କୁ ଆନମନା କରିଦେଲା ।

ତରୁଣ ବୟସର ସେଇ ସ୍ମୃତି ବିଜଡ଼ିତ ଗାଁ ଆଉ ତାଙ୍କର ପ୍ରିୟ ଗାଁ-ଯାତ୍ରାଦଳ । ସେହି ଯାତ୍ରାଦଳର ଆକର୍ଷଣ ଥିଲା ଅର୍ଜୁନି । ଅରବିନ୍ଦଙ୍କ ଦାଦା ଯାତ୍ରା ଦଳଟି ଗଢ଼ିଥିଲେ । ଅଭିନୟ ପ୍ରତି ତାଙ୍କର ଖାଲି ପାଗଳପଣ ନଥିଲା, ବରଂ ଏୟା କହିଲେ ବେଶୀ ଠିକ୍ ଲାଗିବ ଯେ ଦାଦା ବଞ୍ଚୁଥିଲେ ତ କେବଳ ଅଭିନୟ ପାଇଁ । ତାଙ୍କର ସେଇ କଳାପ୍ରୀତି ଯୋଗୁଁ ଘରେ ସେ ବାପା, ଜେଜେବାପାଙ୍କର ଅପ୍ରିୟ ସିନା, ସାରା ଗାଁ କାହିଁକି, ଆଖପାଖ ଆଉ କେତେଖଣ୍ଡ ଗାଁରେ ବି ଦାଦା ସଭିଙ୍କର ପ୍ରିୟ ଥିଲେ । ଗାଁ ପିଲାଙ୍କୁ ନେଇ ଗଢ଼ିଥିଲେ ସେ  ଯାତ୍ରାଦଳଟି । ଅର୍ଜୁନି ସେ ଯାତ୍ରାଦଳର ପ୍ରତିବିମ୍ବ ଥିଲା ।

ଆଠ ଭାଇଭଉଣୀ ଭିତରେ ସପ୍ତମ ସନ୍ତାନ ଏଇ ଅର୍ଜୁନି । ବାପ ତା’ର ଚାଷୀ, ଭାଗରେ ଜମି ଚଷେ । କୁଟୁମ୍ବ ପୋଷିବାର ସକ୍ଷମତା ନଥାଇ ବହୁକୁଟୁମ୍ବୀ । ତା’ଉପରେ ଅର୍ଜୁନି ଭଳି ନିକିମାର ବାପା ବୋଲି ସବୁବେଳେ ଅବସୋସ । ଦାଦା ଆବିଷ୍କାର କରିଥିଲେ ଅର୍ଜୁନିକୁ ଯେତେବେଳେ, ସେତେବେଳେ ସେ ଭାବିନଥିଲେ ରତନପୁର ଗାଁରେ ଏମିତି ରତ୍ନ ବି ଅଛନ୍ତି, ଯୋଉମାନେ ଯେକୌଣସି ହିରୋଇନକୁ ବି ମାତ୍ କରିଦେବେ । ଆଜିକାଲିକା ସମୟର କଥା ହେଇଥିଲେ ଅର୍ଜୁନି ବୋଧେ ଯାତ୍ରାଦଳ ଛାଡ଼ି ରାଜନୀତି କରୁଥାନ୍ତା କେଉଁ କିନ୍ନର-ମଣ୍ଡଳର ମଣ୍ଡଳାଧୀଶ ହୋଇ ।

କଳାକାର ମାଇଚିଆ ଅର୍ଜୁନି । ଗାଁ ଗୋଟାକ ଯାକରେ ଏଇ ତା’ର ପରିଚୟ । ମୁଣ୍ଡରେ ମସ୍ତବଡ଼ ଖୋସା, କାନରେ କାନଫୁଲ, ନାରୀସୁଲଭ ସ୍ଵର, ଅଣ୍ଟାଭଙ୍ଗା ଚାଲି । ଏଇ ତା’ର ରୂପଭେକ । ସେତେବେଳେ ଯାତ୍ରା ପାର୍ଟିରେ ଆଜିକା ଭଳି ଏତେ ସ°ଖ୍ୟାରେ ଝିଅ ଅଭିନୟ  କରୁନଥିଲେ । ଆଉ ରତନପୁର ଗାଁର ଯାତ୍ରା ପାର୍ଟିରେ ହିରୋଇନ ସାଜୁଥିଲା ଅର୍ଜୁନି ।

ସେଦିନ କଟକର ଏକ ପ୍ରଖ୍ୟାତ ହୋଟେଲର ପଛପଟ ରାସ୍ତାରେ ହଠାତ ଭେଟ ହେଇ ଯାଇଥିଲା ଅରବିନ୍ଦଙ୍କର ଏଇ ଅର୍ଜୁନି ସହ । ତା’ ସ୍ଵର ଶୁଣି ଅଟକି ଯାଇଥିଲେ । ଆଉ ତା’କୁ ଦେଖି ଆଶ୍ଚର୍ଯ୍ୟ ହେଲେ । ହୋଟେଲରୁ ହସହସ ମୁହଁରେ ଆସୁଥିଲା ଅର୍ଜୁନି, ସାଙ୍ଗରେ ସ୍ତ୍ରୀ ଲୋକଟିଏ । ଅଟକିଗଲେ ଅରବିନ୍ଦ। ସୁନ୍ଦରୀ ସ୍ତ୍ରୀଟିଏ ଅର୍ଜୁନି ସହ ! ଅର୍ଜୁନିର ସେଇ ପୁରୁଣା ଠାଣି । ପାଇକଛାମରା ଧୋତି ଉପରେ ସିଲ୍କ ଗଞ୍ଜି ଓ ଡୋରିଆ ଖୋର୍ଦ୍ଧା ଗାମୁଛା, କଲିକତି ଠାଣି।ସାରାରାତି ଅନିଦ୍ରାଜନିତ କ୍ଲାନ୍ତିର ସୁସ୍ପଷ୍ଟ ସଙ୍କେତ ସ୍ତ୍ରୀଲୋକଟିର ମୁହଁରେ, ଭଙ୍ଗୀରେ ।

ଅରବିନ୍ଦଙ୍କୁ ଦେଖି ଅଟକିଗଲା ଅର୍ଜୁନି । ଲାଜେଇ ଯିବାର ଅଭିନୟ କରି କହିଲା, “ଜୁହାର ସାନ ସାଆନ୍ତେ ।” ପ୍ରାୟ ଆଠ ଦଶ ବର୍ଷ ପରେ ତା’ସହ ଭେଟ । ସେମିତି ରୂପ, ସେମିତି ଠାଣି, ସେମିତି ଅଭିନୟ, ଅବିକଳ । ଅର୍ଜୁନିକୁ ଭିଡ଼ ଭିତରୁ ବି ଚିହ୍ନିବାରେ ଅସୁବିଧା ହେଇନଥାନ୍ତା ଅରବିନ୍ଦଙ୍କର । ଦାଦାଙ୍କର ପାଖଲୋକ ଥିଲା ସେ । ଦଶହରା କି ଖରାଛୁଟିରେ ଗାଁକୁ ଗଲେ ତାଙ୍କ ଯତ୍ନର ଭାର ପଡୁଥିଲା ତା’ରି ଉପରେ । ହେଲେ, ଗାଁ ଛାଡ଼ି ଏଠି ସେ !

ଅରବିନ୍ଦଙ୍କୁ ପ୍ରଶ୍ନବାଚୀଗୁଡ଼ିକ ଭିତରେ ସେମିତି ଛାଡ଼ିଦେଇ ଅର୍ଜୁନି ସ୍ତ୍ରୀଟି ଆଡ଼କୁ ଚାହିଁ କହିଲା,”କି ଲୋ, ସାନ ସାଆନ୍ତେ ପା’… ଓଳିଗି ହ’ ।”  ହାତଯୋଡ଼ି ଦେଇ ଅଳସୀ-ସ୍ଵରରେ ସ୍ତ୍ରୀଲୋକଟି କହିଲା, “ନମସ୍କାର ।” ତା’ ନମସ୍କାରର ଉତ୍ତର ଦେବା ପୂର୍ବରୁ ଅର୍ଜୁନି କହିଲା,  “ସାନ ସାଆନ୍ତେ, ମୁଁ ତା’ର ଦୁତୀଅ ।”

କଥାଟା ହଠାତ ବୁଝି ପାରିଲେନି ଅରବିନ୍ଦ । ତଥାପି ହସିଦେଇ ପଚାରିଲେ, “ତୁ ଏଠି କ’ଣ କରୁଛୁ ? କେବେଠୁଁ ଆସିଲୁଣି ?”

“ସବୁକଥା ପରେ କହିବି । ଘରଠି କି ଯିବି ।” ଏତିକି କହି ଚାଲିଗଲା ସେ, ପଛେପଛେ ସ୍ତ୍ରୀଟି । ଅରବିନ୍ଦ ଠିଆ ହେଇ ଚାହିଁଥିଲେ ତା’କୁ ।

ଦୁଇ ତିନି ପରେ ଅଫିସରୁ ଫେରି କ୍ଲାନ୍ତ ଅରବିନ୍ଦ ବାରଣ୍ଡା ଚେୟାରରେ ଆଖିବୁଜି ସନ୍ଧ୍ୟାର ସୁଲୁସୁଲିଆ ପବନରେ ବିଭୋର ଥିଲାବେଳେ ପୁଣି ଶୁଣିବାକୁ ପାଇଲେ ସେ ସ୍ୱର । “ଜୁହାର ସାନ ସାଆନ୍ତେ ।” ବାରଣ୍ଡାର କୋଣକୁ ଲାଗି ଠିଆ ହୋଇଥିଲା ଅର୍ଜୁନି । ତା’କୁ ଦେଖି ଖୁସି ହେବେ କି ଦୁଃଖ କରିବେ, ଭାବି ପାରିଲେନି । ସହରର କଂକ୍ରିଟ ଆଉ ନର୍ଦ୍ଦମାର ଗନ୍ଧ ସହ ଅର୍ଜୁନିର ଗାଉଁଲି ସରଳ ଓ କୋମଳ ବ୍ୟକ୍ତିତ୍ୱକୁ ଆଦୌ ଯୋଡ଼ି ପାରୁନଥିଲେ । ହଠାତ ତା’ର ଉପସ୍ଥିତି କେମିତି ଖାପଛଡ଼ା ଲାଗୁଥିଲା ତାଙ୍କୁ ।

ତେବେ ଅର୍ଜୁନିକୁ ସ୍ୱାଗତ ଜଣେଇବା ଛଡ଼ା ଆଉ କିଛି ବାଟ ନଥିଲା । ନିଜ ଭିତରେ ତା’କୁ ନେଇ ଅନୁସନ୍ଧିତ୍ସା ବେଳକୁବେଳ ବଢ଼ୁଥିଲା । ଦାଦାଙ୍କଠୁଁ ଦୁଇ ବର୍ଷ ତଳେ ଶୁଣିଥିଲେ ଅରବିନ୍ଦ, ଅର୍ଜୁନି ଗାଁ ଛାଡ଼ି, ଯାତ୍ରାଦଳ ଛାଡ଼ି ଚାଲି ଯାଇଥିଲା କୁଆଡ଼େ । ସେ ଯିବାପରେ ଯାତ୍ରାଦଳ ବି ଭାଙ୍ଗି ଯାଇଥିଲା ।

କିଛି ବର୍ଷ ତଳେ ସହରତଳିରେ ରତନପୁର ଯାତ୍ରାଦଳର ଏକ ପ୍ରଦର୍ଶନ ଥିଲା । ତିନି ରାତିର ଯାତ୍ରା । ତା’ପରେ ଅର୍ଜୁନି ଆଉ ଗାଁକୁ ଫେରିନି । ନାୟିକା ଭାବେ ଅଭିନୟ କରୁଥିବା ଲୀଳାର ଲୀଳାୟିତ ଭଙ୍ଗୀରେ ବାନ୍ଧି ହେଇଯାଇଛି ସେ ସେଦିନୁ । ଲୀଳାକୁ ବାହା ହେଇ ଏଆଡ଼େ ହିଁ ରହିଯାଇଛି ସେ । ଅର୍ଜୁନିଠୁ ଲୀଳା ସହ ତା’ର ରୋମାଞ୍ଚକର ମୁଲାକାତ ଆଉ ଭାବ ବିନିମୟର କଥା ଶୁଣୁଥିଲେ ଅରବିନ୍ଦ ।

ଲୀଳା ଯେ ଅର୍ଜୁନିକୁ କାହିଁକି ପସନ୍ଦ କଲା, ସେକଥା ଏବେ ବି ଅର୍ଜୁନିର ଅଗୋଚର । ହୁଏତ ତା’ପାଇଁ ଏଇଟା ଏକ ନୂଆ ଅନୁଭବ ଥିଲା । ଗାଁରେ ତା’କୁ କେହି ପୁରୁଷ ଖାତାରେ ଗଣୁ ନଥିଲେ । ବରଂ ତା’କୁ ‘ବୃହନ୍ନଳା’ ଡାକି ଗାଁମାଇପେ  ନିଜ କାମ କରେଇ ନେଉଥିଲେ ତା’ ହାତରେ । 

କଟକ ଆସି ଅର୍ଜୁନି ପ୍ରଥମଥର ପାଇଁ ଅନୁଭବ କରିଥିଲା, ସେ ପୁରୁଷ । ଏଇ ସୁପ୍ତ ଅନୁଭବଟି ତା’ ଭିତରେ ଜଗେଇଥିଲା ଲୀଳା । ପ୍ରଥମ ଥର ଲାଗି ଲୀଳାର ସ୍ପର୍ଶ ପାଇ ତା’ ଭିତରେ  ସୃଷ୍ଟି ହେଇଥିଲା ଉନ୍ମାଦନା । ସ୍ୱାମୀ ପରିତ୍ୟକ୍ତା ଲୀଳା କଟକର ସହରତଳି କେଉଁ ଏକ ନାମହୀନ ବସ୍ତିରେ ବଞ୍ଚୁଥିଲା ଦୟନୀୟ ଜୀବନଟେ, ଅର୍ଜୁନିକୁ ଭେଟିବା ଯାଏଁ । ଛୋଟମୋଟ କିଛି ନାଟକରେ କାମ କରି ପେଟ ପୋଷୁ ଥିଲା । ରତନପୁର ଯାତ୍ରାଦଳ ନାଟକ ପାଇଁ କଟକ ଆସିଲେ । କୋଉ ଏକ ନାଟ୍ୟକାରଙ୍କ ଯୋଗୁଁ ଲୀଳାକୁ ରତନପୁର ଯାତ୍ରାଦଳରେ ନାୟିକା ଭାବେ ସ୍ଥାନ ମିଳିଗଲା କୌଣସି ଏକ ଅପ୍ରତ୍ୟାଶିତ ସଂଧ୍ୟାରେ । ଅର୍ଜୁନିକୁ ଚକିତ କରି ଦେଉଥିଲା ଲୀଳାର ଭଙ୍ଗିମା ।

ଯାତ୍ରାଦଳର ଅଭିନୟ ଆରମ୍ଭ ହେଇ ସାରିଥିଲା । ରାଣୀ ଚନ୍ଦ୍ରକାନ୍ତା ଭୂମିକାରେ ଥିଲା ଅର୍ଜୁନି । ତା’ର ଛଟା ଠାଣି ଦେଖି ଦର୍ଶକ ଭିତରୁ କିଏ ଜଣେ ପାଟି କରି କହିଥିଲା “ହେଇରେ… ହିରୋଇନକୁ ମାତ୍ କରି ଦେଉଛି ଏ ଟୋକାଟା !” ଆଉଜଣେ କହିଲା, “ଏ ଛଇଲା ତ ଆମ ଲଇଲା ଲୀଳାକୁ ଚିତ୍ କରି ଦେବରେ…!” ରାଧା ଭୂମିକାରେ ଅଭିନୟ କରୁଥିବା ଲୀଳାର କାନରେ ପଡ଼ି ଯାଇଥିଲା ଏକଥା । ଛାତିରେ ତା’ର ଚମକ ଖେଳି ଯାଇଥିଲା । ବାସ୍, ତା’ପରେ ରାତ୍ରୀର ରାଧା ପାଇଁ ଅର୍ଜୁନି ଭଳି ଚନ୍ଦ୍ରସେଣା ମିଳିଗଲା ।

ଏଣିକି ବୃହନ୍ନଳା ଅର୍ଜୁନି ଭୁଲିଲା ରାତିର ରାଧାର ହସରେ, ଠାଣିରେ, ମାଣିରେ । ସେ ସାଜିଲା ଚନ୍ଦ୍ରସେଣା । ତା’କୁ ଭୁଲେଇଲା ଲୀଳା । ଏଠି ଚାକିରି ମିଳିବ, କଞ୍ଚା ପଇସା ହାତରେ ଧରି ପୁରୁଷ ହେଇ ବଞ୍ଚିବ ସେ । ବାସ୍, ଆଉ ଫେରିଲାନି ସେ ଗାଁକୁ । ଯାତ୍ରାଦଳ ଛାଡ଼ିଦେଲା । ଲୀଳାର ହାତ ଧରି ବାହାରି ଆସିଲା ।

ହାଃ, ବୃହନ୍ନଳା ପୁଣି ଅର୍ଜ୍ଜୁନ ହେବ ! ଦ୍ରୌପଦୀର ହାତ ଧରି ଘର କରିବ ! କେତେ ସ୍ୱପ୍ନ, କେତେ କଳ୍ପନା ନେଇ ସେ ବିଭୋର ହେଲା । ମନ୍ଦିରରେ ଲୀଳାର ମଥାରେ ସିନ୍ଦୂର ପିନ୍ଧେଇ ଅର୍ଜୁନି ନିଜ ହାତଗୋଡ଼ରେ ସେଦିନୁ ବେଡ଼ି ପିନ୍ଧିଲା ।

ଏଠି ତା’ପାଇଁ ଚାକିରି ନଥିଲା । ସାରାଦିନ କାମ ଖୋଜିଖୋଜି ସନ୍ଧ୍ୟାରେ ଘରକୁ ଫେରେ ତ ଲୀଳାର ଦାବୀ ପୂରଣ ପାଇଁ ବି ରାତିସାରା ତା’ ଅସାମର୍ଥ୍ୟ ଦେହମନ ନେଇ ଝିଙ୍ଗାସ ଶୁଣେ । ଦେହର, ମନର, ପେଟର ଭୋକ ମେଣ୍ଟେଇବା ପାଇଁ ଶେଷରେ…।

ଚକ ପୁଣି ଗଡ଼ି ଚାଲିଲା । ଏଣିକି ଚନ୍ଦ୍ରସେଣା ସଞ୍ଜ ହେଲେ ରାଧା ପାଇଁ କୃଷ୍ଣ ଖୋଜେ ଏବଂ ନିଜ ଅପାରଗ ପୁରୁଷପଣ ପାଇଁ ଗଞ୍ଜେଇ । ସାରା ରାତି । ଏବେ ସେଦିନର ଅଭିନୟର ନିଶା ତା’ ଦେହରୁ ଉତୁରି ଯାଇଛି । ଦେହସାରା ଚରିଯାଇଛି ଗଞ୍ଜେଇର ନିଶା । ଏବେ ସେ ଆଉ ଗାଁର ସରଳିଆ ଅର୍ଜୁନି ନୁହେଁ, ଯାହାକୁ ଗେହ୍ଲେଇ “ବୃହନ୍ନଳା” ଡାକି ଗାଁ ସାରାର ସ୍ତ୍ରୀଲୋକ ନିଜର କରିଥିଲେ । ଏବେ ସେ ସହରତଳିର ପରାଜିତ ଚନ୍ଦ୍ରସେଣା ।

“ସାନ ସାଆନ୍ତେ, ବାପଭାଇ ଛିଛାକର କରୁଥିଲେ । ବାପର ଦେହାନ୍ତେ ବଡ଼ଭାଇ ଘରୁ ତଡ଼ିଦେଲା । ଅପାରଗ ମାଇଆ କର୍ମକୋଢ଼ିଆ ଏମିତି କେତେ କ’ଣ କହିଲେ ସମସ୍ତେ । ଗାଁର ସମସ୍ତେ ଟାହିଟାପରା କରୁଥିଲେ । ଲୀଳା ହିଁ ସେତେବେଳେ ମୋ’ ଭିତରେ ସାହସ ଦେଇଥିଲା । ମୋତେ ମଣିଷ ଭଳି ଜୀଇଁବାର ସ୍ୱପ୍ନ ଦେଖେଇଥିଲା । ତା’କୁ ଛାଡ଼ି କୁଆଡ଼େ ଯାଇଥାନ୍ତି ? ହେଲେ, ତା’ ଲାଖି ସ୍ୱାମୀ ତ ହେଇ ପାରିଲିନି । ତା’କୁ ଦେହସୁଖ ଦେବାକୁ ମୋ’ ଅଯୋଗ୍ୟପଣରୁ ବଞ୍ଚିତ କାହିଁକି କରିଥାନ୍ତି । ସେଥିପାଇଁ…”

ଫେରି ଯାଇଥିଲା ଅର୍ଜୁନି କେତେବେଳୁ । ହେଲେ ସେଇ ବାରଣ୍ଡାଟାରେ ତା’ ଯିବା ରାସ୍ତାକୁ ଚାହିଁ ଶୂନ୍ୟଦୃଷ୍ଟିରେ ବସି ରହିଥିଲେ ଅରବିନ୍ଦ ଦୀର୍ଘ ସମୟ ଯାଏଁ । ଅନ୍ଧାର ଭିତରେ ହଜି ଯାଇଥିଲା କଳାକାର ଅର୍ଜୁନି । ଏବେ ସେ କେବଳ ଅସହାୟ ଚନ୍ଦ୍ରସେଣା ।

ମୌସୁମୀ ଦାସ, ସି-୨୦୪, ହେନା ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର-୭୫୧୦୦୭

ଲେଖକ ପରିଚୟ

ବୃତ୍ତିରେ ରାଜ୍ୟ ସଚିବାଳୟର ସୂଚନା ଓ ଲୋକସମ୍ପର୍କ ବିଭାଗରେ ଉପବିଭାଗ ଅଧିକାରୀ ରୂପେ କାର୍ଯ୍ୟରତ ସତ୍ତ୍ୱେ ଲେଖାଲେଖି ପ୍ରତି ପ୍ରବଳ ଦୁର୍ବଳତା ମୋର । ୧୯୮୫ ମସିହାରୁ ଲେଖାଲେଖି ଆରମ୍ଭ କରିଥିଲାବେଳେ ଶିଶୁ ପତ୍ରିକା ମୀନାବଜାରରେ ୧୯୯୫ ରେ ମୋର ଏକ କବିତା ପ୍ରକାଶିତ ହୋଇଥିଲା । ଏଯାବତ ୩ ଟି ଗଳ୍ପ ସଂକଳନ, ୩ ଟି କବିତା ସଂକଳନ ଓ ମିଳିତ ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ନାନା ବହୁ ପ୍ରସିଦ୍ଧ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ ସମୟରେ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଛି ।  

Related Posts

Leave a Reply

Your email address will not be published. Required fields are marked *