ଲଲାଟେନ୍ଦୁ କବି

ଛନ୍ଦ: ଶୈଳସୁତା 23/3595120

ଗଣ: ନ ଜ ଜ ଜ ଜ ଜ ଜ + ଲଗୁ
111/121/1=21/121/1••21/121/1= 21+12
यति/ଯତି: 13, 10

ତରଳବିଚାରିଣି ଶୂନ୍ୟବିହାରିଣି
ଉଦ୍ଵସନାଶିନି ହର୍ଷଭରେ
କୁସୁମିତ ଗୋଚର ତୁଙ୍ଗ ଧରାଧର
ବିଗ୍ରହକାତର ବୃକ୍ଷବରେ ।
ବନତଳନିର୍ଝର କୈରବପୁଷ୍କର
ଦର୍ଦରକନ୍ଦର କାନ୍ଦି ମରେ
ଅଲିଅଳି କନ୍ଦିନି କର୍ବୁରଦେହିନି
କୈଶିକକାମିନି ଆସ ଥରେ । ୧

ଉଦ୍ଵସ= ବିଜନତା; ଗୋଚର= ପଡ଼ିଆ; ବିଗ୍ରହ= ବିଚ୍ଛେଦ; କୈରବପୁଷ୍କର= ପଦ୍ମସରୋବର; ଦର୍ଦରକନ୍ଦର= ଗିରିଗୁମ୍ଫା; କନ୍ଦିନୀ= ବାଳିକା; କର୍ବୁର= ସୁନା; କୈଶିକ= ପ୍ରେମ;

ତବ କମଳେକ୍ଷଣ ଚନ୍ଦ୍ରସୁଧାନନ
ନୂପୁର ନିକ୍ଵଣ ଗୁଞ୍ଜଭରା
କରରୁହ-ରଞ୍ଜନ ହସ୍ତକ କଙ୍କଣ
ମୂର୍ଦ୍ଧଜକୁଞ୍ଚନ କୃଷ୍ଣ ଝରା ।
ସ୍ମୃତି ମମ ଚଞ୍ଚଳ ନେତ୍ରଜ ଉଚ୍ଛଳ
ଆତତି ଆଗତ ମର୍ତ୍ତ୍ୟ ପରେ
ଅଲିଅଳି କନ୍ଦିନି କର୍ବୁରଦେହିନି
କୈଶିକକାମିନି ଆସ ଥରେ । ୨

ଈକ୍ଷଣ= ଆଖି; କରରୁହ-ରଞ୍ଜନ= ନଖପାଲିସ୍‌; ମୂର୍ଦ୍ଧଜ= ବାଳ; ନେତ୍ରଜ= ଲୁହ; ଆତତି= ଅନ୍ଧାର:

ବୁକୁତଳଲମ୍ବିତ ମଞ୍ଜରଖଞ୍ଜିତ
ଉଜ୍ଜ୍ଵଳ ଦୋଳିତ ମାଲ୍ୟବତୀ
ଉପବନ ପୁଷ୍ପିତ ସୌରଭ-ନୋଦିତ
ଶାନ୍ତବିନିଦ୍ରିତ-ଗନ୍ଧବତୀ ।
ବୁକୁତଳମନ୍ଥନ-ମର୍ମବିଦାରଣ-
ଖଣ୍ଡନ ନିର୍ଦ୍ଧନ ଜୀବନରେ ।
ଅଲିଅଳି କନ୍ଦିନି କର୍ବୁରଦେହିନି
କୈଶିକକାମିନି ଆସ ଥରେ । ୩

ମଞ୍ଜର= ରତ୍ନବିଶେଷ; ମାଲ୍ୟବତୀ= ମାଳାପିନ୍ଧା; ନୋଦିତ= ପ୍ରେଷିତ; ଗନ୍ଧବତୀ= ପୃଥିବୀ;

ଭୟକର ଅଙ୍ଗନ ମୌନ ନିବାସନ
ଅଗ୍ରତ ପାର୍ବଣ ରଙ୍ଗ ଫିକା
ମୃଦୁଳ ସମୀରଣ କମ୍ପ୍ର ଲତାବନ‌
ରାତ୍ରିକ ଖୋଜୁଛି ଶାର୍ବରିକା ।
ସୁରଭିତ ସଞ୍ଚର ପଲ୍ଲବ ମର୍ମର
ଦର୍ଶନତତ୍ପର ଶୀଘ୍ରତରେ,
ଅଲିଅଳି କନ୍ଦିନି କର୍ବୁରଦେହିନି
କୈଶିକକାମିନି ଆସ ଥରେ । ୪

ଭୟକର= ଭୟଙ୍କର; ଅଗ୍ରତ= ଆଗକୁ; ପାର୍ବଣ= ପର୍ବ; ରାତ୍ରିକ= ରାତ୍ରିଚର; ଶାର୍ବରିକା= ରାତ୍ରିଚରୀ; ସଞ୍ଚର= ରାସ୍ତା;

ମଧୁକୁଞ୍ଜ ଏନକ୍ଲେଭ, ରସୁଲଗଡ଼, ଭୁବନେଶ୍ୱର

ଲେଖକ ପରିଚୟ

ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ । ପିଲାବେଳେ କିଛିକିଛି କବିତା ଲେଖୁଥିଲେ । କର୍ମବ୍ୟସ୍ତତା ତଥା ଅନ୍ୟାନ୍ୟ କାରଣ ହେତୁ ୧୯୭୬ରୁ ୨୦୧୪ – ଏହି ୩୮ ବର୍ଷ ସାହିତ୍ୟରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ରହି ଏବେ ପୁଣି ସାହିତ୍ୟ ସେବାରେ ‌। ବର୍ତ୍ତମାନ ଛନ୍ଦ ଶିକ୍ଷା ଓ ଓଡ଼ିଆ କାବ୍ୟ ଜଗତରେ ଛନ୍ଦର ପ୍ରଚଳନ ନିମନ୍ତେ ସାଧନା ହିଁ ମୁଖ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *