ଶିବାଶିଷ ପାଢ଼ୀ
ସହରରେ ନିଜ ଘର ହେବା ପରେ ଗାଁରୁ ଜବରଦସ୍ତ ନେଇ ଆସୁଥିଲେ ମନୋଜ ବାବୁ । ଗାଁର ସେଇ ଛୋଟିଆ ଘରେ ସାରା ଜୀବନ କଟାଇ ଦେଉଥିବା ମା’ ମଙ୍ଗୁ ନଥିଲେ ଜମା । ମାତ୍ର ସାତ ଆଠ ଦିନ ରହିଲା ପରେ ପୁଣି ଗାଁକୁ ଯିବାକୁ ବାହାରୁଥିବା ଶାଶୂଙ୍କୁ ବୁଝାଥିଲେ ମଧୁସ୍ମିତା-
“ମା’ ଏଇଠି କ’ଣ ଅସୁବିଧା ଅଛି ? କାହିଁକି ବାରମ୍ବାର ଚାଲି ଯାଉଛ ତୁମେ । ତୁମେ ଅଛ ବୋଲି କେତେ ଖୁସି ଅଛୁ ଆମେ ।”
ହସି ଦେଉଥିଲେ ଶାଶୁ । କହୁଥିଲେ-
“ଏଇଠି କିଛି ଅସୁବିଧା ନାହିଁରେ ମା’ । ନାତିନାତୁଣୀ ମେଳରେ ସମୟ କାଟୁଛି, ମନ୍ଦିର ଯାଉଛି । ପୁଅ ମୋ କଥା ଯାହା ବୁଝୁ ତୁ ତ ସବୁବେଳେ ମୋ ପଛେପଛେ ଲାଗିଛୁ । ଟିକେ ବି ଅସୁବିଧା ହେବାକୁ ଦେଉନୁ ।”
ଶୂନ୍ୟକୁ ଚାହିଁ ନମସ୍କାରଟିଏ କରୁଥିଲେ ସେ ।
“ହେ ପ୍ରଭୁ ! ମୋର ଏତେ ସୁଖକୁ କାହାର ନଜର ନଲାଗୁ ।”
ହେଲେ ସେଇଠି ତ ସବୁକିଛି ଅଛିରେ ମା । ତୋତେ କହିଲେ ବି ତୁ ଜାଣିପାରିବୁ ନାହିଁ । ମୋ ଠାକୁର ଅଛନ୍ତି । ମୋ ବାକ୍ସ ଅଛି ।
ସେ ବାକ୍ସ ଭିତରେ ତୋ ବାପା କିଣିଦେଇଥିବା ପ୍ରଥମ ଶାଢ଼ୀ ଅଛି । ସେ ସୁନାର କାନଫୁଲ ଅଛି । ଆଉ କେତେକଣ ଅଛି ।”
କାହା କଥା ନମାନି ଗାଁକୁ ଚାଲି ଯାଉଥିଲେ ଶାଶୁ ।
“ମୁଁ ଆଉଥରେ ଗଲେ ସବୁକୁ ଆଣି ଆସିବି ମା’ । ଯେମିତି ତୁମେ ଆଉ ଯାଇ ପାରିବନି ।”
କହୁଥିଲେ ମଧୁସ୍ମିତା ହେଲେ ସେ ସମୟ ଆସି ନଥିଲା କେବେ ।
ଏମିତି ଯିବା ଆସିବା ଭିତରେ ଦିନେ ସବୁଦିନ ପାଇଁ ଚାଲିଯାଇଥିଲେ ଶାଶୁ !
ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ଟ୍ରେନ ।
ଷ୍ଟେସନରୁ ବାହାରୁବାହାରୁ ତାଙ୍କୁ ଅପେକ୍ଷା କରିଥିବା ପରିଚିତ ଅଟୋବାଲା ସତ୍ୟ, ନେଇ ଯାଇଥିଲା ବ୍ୟାଗପତ୍ର । କହିଥିଲା-
“ଭାଇ ଆପଣଙ୍କ ପାଇଁ ବହୁତ ବ୍ୟସ୍ତ ହୁଅନ୍ତି ଆଣ୍ଟି । ତିନିଥର ଫୋନ କଲେଣି ପରା ! ଭାଉଜ ବି ଦୁଇଥର କରିଥିଲେ ।”
“ହଁ, ହଁ, କ’ଣ କରିବୁରେ ସତ୍ୟ ! ମୋତେ ତ ଛାଡୁ ନଥିଲେ । ହେଲେ ଆମ ଘରେ ଭଡ଼ାରେ ରହୁଥିବା ମିଶ୍ରବାବୁଙ୍କ ନାତିର ଅନ୍ନପ୍ରାସନ୍ନ । ନଆସିବୁ କେମିତି !”
“ହେଲେ ଆଣ୍ଟି ! ଆପଣ ଯିବା ତ ଦଶ ଦିନ ବି ହୋଇନି ?” ମୁହଁ ବୁଲାଇ କହୁଥିଲା ସତ୍ୟ ।
“ତୁ ରାସ୍ତାକୁ ଦେଖି ଗାଡ଼ି ଚଲା” କହି ନିଜ ସହରକୁ ମନଭରି ଦେଖୁଥିଲେ ମଧୁ । ଲାଗୁଥିଲା ଦଶଦିନ ନୁହେଁ ଦଶ ମାସ ଆଗରୁ ଯାଇଥିଲେ ସେ ।
ବ୍ୟାଗ ପତ୍ର ବାରଣ୍ଡାରେ ଥୋଇ, ଯାଇ ସାରିଥିଲା ସତ୍ୟ । ନିଜ ରୁମର କବାଟ ଖୋଲି ଖଟରେ ଅନେକ ସମୟ ଯାଏଁ ବସି ରହିଥିଲେ ମଧୁ । କାଚ ଆଲମାରୀରୁ ଦେଖା ଯାଉଥିଲା ସୁନ୍ଦର ଭାବେ ସଜା ହୋଇଥିବା ମନୋଜବାବୁଙ୍କ ବହିପତ୍ର ସବୁ । ଉଠିକି ଆଲମାରୀର କବାଟ ଖୋଲି ମନୋଜବାବୁଙ୍କ ଚଷମାକୁ ଆଣି ଥରେ ପିନ୍ଧି ଦେଖିଲେ ସେ । ଅପୂର୍ବ ଶାନ୍ତିରେ ଭରିଗଲା ମନ । କାନ୍ଥରେ ଟଙ୍ଗା ହୋଇଥିବା ମା’ପୁଅଙ୍କ ଫୋଟୋକୁ କିଛି ସମୟ ସେମିତି ଅନାଇ ରହି କହିଥିଲେ-
“ତୁମେ ଠିକ କହୁଥିଲ ମା’ ! କିଛି ଜିନିଷ ସେହି ଅବସ୍ଥା, ସେହି ବୟସକୁ ଆସିଲେ ହିଁ ଜଣାପଡ଼େ । ତା’ ଆଗରୁ ଜମା ନୁହେଁ ।”
ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ତିନୋଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ‘ସାରା ଆକାଶ’ ନାମକ ସଂକଳନ ପ୍ରକାଶିତ ହେବାକୁ ଯାଉଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!